ଦାୟିତ୍ୱ ଓ କର୍ତ୍ତବ୍ୟ
ଦାୟିତ୍ୱ ଓ କର୍ତ୍ତବ୍ୟ
ରମେଶ ବାବୁ ଓ ପତ୍ନୀ ଆଶା ଦେବୀ ଘର ଭିତରେ ଚୁପ ଚାପ ନିଜ କକ୍ଷରେ ବସି ଖାଲି ଦୁହେଁ ଦୁଇଜଣଙ୍କୁ ଚାହିଁ ଅଗଣାରେ ତାଙ୍କ ପୁଅ ଆକାଶ ଓ ବୋହୁ ଅନିତା ଭିତରେ ଚାଲିଥିବା ଯୁକ୍ତି ତର୍କ,ବାଦ ବିବାଦକୁ ଶୁଣୁଛନ୍ତି | ଆଶା ଦେବୀ ଆଖିରେ ଇଶାରା କରି ରମେଶ ବାବୁଙ୍କୁ କହୁଛନ୍ତି ବାହାରକୁ ଯାଇ ସେମାନଙ୍କୁ ଶାନ୍ତ କରାଇବାକୁ ଓ ରମେଶ ବାବୁ ହାତ ହଲାଇ ମନା କରୁଛନ୍ତି ବାହାରକୁ ଯିବାପାଇଁ | ପୁଅ ବୋହୁଙ୍କର ବିବାଦ ଧୀରେ ଧୀରେ ବଢିବାକୁ ଲାଗିଲା,ରମେଶ ବାବୁ ଷାଠିଏ ବର୍ଷ ବୟସର ଓ ଆଶା ଦେବୀ ୫୫ ବର୍ଷ ବୟସର ଖାଲି ହାତ ଯୋଡି ଈଶ୍ୱରଙ୍କୁ ଡାକୁଛନ୍ତି ତାଙ୍କୁ ସାହାଯ୍ୟ କରିବାକୁ | ପୁଅ ଓ ବୋହୁ ଉଭୟ ଏବେ ବାଦ ପାଟିରେ ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଦେବାକୁ ଲାଗିଲେଣି |
ରମେଶ ବାବୁ ଜଣେ ସରକାରୀ ଅଧିକାରୀ ଥିଲେ ଓ ଆଶା ଦେବୀଙ୍କୁ ବିବାହ କରିବା ପରେ ଏହି ସହରରେ ଆସି ରହିଗଲେ |ଏବେ ଏବେ ରମେଶ ବାବୁ ଚାକିରିରୁ ଅବସର ନେଇଛନ୍ତି | ଯେତେବେଳେ ଆକାଶ ଜନ୍ମ ହେଲା ଉଭୟ ରମେଶ ବାବୁ ଓ ଆଶା ଦେବୀ ବହୁତ ଖୁସି ହୋଇ ଯାଇଥିଲେ,କିନ୍ତୁ ତାଙ୍କ ମନରେ ଟିକେ ଦୁଃଖ ରହି ଯାଇଥିଲା ଯେ ତାଙ୍କ ସ୍ଵର୍ଗବାସୀ ମାଆ ନିର୍ମଳ ଦେବୀ ତାକୁ ଦେଖିବା ଆଗରୁ ସବୁଦିନ ଲାଗି ଆଖି ବୁଝିଥିଲେ | ନିର୍ମଳା ଦେବୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଶା ଦେବୀ ତାଙ୍କ ସେବା କରୁଥିଲେ ଗାଆଁରେ ରହି | ରମେଶ ବାବୁ ପ୍ରତ୍ୟେକ ସପ୍ତାହରେ ଗାଆଁକୁ ଯାଉଥିଲେ ତାଙ୍କ ମାଆକୁ ଦେଖିବା ପାଇଁ ଏବଂ ଆଶା ଦେବୀଙ୍କର ବୃଦ୍ଧ ପିତା ରମାକାନ୍ତ ବାବୁଙ୍କୁ ଦେଖିବା ପାଇଁ | ରମାକାନ୍ତ ବାବୁ ଏକ ନିଜ ପୁଅ ଅଶୋକ ସହିତ ରହୁଥିଲେ | ଯେତେବେଳେ ରମାକାନ୍ତ ବାବୁଙ୍କ ଶରୀର ବହୁତ ଖରାପ ହେଲା ତାଙ୍କ ମୃତ୍ୟୁର କିଛିଦିନ ଆଗରୁ,ସେତେବେଳେ ରମେଶ ବାବୁ ତାଙ୍କୁ ଆଣି ସହରର ଡାକ୍ତରଖାନାରେ ଚିକିତ୍ସା କରାଇଲେ | ତାଙ୍କ ପୁଅ ଅଶୋକ ବି ସାଙ୍ଗରେ ଆସିଥିଲେ | ପରେ ଆଶା ଦେବୀ ଆସି ତାଙ୍କ ବାପାଙ୍କ ପାଖରେ ଡାକ୍ତରଖାନାରେ ରହିଲେ ତାଙ୍କ ଦେଖାଶୁଣା କରିବାକୁ | କିନ୍ତୁ ରମାକାନ୍ତ ବାବୁ ଶେଷରେ ଆଖି ବୁଜିଦେଲେ ସବୁଦିନ ପାଇଁ | ରମେଶ ବାବୁ ଓ ଅଶୋକ ମିଶି ରମାକାନ୍ତ ବାବୁଙ୍କର ସମସ୍ତ ଦାହ ସଂସ୍କାର କଲେ | ରମେଶ ବାବୁଙ୍କର ଏପରି କାର୍ଯ୍ୟକୁ ବହୁତ ପ୍ରଶଂସା କଲେ ଓ ଖୁସି ବି ହେଲେ |ରମାକାନ୍ତ ବାବୁଙ୍କର ମୃତ୍ୟୁର ବର୍ଷକ ପରେ ରମେଶ ବାବୁଙ୍କ ମାଆ ନିର୍ମଳା ଦେବୀ ଏଇ ସଂସାରରୁ ସବୁଦିନ ପାଇଁ ଚାଲିଗଲେ | ତାଙ୍କର ସବୁ କ୍ରିୟା କର୍ମ ଶେଷ କରି ରମେଶ ବାବୁ ଆଶା ଦେବୀଙ୍କୁ ନେଇ ସହର ଆସିଗଲେ | ତାପରେ ଏହି ସହରରେ ଆକାଶର ଜନ୍ମ ହେଲା | ବହୁତ ସ୍ନେହ ଶ୍ରଦ୍ଧା ଓ ଆଦରରେ ଉଭୟ ରମେଶ ବାବୁ ଓ ଆଶା ଦେବୀ ଆକାଶକୁ ବାଦ କଲେ | ଆକାଶର ପାଠ ପଢା ପ୍ରତି ରମେଶ ବାବୁ ବହୁତ ଯତ୍ନ ନେଉଥିଲେ | ନିଜର ସ୍ୱଳ୍ପ ରୋଜଗାର ମଧ୍ୟରେ ମଧ୍ୟ ସେ ତାଙ୍କ ପୁଅ ଆକାଶକୁ ଭଲ ପାଠ ପଢିବା ପାଇଁ ସମସ୍ତ ସୁବିଧା ଓ ସୁଯୋଗ ଦେବାକୁ ପଛାଇ ନଥିଲେ | ଉଭୟ ରମେଶ ବାବୁ ଓ ଆଶା ଦେବୀ ପୁରୁଣା ଛିଣ୍ଡା ପୋଷାକ,ଶାଢ଼ୀ ପିନ୍ଧି ପୁଅ ଆକାଶକୁ ସବୁବେଳେ ପିନ୍ଧିବାକୁ ତା ମନଲାଖି ପୋଷାକ ଦେଉଥିଲେ | ଆକାଶର ଇଚ୍ଛା ଥିଲା ଜଣେ ଯନ୍ତ୍ରୀ ହେବ ବୋଲି,ସେଥିପାଇଁ ରମେଶ ବାବୁ ତାର ଦ୍ୱାଦଶ ଶ୍ରେଣୀ ବର୍ଷ ତାକୁ ଭଲ କୋଚିଂ ଦେବାକୁ ପଛାଇ ନଥିଲେ | ଶେଷରେ ଆକାଶ ଯେତେବେଳେ ଯାନ୍ତ୍ରିକ ମହାବିଦ୍ୟାଳୟରେ ନାମ ଲେଖାଇଲା,ସେତେବେଳେ ରମେଶ ବାବୁ କରଜ କରି ତାର