ବୋଉ
ବୋଉ
ଚାରିଟା ଭଉଣୀ ଭିତରେ ପୁଅ ବୋଲି ଦୁଇଟି ଜମା. ଉପର ନାନୀ ଦୁହେଁ ବାହାହୋଇ ଚାଲିଗଲା ପରେ ରବିକୁ ଲାଗୁଥିଲା ଭଲ ହେଲା.ନାନୀ ଦିଇଟା ଭିତରୁ ବଡ଼ନାନୀ ବାପାଙ୍କର ଯେମିତି ସବୁ ଅଧିକାର ତକ ଛଡେଇ ନିଏ ନା ଜମାରୁ ଭଲ ଲାଗେନା ବଡ଼ନାନୀକୁ ରବିକୁ. ଏବେ ବଡ଼ନାନୀଟା ବାହା ହୋଇଯିବା ପରେ ବାପାଙ୍କ ରେଡ଼ିଓଟା ସମ୍ପୂର୍ଣ୍ଣ ତାର. ତାକୁ ଆଉ କେହି ଛଡେଇ ନେଇ ପାରିବେନି ରବିଠୁ.ହେଲେ ବଡନାନୀ ଯେବେ ଘରକୁ ଆସେ ବାପାଙ୍କ ଛାତିରେ ଲୋଟି କାନ୍ଦେ କାହିଁକି?ତାକୁ କେହି ନକହିଲେ ମଧ୍ୟ ଏତିକି ସେ ବୁଝି ଯାଇଥିଲା ନାନୀ ଶାଶୁଘରେ ବାପାଙ୍କ ପରି ତାର ଏତେ ନିଜର କେହି ନାହିଁ. ମନ ଦୁଃଖ ହୁଏ ରବିର ଭାବେ ରେଡ଼ିଓଟାକୁ ବଡ଼ନାନୀ ହାତକୁ ଦେଇଦେଇ କହନ୍ତା ନେ ନାନୀ ମୋର ଆଉ ରେଡ଼ିଓ ଶୁଣିବାରେ ଆଗ୍ରହ ନାହିଁ ଆଗପରି. ନାନୀ କହେ ମୋର କୋଉ ଅଛି କି? ଭାରି ଦୁଃଖ ପାଏ ରବି. ବବିର ଯାଏ ଆସେ ନଥାଏ. ବଡ଼ନାନୀ ପୁଅକୁ ନେଇ ଦିବାନା ସେ. ତାର କ୍ରିକେଟ ବଲ ଗୋଟେଇ ଥରକୁ ଥର ଆଣି ଦେବା କାମଟା ଅନ୍ତତଃ ଚଳିଯାଏ. ତା ପରେ ଭାବୁକ ସେ ଭାବୁଥାଏ ଭାଷା ଓ ସାହିତ୍ୟ ପାଇଁ ଶବ୍ଦ ସବୁ. ବଡ଼ନାନୀ ସିନା ଘରକୁ ଆସିଲେ କାନ୍ଦେ ହେଲେ ସାନନାନୀ ବାହା ହେଲାପରେ ରବି ଓ ବବି ଭାରି ଖୁସି. ତାଙ୍କ ଦୁହିଁଙ୍କ ସଙ୍ଗେ ସବୁଥିରେ ଭାଗ ବସାଉ ବସାଉ ରଖେଇ ବସେଇ ଦେଉନଥିଲା ଯିଏ. ପୁଣି କିଏ କଣ ଲୁଚେଇ ଚୋରେଇ ଖାଇଲେ ଧରା ପକେଇ ଦେଉଥିବା ନାନୀ ଏବେ ପାର.ସେ କିନ୍ତୁ ଘରକୁ ଆସିଲେ ବାପାଙ୍କ ଛାତିରେ ଲୋଟି ମୁଣ୍ଡ ପିଟି କାନ୍ଦେନା କହେ ମୋ ବାବା ମୋ ମାଆ. ବାପା ଖୁସି ହୁଅନ୍ତି ଯା ହେଉ ଭଲ ଶାଶୁ ଶଶୁର ପାଇଛି ମୋ ଦ୍ୱିତୀୟ ଝିଅ. କିନ୍ତୁ ବୋଉଟା କାହିଁକି ଲୁଚେଇ ଲୁଚେଇ କାନ୍ଦେ ରବି କି ବବି ବୁଝିବା ଆଗରୁ ତଳ ଦୁଇଭଉଣୀ କେବେ କେମିତି କେତେବେଳେ ଶାଶୁ ଘରକୁ ଚାଲିଗଲେ ଘର ଏକଦମ ଖାଲି. ରବିକୁ ବ୍ୟସ୍ତ ହେବାକୁ ପଡୁନଥିଲା ଯେହେତୁ ସେ ଚାକିରୀ କରି ବାହା ହୋଇ ବାପା ହୋଇଗଲା. ବବିଟା ମଧ୍ୟ ତା ପରେ ପରେ ସେହି