STORYMIRROR

Samikshya Rana

Drama Others

3  

Samikshya Rana

Drama Others

ଚିନ୍ତା

ଚିନ୍ତା

2 mins
556


ରାତିଅଧରୁ ବେଶୀ ହେଲାଣି ସୁପ୍ରଭା ଆଖିରେ ନିଦ ନାହିଁ। ସେ ବାସ୍ ଭାବି ଚାଲିଥିଲା ଆଉ ଭାବନାର ଜ୍ବାଳାରେ ନିଜ ଅନ୍ତରାତ୍ମା କୁ ଜଲେଇ ଚାଲିଥିଲା।ଆଖିରୁ ଧାର ଧାର ଅମାନିଆ ଲୁହ ଗଡି ଚାଲିଛି, ଅଟକେଇଲେ ବି ମନ ମାନୁନି। ପ୍ରଶ୍ନ ପଚାରି ଚାଲିଛି ନିଜକୁ ହେଲେ କିଛି ଉତ୍ତର ପାଉନି। କିସ ନ କରିଛି ସେ ଜୁଗଲ ପାଇଁ,ଘର ଛାଡ଼ିଛି, ବାପା, ମାଆକୁ ଛାଡିଛି, ନିଜ କ୍ୟାରିୟର ବି ବରବାଦ କରିଛି। ବାପା କେତେ ବୁଝେଇ ଥିଲେ, ମାଆର ଲୁହ ବନ୍ଦ ହେଉନଥିଲା, ହେଲେ ସେ ପ୍ରେମର ମିଛ ମାୟାଚକ୍ରରେ ଛନ୍ଦି ହୋଇ ସେମାନଙ୍କୁ ପାଦରେ ଆଢେଇ ଚାଲିଆସିଲା। ବୋଧେ ସେଇ ଅଭିଶାପ ପଡିଗଲା। କାରଣ ଖୋଜୁ ଖୋଜୁ ସେ କେବଳ ଦେଖୁଥିଲା ଆଜି ଆଉ ଗତକାଲିର ପାର୍ଥକ୍ୟ। ଏଇ ଜୁଗଲ ଯେ ଦିନେ ତାକୁ ଭଲପାଇ ଜୀବନ ଦେବା କଥା କହୁଥିଲା। ତାକୁ ସବୁ ଦୁଃଖରୁ ଦୂରେଇ ରାଣୀ କରି ମହଲରେ ରଖିବାର ପ୍ରତିଶ୍ରୁତି ଦେଇଥିଲା। ବାହାଘର ପରେ ତା ବାପା ମା କୁ ବୁଝେଇବାର ଦାୟିତ୍ବ ବି ନେଇଥିଲା। ଏତେ ଭଲ ମଣିଷ ବୋଲି ତ ସୁପ୍ରଭା ତା ଉପରେ ବିଶ୍ବାସ କରି ଏତେବଡ କାମ କରିପକାଇଲା। ବାହାଘର ପରେ ବି ସ୍ବାମୀ ସ୍ତ୍ରୀ ହୋଇ ଖୁସିରେ ରହିଛନ୍ତି। ସ୍ବାମୀ ଭାବରେ ଜୁଗଲ ତାର ସବୁ କଥା ବୁଝିଛି। ହେଲେ ଆଜି ଏମିତି ଗୋଟେ ପରିସ୍ଥିତି ସୃଷ୍ଟି ହେଲା କେମିତି ଯେ ଜୁଗଲ ତାକୁ କବାଟ ରେ ତାଲା ପକାଇ ରଖିଛି, ଯେତେ ଡାକିଲେ ଶୁଣୁନି। ବାହାରେ କିଛି ଅସଭ୍ୟ ଲୋକଙ୍କ ଅସ୍ପଷ୍ଟ କଥା ବି ଶୁଣୁଛି, ବୋଧେ ଏଇ ପିଶାଚ ମାନଙ୍କୁ ଜୁଗଲ ତାକୁ ବିକି ଦେଇଛି ଟଙ୍କା ପାଇଁ। ସମସ୍ତ ଦୋଷ ଜୁଗଲ ଉପରେ ଲଦି ବି ସେ କଥାର କିଛି ଥଳକୁଳ ପାରୁନଥିଲା। କିନ୍ତୁ ଏତିକି ଜାଣି ସାରିଥିଲା ଯେ ସକାଳ ହେବା ଆଗରୁ ସେ ଘରୁ କୌଣସି ପ୍ରକାରେ ବାହାରିବାକୁ ହେବ। ଏତିକିବେଳେ ବାହାରୁ ପ୍ରବଳ ଚିତ୍କାର ଶୁଭିଲା। ଡର ରେ ଶିହରି ଉଠିଛି ଦେହ, କାହାର ଚିତ୍କାର ବାରିବାକୁ କବାଟରେ କାନ ଫେରିଛି। ହଠାତ୍ କବାଟ ଖୋଲିଛି ଆଉ ଭିତରକୁ କଚାଡି ପଡିଛି ଜୁଗଲ। ବିସ୍ଫାରିତ ଆଖିରେ ବାସ୍ ଅନେଇ ରହିଛି ସୁପ୍ରଭା। ବର୍ତ୍ତମାନ ଘୃଣା କରୁଥିବା ଏଇ ମଣିଷଟି ଆଡକୁ ଅନେଇ କିଂକର୍ତବ୍ୟବିମୁଢ ହୋଇଛି। ତାର ପ୍ରଶ୍ନିଳ ଆଖିକୁ ଦେଖି ଜୁଗଲ ତାକୁ ଭିଡିନେଲା ଆଉ କହିଲା ବ୍ୟସ୍ତ ହୁଅନା ପ୍ରଭା ତୁମର ସବୁ ପ୍ରଶ୍ନର ଉତ୍ତର ଦେବି। ଏତିକି ଶୁଣି ଅଟକିଥିବା ବର୍ଷା ପରି ଝରିପଡିଛି ତାର ସବୁ ରାଗ, ଶଁକା, ଆଉ ଡର। ଜୁଗଲ କହିଚାଲିଛି ଆଉ ସେ ଶୁଣି ଚାଲିଛି।

