Samikshya Rana

Others

3  

Samikshya Rana

Others

ଭାଗ୍ୟ ବିଧାତା

ଭାଗ୍ୟ ବିଧାତା

4 mins
681


ସାଉରିଚରା ଗାଁର ଆଜିକାଲି ଢେର ନାଁ ଡାକ ।ଜଣେ କିଏ ବାବା ଆସିକି ଦି ସପ୍ତାହ ହେଲାଣି ସେଠି ରହିଛନ୍ତି ।ସେ କୁଆଡ଼େ ଅନ୍ତର୍ଯ୍ୟାମୀ ।ଲୋକେ ତାଙ୍କୁ ଭାଗ୍ୟବିଧାତା ନାମ ଦେଇଛନ୍ତି। ରତନୀ ସବୁ ପଚାରି ବୁଝିସାରିଲାଣି ।ଘର ପାଖ ସାଆନ୍ତା କହୁଥିଲା ଜମିଦାର ବାବୁଙ୍କ ପୁଅ ଦେହ ଭୀଷଣ ଖରାପ ଥିଲା ଯେ ବଇଦ ବି ହାର୍ ମାନିଲେ ।ଏ ବାବା ଙ୍କ ଆଶୀର୍ବାଦରୁ ତା ଦେହ ଭଲ ହେଲା।ଆହୁରି ପୁଣି ତାଁକ ଗାଁ ସୁକାନ୍ତ କେତେ ପାଠ ପଢି ବି ଚାକିରି ପାଉନଥିଲା ଏଇ ବାବା କଣ ବୁଦ୍ଧି ବତେଇଲେ ଯେ ସେ ଏବେ ସରକାରୀ ବାବୁ ଚାକିରିଟେ ପାଇପାରିଛି। ମୁନି ବୋଉ ମୁନି ବାହାଘର ପାଇଁ ପୁଣି କେତେ ଭଲ ପ୍ରସ୍ତାବ ପାଇଲା ନା ନାହିଁ। ମକରା ଦିହରୁ ପରା ଭୂତ ଏଇ ବାବା ହିଁ ଛଡେଇଲେ। ନା, ତାଁକ ଦେହରେ ଯଦି ମହିମା ନ ଥାଆନ୍ତା ତାହେଲେ ସେ ଏତେ ସବୁ କରନ୍ତେ କେମିତି? ଜମିଦାର ବାବୁ କଣ ଖାଲିଟାରେ ସେ ବାବା ପାଇଁ ଏଡେ ବଡ କୁଡିଆ ଗଢେଇଛନ୍ତି। ଆଜି ରଘୁଆ(ତା ସ୍ବାମୀ) ଆସିଲେ ସେ ଏ ବାବଦରେ କଥା ହେବ। ହେଲେ ସେ ତ ସବୁବେଳେ ବ୍ୟସ୍ତ ରହୁଛି। କେତେ ରାତିରେ ଘରକୁ ଫେରୁଛି। ବେଶୀ କଥାବାର୍ତ୍ତା କରିବାକୁ କି ହସଖୁସି ହେବାକୁ ବି ସମୟ ନାହିଁ ତା ପାଖରେ। ଦିନ ସାରା ଏକାଏକା କେତେ ବସିବ ସେ। ତା ଏକଲାପଣ ତାକୁ ଖାଇ ଗୋଡାଏ। ସେ ତ ମର୍ଦ ଲୋକ ସେ କାହୁଁ ବୁଝିବ ଏ ମାଇପି ମନ କଥା। ଏମିତି ଭାବୁ ଭାବୁ ତା ଆଖି ଲାଗିଆସିଲେ। ରାତିଅଧକୁ ରଘୁଆ ଆସି କବାଟ ବାଡେଇବାରୁ ତା ନିଦ ଭାଙ୍ଗିଲା। ହାତଗୋଡ ଧୋଇ ଖାଇବସିଲା। ପଖାଳ ଆଉ ବାଇଗଣ ପୁଡାରେ ଦିହେଁ ପେଟ ଭରି ଶୋଇବାକୁ ଗଲେ। ଏତିକି ବେଳେ ରତନୀ ରଘୁଆକୁ ବାବା ବିଷୟ ରେ କହିଲା। ତାଙ୍କ ପାଖକୁ ଗଲେ ସେ ଆମ ଦୁଃଖ ବି ବୁଝିବେ। ଏଇମିତି କେତେ କଥା କହି ସେ ରଘୁଆକୁ ରାଜି କରେଇଲା। ସକାଲେ ଯିବେ ବୋଲି ଦିହେଁ ମନସ୍ଥ କଲେ। ରାତିସାରା ଏଇ ଖୁସିରେ ରତନୀ କୁ ନିଦ ନାହିଁ। ସେ ବାସ୍ ଭାବି ଚାଲିଥିଲା ଆଗାମୀ ଦିନର ଖୁସି କଥା। ସକାଲେ ଉଠିପଡି ଚଟାପଟ ସବୁ କାମସାରି ଦିହେଁ ବାହାରିଲେ ବାବାଙ୍କ କୁଡିଆକୁ। ଦେଖିଲାବେଳକୁ ସେଠି ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ସତୁରି ଜଣ ପରେ ସେମାନଙ୍କ ପାଲି ପଡିଲା। ଅନ୍ଧାରିଆ ଘର ଭିତରକୁ ଯିବାକୁ ରତନୀକୁ ଡର ମାଡୁଥାଏ। ରଘୁଆର ହାତକୁ ଜୋର୍ ରେ ଜାବୁଡି ଧରି ଘର ଭିତରକୁ ଗଲା। ସେଠି ବାବାଙ୍କୁ ଦେଖି ଭକ୍ତି ଗଦଗଦ ଚିତରେ ତାଙ୍କ ପାଦ ତଳେ ପଡିଗଲା। ଲୋତକଭରା ହୋଇ ମନର ସବୁ କଷ୍ଟ କହିଚାଲିଲା। ବାହାଘର ବାରବର୍ଷ ହେଲାଣି ଏତେଯାଏ କୋଲ ପୂରିନି। ବଇଦ ଔଷଧ ବି କିଛି କାମ ଦ ଉନି। ବାବା ସବୁ ଶୁଣିଲେ। ତା ପରେ କିଛି ଜଡିବୁଟି ଖାଇବାକୁ ଦେଇ କହିଲେ ସାତ ଦିନ ଯାଏ ନିଷ୍ଠାପର ହୋଇ ବ୍ରତ ପାଲିବୁ। ରତନୀ ଖୁସି ହେଇ ଫେରିଲା। ଆଉ ସେଇ ପ୍ରକାରେ କଲା। ସାତ ଦିନ ଯାଇ ସାତ ମାସ ହେଲା, ହେଲେ କିଛି ଫଲିଲାନି।