STORYMIRROR

Madhabi Patel

Tragedy

3  

Madhabi Patel

Tragedy

ବିଚ୍ଛେଦ ର କଷ୍ଟ

ବିଚ୍ଛେଦ ର କଷ୍ଟ

3 mins
110


ରିମାର ଆଜି ଶେଷଦିନଥିଲା ସମ୍ବଲପୁର ସହରରେ।ଲେଡିଲୁଇସ୍ ରେ ତାର ଶେଷଦିନ ଥିଲା।ସ୍କୁଲ ସହପାଠିନୀଙ୍କ ସହ ଏତେଦିନ ଏକାଠି ରହିବା ପରେ ଆଜି ସମସ୍ତେ ଫେରି ଯାଉଥିଲେ ନିଜ ନିଜ ସହରକୁ।ଆଜି ମନେ ପଡୁଛି ପ୍ରଥମ ଦିନ ଯେତେବେଳେ ସେ ହଷ୍ଟେଲ ଆସିଥିଲା କେମିତି ମନଦୁଃଖ କରି ମଉଳାମନ ନେଇ ରହିଥିଲା।ତା ରୁମ୍ ମେଟ୍ ସରୋଜିନୀ ନାନୀ ତାର ବିରଷତା ଅନୁଭବ କରି ତାକୁ ନିଜର କରିବାକୁ ବଡ ଚେଷ୍ଟା କରିଥିଲେ।ତାକୁ ତାଘର ବିଷୟରେ ସବୁ ପଚାରି ବୁଝିଲେ।ତାପରେ କହିଲେ ଆଜିଠୁ ମୁଁତୋର ବଡନାନୀ ବୋଲି ଜାଣ।ଯାହା ସୁବିଧା ଅସୁବିଧା ମତେ ଜଣାଇବୁ।ତାପରେ ନିଜର ଜଳଖିଆ ଭାଗ କରି ଖାଆନ୍ତି ଦୁଇଜଣ।ଦେହ ପା ଖରାପ ହେଲେ ଘସାମୋଡା ଔଷଧ ଦେବା ସବୁପରଷ୍ପର ସାହାଯ୍ୟ ହୁଅନ୍ତି।ଘରକୁ ଗଲେ ଅନ୍ୟର ପସନ୍ଦର ଜିନିଷ ନେଇ ଆସନ୍ତି।ରିମା ତା ଘରୁ ଆମ୍ବ ଓ ଲେମ୍ବୁ ଆଚାର ନେଇଆସେ ନାନୀଙ୍କ ପସନ୍ଦ ବୋଲି।ଆଉ ସରୋଜିନୀ ନାନୀ ଆରିସା ଧରିଆସନ୍ତି ରିମାର ପସନ୍ଦ ବୋଲି।ତାପରେପରେ ତାର ଅନ୍ତରଙ୍ଗ ବନିଗଲେ ସୁରଭି, ଜ୍ୟୋତି,ରେଜିନା,ସିସିଲିଆ ଏମିତି କେତେଜଣ।ସମସ୍ତଙ୍କସହ ପାଠରୁ ଶାଠ ସବୁ ଆଲୋଚନାହୁଏ।କେତେ ମଜା ଗପ ହୁଏ।ତାକୁ ଯୋଉଦିନ ଅଜଣା ଚିଠିଟେ କିଏ ପଠାଇଥିଲା ସଦିନ ସେ ଚିଠିକୁ ନେଇ କେତେ ଚିଡେଇଥିଲେ। ତା ପଛରେ ଦୁଇଚାରିଜଣ ଯୁବକ ପାଗଳପରି ପଡିଥିଲେ।ହେଲେ ସେ କାହାକୁ ପ୍ରଶୟ ଦେଉନଥିଲା।ଆଗକୁ ତାର ପଢିବାର ଅଛି।ନିଜ ଗୋଡରେ ଠିଆହେବାର ଅଛି।ତାହେଲେ ତ ନିଜ ପରିବାରକୁ ସାହାଯ୍ୟ କରିପାରିବ।ବାପାଙ୍କର ପୁଅ ନାହିଁ ବୋଲି ସେ କନ୍ୟାମାନଙ୍କୁ ପାଠ ପଢାଇ ଯୋଗ୍ୟ କରୁଛନ୍ତି।ନିଜ ଗୋଡରେ ଛିଡାହେଇପାରିବେ ଓ ନିଜ ପରିବାର ସୁରୁଖୁରୁରେ ପ୍ରତିପୋଷଣ କରିପାରିବେ ସେଇ ଆଶାନେଇ।ଆଉ ନିଜେ ଯଦି ଅବାଟରେ ଗୋଡ ଖସାଇବ ତେବେ ତାର ଉନ୍ନତି ହେବ କେମିତି।ପୁଣି ତା ଉପରେ ତାର ନାନୀ ବି ଏଯାଏ ବାହା ହେଇନଥିଲା।ତେଣୁ ସେ କୁଆଡେ ଧ୍ୟାନ ନଦେଇ ପଢାପଢି ଓ ସାଙ୍ଗଙ୍କ ସହ ମଜାକରି ସମୟ କାଟୁଥିଲା।ବିଏ ହିଷ୍ଟ୍ରି ଅନର୍ସରେ ପ୍ରଥମ ହେଇ ପାସ୍ କଲା।ଏବେ ପୁଣି ଏମ୍ ଏ କରିବାକୁ ଜ୍ୟୋତିବିହାର ଯିବବୋଲି ଭାବୁଛି।ସୁରଭି ର ଏଭିତରେ ଘରେ ବାହାଘର ଠିକ କରିଦେଇଛନ୍ତି।ସୁନ୍ଦରୀ ଏକମାତ୍ର ଝିଅ ଥିବାରୁ ଗଦାଗଦା ବିବାହ ପ୍ବସ୍ତାବ ଆସୁଥିଲା।ଭଲ ଚାକିରିଆ ଦେଖି ତା ବାପାା ବାହାଘର ଠିକ୍ କରିଦେେଲେ।ଆଜି ସୁରଭି ସହ ବୋଧହୁଏ ଶେଷ ଦେଖା ହେବ। ଖରାଛୁଟିରେ ତାର ବାହାଘର ହେଲେ ସେ ଓଡିଶା ବାହାରକୁ ଚାଲିଯିବ।ତାସହ ଆଉ ଦେଖା ହେଇ ପାରିବନି ବୋଲି ମନରେ ଅତ୍ୟନ୍ତ ଦୁଃଖ ହେଉଥାଏ।ଆଗେତ ଏବେ ପରି ଫୋନ ନଥିଲା।କେବଳ ଚିଠି ଦିଆନିଆ ଚାଲୁଥିଲା।ସେ ଚିଠିବି ଥରେଥରେ କୁଆଡେ ଆସୁଆସୁ ବାଟରେ ହଜି ଯାଉଥିଲା।ସୁରଭି ତାର ବଡ ଅନ୍ତରଙ୍ଗ ଥିଲା।ତା ଘରକୁ ସେ ଦୁଇଥର ଯାଇଥିଲା।ତା ମାଆବାପା ବି ବହୁତ ସ୍ନେହି।ତାକୁ ବହୁତ ମାନ୍ୟ ଦେଇଥିଲେ।ନିଜ ଝିଅପରି ଆଦର କରୁଥିଲେ।ତା ନିଜ ଘରକୁ ବି ସେ ସୁରଭି ଜ୍ୟୋତି ଓ ସରୋଜିନୀ ନାନୀଙ୍କୁ ନେଇ ଆସିଥିଲା।ସମସ୍ତେ ମିଶି ପାଖ ନଈକୂଳରେ ପିକ୍ନିକ୍ କରିଥିଲେ।ଜଙ୍ଗଲ ଭିତରେ ତାଙ୍କ ଗାଆଁ। ଗାଁ ଚାରିଆଡେ ଆମ୍ବ ବୁରାଇ ଘେରି ରହିଛି।ତାପରେ ରହିଛି ବିଲମାଳ।ବିଲକୁ ଲାଗି ଆରମ୍ଭହେଇ ଯାଇଛି ଘଞ୍ଚ ଜଙ୍ଗଲ।ଏବେବି ସେ ଜଙ୍ଗଲରେ ଭାଲୁ ଠେକୁଆ ବିଲୁଆ ଆଦି ଛୋଟ ଛୋଟ ଜୀବ ରହୁଛନ୍ତି।ବେଳେବେଳେ ହାତୀ ଦଳ ବି ଆସନ୍ତି।ଗାଁକୁ ଲାଗି ମହୁଲଗଛସବୁ ମହୁଲ ଫୁଲରେ ଧଳା ଦିଶୁଥାଏ।ତଳେ ବହଳହେଇ ପଡିଥିଲେ ମୁକ୍ତାଗଦା ହେଲାପରିଲାଗେ।ସରଗି ଫଳସବୁ ପବନରେ ଚକ୍କର କାଟି ଫିରିଫିରି ପରି ଖସି ଆସନ୍ତି।ସେ ଦୃଶ୍ୟ ବଡ ଚମତ୍କାର ଲାଗେ ଦେଖିବାକୁ।ବସନ୍ତ ସମୟରେ ବଣଅନେକ ଫୁଲଙ୍କ ବର୍ଣାଳିରି ରଙ୍ଗିନ ଦିଶୁଥାଏ।କୋଉଠି ଆମ୍ବ ବଉଳ କୋଉଠି ଶରଗି ବା ଶାଳ ବଉଳ ରେ ମୁକୁଟ ପିନ୍ଧି ମଧୁମଧୁ ବାସ୍ନାରେ ମହକାଇ ଦେଉଥାଏ। ଜାଗା ଜାଗାରେ କମଳା ରଙ୍ଗର ପଲାସ