ନାମଲେଖା ପାଇଁ ତାଙ୍କ ଯୋଗାଡ କରିଥିଲେ |ସେଇ ଚାରିବର୍ଷ ଆକାଶର ପଢିବା ସମୟରେ ଉଭୟ ରମେଶ ବାବୁ ଓ ଆଶା ଦେବୀ ଥରୁଟିଏ ବି ଭଲ ଖାଇବା ଖାଇବା ପାଇଁ ତାଙ୍କ ଖର୍ଚ୍ଚ କରି ନଥିଲେ | ସେମାନେ ସବୁବେଳେ ତାଙ୍କର ଉପାର୍ଜନ ତାଙ୍କ ପୁଅ ଆକାଶର ସୁଖ ସ୍ବାଛନ୍ଦ୍ୟ ପାଇଁ ଖର୍ଚ୍ଚ କରୁଥିଲେ | ଆକାଶ ପାଠ ପଢା ସାରି ନିଜେ ଗୋଟିଏ ବଡ଼ ସଂସ୍ଥାରେ ଯନ୍ତ୍ରୀ ଭାବରେ ଚାକିରୀ କଲା | ଅନିତାକୁ ଆକାଶ ପାଠ ପଢିବା ବେଳୁ ଜାଣିଥିଲା | ଅନିତା ଆକାଶ ଠାରୁ ଦୁଇ ବର୍ଷ ସାନ | ଅନିତା ବି ଗୋଟିଏ ଯନ୍ତ୍ରୀ ଏବୋ ଭଲ ସଂସ୍ଥାରେ ଚାକିରୀ କରୁଥିଲା |ଯେତେବେଳେ ଆଶା ଦେବୀ ଆକାଶ ଓ ଅନିତାର ଭଲ ପାଇବା ବିଷୟରେ ଜାଣିଲେ,ସେତେବେଳେ ସେ ରମେଶ ବାବୁଙ୍କୁ ସେମାଙ୍କର ବାହାଘର କରିଦେବାକୁ କହିଲେ | ରମେଶ ବାବୁଙ୍କର କିଛି ଆପତ୍ତି ନଥିଲା | ସେ ଆକାଶ ଠାରୁ ବୁଝି,ଅନିତା ଓ ଆକାଶର ସହମତି ନେଇ ଅନିତାର ପିତା ଅବିନାଶଙ୍କୁ ଭେଟିଥିଲେ | ଅବିନାଶ ବାବୁ ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ଆରତୀ ଦେବୀ ଜଣେ ଗୃହିଣୀ | ଯେତେବେଳେ ରମେଶ ବାବୁ ଅବିନାଶ ବାବୁ ଓ ଆରତୀ ଦେବୀଙ୍କୁ ତାଙ୍କ ଘରେ ଭେଟି ଆକାଶ ଓ ଅନିତାର ବାହାଘର ପ୍ରସ୍ତାବ ଦେବାକୁ ଯାଇଥିଲେ,ସେତେବେଳେ ଜାଣିପାରିଲେ ଯେ ଅବିନାଶ ବାବୁ ଜଣେ ଧନୀ ବ୍ୟକ୍ତି ଓ ଅନିତା ତାଙ୍କର ଏକ ମାତ୍ର ସନ୍ତାନ | ଅତ୍ୟନ୍ତ ବିଚଳିତ ହୋଇ ଯାଇଥିଲେ ଭାବି ଭାବି ଯେ କେମିତି ସେ କହିବେ ? କାରଣ ସେ ନିଜେ ଅବିନାଶ ବାବୁଙ୍କ ସମାସ୍କନ୍ଦ ବୋଲି ଭାବୁ ନଥିଲେ | ତଥାପି ପୁଅର ଖୁସି ପାଇଁ ସେ ତାଙ୍କ ଆଗରେ ପ୍ରସ୍ତାବ ରଖିଥିଲେ | ତାଙ୍କ ପ୍ରସ୍ତାବକୁ ଶୁଣି ପ୍ରଥମେ ଅବିନାଶ ବାବୁ ଚମକି ଉଠିଥିଲେ,କିନ୍ତୁ ନିଜ ରାଗକୁ ନିୟନ୍ତ୍ରଣ କରି କିଛି ସମୟ ପରେ କହିଥିଲେ,''ମୁଁ ଅନିତାକୁ ପଚାରି ଆପଣଙ୍କୁ ଖବର ଦେବି|'' ଏତକ ଶୁଣି ରମେଶ ବାବୁ ଘରକୁ ଫେରିଥିଲେ ଓ ଆଶା ଦେବୀଙ୍କୁ ସବୁ କହିଥିଲେ | ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଅବିନାଶ ବାବୁଙ୍କର କିଛି ଖବର ଆସିଲା ନାହିଁ | ଯାହା ରମେଶ ବାବୁ ଖବର ନେଲେ କି ଅବିନାଶ ବାବୁ ଓ ଆରତୀ ଦେବି ଏହି ପ୍ରସ୍ତାବରେ ଏକମତ ନୁହନ୍ତି |ସେମାନେ ତାଙ୍କ ଝିଅ ପାଇଁ ଗୋଟିଏ ବର ଖୋଜୁଛନ୍ତି ଯିଏ ଘରଜ୍ବାଇଁ ହୋଇ ରହିବ କାରଣ ଅନିତା ତାଙ୍କର ଏକମାତ୍ର ସନ୍ତାନ | କିଛିଦିନ ପରେ ହଠାତ ଅବିନାଶ ବାବୁ ଆସି ରମେଶ ବାବୁଙ୍କୁ ତାଙ୍କର ସହମତି ଥିବା ଜଣାଇଲେ ଓ ଉଭୟ ଆକାଶ ଏବଂ ଅନିତା ଙ୍କର ବାହାଘର ହୋଇଗଲା | ବାହାଘର ପରେ କିଛି ଦିନ ସବୁ ଠିକ ଚାଲିଲା | ଉଭୟ ଆକାଶ ଓ ଅନିତା ପ୍ରତ୍ୟେକ ମାସରେ କିଛିଦିନ ଅବିନାଶ ବାବୁଙ୍କ ପାଖରେ ରୁହନ୍ତି ଓ ପରେ ରମେଶ ବାବୁଙ୍କ ଘରକୁ ଆସନ୍ତି \ ଏଥିରେ ରମେଶ ବାବୁ କି ଆଶା ଦେବି କେହି ପ୍ରତିବାଦ କରୁ ନଥିଲେ,କାରଣ ସେମାନେ ଭଲ ଭାବରେ ଦାଇତ୍ୱ ଓ କର୍ତ୍ତବ୍ୟ କଣ ଏବଂ କେମିତି ତାକୁ ନିର୍ବାହ କରିବାକୁ ହୁଏ ଭଲ ଭାବରେ ଜାଣିଥିଲେ | ବେଳେ ବେଳେ ଆଶା ଦେବି ଅନିତା ହାତରେ ଅବିନାଶ ବାବୁ ଓ ଆରତୀ ଦେବୀଙ୍କ ପାଇଁ ନିଜ ହାତ ତିଆରି ମିଠା ଓ ଆଚାର ବି ପଠାଉଥିଲେ | କିନ୍ତୁ ଏବେ ବି ଅବିନାଶ ବାବୁଙ୍କ ପରିବାର ତାଙ୍କୁ ନିଜର ବୋଲି ବୋଧହୁଏ ଗ୍ରହଣ କରି ପରି ନଥିଲା | ସେଥିରେ ରମେଶ ବାବୁ ଓ ଆଶା ଦେବୀ କେବେ ମନ ଦୁଃଖ ବି କରୁନଥିଲେ | ସେମାନଙ୍କର ଇଚ୍ଛା ଯେ ସବୁଦିନ ପାଇଁ ଆକାଶ ଓ ଅନିତା ଖୁସିରେ ରୁହନ୍ତୁ |ରମେଶ ବାବୁ ଏବେ ଅବସର ନେବା ପରେ ବି ତାଙ୍କ ପେନସନ ତାଙ୍କୁ ମିଳୁଛି | ସେମାନେ ନିଜର ଖର୍ଚ୍ଚ ସେଠିଏ ଭଲ ଭାବରେ କରି ପାରୁଛନ୍ତି | ତା ଭିତରେ ରମେଶ ବାବୁ ଆକାଶର ପଢିବା ପାଇଁ ଯେଉଁ କରଜ କରିଥିଲେ,ତାକୁ ବି ଶୁଝି ସାରିଲେଣି | ଏବେ ଉଭୟ ରମେଶ ବାବୁ ଓ ଆଶା ଦେବି କିଛି ମାତ୍ରା ରେ ନିଜକୁ ତାଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ରୁ ମୁକ୍ତ ବୋଲି ମନେ କରୁଥିଲେ | କିନ୍ତୁ ଧୀରେ ଧୀରେ ଆକାଶ ଓ ଅନିତାଙ୍କ ଭିତରେ ବିବାଦ ହେବାରୁ,ରମେଶ ବାବୁ ଓ ଆଶା ଦେବି ବୁଝିବାକୁ ଲାଗିଲେ ଯେ ଅବିନାଶ ବାବୁ ଅନିତାର ଜିଦି ପାଇଁ ବାଧ୍ୟ ହୋଇ ଏହି ବାହାଘର ପାଇଁ ରାଜି ହୋଇଥିଲେ | ସେଥିପାଇଁ ତାଙ୍କୁ ଏ ବିଷୟରେ ନିର୍ଣ୍ଣୟ ନେବାକୁ ଡେରି ହେଲା | ଧୀରେ ଧୀରେ ଆକାଶ ଓ ଅନିତାଙ୍କ ବିବାଦ ବଢିବାକୁ ଲାଗିଲା | ଆଜିର ବିବାଦ କିନ୍ତୁ ଏକ ଭୟଙ୍କର ରୂପ ନେଇଛି | ଆଜି ରମେଶ ବାବୁ ଓ ଆଶା ଦେବି ଶୁଣି ପାରୁଛନ୍ତି ବୋହୁ ଅନିତାର ଧାନ ଓ ଆଭିଜାତ୍ୟକୁ ନେଇ ଗର୍ବ ଅହଙ୍କାରର ତାତ୍ସଲ୍ୟ ଭରା କାଟୁ ଶବ୍ଦ | ସେ ଆକାଶକୁ ଆକ୍ଷେପ କରି ବହୁତ କଥା କହି ଯାଉଛି | ଆକାଶ ମଧ୍ୟ ତା ପିତା ମାତାଙ୍କ ସମ୍ମାନ ଉପରେ କଥା ଆସିବାରୁ ଅନିତାକୁ ତାର ଉତ୍ତର ଦେବାକୁ ପଛାଉ ନାହିଁ | ଆକାଶ ତା ପିତା ମାତାଙ୍କ ସ୍ୱାଭିମାନକୁ ନେଇ ବି ଗର୍ବିତ ହୋଇ ଅନିତାକୁ ବହୁତ କାଟୁ ଭାଷାରେ କହି ଚାଲିଛି |ଏକଥା ସବୁ ଶୁଣି ରମେଶ ବାବୁ ଓ ଆଶା ଦେବୀ ବୁଝି ପାରୁଥିଲେ ଯେ ଅନିତା ଆକାଶକୁ ବାଧ୍ୟ କରୁଛି ସବୁଦିନ ପାଇଁ ଯାଇ ତା ସହିତ ଅବିନାଶ ବାବୁଙ୍କ ଘରେ ରହିବାକୁ | ଆକାଶ କିନ୍ତୁ ରମେଶ ବାବୁ ଓ ଆଶା ଦେବି ଙ୍କୁ ଛାଡି ଚାଲି ଯିବାକୁ ବିଲକୁଲ ରାଜି ନୁହଁ |ସେଥିପାଇଁ ଆଜି ଉଭୟ ଉଭୟଙ୍କ ଉପରେ ଦୋଷ ଦେବାରେ ଲାଗିଛନ୍ତି | ଯେତେବେଳେ ରମେଶ ବାବୁ ଶୁଣିଲେ ଅବିନାଶ ବାବୁ ଆସି ଯାଇଛନ୍ତି,ସେତେବେଳେ ସେ ଓ ଆଶା ଦେବୀ ବାହାରକୁ ଆସି ଅବିନାଶ ବାବୁଙ୍କୁ ବସିବାକୁ କହିଲେ | କିନ୍ତୁ ଅବିନାଶ ବାବୁ ତାଙ୍କ କଥା ନଶୁଣି ଅନିତାକୁ କହିଲେ,''ମୁଁ ବାହାରେ ଅପେକ୍ଷା କରିଛି,ତୁ ତୋ ଜିନିଷ ପଟା ନେଇକରି ଆସେ | ମୁଁ ଜାଣିଥିଲି ଏମିତି ଦିନେ ହେବ |'' ଏତକ କଥା ଅବିନାଶ ବାବୁଙ୍କ ଠାରୁ ଶୁଣି ଆରତୀ ଘର ଭିତରକୁ ଚାଲିଗଲା ଓ ରମେଶ ବାବୁ ଆକାଶକୁ ଓ ଅବିନାଶ ବାବୁଙ୍କୁ ଦେଖି କହିଲେ,'' ଠିକ ଅଛି ଯାହା ନିଜକୁ ଭଲ ଲାଗୁଚି କର | କିନ୍ତୁ ଆମ ସମସ୍ତଙ୍କୁ ଗୋଟିଏ ପରିବାରକୁ ଗଢିବା ଏବଂ ବଞ୍ଚାଇ ରଖିବା ପାଇଁ ଦାଇତ୍ୱ ଓ କର୍ତ୍ତବ୍ୟକୁ ଠିକ ଭାବରେ ପାଳନ କରିବାର ଅଛି | ପିତା ମାତାଙ୍କର ନିଜ ସନ୍ତାନ ପ୍ରତି, ସନ୍ତାନ ର ନିଜ ପିତା ମାତାଙ୍କ ପ୍ରତି ଓ ଆମ ସମସ୍ତଙ୍କର ସୁନ୍ଦର ପରିବାରର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ପାଇଁ | ନିଜ ହାତରେ ଗଢ଼ିଥିବା ପରିବାରକୁ ସ୍ୱାର୍ଥପର ହୋଇ ଭାଙ୍ଗି ଦେବାର କୌଣସି ଅଧିକାର କୌଣସି ମଣିଷକୁ ଭଗବାନ ଦେଇନାହାନ୍ତି | ମୁଁ ଆଉ ଅଧିକ କିଛି କହିବାକୁ ଚାହୁଁ ନାହିଁ କାରଣ ସମସ୍ତେ ଶିକ୍ଷିତ ଓ ବୁଝିବାର ବୟସ ବି ହୋଇଛି |'ଏତକ କହି ରମେଶ ବାବୁ ଆଶା ଦେବୀଙ୍କୁ ନେଇ ନିଜ ଶୋଇବା ଘର ଭିତରକୁ ଚାଲିଗଲେ |
ଅବିନାଶ ବାବୁ ସେଠାରୁ ବାହାରି ଘର ବାହାରକୁ ଚାଲିଗଲେ | ଆକାଶ ସେଇ ଅଗଣାରେ ପଡିଥିବା ଚୌକିରେ ବସି ପଡିଲା | ଅନିତା ନିଜର ବଡ଼ ବଡ଼ ଦୁଇଟି ସୁଟକେଶ ଧରି ରାଗରେ ସେହି ଘରୁ ବାହାରି ବାହାରକୁ ଚାଲିଗଲା ତା ବାପା ଅବିନାଶ ବାବୁଙ୍କ ପାଖକୁ କାହାକୁ କିଛି ନକହି |
ଦେଖୁ ଦେଖୁ ରମେଶ ବାବୁ ଓ ଆଶା ଦେବୀଙ୍କ ଖୁସିର ସଂସାର ଏବେ ଭାଙ୍ଗିବାରେ ଲାଗିଲା | ରମେଶ ବାବୁ ଓ ଆଶା ଦେବି ଦୁଃଖରେ ନିଜ ଖାତା ଉପରେ ବସି ଆଖିରୁ ଝରୁଥିବା ଅମାନିଆ ଲୁହକୁ ଅଟକାଇ ପାରୁନଥିଲେ |