ଶେଷରେ ନିରାଶ ହୋଇ ବାବାଙ୍କ ପାଖରେ ପୁଣି ଗୁହାରି କରିବାକୁ ଗଲା। ଏଥର ବାବା କହିଲେ କି ବୋଧେ ପୂର୍ବଜନ୍ମରେ କିଛି ପାପ କରିଛୁ ସେ ପାଇଁ ତୋ ଇଚ୍ଛା ପୂରଣ ହେଉନି। ତୁ ଗୋଟେ ପୂଜାର ଆୟୋଜନ କର। ସେଥିରେ କିଛି ଟଙ୍କା ଖର୍ଚ୍ଚ ହେବ। ମୁଁ ମଧ୍ଯରାତ୍ର ରେ ପହଞ୍ଚି ପୂଜା ଆରମ୍ଭ କରିବି। ରତନୀ ସେହି ପ୍ରକାରର କଲା। ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କଲା। ସ୍ବାମୀ ସ୍ତ୍ରୀ ଦିହେଁ ସବୁ ସଜାଡି ରଖିଲେ। ମଧ୍ୟରାତ୍ରରେ ବାବା ଆସିଲେ। ପୂଜା ଆରମ୍ଭ କଲେ ହେଲେ ଏତିକି ବେଳେ ମନେ ପଡିଲା ଘଟ ପାଇଁ ନଦୀ ପାଣି ଦରକାର ସେ କହିବାକୁ ଭୁଲିଗଲେ। ଏବେ କଣ କରାଯିବ, କିଏ ଯିବ। ରତନୀ ତ ପୂଜାରେ ବସିଛି ଆଉ ରଘୁଆ ଛଡା ଆଉ କେହି ଘରେ ନାହାନ୍ତି। ମନ ନ ଥିଲେ ବି ରତନୀ କୁ ଏକୁଟିଆ ଛାଡି ରଘୁଆ ବାହାରିଲା। ଯୋଗକୁ ସେଇ ସମୟରେ ପଡୋଶୀ ଘର ବାବୁଆ ଦେଖା ହେଲା ଆଉ ରଘୁଆ ତାକୁ ପାଣି ଆଣିବାକୁ କହି ନିଜେ ଘରକୁ ଫେରିଲା। ତାକୁ ଦେଖି ବାବା ଚମକିପଡିଲେ। ରଘୁଆ ତାଙ୍କୁ ବାବୁଆ କଥା କହିବା ପରେ ସେ ଯଥାଶୀଘ୍ର ପୂଜା ଶେଷ କରି ନିଜ କୁଡିଆକୁ ଫେରିଲେ। ପୂଜା ହେବା ପରେ ବି କିଛି ଲାଭ ହେଲାନି। ରତନୀ ଏଇ ଦୁଃଖ ରେ ଦିନକୁଦିନ ଭାଂଗି ପଡିଲା। ସେ ଅସୁସ୍ଥ ହେଇପଡିଲା। ଯେତେ ବୁଝେଇଲେ ବି କିଛି ପରିବର୍ତ୍ତନ ହେଲାନି। ତେଣୁ ରଘୁଆ ଚିନ୍ତା କଲା ଯେ ତାକୁ ନେଇ କୋଉ ବଡ ଡାକ୍ତରଖାନାରେ ଦେଖେଇବ ନହେଲେ ତା ଦେହ ଜମା ଭଲ ହୋଇପାରିବନି। ସେ ପାଇଁ ଟଙ୍କା ଯୋଗାଡିବାକୁ ରତନୀକୁ ନ ଜଣେଇ ଘର ଡିହ ବନ୍ଧା ପକେଇ ତାକୁ ନେଇ ବଡ ଡାକ୍ତରଖାନାକୁ ଚାଲିଲା। ଜଣେ ହୃଦୟବାନ ଡାକ୍ତର ଫ୍ରି ରେ ତାର ରହିବାର ବଁଦୋବସ୍ତ କରିଦେଲେ। ପୁରା ଦେଢ ମାସ ପରେ ରତନୀ ଭଲ ହେଲା ତା ସହିତ ତା ପେଟରେ ଟେଷ୍ଟ ଟ୍ୟୁବ୍ ପଦ୍ଧତି ରେ ଏକ ନୂତନ ଜୀବନ ସଞ୍ଚାର କରାଯାଇସାରିଥିଲା। ରତନୀକୁ ଧରି ରଘୁଆ ଗାଁ କୁ ଫେରିଲା। ଦିହେଁ ନୂତନ ସ୍ବପ୍ନ ରେ ବୁଡି ରହିଥିଲେ। ରଘୁଆ ସ୍ତ୍ରୀ ର ଯତ୍ନ ନେବା ସହ ବଁଧକ ଘରକୁ ମୁକୁଳେଇବା ପାଇଁ ଲାଗିଗଲା। ଦିନମାନ ସୁରୁଖୁରୁରେ ଗଡି ଚାଲିଲା। ଏପଟେ ଡାକ୍ତରଙ୍କ ଯାଦୁକରୀ କଥା ସମସ୍ତେ ଜାଣିଲେ। ତୁଣ୍ଡ ରୁ ତୁଣ୍ଡ କଥା ଡେଇଁଲା ଯେ ଡାକ୍ତରୀ ଶିକ୍ଷା ବାବାଙ୍କ ମହିମାଠୁ ବଲିଗଲା। କଥାଯାଇ ବାବାଙ୍କ ପାଖରେ ପହଞ୍ଚିଲା। ବାବା ଚିନ୍ତା କଲେ ଯେ ତାଙ୍କ ଭକ୍ତଙ୍କ ସଂଖ୍ୟା ବୋଧେ କମିଯିବ। ଆଉ ଏଇ ଯୋଉ ଆରାମଦାୟକ ଜୀବନର ମଜା ନେଉଛନ୍ତି ସେ ମଜା ଚାଲିଯିବ। ତେଣୁ ସେ ଶିଷ୍ଯ ହାତରେ ରତନୀକୁ ଡକେଇ ପଠେଇଲେ। ସେତେବେଳେ ରତନୀର ନଅମାସ, ବିଚାରି ଆଉ ଭଲ ସେ ଚାଲିପାରୁନି କେମିତି ଯିବ ଭାବି ବସିଲା। ତହୁଁ ଶିଷ୍ଯ ବାବାଙ୍କୁ ଜଣାନ୍ତେ ବାବା ତା ହାତରେ ଆଶୀର୍ବାଦ ଜଲ ପଠେଇଲେ। ରତନୀ ବି ଖୁସିରେ ଭକ୍ତି ରେ ପିଇଦେଲା ଭାବିଲା ଯାହା ହଉ ବାବା ଆଶୀର୍ବାଦ କରିଛନ୍ତି।