ଫୁଲ ଫୁଟି ବଣକୁ ନାଲିଆ କରି ତୋଳିଥାଏ। 

ପ୍ରତିଋତୁରେ ରଙ୍ଗ ବଦଳାଉଥାଏ ତାର ଗାଆଁ ।ବର୍ଷାଋତୁରେ ଧାନ କ୍ଷେତର ସାଗୁଆ ଶାଢୀ ପିନ୍ଧି ସବୁଜ ପରୀ ସାଜେ।ଆଉ ଶରତରେ ଷୋରିଷ ଫୁଲର ହଳଦୀ ଓଢଣୀ ନାଇଁ ଦୁର୍ଗାଦେବୀଙ୍କ ଅଭ୍ୟର୍ଥନା ପାଇଁ କାଶତଣ୍ଡିର ଚାମର ହଲାଏ।ଗ୍ରୀଷ୍ମହେଲେ ସଜକରେ କୃଷ୍ଣଚୂଡାର ନାଲିନାଲି ପେନ୍ଥା।ଆଉ ହେମନ୍ତରେ ସଜହୁଏ କାକର ବୁନ୍ଦାର ମୋତିନାଇଁ। ଗାଁର ସୌନ୍ଦର୍ଯ୍ୟରେ ସମସ୍ତେ ବିମୋହିତ ହେଇ ଯାଇଥିଲେ।ପାଖରେ ବହିଯାଉଥାଏ ଭେଡେନ ନଈ।କାଚକେନ୍ଦୁପରି ସଫାଜଳ।ବଡବଡ ପଥର ତଳେ ଗଭୀର ପାଣିଥାଏ,ସେଠି ସେମାନେ ଯାଇ ସନ୍ତରଣର ସୁଖ ନେଲେ।ଅନେକ ସୁଖଦ ଅନୁଭବ ନେଇ ସେମାନେ କଲେଜ ଫେରିଥିଲେ।ଏବେ କିନ୍ତୁ ବିଚ୍ଛେଦର ବେଳା ଆସିଥିଲା। ସମସ୍ତଙ୍କ ଆଖିଛଳଛଳ ହେଉଥିଲା ଅଶ୍ରୁରେ।କେଜାଣି କେତେଜଣ ପୁଣି ଭେଟ ପଡିବେ ଏମ୍ଏ କରିବାପାଇଁ ଜ୍ୟୋତିବିହାରରେ।କିଏ ଅନ୍ୟ ଯାଗକୁ ପଢିବାକୁ ଚାଲିଯିବ। କେତେଜଣ ଏ ଛୁଟିରେ ବାହା ହେଇଯାଇ ପାରନ୍ତି,ସୁରଭୀି ପରି। କାରଣ ବାପା ମାଆ ଝିଅଙ୍କୁ ବୋଝ ବୋଲି ଭାବନ୍ତି ଶୀଘ୍ର ଦାୟିତ୍ବ ମୁକ୍ତ ହେବାକୁ ଚାହାଁନ୍ତି। ଏଭିତରେ ବସ ଆସି ଯାଇଥିଲା।ରିମା କାନ୍ଦକାନ୍ଦହେଇ ସାଙ୍ଗମାନଙ୍କଠୁ ବିଦାୟ ନେଇ ବସ୍ରେ ଚଢିଥିଲା।ଆଉ ପଛକୁ ଅନେଇ ସାଙ୍ଗ ମାନଙ୍କୁ ବିଦାୟ ଅଭ୍ୟର୍ଥନା ଜଣାଉଥିଲା।



Rate this content
Log in

Similar oriya story from Tragedy