ଚୌକି ନଥିଲା ବୋଲି
ଚୌକି ନଥିଲା ବୋଲି
ଚାହୁଁ ଚାହୁଁ ପାଞ୍ଚ ବର୍ଷ ପୁରିଗଲା।ଆଉ ତା' ସାଙ୍ଗକୁ କ୍ଷମତା ବି ଚାଲିଗଲା।କ୍ଷମତା ଚାଲିଯିବାରୁ ଚୌକି ଚାଲିଗଲା।
ଇଏ ଆମ ଗଣତନ୍ତ୍ର ବ୍ୟବସ୍ଥାର କଥା।ଏଠି ଲୋକମାନେ ହେଲେ ଈଶ୍ୱର।ଲୋକଙ୍କ ମତ ଈଶ୍ୱରଙ୍କ ମତ।ଏମିତି କିଛି ନାହିଁ ଯେ ଲୋକମାନେ ପୁଣି ଥରେ ସେହି ଲୋକକୁ ଜିତାଇ ଆଣିବେ।
ଏକଥା ଜାଣିଥିଲେ ଶ୍ରୀନିବାସ ବାବୁ।ତଥାପି ତାଙ୍କୁ ଭାରି ଖଟକା ଲାଗୁଥିଲା।ନିର୍ବାଚନରେ କେତେ ମଦ, ମାଂସ, ଟଙ୍କା, ପ୍ରତିଶ୍ରୁତି ବାଣ୍ଟି ନଥିଲେ ସେ ! ହେଲେ ଲୋକମାନେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ଜିତାଇ ଆଣିଲେ।
ସବୁବେଳେ ମଦ, ମାଂସ, ଟଙ୍କା ଓ ପ୍ରତିଶ୍ରୁତି ଦେଇ ଭୋଟ୍ ଅମଳ କରିହେବ ନାହିଁ।ସେସବୁ ନେଇ ଲୋକମାନେ ମଧ୍ୟ ସବୁବେଳେ ଭୋଟ୍ ଦେବେ ନାହିଁ।ଲୋକଙ୍କର ଇଚ୍ଛା।ସେମାନଙ୍କ ଇଚ୍ଛା ଉପରେ କେହି ମାଲିକ ନୁହନ୍ତି।ସେମାନେ ଯାହାକୁ ଚାହିଁବେ ତାକୁ ଭୋଟ୍ ଦେବେ।
ସଞ୍ଚିତ କଳାଧନରୁ ପୁଳେ କିଛି ବାହାରିଗଲା।ହେଲେ ସେଥିପାଇଁ ଶ୍ରୀନିବାସ ବାବୁଙ୍କ ମନ ଦୁଃଖ ନ ଥିଲା।ସେ ଆଉ ଚୌକିରେ ବସିପାରିବେ ନାହିଁ।କ୍ଷମତାର ସ୍ୱାଦ ଚାଖିପାରିବେ ନାହିଁ।ଏଇଟା ଥିଲା ତାଙ୍କ ଅସଲ ଦୁଃଖର କାରଣ।
ଚୌକି ଥିବାରୁ ସିନା ହାଏ, ହାଲୋ, ଗୁଡ୍ ମର୍ଣ୍ଣିଂ, ନମସ୍କାର ମିଳୁଥିଲା।ଚେଲା ଚାମୁଣ୍ଡା ଚାରିପଟେ ବେଢି ରହୁଥିଲେ।ପ୍ରିୟ, ପରିଚିତ ସମସ୍ତେ କହୁଥିଲେ ସେ କୁଆଡ଼େ ତାଙ୍କର ଭାରି ନିଜର।ହେଲେ ଏବେ ସେସବୁ ତାଙ୍କୁ ସ୍ୱପ୍ନ ପରି ଲାଗୁଥିଲା।ଭାବିଲେ ମନଟା ବିଷାଦରେ ବୁଡି ଯାଉଥିଲା।
ଓଃ ! କି ଚାଲି ସିଏ ! କି ଠାଣୀ ! କି ପୋଷାକ ! କଥା କହିବାର କି ଶୈଳୀ ! କି ବାକ୍ ଚାତୁରୀ ! କି ଦରହାସ ! ରାଜା ମହାରାଜାଙ୍କ ଭଳି ଗୋଡ ଉପରେ ଗୋଡ ପକେଇ କି ବସିବା ! ନିଜକୁ ଓଜନିଆ ବୋଲି ସେ' କି ଦେଖେଇ ହେବା ! ସବୁ ସମୟ ମୂଲ୍ୟବାନ ସମୟ ବୋଲି ସେ' କି କହିବା ! ଚୌକି ଗଲାନି ଯେ ସବୁ ତା' ସାଙ୍ଗରେ ଚାଲିଗଲା।ସମୁଦ୍ରରେ ବୁଡିଗଲା ପରି ବୁଡିଗଲା।
ବେଳେବେଳେ ନିଜ ସହ ନିଜେ ଏମିତି କଥାବାର୍ତ୍ତା ହେଉଥିଲେ ସେ।ଦୁଃଖୀ ହେଉଥିଲେ।ବାସ୍ତବରେ ତାଙ୍କ ନିତିଦିନିଆ ଜୀବନରେ ଢେର୍ ପରିବର୍ତ୍ତନ ଆସି ଯାଇଥିଲା।ସବୁ କୁଆଡ଼େ ଯେମିତି ରାତିଅଧିଆ ଦୂରେଇ ଯାଇଥିଲେ ତାଙ୍କ ପାଖରୁ।ସାତ ପର ହୋଇ ଯାଇଥିଲେ।
