STORYMIRROR

Samikshya Rana

Tragedy

5.0  

Samikshya Rana

Tragedy

ବିଶ୍ବାସ

ବିଶ୍ବାସ

3 mins
1.0K


ଆଜି ତ ସବୁ ସୀମା ପାର ହେଇଗଲା। କେତେ ଆଉ ସହିବ। ସହିକି ତ ରହିଛି ଏତେ ଦିନ ଯାଏଁ। କାଲେ ନ ସହି କାନ୍ଦିଲେ ଛୁଆ ମାନଙ୍କର କିଛି ଅମଙ୍ଗଳ ହେବ ସେଥିପାଇଁ ତ ସେ ଆଜି ପର୍ଯ୍ୟନ୍ତ କେବେ ଆଖିରୁ ଲୁହକୁ ଗଡିବାକୁ ଦେଇନି। କେତେ କଷ୍ଟ କରି ସେ ଏଇ ଦୁଇ ବକଟ ଛୁଆକୁ ମଣିଷ କରିଛି। ଦିନେ ତାଙ୍କ ଦେହରେ ହାତ ଦେଇନି ।ନିଜ ଭାଗର ସଉକ ଆଉ ଖୁସି ବି ସେମାନଙ୍କୁ ଦେଇଛି ।ଆଜି ବାର୍ଧକ୍ୟରେ ତା ର ସାହା ଭରସା ହେବେ ବୋଲି ସେ କେତେ ବିଶ୍ବାସ କରିଥିଲା, ହେଲେ ସେ ବିଶ୍ୱାସ ବୋଧେ ଭାଂଗିଗଲା। ପହିଲେ ପହିଲେ ତ ବୁଢାଥିଲେ ସବୁ କିଛି ଠିକ୍ ଚାଲିଥିଲା। ପୁଅ ଝିଅ, ବୋହୂ, ଜୋଇଁ ରେ ଘର ପୁରି ଉଠୁଥିଲା। ଯାନାଯାତରାରେ ବଡ ମଉଜ ହେଉଥିଲା। ବୁଢାଥିଲେ ଅଫିସର ବଡ଼ବାବୁ। ଅବସର ପରେ ବି ପେନ୍ସନ୍ ପଇସାରେ ଦୁହେଁ ସମସ୍ତ ଖର୍ଚ୍ଚ ବହନ କରି ଚାଲିଥିଲେ। ଦିଆନିଆ ବି ଭଲ ଥିଲା। ହେଲେ ସେ ଚାଲିଗଲା ପରେ ପ ଇସା ସବୁ ପୁଅମାନେ ନେଇଯାଆନ୍ତି ବୋଲି ଝିଅ ଜୋଇଁ ରାଗିକି ଘରକୁ ଆସୁନାହାନ୍ତି। ଏବେ ତ ପୁଅ ମାନେ ବି ବୋହୂମାନଙ୍କ କଥାରେ ଉଠବସ୍। ଏଣେ ବୋହୂମାନଙ୍କର ସମସ୍ତଙ୍କ ଆଗରେ ଅଭିଯୋଗ ଯେ ଶାଶୁ ପାଇଁ ମାସ ଖର୍ଚ୍ଚ ବେଶୀ ହଉଛି। ହେଲେ ସେ ବୁଝିପାରେନି। ଶୋଇବା ପାଇଁ ଗୋଟେ ଅଖା ଆଉ ଖାଇବା ପାଇଁ ଗଣ୍ଡେ ପଖାଳରେ ଏତେ ଖର୍ଚ୍ଚ ହଉଛି କେମିତି। ଚିରାଲୁଗାରେ ଶୀତ ଲାଗିଲେ କି ପଖାଳରେ ପେଟ ନ ପୁରିଲେ ବି ତ ସେ କେବେ ମାଗିନି। କାରଣ ବୋହୂଏ କେତେ ଗାଳି ଦେବେ ଗୋଇଠା ମିରିବେ କହିବେ ବୁଢୀ ମରୁନି ଯେ ଆମ ଜୀବନ ଖାଉଛି। ପୁଅମାନେ ଅଫିସ ଗଲେ ତାଁକ ସାମ୍ନାକୁ ବାହାରିବା ମନା, ବୋହୂମାନଙ୍କ ବିଶ୍ବାସ ବିଧବା ମା ମୁହଁ ଚାହିଁଲେ ଅଶୁଭ। ସେ ଜାଣିଛି ପୁଅବୋହୂ ବିଶ୍ବାସ ଆଗରେ ତା ବିଶ୍ବାସ ହାରିଯାଇଛି। ବିଶ୍ବାସର ଅଜବ ଖେଳରେ ସେ ଛନ୍ଦି ଯାଇଛି। ହେଲେ ଯାହା ହେଲେ ବି ତ ଜୀବନ ତା ବାଟରେ ଚାଲି ଥିଲା।

