STORYMIRROR

Jyotirmayee Panda

Tragedy Action Crime

3  

Jyotirmayee Panda

Tragedy Action Crime

ଛାତ୍ର ରାଜନୀତି (ଭାଗ -୫)

ଛାତ୍ର ରାଜନୀତି (ଭାଗ -୫)

4 mins
179

ହଠାତ୍ ଦିନେ କିଛି ପୁଅ ଗୋଟେ ଝିଅକୁ କଲେଜରେ ଖରାପ୍ ବ୍ୟବହାର ଦେଖାଉଥିଲେ, ଯାହାର ସୁଯୋଗରେ ରୋମୀଙ୍କ ଗୋଷ୍ଠୀ ବେଶ୍ ଫାଇଦା ଉଠେଇଥିଲେ । ସେମାନେ କଥାର ରୂପକୁ ଏମିତି ପରିବର୍ତ୍ତନ କରି ଜଣାଇଥିଲେ, ଯାହା ଥିଲା କି ଆମ (ରୋଜା) ଗୋଷ୍ଠୀର ଯୁବକ ଯୁବତୀ ମାନେ ନିଜେ ସଂସ୍କାର ଆଉ ବ୍ୟବହାରର ନାରା ଦେଖାଉଛନ୍ତି ସତ କିନ୍ତୁ ପ୍ରକୃତରେ ତାଙ୍କ ପାଖରେ ସଂସ୍କାର ହିଁ ନାହିଁ । ଯଦି ଥାଆନ୍ତା ତେବେ ଏମିତି ଘଟଣା କେବେ ବି ଘଟିନଥାନ୍ତା । ସେ ଗୋଷ୍ଠୀର ଯୁବକମାନେ କେବେବି ଗୋଟେ ଝିଅଟିକୁ ଖରାପ୍ ବ୍ୟବହାର ଦେଖେଇ ନଥାନ୍ତେ । ମୋ (ରୋଜା) ପାଖରେ ଏ ଖବର ପହଞ୍ଚିବା ମାତ୍ରେ ମୋର ସମ୍ପୂର୍ଣ୍ଣ ଶରୀର ଶିହରୀ ଉଠିଥିଲା, ମୁଁ ତ କିଛି ସମୟ ପାଇଁ ସ୍ତବ୍ଧ ଥିଲି ଆଉ ବିଶ୍ୱାସ ବି କରି ପାରୁନଥିଲି ଯେ ପ୍ରକୃତରେ ମୋ ଦଳର କେହି ଏମିତି କରିଚି ବୋଲି । ମତେ ହଠାତ୍ ଲାଗିଲା ଯେମିତି ମୋର ସ୍ତର ହିଁ ଦୋହଲି ଯିବ, ଏ ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ଏକତ୍ର ହେଇ ମୋ ବିରୋଧରେ ଚାଲିଯିବେ । ଆଉ ମୋ ଦଳର ଯାହା ସ୍ଥିତି ଥିଲା, ସେଇ ସ୍ଥିତି ହିଁ ସମ୍ପୂର୍ଣ୍ଣ ଭାବରେ ଘୁସୁଡ଼ି ପଡ଼ିବ ।


କିନ୍ତୁ ସମ୍ଭବତଃ ମୋର ଏବଂ ଆମ ଦଳର ପ୍ରୟାସ ପରେ ପ୍ରକୃତ ସତ କଥା ଜଣା ପଡ଼ିଥିଲା ଯେ, ଏହା ରୋମୀଙ୍କ ଦଳର ଗୋଟେ ଚକ୍ରାନ୍ତ ଥିଲା ଆମ ଦଳକୁ ସମସ୍ତଙ୍କ ନିକଟରେ ନିଚା ଦେଖେଇବା ପାଇଁ । ସେ ବାହାରର କିଛି ଲୋକଙ୍କୁ ପଇସା ଦେଇ ଏମିତି କରେଇଥିଲେ, ପ୍ରକୃତରେ ଯିଏ ଖରାପ୍ ବ୍ୟବହାର ଦେଖାଇ ଥିଲେ ସେ କଲେଜର ହିଁ କୌଣସି ଛାତ୍ର ନଥିଲେ । ଯାହା ଜାଣିବା ପରେ ଆମେ ପୁଣି ଆମର ପ୍ରଚେଷ୍ଟା ଜାରି ରଖିଥିଲୁ, କିପରି ପୁଣି ଛାତ୍ରଛାତ୍ରୀଙ୍କ ମନକୁ ପୁଣି କିଣି ପାରିବୁ ଏବଂ ବିଜୟ ହାସଲ କରିବୁ । ସେଇ ଜୟ ପରାଜୟ ଭିତରେ ବହୁତ୍ କିଛି ଘଟି ଯାଉଥିଲା । ରୋମୀ ଏବଂ ତାଙ୍କ ଦଳ ବିଜୟ ହାସଲ ପାଇଁ ମତେ ରୋକିଥିଲେ, ଆଉ ଆମ ଦଳ ମଧ୍ଯ ସେଇ ସମାନ ପ୍ରୟାସରେ ଥିଲା । ଉଭୟ ଦଳ ବେଳେବେଳେ ସାମ୍ନା ହୋଇ ବିଷଣ ଗଣ୍ଡଗୋଳର ରୂପ ନେଉଥିଲେ । 



ଏପଟ ଦଳର କିଛି ଲୋକ ମିଛରେ ସେପଟ ଦଳକୁ ବଦନାମ୍ କରିବା, ଏପଟେ କଣ କଣ ମୁଖ୍ୟ ଆକର୍ଷଣ ରହୁଚି ତାକୁ ଦେଖି ସେପଟେ ମଧ୍ୟ କିଛି ପରିବର୍ତ୍ତନ କରେଇବା, ସୁବିଧା ସୁଯୋଗକୁ ବଢେଇବା ସହିତ ଉଭୟ ଦଳରେ ବହୁତ୍ କିଛି ପ୍ରଲୋଭନ ଦେଖେଇବା ପରିକା ଜିନିଷ ଗୁଡ଼ିକୁ ବାଣ୍ଟିବା, ଶେଷରେ ଯଦି କିଏ କଣ କାହାକୁ ନେଇକି ସାମ୍ନାରେ କହୁଚି ହଠାତ୍ ହକି ଷ୍ଟିକ୍ ଠୁ ନେଇକି ମଶାରୀ ଜାଲ, ବଲ୍, ଇଟା ଇତ୍ୟାଦି ଅନେକ କିଛି ସାହାଯ୍ୟରେ ଗଣ୍ଡଗୋଳ ବା ମାରାପିଟ୍ କୁ ନିମନ୍ତ୍ରଣ ଦେବା । ଏମିତି ସବୁ ଇଲେକ୍ସନ୍ ପର୍ୟ୍ୟନ୍ତ ଚାଲିଥିଲା । ଶେଷରେ ଇଲେକ୍ସନ୍ ପୂର୍ବଦିନ କିଛି ଟଙ୍କା ମଧ୍ୟ ବଣ୍ଟା ହେଇଥିଲା, ତା ସହିତ ଭୋଟ ବାସ୍କକୁ କିପରି ଚୋରି ଅଥବା ନକଲ କରିହେବ, ସେଇଟା ମଧ୍ୟ ଗୋଟେ ଶେଷ ପ୍ରାୟାସ ଥିଲା । 



