Chinmayee Barik

Inspirational

3  

Chinmayee Barik

Inspirational

ଚୋକଲେଟ୍

ଚୋକଲେଟ୍

3 mins
7.3K


   ଚୁଚୁମାରେ ଜୀବନ କଟାଉଥିବା ଜରି ଗୋଟାଳି" ସାମୁ" ଚୋକଲେଟ୍ କୁ ଭାବେ ଆଲିସାନ ବଂଗଳା ଭଳି । କିନ୍ତୁ ଆଜି "ମଇଲି "ହାତରେ ଧରେଇ ଦେଇଛି କାର୍ଡବୋରିଜ୍ ଚୋକଲେଟ୍ ର ଜରିଟେ ।କହିଛି ଭାଇ ..ଆଜି ପରା ଚୋକଲେଟ୍ ଡେ ।ମୋତେ ଏଇ ଚୋକଲେଟ୍ ଦରକାର ।ଲୁଚାକୋଚା ଜରି କୁ ପେଣ୍ଟରୁ କାଢି କେତେ ଥର ଦେଖୁଛି "ସାମୁ"।କେମିତି କିଣିବ ସେ ଏ ଚୋକଲେଟ୍...ପକେଟ୍ ର ଜରି ଗୋଟାଇବା ପଇସା ତ "ବା" ନେଇ ଯାଇଛି ଝାଡି ଝୁଡି ମଦ ପିଇବାକୁ ।

"ମଇଲି" ତାର ଛୋଟ ଭଉଣୀ । ଆଜି ଖୁବ୍ କାନ୍ଦିଛି ମାଡ ଖାଇ "ମା" ପାଖରୁ ।ରାତିରେ ଡର ସ୍ୱପ୍ନ ଦେଖି ....ଏକ ....କରିଦେଇଛି "ମଇଲି" କନ୍ଥାରେ ।ସାମୁ ନିଜ ହାତରେ କନ୍ଥା ସଫା କରି ଏବେ ଏବେ ଆସୁଛି ସ୍କୁଲ କୁ ।ସେ ଜାଣିଛି ସାବତ ମା ମାନେ ଗୁହ ,ମୂତକୁ ଭଲ ପାଆନ୍ତିନି ।

ହୋଟେଲ୍ ରେ କାମ କରୁଥିଲା ସାମୁ ।କିଛି ପଇସା ପାଉଥିଲା ।କିନ୍ତୁ କିଛି ବାବୁ ଭାୟା ମାନେ ବାଳଶ୍ରମିକରୁ କାଢି ତାକୁ ସ୍କୁଲ ଯିବାର ବ୍ୟବସ୍ଥା କରିଦେଲେ ।ସ୍କୁଲ ରେ ଗୁଡି ଭାତ ଓ ପୋକରା ଡାଲି ସାଙ୍ଗକୁ ବୁଧବାର ଦିନ ଅଣ୍ଡା ବି ମିଳେ ।ପେଟ ପୁରେ ....ଦରମରା ମନରେ ।"ମଇଲି" କଣ ଖାଉଥିବ ଯେ??

ଶିଶୁ ଶ୍ରମିକ ପ୍ରତି ସରକାରଙ୍କ ଏତେ ରାଗ କାହିଁକି?କିଛି ନ ହେଲେ ରୋଜ୍ ହୋଟେଲରୁ ଗଲା ବେଳେ ସେ ମଇଲି ଲାଗି ପାଁ ରୁଟି ଟେ ନେଇ ପାରୁଥିଲା ହେଲେ ଏବେ ସ୍କୁଲ୍ ରୁ ଫେରିଲା ବେଳେ ତା ହାତ ଖାଲି ଥାଏ ।ମଇଲି ଅଣ୍ଡାଳେ ତା ଭାଈର ହାତ ହେଲେ ନିରାଶ ହେବାକୁ ପଡେ ।ସାମୁ ଆଖିରେ ଲୁହ ଆସେ ।ସେଥିଲାଗି ସେ ସକାଳ ବେଳା ଜରି ଗୋଟେଇବାର କାମ କରେ ।