ସବୁ ସାଂସାରିକ ମାୟା ବନ୍ଧନ ଭିତରେ ବୁଡ଼ି ଯାଉ ଯାଉ ବାପା ଯେ କେବେ ବୁଢା ହୋଇଗଲେ ଓ ଶେଷକୁ ଚାଲିଗଲେ ଜଣା ପଡିଲା ନାହିଁ. ବଡ଼ନାନୀ କାନ୍ଦି କାନ୍ଦି ଆଖି ଦିଟା ଫୁଲେଇ ଦେଇଥିଲେ ମଧ୍ୟ ତା ଆଖିରେ ସେ ରବିକୁ ଆବିଷ୍କାର କଲା ଠିକ ବାପାଙ୍କ ପରି ଦିଶୁଛୁ ତୁ. ଆଉ କିଏ କେତେ କାନ୍ଦୁ କାନ୍ଦୁ ବୋଉ ଦୁଇପୁଅଙ୍କୁ କହୁଥିଲା ବ୍ୟସ୍ତ ହୁଅନାହିଁ. ଲୁହ ସବୁକୁ ସେ ବାପାଙ୍କ ସହ ଚାଲିଯିବାକୁ ଦେଇ ପୁଅ ଦୁହିଁଙ୍କ ପାଇଁ ମେରୁଦଣ୍ଡ ବନିଗଲା. ବାପା ଥିଲା ପୁଅ ସଭାରେ ହାରେନା ପରି ହାରିନଥିଲେ ରବି ଓ ବବି. ଏବେ ହାରି ଯାଉ ଯାଉ ବୋଉ ପିଠି ହୋଇଯାଉଥିଲା, ଆଢୁଆଳ ବନି ଢାଲ ପରି ହେଇଯାଉଥିଲା.ବାପାଙ୍କ ମାସିକିଆ ପତର ପଡିବା, ବାର୍ଷିକୀ ପାଳିତ ହେବା କିଛି ଜଣା ପଡିଲାନି ରବି ଓ ବବିଙ୍କୁ ଯେ ମଣିଷ ବଞ୍ଚିଥିବା ଅପେକ୍ଷା ମରିଗଲା ପରେ ଏତେ ଜଞ୍ଜାଳ କରିବାକୁ ହୁଏ.ବୋଉ ଦୁଇ ପୁଅଙ୍କ ଛାଇ ହେଉ ହେଉ ହାତ ଧରି ଦୁଇ ପୁଅ ଓ ଚାରି ଝିଅଙ୍କୁ ଭିଡି ନେଇ କହୁଥିଲା ଯାଅ ଖାଇବ,ବାପା କୋଉଠି ଯାଇ ଏକବର୍ଷ.. ଦୁଇବର୍ଷ.. ତିନିବର୍ଷର ହେବେଣି କହୁ କହୁ ଏ ଭିତରେ ତାର ମଧ୍ୟ ସ୍ବର୍ଗବାସ ହୋଇଯିବ କେହି ଭାବିପାରିଲେନି. କଣ କେମିତି ହେବ ରବି ବବି ପାଗଳ ପ୍ରାଏ ହେଉଥିଲା ବେଳେ ବୋଉ ରୁମରୁ ସବୁ ମିଳିଯାଇଥିଲା. କ୍ରିୟା କର୍ମ ପାଇଁ ଯେଉଁ ସବୁ ତାଲିକା ଆସିଥିଲା ସବୁ ତା ରୁମରେ ସଜାଡି ରଖିଥିଲା ବୋଉ. ସେହିଦିନ ରବି ଦାଣ୍ଡରେ ରଖିଥିବା ଗାଡିତାକୁ ଟିକେ ସାଇଡ କରିଦେ କେହି କହିବାରୁ ଧଡ଼ପଡ଼ ଉଠିବସିଲା ରବି. ବଡ଼ନାନୀ ସୁଉଁ ସୁଉଁ ହୋଇ କାନ୍ଦୁଥିଲା. କହୁଥିଲା ବାପା ମୋ ଝିଅ ବାହାଘର ଦେଖିଲେନି କି ବୋଉ ମୋ ନାତୁଣୀକୁ ଧରିବାକୁ ବାପା ରଖିଲେନି ନେଇଗଲେ ଅଶୋକାଷ୍ଟମୀ ଦିନରେ. ରବି ପଚାରୁଥିଲା ନାନୀ ଗାଡିଟା ସାଇଡ କରିବାକୁ ଡାକିଲୁ କି ମତେ? ଆରେ ମୁଁ କାହିଁ ଡାକିବି ବୋଉ ଡାକିଥିବ. ଆଜିଯାଏଁ ସମସ୍ତଙ୍କ ଭଲମନ୍ଦ ବୁଝୁଥିବା ବୋଉ ଆଜି କେମିତି ନଜଗିବ!