ବୁଢିଆଣୀ ଜାଲ ଓ ସୁନା ମୃଗ କଥା
ବୁଢିଆଣୀ ଜାଲ ଓ ସୁନା ମୃଗ କଥା
ଯେବେ ସହରକୁ ପ୍ରଥମ କରି ଆସିଲା ଓ ଭଡାଘର ନେଇ ରହିଲା, ସେଦିନ ବହୁତ ଖୁସି ହୋଇଥିଲା ସେ । ମାଲିକ ଯେଉଁଦିନ ଘରଭଡା ବଢେଇଲେ,ସେଦିନ ତା' ଖୁସି ପାଣିଫୋଟକା ପରି ମିଳେଇଗଲା ।
ଯେବେ ତା' ବଢିଲା ଝିଅ ନାଲି ସାଇକେଲ ଚଢ଼ି ସାଙ୍ଗମେଳରେ ଟିୟୁସନ ସାରଙ୍କ ପାଖକୁ ଗଲା ସେଦିନ ବି ବହୁତ ଖୁସି ହୋଇଥିଲା ସେ । ଟିୟୁସନ ଫିସ୍ ବଢିଲା । ତା'ର ଖୁସି ପାଣିଚିଆ ପଡି ଆସିଲା ।
ସେତେବେଳେ ଦୁଇ ତିନି ଶ' ସାଙ୍ଗରେ ନେଇ ତେଜରାତି ଦୋକାନରୁ ସଉଦା କିଣି ପାରୁଥିଲା ସେ । କିଣି ପାରୁଥିଲା ପନିପରିବା । ଏବେ ଆଉ ସେମିତି କିଣି ପାରୁନି ସେ । ଏଥିପାଇଁ ତା' ମନରେ ଏବେ କେତେ ନା କେତେ ଦୁଃଖ ଓ ଦୁଶ୍ଚିନ୍ତା ।
ମାସ ପୂରିଲେ ପେପରବାଲା,କ୍ଷୀର ବାଲା,ଟିଭି ବାଲା ସମସ୍ତେ ଆସି ଦୁଆରେ ଠିଆ ହୋଇ ଯାଉଛନ୍ତି । ମାସ ଆରମ୍ଭରୁ ଆରମ୍ଭ ହୋଇଯାଉଛି ତା'ର ମୁଣ୍ଡବିନ୍ଧା ।
ଆଗେ ମାସ ପୂରିଗଲେ ବି ପର୍ସରେ କିଛି ଟଙ୍କା ରହି ଯାଉଥିଲା । ଏବେ ମାସ ପୂରିବା ଆଗରୁ ପର୍ସ ଖାଲି ଖାଲି ଲାଗୁଛି । ଶେଷ ସପ୍ତାହ ଭାରି ଟାଣଟୁଣ ଅବସ୍ଥାରେ ଚଳିବାକୁ ପଡୁଛି ।
ଏବେ ସେ ବୁଝୁଛି ସହରରେ ସବୁ ବଢେ,କିଛି ଛିଡେ ନାହିଁ ।
ଯେଉଁଦିନ ଝିଅ ଟ୍ୟୁସନରୁ ଘରକୁ ଫେରି କହିଲା ଛକରେ ଠିଆ ହୋଇ ଦି'ଟା ଛତରା ଟୋକା ତାକୁ କମେଣ୍ଟ ମାରୁଛନ୍ତି ବୋଲି ସେଦିନ ସେ ବହୁତ ଡରିଗଲା ଓ ବୁଝିଲା - ସହର ଯେ ଖାଲି ମହଙ୍ଗା ନୁହେଁ, ଅସୁରକ୍ଷିତ ମଧ୍ୟ । ଏଠି ବଢିଲା ଝିଅଟିଏ ଆଦୌ ସୁରକ୍ଷିତ ନୁହେଁ, ମନକୁମନ କହିଲା ସେ ।
ଆଗେ ପଡିଶା ଘର ସହିତ ମନ ଖୋଲି ସୁଖ ଦୁଃଖ ବାଣ୍ଟି ପାରୁଥିଲା ସେ । ଏବେ ଆଉ ସେମିତି ଅବସ୍ଥା ନାହିଁ । କାହାକୁ ତର ନାହିଁ । ହିଂସା, ଈର୍ଷାରେ ସଙ୍କୁଚିତ ସମସ୍ତେ ଏବେ । ଖୁବ୍ ଅଣନିଃଶ୍ବାସୀ ଅବସ୍ଥାରେ ତାକୁ ଜୀଇବାକୁ ପଡୁଥିଲା । ନିଜକୁ ଯେମିତି କୋଉଠି ହଜେଇ ଦେଇଛି, ସେମିତି ସେ ଭାବୁଥିଲା ।