ବୃଦ୍ଧଙ୍କୁ ,ବିଧବା ଙ୍କୁ ଭତ୍ତା ମିଳିବା ଭଳି ଶିଶୁ ଶ୍ରମିକଙ୍କୁ କିଛିଭତ୍ତା ମିଳନ୍ତାନି?ତାହେଲେ ପଢାରେ ଟିକେ ମନ ଲାଗନ୍ତା ।ସ୍କୁଲ ରେ ଇତିହାସ ଭୂଗୋଳ ଭଲ ଲାଗେନି ।ଯାହାର ଚଉଦ ପିଢି କଷଣରେ ବଢିଛି ତାକୁ ଅଶୋକଙ୍କ ରାଜ୍ୟ ଜୟରୁ କଣ ମିଳିବ ?କଣ ମିଳିବ ସେ ଭୂଗୋଳରୁ ଯାହାର ଘର ଭୂଗୋଳ ଛପରରେ ଜହ୍ନ ଦିଶେ..କାକର ଖସେ ଆଉ କୁଆପଥର ବି ।ସାବତ ମା ର ବ୍ଲାଉଜ ଭିତରେ ଅଙ୍କ ସବୁ ଝଣ୍ ଝାଣ ହୁଅନ୍ତି,ହେଲେ ମାଗିଲେ ଟଙ୍କାଟେ ବି ମିଳେନି ।ଏ ପାଠ ସବୁ ବିରକ୍ତ ଲାଗେ ।ତାକୁ ଖାଲି ମଇଲିର ହସ ମୁହଁ ଭଲ ଲାଗେ ଯାହା ଆଜି କାଲି ଦେଖିବାକୁ ମିଳେନି ଯେବେଠୁ ସେ ସ୍କୁଲ ଯାଇଛି ଆଉ ତା ପକେଟ ଖାଲି । ଘରକୁ ଫେରିଲେ ଦେଖେ ମଇଲି ଚୁଡା ମୁଠାଏରେ ପାଣି ପୁରାଇ ତା ଟିକି ଟିକି ହାତରେ ଖାଉଥାଏ ।ଆହା ବିଚାରିକୁ ଭାତ ମୁଠାଏ ବି ଠିକ୍ ସମୟରେ ମିଳିନି ।କେତେଥର ସ୍କୁଲ ରୁ ଅଣ୍ଡା ପକେଟ୍ ରେ ପୁରେଇ ସାମୁ ନେଇଆସିଛି ମଇଲି ଲାଗି ।

ମଇଲିକୁ ମାଉଁସ ଖାଇବାକୁ ଭଲ ଲାଗେ ହେଲେ ମାଉଁସ ଟିକେ ଲାଗି ଭୋଟଦେବା ସମୟକୁ ଅପେକ୍ଷା କରିବାକୁ ପଡେ ।ନିଶୁଆ,ପେଟୁଆ ଲୋକମାନେ ଆସନ୍ତି ତାଙ୍କଘରକୁ ।"ମା"..."ବା"ହାତରେ କିଛି ଟଙ୍କା ଗୁଞି ଦିଅନ୍ତି ।ଆଉ ରାତିରେ ମଶାରୀ ଭିତରେ "ମା"ସହ ବି ସେ ନିଶୁଆ ଲୋକଟା ଥାଏ ।ସାମୁ ଭାରୀ ଘୃଣାକରେ ସେ ନିଶୁଆ ଲୋକଟିକୁ କିନ୍ତୁ ତା ହାତରେ ମାଂସ ପୁଡିଆଟେ ଥାଏ ଯେ?ସହିବାକୁ ହୁଏ ସବୁ ।ମଇଲି ଖୁସିରେ ଖାଏ ମାଉଁସ ଆଉ ଭାତ ପେଟପୁରା ।ସାମୁ ପାଖରେ ବସି ଖାଏ ହେଲେ ଯତେ ବେଳେ ଦେଖେ ତା "ମା"ମଶାରୀ ଭିତରୁ ବାହାରିଲା ବେଳେ ତା ବ୍ଲାଉଜର ଦୁଇଟି ବୋତାମ ଖୋଲାଥାଏ ସେତେବେଳେ ମାଉଁସ ଭାତ ଗୁଡା ଗଳା ପାଖରେ କଣ୍ଟା ହୋଇ ଫୋଡି ହୁଅନ୍ତି ।"ବା" ପିଣ୍ଡାରେ ବସି ଚିଲମ୍ ଟାଣୁଥାଏ ସେମିତି .....

ମଇଲି ଆଜି ମାଉଁସ ମାଗିନି ...ଚୋକଲେଟ୍ ଟିଏ ମାଗିଛି ।ସାମୁ ତାର ଗଣ୍ଠି କରା ପେଣ୍ଟ ରେ ବାର ବାର ହାତ ପୁରାଉଛି ।ହେଲେ ପକେଟ୍ ଖାଲି ।ମଇଲି ର କାନ୍ଦୁରା ମୁହଁ ଦିଶୁଛି ।

ସରକାର ଟଙ୍କାକିଆ ଚାଉଳ କଲା...ପାଂଚ ଟଙ୍କିଆ ଭାତଡାଲମା କଲା ...ହେଲେ ପିଲାଙ୍କ ଲାଗି ପଚାଶ ପଇସିଆ କାର୍ଡବୋରିଜ୍ ଚକଲେଟ୍ ଟେ କିଆଁ କଲାନି??ଗରିବ ପିଲାଙ୍କ ପ୍ରତି ସରକାର ସବୁବେଳେ ହିଂସୁକ ।

