Lopamudra Mishra

Tragedy

3  

Lopamudra Mishra

Tragedy

ବିଷ ଅମୃତ

ବିଷ ଅମୃତ

2 mins
514


              

         

ରୋହିଣୀ ନିଜ ଦୁଇଝିଅଙ୍କୁ ଖିରିରେ ବିଷ ଦେଇ ମାରିସାରିଲା ପରେ ନିଜ ପାଇଁ ରଖିଥିବା ଶିଶିଟି ଆଉ ପାଇଲେନାହିଁ l ସାନଝିଅ ମାମୁନ୍ ସବୁବେଳେ ସେମିତି କରେ l ମମିର ସବୁ ଜିନିଷ ଲୁଚେଇ ଦିଏ l ରୋହିଣୀ ଖୋଜି ଖୋଜି ନୟାନ୍ତ ହେଲାପରେ ଯାଇ ମାମୁନ୍ ର ଟୟ ବକ୍ସ୍ ରୁ ଜିନିଷଟି ମିଳେ l ଆଜି ବି ରୋହିଣୀ ଖୁବ୍ ଖୋଜିଲେ l ଖୋଜି ଖୋଜି ମାମୁନର ଟୟ ବକ୍ସ୍ ପାଖକୁ ଗଲେ l ବକ୍ସ୍ ଟା ଖୋଲୁ ଖୋଲୁ ଉପର ଥାକରୁ ବଡ଼ଝିଅ ଗୀତୁନ୍ ର ଛୋଟ ଖାତାଟା ଖସି ପଡିଲା l ଗୋଟେ ପୃଷ୍ଠାରେ ଅଙ୍କା ବଙ୍କା ଅକ୍ଷରରେ କିଛି ଲେଖାଥିଲା l ରୋହିଣୀ ଉଠେଇ ନେଇ ଲୁହରେ ଟଳମଳ ତାଙ୍କ ଦୁଇଆଖିରେ ଝାପ୍ସା ଦିଶୁଥିବା ଲେଖାଟି ପଢିଲେ l ଗୀତୁନ୍ ଲେଖିଥିଲା - ମୋ ମମି ଦୁନିଆଁର ସବୁଠୁ ଭଲ ମମି l ସେ ସବୁବେଳେ ଆମ ପାଇଁ ଭଲ ଜିନିଷ ରଖି ନିଜ ପାଇଁ ଖରାପଟା ବାଛେ l ଆମକୁ ଭଲ ଖାଇବା ଖୁଆଇ ନିଜେ ବଳକା ବାସି ଖାଇବା ଖାଇଦିଏ l ତା ହାତର ଖାଇବା ମୋ ପାଇଁ ଅମୃତ l ମୋ ମମି ଆମକୁ ଅମୃତ ଖୁଆଇବାପାଇଁ ନିଜେ ବିଷ ଖାଇବାକୁ ବି ରାଜି ହେଇଯିବ l ଏମିତି ହିଁ ମୋ ମମି l ସେଥିପାଇଁ ଆଜି ତା' ଭାଗର ଶିଶିଟାକୁ ମୁଁ ଲୁଚେଇ ରଖି ପିଇଦେଇଛି, ସେ ମୋ ଭାଗର ଅମୃତ ଟିକକ ଖାଇବାର ସୁଯୋଗ ଟିକେ ପାଇବ ବୋଲି l"


   ରୋହିଣୀ ଖାତାଟାକୁ ଛାତିରେ ଜାକିଧରି ଶୋଇବାଘରକୁ ଦୌଡିଗଲେ l ଗୀତୁନ୍, ମାମୁନ୍ ଆଖିବୁଜି ବେଡ୍ ରେ ପଡିଛନ୍ତି l ସେମାନଙ୍କ ହାତ ପାଖରେ ଅଧାଖିଆ ଖିରିଗିନା l ରୋହିଣୀ ଆଉଥରେ ଭଲକରି ଝିଅ ଦୁହିଁଙ୍କୁ ଦେଖିଲେ l ଖୁବ୍ ଗେହ୍ଲା କଲେ l ମାମୁନ୍ ର ଖିରିଗିନାକୁ ପାଖକୁ ଆଣି ଜିଭ ଲଗେଇ ଏମିତି ଚାଟି ପକେଇଲେ, ଯେମିତି ଅମୃତ ଟିକେ କୋଉଠୁ ମିଳିଯାଇଛି l ଗୀତୁନ୍ ର ଗିନାର ଖିରି ଅଧା ବି ସରିନାହିଁ l ସରିବା ଆଗରୁ ବୋଧେ ଗୀତୁନ୍ ଆଖିବୁଜି ଦେଇଛି l ତା' ଭାଗର ଅମୃତ ଏବେ ରୋହିଣୀଙ୍କ ହାତରେ l ବାହାରେ କିଏ ବାରମ୍ବାର କଳିଙ୍ଗ୍ ବେଲ୍ ବଜେଇଚାଲିଥିଲେ ଆଉ ଭିତରେ ମାଆ, ଝିଅ ତିନିହେଁ ଅମୃତ ପାନକରି ତାଙ୍କ ଚାରିପାଖର କଳୁଷିତ ସଂସାରରୁ ମୁକ୍ତି ପାଇ ଚାଲିଯାଉଥିଲେ l



Rate this content
Log in

Similar oriya story from Tragedy