ବଡନାନୀ ଏତିକି କହୁ କହୁ ସାନନାନୀ ବହୁନା ପକେଇଥିଲା ଓ ଆର ଦୁଇ ଭଉଣୀ ମିଶି କାନ୍ଦୁଥିଲେ କଇଁ କଇଁ. ସେପଟୁ ବବି ଉଠି ଆସି କହୁଥିଲା ମତେ କିଏ ଡାକିଲକି? ମଶା ଧୂପ ଲଗାଇ ଶୋ କହି. ଆରେ କିଏ ଆଉ କହିବ, ସେଇ ବୋଉ କହି ଚାରିଭଉଣୀ ସେଦିନ ରାତି ଅନିଦ୍ରା ହୋଇ ବୋଉକୁ ମନେପକାଉଥିଲା ବେଳେ ସମସ୍ତେ କହୁଥିଲେ ରବି ବାପାଙ୍କ ନକଲ ହେଲେ ବବି ତ ବୋଉର ଅବିକଳ ନକଲ. ବଡନାନୀ ଟିକେ ରହି କହିଲା ସ୍ୱାସ୍ଥ୍ୟ କାହାର କେମିତି ସିନା କିନ୍ତୁ ଦୁଇଜଣଯାକ ସେଇ ବାପାଙ୍କ ପରି ଗଢି ତୋଳିଛି ପେଟ ଭିତରେ ବୋଉ. ବବି ଫେରି ପଡ଼ୁ ପଡୁ ମଶା ଧୂପ ନେଇ କହୁଥିଲା ମତେ କିଏ ଯେମିତି କହିଲା ବ୍ୟସ୍ତ ହେବୁନି. ଝିଅ ଚାରିହେଁ ତାଙ୍କ ହାତର ରୁମ ତାଙ୍କୁରି ଉଠିବା ଦେଖାଇବା ବେଳକୁ ରବି କହୁଥିଲା ସତରେ ମତେ ବୋଉ ଡାକି ଦେଇନଥିଲେ ଗାଡିଟା ହାୱା ଟ୍ରକ ବାଜି କଣ ଯେ ହୋଇଯାଇଥାଆନ୍ତା! ଆଶ୍ଚର୍ଯ୍ୟରେ ସମସ୍ତେ ଚାହିଁ ଶୁଣୁଥିଲେ ରବି କଥା. ସାନ ଭାଇ ଓ ଭଉଣୀ ଦୁହେଁ ଦଉଡି ଯାଇଥିଲେ ଦାଣ୍ଡକୁ. ବୋହୁ ଦୁହେଁ ଏତେ କାମରେ ତଥାପି ସୁଉଁ ସୁଉଁ ହେଉଥିଲେ.।
ସେଇ ବୋଉର ଆଜି ମୃତ୍ୟୁ ବାର୍ଷିକୀ. କେମିତି କଣ ହେବର ଚିନ୍ତାରେ ମ୍ରିୟମାଣ ରବି ଓ ବବି. ବୋଉର ଟ୍ରଙ୍କଟା ସେପର୍ଯ୍ୟନ୍ତ ଖୋଲା ଯାଇନଥିଲା. ସେଇଟାରେ ନିଶ୍ଚୟ ବାପାଙ୍କ ଲେଖା ଗୀତ, କବିତା,ଗଳ୍ପ ସହ ଚିଠି ସାଇତା ହୋଇଥିବ ଭାବି ଖୋଲିଲା ବେଳକୁ ଯାବତୀୟ ଜିନିଷ ଥିଲା ସେଥିରେ. ବୋଉର ସାରାଗାତ ସହ ଟିକେ ରେଜା ସୁନାଠୁ ଆରମ୍ଭ କରି ଶୁଖିଶାଖି ଯାଇଥିବା ଦୁବ ବରକୋଳି ପତ୍ର ସହ ବ୍ରାହ୍ମଣ ଦେଇଥିବା ତାଳିକା ଅନୁଯାଇ ସବୁ ଜିନିଷ ଥିଲା. ତା ସହିତ ଲୁଗା,ଗାମୁଛା,ଗୋଟା ଗୁଆ ଓ ଶୁଖିଲା ପାନ ଭିତରୁ ବୋଉର ସେଇ ଚିରାଚରିତ ସ୍ୱର ଶୁଭୁଥିଲା ବ୍ୟସ୍ତ ହେବନି ଜମା. ଜିଇଁ ଥିଲେ ନଦିଅନ୍ତି ତୁଣ୍ଡେ.. ମରିଗଲେ ଦିଅନ୍ତି ବେଣା ମୁଣ୍ଡେ ଗାଇ ଗାଇ ଭିକାରୀ କେହି ଭିକ ମାଗୁଥିଲେ ପିଣ୍ଢାରେ ତ ଉଠିଲେ ସମସ୍ତେ ବହୁତ କାମ ବାକି ଭିତରେ ବୋଉର ବ୍ୟସ୍ତ ହେବନି ଶବ୍ଦ ଦୁଇଟି ଗୁଞ୍ଜରଣ ସୃଷ୍ଟି କରୁଥିଲା.।
