ଅନିଲ କୁମାର ଲେଙ୍କା

Tragedy

4  

ଅନିଲ କୁମାର ଲେଙ୍କା

Tragedy

ବୋଉକୁ ଚିଠି

ବୋଉକୁ ଚିଠି

2 mins
286


ବୋଉଲୋ,


 --ଜାଣିଛୁ, ଆଜି କାଳେ ବିଶ୍ୱ ମାତୃ ଦିବସ। ସାମାଜିକ ଗଣ ମାଧ୍ୟମରେ ସମସ୍ତେ ତାଙ୍କ ମା ଙ୍କ ଛବି ଦେଉଛନ୍ତି। ମୁଁ କିନ୍ତୁ ଦେଇନି। କାରଣ ଗୋଟିଏ/ଦୁଇଟା ଛବିରେ ତୋ ପ୍ରତି ମୋ ଭଲପାଇବା ଆଉ ତୋର ମହନୀୟତା ବଖାଣିବା ଅସମ୍ଭବ। 

--ଆଜି ମୋ ସାହିତ୍ୟ ପରିବାରରେ ସଭିଙ୍କ ଲେଖା ଦେଖି, ମତେ ବି ଟିକେ ଲେଖିବାକୁ ଇଛା ହେଲା ତୋ ବିଷୟରେ। ହେଲେ କ'ଣ ଲେଖିବି ଯେ ! ତୋର ସ୍ନେହ, ପ୍ରେମ ଆଉ ତ୍ୟାଗ ଗୋଟେ ଛୋଟ ପୁଷ୍କରିଣୀ ହେଇନି ଯେ ମୁଁ କ୍ଷଣିକେ ପାର ହେଇଯିବି, ସେ ତ ହେଉଛି ସୀମାହୀନ ମହାସାଗର। 

-- ଏ ଭିତରେ ଜୀବନର ୪୦ଟି ବସନ୍ତ ଅତିବାହିତ ହେଲାଣି ।ଆଜିଯାଏ ପିଲାବେଳେ ତୋ ପେଟ ତଳେ ଜାକି ଜୁକି ହେଇ ଶୋଇବାର ସେ ଅନୁଭବକୁ ଭୁଲିନି। 

--ଦିନବେଳେ ଘରର ଯାବତୀୟ କାମକୁ ସହଜରେ ସାରିଦେଇ ଆମକୁ ପାଠ ପଢାରେ କେତେ ଜଗୁଥିଲୁ। ତୋର ହସ ହସ ଆଖି ଦୁଇଟା ରାତିର ଅନ୍ଧକାରରେ ତକିଆରେ ମୁହଁ ମାଡି କେତେ ଯେ ଗୁମୁରି କାନ୍ଦେ, ମୋ ଠୁ ବଳି କିଏ ଅଧିକା ଦେଖିଛି ଲୋ। ଏତେ ସରଳ କୋମଳ ମନ ସହ ଦୀର୍ଣ୍ଣ-ଖଣ୍ଡିତ ଦେହ ତୋର, ହେଲେ ଏତେ ବଡ ସଂସାର ର ବୋଝ କେମିତି ବୋହୁଥିଲୁ ?

--ଆଜିବି ମନେପଡେ, ମୋ ଦଶମ ଶ୍ରେଣୀ ପରୀକ୍ଷା ବେଳେ ତୋର ରାତି ୪ରୁ ଉଠି ଅନିଦ୍ରା ହେଇ ମତେ ଜଗି ବସିବା କଥା। ପରୀକ୍ଷା ସିନା ମୋର ଥିଲା, ହେଲେ ପରିଶ୍ରମ ତୁ ଅଧିକ କରୁଥିଲୁ ଲୋ। ମୋ ପରୀକ୍ଷା ଫଳ ଖରାପ ହେବା ପରେ ବାପାଙ୍କ ଗାଳି ମୋ ଠାରୁ ତତେ ଅଧିକ ପଡିଥିଲା ଆଉ ସେଇ କଷ୍ଟରେ ତୁ ଅନ୍ୟ ମନସ୍କ ହୋଇ ଗୋଡ ଖସେଇ ତୋର ହାତ ଭାଙ୍ଗି ଯାଇଥିଲା।  