ଜିତିବାର ନିଶା ଏମିତି ଥିଲା ଯେ, ସେଠି ଠିକ୍ ଭୁଲର ବିଚାରଶକ୍ତି କୋଉ ବି ଦଳ ପାଖରେ ନଥିଲା । ହିଂସାତ୍ମକ ଭାବରେ ଶେଷରେ ଗୋଟେ ଦିନ ଗଣ୍ଡଗୋଳର ରୂପ କେସ୍ ଯାଏଁ ବି ଯାଇଥିଲା, ସେଦିନ ଗୋଟେ ଦଳର ଯୁବତୀ ଅନ୍ୟଦଳର ପୋଷ୍ଟର୍ ପାଖରେ ଛିଡ଼ା ହେଇଥିଲେ, କିନ୍ତୁ ବର୍ଷାର କାଦୁଅ ପାଣିରେ ଡ଼ିଆଁ ମାରି ଅନ୍ୟତ୍ର ଜଣେ ସାଙ୍ଗ ନିକଟକୁ ଯିବା ସମୟରେ ଯୁବତୀ ଜଣଙ୍କର ପାଦ ପାଣିରେ ପଡ଼ି ଛିଟା ଆସି ଅନ୍ୟ ଦଳର ପୋଷ୍ଟର୍ରେ ପଡ଼ିଥିଲା, ଯେଉଁଥିରୁ ଲାଗିଥିଲା ଧୁମ୍ ଧାମ୍ ମାଡୋଗୋଳ ଆଉ ଚ୍ୟାର୍ ଟେବୁଲ୍ ଭଙ୍ଗା ରୁଜା । ଗୋଟେ ଛୋଟ କଥାକୁ ନେଇକି ଏମିତି ହିଂସାତ୍ମକ ପରିବେଶ ସୃଷ୍ଟି ହେଇଗଲା ଯେ ଶେଷରେ କଥା ପୋଲିସ୍ କର୍ମଚାରୀଙ୍କ ଦ୍ଵାରା ହିଁ ସମାପ୍ତ କରାଯାଇଥିଲା । ଏମିତି ଆହୁରି ଅନେକ ଗୁଡ଼ିଏ କଥା ରହୁଚି ଯାହାକି ପ୍ରକୃତରେ ଛାତ୍ର ରାଜନୀତି ସମୟରେ କଲେଜ ଇଲେକ୍ସନ୍ରେ ଘଟିଥାଏ । ଅଙ୍ଗେ ନିଭେଇଥିବା ଛାତ୍ରଛାତ୍ରୀମାନେ ହିଁ ଏକଥା ଠିକ୍ ବୁଝିପାରୁଥିବେ । 



ତେବେ ଆସିଯାଇଥିଲା ସେଇ ଦିନ, ଯେଉଁଦିନ କି ଘୋଷଣା ହେବାର ଥିଲା ବିଜେତାଙ୍କ ନାମ । ସବୁ ଗଣ୍ଡୋଗୋଳ, ସବୁ ପ୍ରାୟାସ, ସବୁ ପ୍ରତିଶୃତି, ସବୁ ଛଳନାକୁ ନେଇ ଶେଷରେ ପ୍ରକାଶ ପାଇଥିଲା ବିଜେତା ଦଳର ନାମ । ମୁଁ (ରୋଜା) ସେଦିନ ବହୁତ୍ ଚିନ୍ତିତ ଥିଲି କାରଣ ମୁଁ ଜାଣିଥିଲି ଯେ ଭୋଟ ବାକ୍ସ ଚୋରିର ପ୍ରୟାସ ପୂର୍ବରୁ ବିଫଳ ରହିଥିଲା ରୋମୀଙ୍କ ଦଳର, ତେଣୁ ସେମାନେ ଖାଲିରେ ବସିବା କଥା ତ ନୁହଁନ୍ତି । ନିହାତି କିଛି କରିଥିବେ, ତେବେ ତାଙ୍କ ଯୋଜନାର ଟିକେ ବି ସୁରାଗ ଆମ ଦଳର କାନରେ ପଡ଼ିନଥିଲା । ଯେଉଁଥିପାଇଁ ଆମକୁ କିଛି ବି ଆକଳନ କରିବାଟା କଷ୍ଟକର ହେଇ ପଡ଼ିଥିଲା । ତଥାପି ମୁଁ ସବୁକିଛି ଭଗବାନ୍ ଙ୍କ ଉପରେ ଛାଡ଼ି ଦେଇଥିଲି । ଆଉ ଶେଷରେ ଆମ ଦଳ ହିଁ ବିଜୟ ହାସଲ କରିଥିଲା ପାଞ୍ଚଟି ଭୋଟ୍ ଅଧିକ ହାସଲ କରି । ଯେଉଁ ଖବର କି ମୋତେ ଆଉ ମୋର ଦଳର ଖୁସିର ସୀମାକୁ ଦୁଇଗୁଣ କରିଦେଇଥିଲା । ଅନ୍ୟପଟେ ରୋମୀ ନିଜର ହାରିବାକୁ ସହଜରେ ଗ୍ରହଣ କରିପରୁ ନଥିଲା । ତାଙ୍କ ଦଳ କ୍ରୋଧିତ ହେଇ ସେଇ ସ୍ଥାନ ଛାଡ଼ି ଚାଲି ଯାଇଥିଲେ ସତ କିନ୍ତୁ ଭିତରର ରାଗକୁ ରୋମୀ ହଷ୍ଟେଲରେ ମତେ ହଇରାଣ କରି ସୁଝେଇବ ବୋଲି ବୋଧେ ଭାବି ନେଇଥିଲା, ଯାହା ଫଳରେ ପରଦିନ ଠୁ ଲଗାତାର ମୋର କିଛି ନା କିଛି ଛୋଟ ମୋଟ ଅସୁବିଧା ଘଟୁଥିଲା ହଷ୍ଟେଲ ଭିତରେ ।