ଗାଆଁ ଘର,ଗାଆଁ ମାଟି,ଗାଆଁ କ୍ଷେତ,ଗାଆଁ ମଣିଷର ଆଦର, ଗାଆଁ ସୁଖ - ଏବେ ତା'ର ଖୁବ୍ ମନେ ପଡୁଥିଲା । ଗାଆଁରେ ଥିବା ଦିନମାନଙ୍କରେ ସବୁଦିନେ ରାତି ପାହିଲେ ସୂରୁଯକୁ ଦେଖି ପାରୁଥିଲା ସେ । ଦେଖି ପାରୁଥିଲା ଜହ୍ନ ରାତି । ଫୁଲ ଫୁଟା ଋତୁରେ, ଚଢେଇଙ୍କ ଗୀତରେ ହଜି ପାରୁଥିଲା ସେ । ପ୍ରେମ,ହସଖୁସିର ଅଭାବ ନ ଥିଲା ଜୀବନରେ । ଦିନ ସବୁ ଥିଲା ବେଶ୍ ନିଶ୍ଚିନ୍ତ ।
ଗାଆଁ ସଂଜ ଦୀପ,ମଙ୍ଗଳ ଆଳତୀ, ଗୋଧୂଳି ଲଗ୍ନ,ଶୁଭ ଶଙ୍ଖ ଧ୍ବନି, ସଂଜର କୋଳାହଳ, ଘଣ୍ଟା କାହାଳୀ ମୃଦଙ୍ଗର ଶଦ୍ଦ,ପବିତ୍ର ପ୍ରାର୍ଥନା - ସବୁ ପୁଣି ତା'ର ମନେ ପଡୁଥିଲା ।
ଆହା ! କୁଆଡ଼େ ହଜିଗଲା ସେଇ ଦିନ ସବୁ !କୁଆଡ଼େ ହଜିଗଲା ଜୀବନକୁ ସୁନ୍ଦର ଭାବରେ ଜୀଇବାର ଆନନ୍ଦ ମୁଠାକ !
ସେଦିନକୁ ଫେରିବାକୁ ଇଚ୍ଛା କରୁଥିଲା ସେ । ଗାଆଁ ଝାଟିମାଟି ଘର,ଡିବିରି ଆଲୁଅରେ ସାଇତା ହୋଇ ରହିଥିବା ସୁଖ ଓ ପ୍ରେମର ସ୍ପର୍ଶକୁ ପାଇବାକୁ ଚାହୁଁଥିଲା ସେ ।
ଏବେ ସେ ଭାବୁଥିଲା ମାଛିଟିଏ ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡିଥିବା ପରି ଛନ୍ଦି ହୋଇ ପଡିଛି ସେ ଅବା କେଉଁ ସୁନା ମୃଗ ପଛରେ ଧାଇଁଛି । ଗାଆଁକୁ ଫେରିବାର ତା'ର ସବୁ ବାଟ ବନ୍ଦ ହୋଇ ଯାଇଛି ।
ଦରଦାମ ବଢି ବଢି ଗଲେ ଯାଉ,ବଢିଲା ଝିଅର ଜୀବନ ଅସୁରକ୍ଷିତ ହେଲେ ହେଉ,କାହାକୁ ତର ନ ଥିଲେ ନ ଥାଉ,ହିଂସାରେ ଈର୍ଷାରେ ଜଳୁଥିଲେ ଜଳୁଥାଉ ପଡୋଶୀର ଜୀବନ - ତଥାପି ତାକୁ ଏଇ ସହରରେ ରହିବାକୁ ହେବ ହିଁ ହେବ । ସେ ଅଛି,ରହିବ ।
ବୁଢିଆଣୀ ଜାଲରୁ ମାଛିଟିଏ ମୁକୁଳିପାରେ କ'ଣ !ମୃଗଟି ସୁନାର କି ନୁହେଁ ଛାର ମଣିଷଟିଏ ଜାଣିପାରେ କ'ଣ !