--କେମିତି ଭୁଲିବି, ମୋ ପଢା ପାଇଁ ତୋର ଅତିରିକ୍ତ ପରିଶ୍ରମ କରିବା ଘଟଣା। ତୁ କେତେ କଣ ସବୁ କରି ମୋ ହାତରେ ଦି ପଇସା ଦେଉଥିଲୁ, ସେ ସବୁ ଜମା ଭୁଲିନି ଲୋ। କେତେ ଦିଅଁ ଦେବତା ନ ପୂଜିଛୁ ମୋ ଲାଗି । କେତେ ଓଷା ବ୍ରତ ଉପବାସ ନ କରିଛୁ ମୋତେ ସଫଳ ଦେଖିବାକୁ।

-- ପରିବାରରେ ସମସ୍ତଙ୍କ ଠାରୁ ନାନା ନିର୍ଯ୍ଯାତନା ପାଇବା ପରେ ବି ମତେ ମିଛରେ କହିଥିଲୁ ଯେ ତତେ କେହି କିଛି କରିନାହାନ୍ତି। ସବୁ ସହିଛୁ ଖାଲି ତୋ ପୁଅକୁ ମଣିଷ କରିବାକୁ। ତମାମ ଜୀବନ ତୋର କଟିଛି ତ୍ୟାଗ ଆଉ ତୀତିକ୍ଷାରେ।

-- ମହାବାତ୍ୟା ପରେ ଅଭାବରୁ ମୋ ପି ଜି ପଢିବା ପାଇଁ ତୋର ସୁନା ଚୁଡି ବିକ୍ରି କରିଦେଇଥିଲୁ। ଆଉ ମୁଁ ତୋର ଖାଲି ହାତ ଦେଖି ପଚାରିବାରୁ ମତେ ମିଛରେ କହିଥିଲୁ ସୁନା ପ୍ରତି ମୋର ଆଲର୍ଜି, ପିନ୍ଧିଲେ ହାତ କୁଣ୍ଡେଇ ହେଉଛି, ତେଣୁ କାଢି ଦେଇଛି। 

--ଯେବେ ପଡୋଶୀ ମାନେ କହୁଥିଲା, ପୁଅକୁ ମୁଣ୍ଡରେ ଆଜି ବସେଉଛୁ, ସିଏ କେବେ ତତେ ପୋଷିବନି, ସ୍ତ୍ରୀ ବୁଦ୍ଧିରେ ପଡି ତୋ ମୁହଁରେ ମୁତିବ। ସେବେ ତୁ ହସି ହସି କହିଥିଲୁ, ମୋ ପୁଅର ପଢ଼ାରେ ଅଧିକ ଆଗ୍ରହ, ତେଣୁ ସେ ପଢିବ। ନିଶ୍ଚିତ ଅଫିସର ହେବ ।ତେଣିକି ମତେ ପଚାରିଲେ ପଚାରିବ ନ ହେଲେ ନାହିଁ ।

-- ତୋର ସେଇ ବିଶ୍ୱାସ ଓ ସାହସ ବଳରେ, ଆଜି ମୁଁ କିଞ୍ଚିତ ସଫଳ ହେଇଛି । ତୋ ପାଇଁ ହଳେ ସୁନା ଚୁଡି କିଣିବାରେ, ଆଜି ମୁଁ ସକ୍ଷମ। ସୁନାଚୁଡ଼ି କିଣିବା ଆଶାରେ କେତେ ଯେ ଦୋକାନ ବୁଲିଲିଣି, ହେଲେ ସ୍ନେହ, ପ୍ରେମ ତ୍ୟାଗ ଓ ବିଶ୍ୱାସରେ ଗଢା ସେବେର ତୋର ସେଇ ଚୁଡି ଭଳି ସୁନ୍ଦର ଆଉ ଦାମୀ ଚୁଡି କୋଉବି ଦୋକାନରେ ମିଳୁନି ଲୋ, ଲାଗୁନି କେବେ ବି ମିଳିବ ମତେ।

--ଛାଡ଼ ସେସବୁ କଥା। କାଳିଆ ଦୟାରୁ ତୋ କୁନା ଭଲରେ ଅଛି ଲୋ, ସବୁବେଳେ ମୋ ଓଠରେ ହସ ତୋର ତ୍ୟାଗ ପାଇଁ । ଲେଖିବସିଲେ ବହୁତ ଲେଖିଯିବି। ଥାଉ ଆଉ କିଛି ଲେଖିବିନି। ରହୁଛି।

'ତୋ ଠୁ ଆରମ୍ଭ ମୋର ତୋ ଠି ଶେଷ ।

ତୋତେ ଲେଖିବାକୁ ନାହିଁ ଶବ୍ଦ ବିନ୍ୟାସ ।।'

..ବୋଉ...


ଇତି

ତୋର କୁନା


Rate this content
Log in