ଯାହାର ପ୍ରତି ଆକ୍ରଣମ ମୁଁ କରିଥିଲି ସତ, ଆଉ କିଛି କିଛିରେ ସେ ନିଜେ ହଇରାଣ ହେଇଥିଲା ତା ସହିତ ଗୋଟେ ଦିନ ସେ ମୋ ପାଇଁ କରିଥିବା ଗାତରେ ନିଜେ ହିଁ ପଡ଼ିଥିଲା । ସେଠି ମୁଁ ତାକୁ ଉଦ୍ଧାର କରିଥିଲି । ପରେ ପରେ ରୋମୀକୁ ପୁଣି ଏକାଠି ରହିବା ପାଇଁ, ପୁଣିଥରେ ନୂଆ କରି ବନ୍ଧୁତା ସ୍ଥାପନ କରିବା ପାଇଁ ଏକ ମତ ମାଗିଥିଲି । ରୋମୀ ମଧ୍ୟ ଧୀରେ ଧୀରେ ମୋ କଥାରେ ରାଜି ହେଇଥିଲା । ଶେଷରେ ଆମର ବନ୍ଧୁତା ପୁଣି ନିବିଡ଼ ହେଇଥିଲା । ଦୁଇ ଦଳ ଏକ ଦଳରେ ପରିଣତ ହେଇଥିଲା । ପୁରୁଣା ଦିନ ପୁଣି ଆମ ନିକଟକୁ ଫେରି ଆସିଲା । ସେଦିନ ପରଠୁ ଏବେ ଯାଏଁ, ଏମିତିକି ଏତେ ବର୍ଷର ବ୍ୟବଧାନ ପରେ ବି ଆଜି ମଧ୍ୟ ଆମ ଚାରିଜଣଙ୍କ ବନ୍ଧୁତା ସେମିତି ଅଛି । ଆମେ ମୁଁ(ରୋଜା), ରୋମୀ, ଆଶା ଏବଂ ରାଧିକା ଏବେ ବି କୋଉଠି କେବେ ଦେଖାହେଲେ ସେଇ ପୁରୁଣା କଥାକୁ ମାନେ ପକେଇ ହସୁଛୁ । ଏଇଟା ଥିଲା ମୋର(ରୋଜା) କଲେଜ ଇଲେକ୍ସନ୍ ବେଳର କିଛି ଖଟା ମିଠା ଅନୁଭୂତି । 



