STORYMIRROR

Priyadarshini Mishra

Tragedy Inspirational

4  

Priyadarshini Mishra

Tragedy Inspirational

ଦାନ୍ତକାଠି

ଦାନ୍ତକାଠି

2 mins
428


   ପ୍ଲାଷ୍ଟିକ ବ୍ରଶଟିକୁ ହାତରେ ଧରି ପମା ଫେରିଯାଉଥିଲା ଅତୀତକୁ।ଯେତେବେଳେ ସେ ସରକାରଙ୍କ ପଦସ୍ଥ ଅଧିକାରୀ ନଥିଲା।ଥିଲା ତା' ମାଆର ଅତି ଆଦରର ପମା।ବାପାଙ୍କ ମୃତ୍ୟୁ ପରେ ମାଆ ହିଁ ଥିଲା ପମାର ଦୁନିଆ।ମାଆ ମଧ୍ୟ ପମା ପାଇଁ କିଛି କମ କଷ୍ଟ ସହିନି।ବାପା ଛେଉଣ୍ଡ ପମାକୁ ବଢ଼େଇବା ପାଇଁ ସେ ଯାହା କରିପାରିଥା'ନ୍ତା ତା' ଠାରୁ ଯଥେଷ୍ଟ ଅଧିକ କରିଛି।ନିଜର ସବୁ ଦୁଃଖ ସବୁ ଯନ୍ତ୍ରଣାକୁ ଚାପି ରଖି ମୁହଁରେ ହସ ଫୁଟାଇଛି।ବୁଦ୍ଧି ହେଲା ପରେ ପମା ସବୁକଥା ଜାଣିପାରିଲା।ତେଣୁ ମା'ର କଷ୍ଟ ଲାଘବ କରିବା ପାଇଁ ସେ ମନେ ମନେ ସ୍ଥିର କଲା।ଭଲ ପାଠ ପଢି ସରକାରୀ ଚାକିରୀ ଖଣ୍ଡେ ପାଇବା,ସତେ ଯେମିତି ତା' ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା।ଗତକାଲି ରାତିରେ ସରକାରଙ୍କ ଠାରୁ ସେ ନିଯୁକ୍ତିପତ୍ର ପାଇସାରିଥିଲା।ଆଜି ସକାଳେ ପ୍ରସ୍ତୁତ ହେଲା ବେଳେ ବ୍ରଶଟିକୁ ହାତରେ ଧରି ସେ ପୁରୁଣା ସ୍ମୃତି ସବୁ ସାଉଁଟୁଥିଲା।

   ବାପା ଯିବାପରେ ତା'ର ମାଆ ଘର ଚଳେଇବା ପାଇଁ ତଥା ପମାର ଭବିଷ୍ୟତକୁ ଆଖି ଆଗରେ ରଖି ଘରୁ ବାହାରକୁ ଗୋଡ଼ କାଢ଼ିଥିଲା।ତେବେ ଛୋଟମୋଟ ବ୍ୟବସାୟ କରି ଘର ଚଳାଉଥିବା ବାପା ସେମାନଙ୍କୁ କେବେ କୌଣସି ଅଭାବବୋଧ ହେବାକୁ ଦେଇନଥିବାରୁ ମା'ର କିଛି ଚିନ୍ତା ନଥିଲା।ସେ କଣ କରିପାରିବ କେବେ ଭାବିନଥିଲା।ବାହାରକୁ ଗୋଡ଼ ବାହାର କରିବା ପରେ ତାକୁ ଯେଉଁ କାମଟି କରିପାରିଲା ଭଳି ଲାଗିଲା ସେ ସେହି କାମଟିକୁ ଆଦରିନେଲା।ସେହି କାମଟି ଥିଲା ଦାନ୍ତକାଠି ବ୍ୟବସାୟ।