ରାତି ପାହିବା ଆଗରୁ ତାଙ୍କୁ ଦେଖା କରିବାକୁ କେତେ ଲୋକ ଆସି ଦୁଆରେ ପହଞ୍ଚୁଥିଲେ।ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲେ।ତାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରୁଥିଲେ।ହସି ହସି ତାଙ୍କ ସହ କଥା ଆରମ୍ଭ କରୁଥିଲେ।ହେଲେ ଏବେ ଆଉ ସେପରି ହେଉ ନ ଥିଲା।କେହି ଦେଖୁନଥିଲେ ତାଙ୍କ ମୁହଁ।ବରଂ ନଜରରେ ନଜର ମିଶିଲେ ନ ଚିହ୍ନିଲା ପରି ବାଟ ଆଡେଇ ଚାଲି ଯାଉଥିଲେ।
ଉଦଘାଟନ ! ଶ୍ରୀନିବାସ ବାବୁଙ୍କୁ ଡାକ।ସଭା ସମିତିର ଅତିଥି ! ଶ୍ରୀନିବାସ ବାବୁଙ୍କୁ ଡାକ।ଦାନ ପୂଣ୍ୟ ! ଶ୍ରୀନିବାସ ବାବୁଙ୍କ ପାଖକୁ ଚାଲ।ଏସବୁ ଏବେ କିଛି ହେଲେ ନ ଥିଲା।ତାଙ୍କ ବାସଭବନଟି ଏବେ ଖୁବ୍ ଖାଁ ଖାଁ ଲାଗୁଥିଲା।
ଦିନ ଥିଲା କେତେ କେତେ ବିଶେଷଣ ଯୋଡା ଯାଉଥିଲା ତାଙ୍କ ନାମ ଶେଷରେ। କେତେ ରସିଦ୍ ବହି ଆସୁଥିଲା ତାଙ୍କ ପାଖକୁ।ହେଲେ ଏବେ ଅଉ ସେମିତି ହେଉନଥିଲା।ସବୁ ଯେମିତି ତାଙ୍କୁ ପର ପର ଲାଗୁଥିଲା।
ଅନେକ ଉପାଧି ମିଳିଥିଲା ତାଙ୍କୁ।ଏବେ କିନ୍ତୁ ସେସବୁ ତାଙ୍କ ଦେହରୁ ଝାଡିଝୁଡି ହୋଇ ଯାଇଥିଲା।କେଉଁଠି ସଭା ହେଲା, କିଏ ଅତିଥି ହେଲା ଏବେ ଯାହା କେବଳ ପେପର୍ ପଢି ଜାଣୁଥିଲେ ସେ।
ସେ ଚାଲିଲେ ଦୁଲ୍ ଦୁଲ୍ ହେଉଥିଲା ମାଟି।ତାଙ୍କ ଚାହାଣିରୁ ଝରୁଥିଲା ଦିବ୍ୟ ସନ୍ଦେଶ।କିନ୍ତୁ ଏବେ ଆଉ ସେମିତି କିଛି ମଧ୍ୟ ହେଉ ନ ଥିଲା।
ଲୁହ ଦେଇ ପାରୁଥିଲେ ସେ, ପୋଛି ବି ପାରୁଥିଲେ।ଉଜାଡି ପାରୁଥିଲେ ସଂସାର, ଗଢି ପାରୁଥିଲେ ବି।ନିଜକୁ ଏ ଦୁନିଆର ହର୍ତ୍ତା କର୍ତ୍ତା ଦୈବ ବିଧାତା ବୋଲି ଭାବୁଥିଲେ।ହେଲେ ଏବେ ଆଉ ସେସମୟ ନ ଥିଲା।ପେନସନ୍ ଗଣ୍ଡାକ ସମ୍ବଳ।ଏବେ ସେ ରିକ୍ତ, ନିଃସ୍ୱ ଓ ଅସହାୟ ଅବସ୍ଥାରେ ଥିଲେ।
ପଛକଥା ଉଙ୍କି ମାରୁଥିଲା ମନରେ।ସମୟ ମିଳିଲେ ବସି ଭାବୁଥିଲେ ସେ।ସତ ସତ ଦୁଃଖୀ ହେଉଥିଲେ।
ଏଠି ଚୌକିଟା କ'ଣ ସବୁଦିନିଆ ! କ୍ଷମତାର ଅଳିନ୍ଦରେ କ'ଣ ସବୁଦିନ ରହିହୁଏ ଏଠି ! କିଏ ଏଠି ବାସ୍ତବ ହର୍ତ୍ତାକର୍ତ୍ତା ଦୈବବିଧାତା, ଏବେ ସେ ଠିକ୍ ବୁଝି ପାରୁଥିଲେ।ଦୁଃଖ, ଅବସୋସ ଓ ଅନୁତାପରେ ଦିନ କାଟୁଥିଲେ।
ଚୌକି ନଥିଲା ବୋଲି ସିନା ......!