ଆଜି କିନ୍ତୁ ସବୁ କଣ ଘଟିଗଲା। ତା ହାତ ତିଆରି ମଣିଷ ମାନେ ଯେ ପଶୁ ପାଲଟିଗଲେ। ମାର ସେବା କି ଖର୍ଚ୍ଚ ପାଇଁ ତ ସେମାନେ କେବେ ମନ ବଲେଇ ନାହାଁନ୍ତି ହେଲେ ମା କୁ କେବଲ ନିଜ ବ୍ୟବହାରରେ ଲଗେଇ ଆସିଛନ୍ତି। ସକାଳେ ଆଖି ନ ଖୋଲୁଣୁ ବୋହୂମାନେ ଆସି ତାକୁ ଯତ୍ନରେ ଉଠେଇ ସଫାସୁତୁରା କରି ନୂଆଲୁଗା ପିନ୍ଧେଇଦେଲେ। ବୁଢୀ କେବଳ ବଲବଲ କରି ଚାହିଁଥାଏ। ତାକୁ ପେଟପୁରେଇ ଖାଇବାକୁ ଦେଲେ। ବଡ ପୁଅ ଆସି ମା କୁ ଗାଡିରେ ବସିବାକୁ କହିଲା। ବୁଢୀ କାହିଁକି ପଚାରିବାର ଯୁ ନଥାଏ କାଳେ ଗାଳି ହେବ। ପୁଅ କିନ୍ତୁ ବୁଝେଇଦେଲା ମେଡିକାଲ୍ ଚେକପ୍ ପାଇଁ। ବୁଢୀ ଗାଡିରେ ବସି ହଜାରେ ଥର ପୁଅ ବୋହୂମାନଙ୍କ ପାଇଁ ଶୁଭ ମନାସିଲା। ପିଲା ଲୋକ କେତେବେଳେ କଣ ଭୁଲ କରିଦେଇଥିଲେ ତାକୁ ଧରିଲେ ହେବ ନା କହି ମନକୁ ବୁଝେଇଲା। ଚେକପ୍ ପରେ ବୁଢୀକୁ ଅପରେସନ୍ ଥିଏଟର୍ କୁ ନିଆଗଲା।କିଛି ବୁଝି ନ ପାରିଲେ ବି ସେ ପାଟି ଫିଟେଇଲାନି କଣ ଦରକାର ଥିବ ସେ କଣ ବେଶୀ ପାଠ ପଢିଛି ଯେ ସବୁ ଜାଣିଯିବ। ଅପରେସନ ପରେ ପେଟ ଯନ୍ତ୍ରଣା ସହ ବୁଢୀକୁ କେବିନକୁ ଅଣାଗଲା।ଡାକ୍ତର କହିଲେ ଅପରେସନ ପରେ ମାଉସୀଙ୍କ ଅବସ୍ଥା ଯାହା କିଛି ଠିକ୍ କହିହବନି। ବୁଢୀ ଜୁଳୁଜୁଳୁ କରି ଚାହିଁଥାଏ। ପୁଅ ଡାକ୍ତର ସହ କୁଆଡେ ପଲେଇଲା। ପାଖରେ ଥିବା ନର୍ସକୁ ବୁଢୀ କହିଲା କି ମୁଁ ମୋ ପାଖକୁ ଯିବି ଟିକେ ଧର୍ ତ। ନର୍ସ ଯାହା କହିଲା ତା ପରଠୁ ବୁଢୀ ନିଜକୁ ସମ୍ଭାଲି ପାରୁନି। ସେ ବାସ୍ ଭାବି ଚାଲିଥିଲା ଅନନ୍ତ ଭାବନାରେ ସତରେ କଣ ନିଜ ଜନ୍ମ କଲା ଛୁଆମାନେ ମା ର ବିଶ୍ବାସ ସହ ଖେଲି ପାରନ୍ତି? ତା ଦେହର ଅଂଗକୁ ତାକୁ ନ ଜଣେଇ ଅନ୍ୟକୁ ବିକ୍ରି କରି ଦେଇଛନ୍ତି। ସେ ମୁଁଡରେ ହାତ ଦେଲା । ହାଏରେ ବିଶ୍ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Samikshya Rana

Similar oriya story from Tragedy