ଦାନ୍ତକାଠି ବ୍ୟବସାୟରୁ ଯାହା ଆୟ ହେଉଥିଲା ମାଆ ଝିଅ ଦୁହେଁ ଆରାମରେ ଚଳିଯାଉଥିଲେ।ସେଇଥିରୁ ପମାର ପାଠପଢ଼ା ଖର୍ଚ୍ଚ ମଧ୍ୟ ଉଠିଥିଲା।ପମା କଲେଜରେ ପାଠ ପଢିବା ବେଳେ ହଷ୍ଟେଲରେ ରହିଥିଲା। ସେଠାରେ ହଷ୍ଟେଲ ପିଲାମାନଙ୍କ ଠାରୁ ଅନେକ କଥା ଶିଖିଥିଲା।ପ୍ରମୁଖ କଥାଟି ଥିଲା ଦିନଚର୍ଯ୍ୟା ଆରମ୍ଭରେ ବ୍ରଶର ବ୍ୟବହାର।ପମା ଦିନର ଆରମ୍ଭ ଦାନ୍ତକାଠିରୁ ହେଉଥିଲା। ବର୍ତ୍ତମାନ ବ୍ରଶ ବ୍ୟବହାର କଲା।ଗାଁକୁ ଫେରି ମାଆକୁ ବ୍ରଶର ବ୍ୟବହାର କହିଥିଲା।ଭାବିଥିଲା ମାଆ ମଧ୍ୟ ବ୍ରଶ ବ୍ୟବହାର କରିବ। କିନ୍ତୁ ମା'ର ଉତ୍ତର ଶୁଣି ପମାର ପ୍ରତିକ୍ରିୟା କଣ ରହିବ ସେ ନିଜେ ମଧ୍ୟ ଚିନ୍ତା କରିପାରିନଥିଲା।ମାଆ କହିଲା ତୁ ଦାନ୍ତ ସଫା କରି ବ୍ରଶ ଧୋଇଦେଇ ରଖିଦେଉଛୁ। ମୁଁ ପ୍ରତିଦିନ ନୂଆ ଦାନ୍ତକାଠି (ବ୍ରଶ)ବ୍ୟବହାର କରୁଛି।ମୁଁ ଦାନ୍ତକାଠି ଧୋଇକି ରଖିପାରନ୍ତିନି,କିନ୍ତୁ ମୋତେ ତାହା ଭଲ ଲାଗିବନି।ଏଇ ଦାନ୍ତକାଠି ରୁ ମୋ ଘର ଚଳୁଛି।ମୁଁ ମଲା ପର୍ଯ୍ୟନ୍ତ ଦାନ୍ତକାଠି ଛାଡିପାରିବିନି।ଦାନ୍ତକାଠିରେ ଦାନ୍ତ ସଫା କରିବି।ପମା ମାଆର ଦାନ୍ତକାଠି ପ୍ରତି ଦୁର୍ବଳତା ପମା ମନରେ ଗଭୀର ରେଖାପାତ କରିଥିଲା। ସେହିଦିନ ଠାରୁ ସେ ମାଆକୁ ଦାନ୍ତକାଠି ସମ୍ବନ୍ଧରେ କେବେ କିଛି କହିନଥିଲା।

ଆଜି ସରକାରୀ ଅଧିକାରୀ ଭାବେ ଯୋଗ ଦେବା ପାଇଁ ଯିବା ପୂର୍ବରୁ ପ୍ଲାଷ୍ଟିକ ବ୍ରଶଟି ହାତରେ ଧରି ପୁରୁଣା କଥା ମନେ ପକେଇ ପମା ଭାବୁଥିଲା ପୁଣିଥରେ ମାଆକୁ ବ୍ରଶ ବ୍ୟବହାର କଥା କହିବ କି?କାରଣ ମାଆକୁ ଆଉ ଦାନ୍ତକାଠି ବ୍ୟବସାୟ କରିବାକୁ ପଡିବନି।ଦାନ୍ତକାଠି ଆଉ ତାଙ୍କ ଘର ଚଳେଇବନି।ତେଣୁ ଦାନ୍ତକାଠି ପ୍ରତି ମାଆର ଦୁର୍ବଳତା ହୁଏତ କମ ହୋଇଯାଇଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Tragedy