ଛେଃ...ଏ ନିଆଁ ଲଗା ପାଠରୁ କଣ ମିଳିବ ଯେତେବେଳେ କି ମଇଲି ଆଖିରେ ଲୁହ ..... ସାମୁ ଜାଣିଛି ଆଜି ଯଦି ଟିକେ ପାର୍କ ଆଡକୁ ଯିବ ତେବେ ହୁଏତ କିଛି ସଂଭାବନା ମିଳି ପାରେ ।କିନ୍ତୁ ସେ ଖାଲି ହାତରେ ଫେରିବନି ।ସ୍କୁଲ୍ ରୁ ସିଧା ସିଧା ଚାଲିଛି ପାର୍କ କୁ ।ଡେରୀ ହେଲେ ଘରେ କେହି ଖୋଜିବାର ନାହିଁ ।ଯଦି ସେ କେବେ ନିଖୋଜ ବି ହୁଏ ତେବେ ବି କେହି ଖୋଜିବେନି ଖାଇଲି ମଇଲିକୁ ଛାଡି...ଅନ୍ତତଃ ଭୋକ ଲାଗିଲେ ମଇଲି ନିଶ୍ଚୟ ଖୋଜିବ ତା ଭାଇକୁ ।

ଯାହା ଧନୀ ଘର ପିଲାମାନେ ଅନେକ ଡେରୀରେ ଜାଣନ୍ତି କିମ୍ବା ପାଠ ବହିରୁ ଶିଖନ୍ତି ସେ ସବୁ କଥା ଗରିବ ପିଲା ଫୁଟଫାଥ୍ ରୁ ଜାଣିନିଏ ଖୁବ୍ କମ୍ ବୟସରେ ...

ପାର୍କରେ ପ୍ରେମୀଯୁଗଳ ବସିଛନ୍ତି ।ପୁଅଟି ଡେରୀକରିବାରୁ ଝିଅଟି ନିରଘାତିଆ ଗାଳି ଦେଉଛି ।ହୁଏତ ଦୁଇ ଚାରି ଚାପୁଡା ବି ମାରିଛି ବୋଧେ ।ପୁଅଟି କାକୁସ୍ଥ ହୋଇ ପ୍ରେମ ନିବେଦନ କରୁଛି ଯେମିତି ଏ ଫରଚାମୁହିଁ ଝିଅଟି ଦୁନିଆର ସବୁଠୁ ସୁନ୍ଦର ଶେଷ ପିସ୍ ।ଯେମିତି ହେଲେ ପଟେଇବାକୁ ପଡିବ ନ ହେଲେ ପୁଅଟି ବୋଧେ ବାଡୁଅ ହୋଇଯିବ ।ଆପ୍ରାଣ ଚେଷ୍ଟା ଝିଅଟିକୁ ମନେଇବାକୁ ।ପକେଟ୍ ରୁ ବାହାରକରୁଛି ମେଂଚା ମେଂଚା କାର୍ଡ ବୋରିଜ୍ ଚକଲେଟ। ସାମୁ ଆଖିରେ ଆଶାର ଆଲୋକ....

ହଠାତ୍ ଝିଅଟି ସବୁ ଯାକ ଚକଲେଟ୍ ଫୋଫାଡି ଦେଇ ଚିତ୍କାର କଲା ....ୟୁ ଇଡିୟଟ୍....

କିଛି କୁକୁର ଝାମ୍ପି ପଡିଲେ ଚୋକଲେଟ୍ ଉପରେ ...ସାମୁ ବି ।ମଇଲି ର ହସ ଯେମିତି କୁକୁରର ହାବୁଡରେ...

ସାମୁ ହାରିଲାନି..ଏମିତି ଯିବାକୁ ଦେବନି ମଇଲିର ହସ....କିଛି ଆଂଚୁଡା ଦାଗ ସହି ବି ସେ ଆକ୍ତିଆର କରିନେଲା ଚୋକଲେଟ କୁ ।

ତା ମୁହଁରେ ଏବେ ସନ୍ତୋଷର ହସ ଯେହେତୁ ଏବେ ତା ଗଣ୍ଠି ପକ୍କା ପେଣ୍ଟରେ ଲୁଚିକି ରହିଛି ମଇଲି ର ହସ ହସ ମୁହଁ ।

.......ସେ ଧାଇଁବାକୁ ଆରମ୍ଭ କଲା....


Rate this content
Log in

Similar oriya story from Inspirational