ଏଥିରୁ ଯାହା ମୁଁ ଶିଖିଥିଲି ତାହା ଥିଲା, ମୋଟାମୋଟି କହିବାକୁ ଗଲେ ନିର୍ବାଚନ ହେଉଛି ରାଜନୈତିକ ସ୍ୱାଧୀନତାର ପ୍ରତୀକ। ଏହା ହେଉଛି ସାଧନ ଯାହା ସାଧାରଣ ଲୋକ ବା ଛାତ୍ରଛାତ୍ରୀଙ୍କ ହାତରେ ଅଧିକାର ଦେଇଥାଏ | ଏହା ବିନା ଗଣତନ୍ତ୍ର ନିଶ୍ଚିତ ଭାବରେ ଅଣ-କାର୍ଯ୍ୟକ୍ଷମ ହେବ | ତେଣୁ ଲୋକମାନେ ବା ଛାତ୍ରଛାତ୍ରୀମାନେ ନିର୍ବାଚନର ମୂଲ୍ୟ ହୃଦୟଙ୍ଗମ କରିବା ସହିତ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ବାହାରିବା ଉଚିତ୍ | କିନ୍ତୁ ସେଇ ନିର୍ବାଚନକୁ ଏକ ହିଂସାତ୍ମକ ରୂପ ଦେଉଥିବା ଆମର ବିଚାର ଶକ୍ତିକୁ ଆମକୁ ହିଁ ଆୟତରେ ରଖିବା ଉଚିତ୍ । ଯଦି ଆମେ ଜିତିବା ପାଇଁ କେଉଁ ବି ସ୍ତରକୁ ଯିବାକୁ ପଛେଇବା ନାହିଁ, ଏମିତିକି ହିଂସାତ୍ମକ କାର୍ଯ୍ୟର ମାର୍ଗରେ ଚାଲିଯିବା । ତେବେ ହୁଏତ ଆମେ ବିଜୟ ତ ପାଇଯିବା କିନ୍ତୁ ପ୍ରକୃତରେ କାହା ପାଇଁ କେବେ କିଛି କରି ପାରିବା ନାହିଁ । ତେବେ ସ୍ଵାଭାବିକ କି ଦେଶର ଉନ୍ନତି କଥା ଆମେ ଚିନ୍ତା ହିଁ କରି ପାରିବା ନାହିଁ । କାରଣ ହିଂସା କେବଳ ନିଜର ଇଚ୍ଛାକୁ ପୂର୍ତ୍ତି କରିବାରେ ସହାୟ ହୁଏ, ହେଲେ ରାଜନୀତିଟା ସବୁବେଳେ ପ୍ରଥମେ ଲୋକଙ୍କର ବା ଛାତ୍ରଛାତ୍ରୀଙ୍କର ଇଚ୍ଛା ପୂର୍ତ୍ତି କୁ ଦେଖେ । ତେଣୁ ଆମେ ବିଜୟ ହାସଲ କଲେ ବି ସେଠି ତିଷ୍ଟି ରହି ପାରିବା ନାହିଁ । ତ ସେଥିପାଇଁ ପ୍ରଥମେ ଆମକୁ ନିଜର ବିଚାରଶକ୍ତିକୁ ଉନ୍ନତ କରିବାକୁ ପଡ଼ିବ ବା ନିଜର ଆୟତ୍ତରେ ରଖିବାକୁ ପଡିବ, ତେବେ ଯାଇ ରାଜନୀତି ଆମପାଇଁ ଆହ୍ୱାନ ସଦୃଶ୍ୟ ହେବ କିଛି ନୂତନତ୍ୱକୁ ପ୍ରସାର କରେଇବା ପାଇଁ ।

        

  


       ।। ସମାପ୍ତ ।। 



Rate this content
Log in

Similar oriya story from Tragedy