ଘରୁ ଗୋଡ କାଢି ଆସିବା ପରେ ସୁପ୍ରଭାର ବାପାଙ୍କର ହାର୍ଟ ଆଟାକ୍ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଟିକେ ଭଲ ହେଲେ ସତ କିନ୍ତୁ ସୁସ୍ଥ ହେବାକୁ ବହୁତ ଟଙ୍କା ଦରକାର ଥିଲା। ଜୁଗଲ ଏ ସବୁଶୁଣି ତାଁକୁ ଦେଖା କରିବାକୁ ଗଲା ମାତ୍ର ସେମାନେ ତା ମୁହଁ ଦେଖିବାକୁ ମନାକଲେ। ସୁପ୍ରଭାକୁ କହିଲେ ସେ ମନକଷ୍ଟ କରିବ ଭାବି ସେ ନିଜ କର୍ତ୍ତବ୍ୟ କରିବ ବୋଲି ଚିନ୍ତା କଲା। ଆବଶ୍ୟକ ଅର୍ଥ ଯୋଗାଡ଼ ପାଇଁ ସବୁ ଆଡୁ ନିରାଶ ହେବାପରେ ଜଣେ ସାଂଗ ସାହାଯ୍ୟରେ କିଛି ଟଙ୍କା ଧାର୍ ଆଣି ଗୁପ୍ତରେ ଡାକ୍ତରଙ୍କୁ ଦେଇ ବାପାଙ୍କର ଚିକିତ୍ସା କରିଥିଲା। ହେଲେ ଏବେ ନିର୍ଧାରିତ ସମୟ ପାର ହୋଇଯିବାରୁ ସେ ଲୋକ ତା ସହ ଏମିତି କରିଛି। ଦୁର୍ଦ୍ଦାନ୍ତ ପ୍ରକୃତିର ସେ ଲୋକ ପାଖକୁ ଆଉ କିଛି ସମୟ ମାଗିଲେ ଭଲ ହେବ ବୋଲି ସେ ଆଗଦିନ ରାତିରେ ସୁପ୍ରଭାକୁ ବାହାରୁ ତାଲା ପକାଇ ଯାଇଥିଲା। ମାତ୍ର ସେଲୋକର ମନ୍ଦ ଉଦ୍ଦେଶ୍ୟରେ ଛନ୍ଦି ହୋଇଗଲା।ଏବେ ଟଙ୍କା ବଦଳରେ ସେ ସୁପ୍ରଭା ଉପରେ କୁଦୃଷ୍ଟି ପକେଇଛି। ଏତିକି ଶୁଣିବା ପରେ ସୁପ୍ରଭା ଭାବିଲା ମୋ ଶଂକା କେତେ ଭୁଲ୍ ଥିଲା। ଆଗକୁ ହେବାକୁ ଥିବା ଘଟଣା ସବୁକୁ ଆଢ କରି ସେ ବାସ୍ ଭାବୁଥିଲା ମୋ ଚିନ୍ତା କେଡେ ଭୁଲ୍ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Samikshya Rana

Similar oriya story from Drama