ବିଦଗ୍ଧ ବସନ୍ତ
ବିଦଗ୍ଧ ବସନ୍ତ
ସ୍ମୃତି ଚାରଣ କରୁଥିଲେ ରାଘବ। ଏମିତି ବସନ୍ତ ଆସିବାର ସମୟରେ, ଆମ୍ବ ବଉଳର ଝରା ମହକରେ ସଭିଏଁ ମହକିତ ହେଲାବେଳେ ଆଈ କେତେ ଅସ୍ଥିର ଆଉ ଉଦବେଳିତ ହେଉଥିଲେ, ଅଜାଙ୍କ ପାଇଁ। କୋଇଲିର କୁହୁ ତାଙ୍କ କର୍ଣ୍ଣ ଗହ୍ୱରରେ ଶୁଭି ମଧ୍ୟ ଶୁଭୁନଥିଲା। ଝରା ବଉଳର ମହକରେ ମନ ପୁଲକିତ ପରିବର୍ତ୍ତେ ଭୟଭୀତ ହେଉଥିଲା। ଆଉ ରାଘବଙ୍କର ମନେ ପଡୁଥିଲା ଇଂରାଜୀ ବହିର ସେହି ଭୁଲା ମଣିଷର ଗଳ୍ପଟି।ଯିଏ ବାହାହେବାକୁ ଭୁଲିଯାଇ ଲୋକହସା ହେବା ସହ, ଶୋଇବା ସମୟରେ ଜିଭଟିକୁ ଭିତରକୁ ନେବା ଭୁଲିଯାଇ ଜମିଦାରଙ୍କ ଘରେ, କରିଡ଼ରରେ, ଯେଉଁଭଳି ପଡ଼ିଥିଲେ, ସମସ୍ତେ ତାଙ୍କୁ ମୃତ ଭାବୁଥିବା ବେଳେ, ସେ ବଞ୍ଚିଛନ୍ତି ଓ ଶୋଇବା ପୂର୍ବରୁ ଜିଭଟିକୁ ଭିତରକୁ ନେବାକୁ ଭୁଲି ଯାଇଛନ୍ତି ଜାଣି ଯେତିକି ଦୁଃଖଦାୟକ ହୋଇଥିଲା, ସେ ପ୍ରକୃତରେ ମରିଯିବା ପରେ ତାଙ୍କ ସ୍ତ୍ରୀଙ୍କ ବାହୁନା, ହୁଏତ ସେ ନିଃଶ୍ବାସ ପ୍ରଶ୍ୱାସ ନେବାକୁ ଭୁଲି ଯାଇଛନ୍ତି, ସେତିକି ହାସ୍ୟ ରୋଳ ସୃଷ୍ଟି କରିଥିଲା। ହେଲେ ଏକଥା ଆଈଙ୍କୁ କହି ନଥିଲେ ରାଘବ।
ଅଜା ତାଙ୍କ ପିଲାଦିନେ ଥରେ, ତାଙ୍କୁ ସାଙ୍ଗରେ ନେଇ ଆଣିବାକୁ ଭୁଲି ଯାଇଥିଲେ, ଦୋକାନୀ ଚିହ୍ନା ଥିବାରୁ ତାଙ୍କୁ ଆଣି ଘରେ ଛାଡିଦେଇଥିଲା ବୋଲି ମାଆ ଠୁ ଅନେକଥର ଶୁଣିଛନ୍ତି ରାଘବ।ଆଈକୁ ସାଙ୍ଗରେ ନେଇ କୋଉ ବନ୍ଧୁ ଘରକୁ ଗଲାବେଳେ, ପାନ ଦୋକାନକୁ ଯାଇ, ପାନ କିଣି ଖାଇ, ସିଧା ଷ୍ଟାର୍ଟ୍ ମାରି ବାଇକ୍ ନେଇ ଚାଲିଗଲେ, ଆଈ ପଛରେ ରିକ୍ସା କରି ସେଠି ପହଞ୍ଚିଥିଲା। ଏଣିକିତ ବୁଢା ବୟସ। ବେଶୀ ଭୁଲିଯିବା କଥା। ଡାକ୍ତର ମଧ୍ୟ ସେହିକଥା କହିଲେ ମଧ୍ୟ ଆଈ ମନ ନମାନିବାରୁ, ବାସ୍ତୁଦୋଷ ରହିଛି ଭାବି ଡକେଇଲା ବାସ୍ତୁ ପଣ୍ଡିତଙ୍କୁ।
ତାଙ୍କ ଗଣନାରେ ଅଜା ଯଦି ସମୁଦ୍ରରେ ପିତ୍ତଳ ନାଗସାପ ମୂର୍ତ୍ତି ଏକା ଯାଇ ଫିଙ୍ଗିବେ ତେବେ ଏ ରିଷ୍ଟ କଟି ଭୁଲାପଣ ଅନେକାଂଶରେ କଟିଯିବ କହିଥିଲେ ପଣ୍ଡିତ।ଏକା ଏକା ଅଜା ସମୁଦ୍ର ଯିବାଟା ଠିକ୍ ହେବନି ଭାବି ବାପା ଆଉ ମାମୁଁଙ୍କ ସହ ଅଜା ଯାଇଛନ୍ତି, ଯେ ଫେରିନାହାନ୍ତି ଏଯାଏଁ। ଆଈ ଏଘର ସେଘର ହେବାରୁ, ତା' ବିକଳ ଦେଖି ବିକଳରେ ରାଘବ ଯାଇଥିଲେ ସମୁଦ୍ର କୁଳ। ସେଠି ବାପା ଓ ମାମୁଁ ଲହଡି ଗଣୁଥିଲେ।
ଅଜା ପିତ୍ତଳ ନାଗ ମୂର୍ତ୍ତି ସମୁଦ୍ରରେ ବିସର୍ଜନ କରିସାରି ଫେରିବା ପରେ କହିଲେ ମୁଁ ପିତ୍ତଳ ନାଗ ମୂର୍ତ୍ତିଟା ଛାଡିଆସିଲି କହି ଦୌଡିଲେ ଆଉ ପଶିଲେ ଲହଡ଼ି ଭାଙ୍ଗି ସମୁଦ୍ରରେ, ମାମୁଁ ଓ ବାପା ତାଙ୍କ ପଛେ ପଛେ ଦୌଡ଼ି ବୁଝାଇବା ପୂର୍ବରୁ ଲହଡି ଭସାଇ ନେଇଥିଲା ଅଜାଙ୍କୁ।କାଳେ ପୁଣି ଲହଡ଼ିରେ ଫେରିଆସିବେ ବୋଲି ଅପେକ୍ଷା କରି ସମସ୍ତେ ଥକି ଯାଇଥିଲେ। ଲାଇଫ ଗାର୍ଡ୍ ମାନଙ୍କ ଅକ୍ଲାନ୍ତ ଚେଷ୍ଟା ବୃଥା ଯାଇଥିଲା।ଆଈଙ୍କୁ ସାମ୍ନା କରିବାକୁ କାହାର ମୁହଁ ନଥିଲା।
ତା' ପରଠୁ ଅନେକ ବସନ୍ତ ଆସିଛି ଯାଇଛି, ଜୀବନ ଗତାନୁଗତିକ ସାବଲୀଳ ହୋଇଛି କେତେକାଂଶରେ ସତ, ହେଲେ ତା ପରଠୁ, ବଞ୍ଚିଥିବା ପର୍ଯ୍ୟନ୍ତ ଆଈର ଆଲଜାଈମର ରୋଗୀ ହୋଇ ସବୁ ଭୁଲିଯିବା ଅଭିଶାପ ନା ଆଶୀର୍ବାଦ ଭାବି କିଏ କଥାଟାକୁ କୋଉ ରୂପେ ଗ୍ରହଣ କରିଛନ୍ତି,ରାଘବ କିନ୍ତୁ ବସନ୍ତ ଆସିଲେ ସ୍ତବ୍ଧ, ଚକିତ ଓ ଦଗ୍ଧ ହୁଅନ୍ତି।ବସନ୍ତ ଆସୁଥାଏ ଯାଉଥାଏ ତା' ବାଟରେ।