ରାତିଅଧ। ହଠାତ୍ ରତନୀ ଯନ୍ତ୍ରଣା ରେ ଚିତ୍କାର କରି ଉଠିଲା। ରଘୁଆ କଣ କରିବ ଭାବି ଭାବି ପଡୋଶୀ ରମା ମାଉସୀଙ୍କୁ ଡାକିଲା। ମାଉସୀ ଆସିଲେ ଆଉ ରତନୀର ପ୍ରସବ କରେଇଲେ। ହେଲେ ପିଲାକୁ ଦେଖିଲା ବେଳକୁ ତାଁକ ମୁଁଡ ଘୁରିଗଲା। କାରଣ ପିଲାଟି ଦୁନିଆ ଦେଖିବା ଆଗରୁ ଆଖି ବୁଜି ସାରିଥିଲା। କାହିଁକି ଏମିତି ହେଲା ତାର ଉତ୍ତର ସ୍ବାମୀ ସ୍ତ୍ରୀ ଦିହିଁଙ୍କ ମିଲିତ କାନ୍ଦ ଖୋଜି ଚାଲିଥିଲା ଆଉ ଏପଟେ ଶିଷ୍ୟମାନଙ୍କ କାନରେ ବାଜୁଥିଲା ସମସ୍ତଙ୍କ ଭାଗ୍ୟବିଧାତା(ବାବା) ର ହୃଦଖୋଲା ହସ...।


Rate this content
Log in