Parameswar Ojha

Tragedy

4  

Parameswar Ojha

Tragedy

ଭୁଲ୍ ନିଷ୍ପତ୍ତି

ଭୁଲ୍ ନିଷ୍ପତ୍ତି

5 mins
409



  - " ତୁ କଣ କଲୁରେ ଚଣ୍ଡାଳ .. କାହାକୁ କିଛି ନଜଣେଇ ଏମିତି ନିଆଁଲଗା କାମଟା କରିଦେଲୁ..? ଏନ୍ତି କରିବା ଆଗରୁ.. ଆମ ଘର କଥା କଣ ଟିକେ ବି ଭାବି ପାରିଲୁନି ? ତୋ ବୋଉ କଥା କଣ ତୋର ଟିକେ ବି ମନ ପଡିଲାନି ମୋ ଧନ... ହଇରେ... ହତଭାଗା ...ତୋ ବିନା ଆମେ ସବୁ କେମିତି ବଞ୍ଚିବୁରେ ... କେମିତି ବଞ୍ଚିବୁ..? "


ରାଜୁଆର ମାଆ ଦୁଆର ବନ୍ଧରେ ମୁଣ୍ଡକୁ ବାରମ୍ବାର ବାଡେଇ ଏମିତି ବିଳାପ କରୁଥିଲା।  


ବିଚିତ୍ରା କିଛି ବି କହୁନଥିଲା ତା ଛାତିର ଲୁଗା ଖସି କି ତଳେ ପଡିଲାଣି କେତେବେଳୁ ସେଥିପ୍ରତି ତାର ଧ୍ୟାନ ନାହିଁ । ତା ଆଖିରୁ ଓଠ ପର୍ଯ୍ୟନ୍ତ ବୋହି ଆସୁଥିବା ବହଳ ଲୁହ କେତେବେଳୁ ଶୁଖି ଗଲାଣି ଗାଲ ଉପରେ। କାନ୍ଥକୁ ଡେରି ହୋଇ ଗୋଡକୁ ସାମ୍ନାକୁ ଲମ୍ବେଇ ଦୁଇ ହାତକୁ ଦୁଇ କଡକୁ ଫୋପାଡି ଦେଇ ଅପଲକ ନୟନରେ ଗୋଟେ ପାଖକୁ ମୁହଁ କରି ଏମିତି ବସିଛି ଯିଏ ଦେଖିବ ସେ ଭାବିବ ୟେ ବିଚିତ୍ରା ଏବେ ଦୁନିଆଁରେ ଆଉ ନାହିଁ ଯେମିତି ।  


ବିଚିତ୍ରା ଜାଣି ସାରିଛି ତା ସ୍ବାମୀ ଆତ୍ମହତ୍ଯା କରି ସାରିଛି ସେ ବର୍ତ୍ତମାନ ମୃତ । କିନ୍ତୁ ତା ମନ ଏତେ ସହଜରେ ଗ୍ରହଣ କରି ପାରୁନି ଏ ଦୁର୍ଘଟଣା ଟିକୁ। ଏଇତ କାଲି ରାତିରେ ଖାଇ ପିଇ ଶୋଇଥିଲା। ମାଖୁନା ଟାରେ ଝଗଡା ଆରମ୍ଭ କରି ତାକୁ ଘରୁ ବାହାର କରି ଭିତର ପଟୁ କବାଟ କିଳି ଦେଇଥିଲା। ଏମିତି ତ ଅନେକ ଥର ଝଗଡ଼ା ଝାଣ୍ଟି ହେଇଛି ଉଭୟଙ୍କ ଭିତରେ କିନ୍ତୁ ରାତିର କଥା ରାତିରେ ହିଁ ସରିଯାଏ । ସକାଳର ବୟସ ବଢିବା ସାଙ୍ଗରେ ଯେଝା କାମରେ ଯେଝା ବ୍ୟସ୍ତ ହୋଇ ପଡନ୍ତି ରାତିର କଥାକୁ ପାଶୋରି ଦେଇ । କିନ୍ତୁ କାଲି ରାତିର ଉଭୟଙ୍କ ଝଗଡ଼ାଟା ତାଙ୍କ ଜୀବନର ଶେଷ ଝଗଡ଼ା ହୋଇଯିବ ବୋଲି କିଏ ଜାଣିଥିଲା ? 


 ପ୍ରାୟ ସବୁଦିନ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରି ପତ୍ନୀ ସହ ଝଗଡ଼ା କରିବା ରାଜୁଆର ସବୁଦିନିଆ ଅଭ୍ୟାସ। ଏ ମଦ ପିଇବା ଅଭ୍ଯାସଟା ତାର ଆଗରୁ ଆଳ୍ପବହୁତ ଥିଲା କିନ୍ତୁ ବିବାହ ପରେ ପରେ ହିଁ ବଦଭ୍ୟାସରେ ପରିଣତ ହୋଇଗଲା। 


କିନ୍ତୁ ଏହା ପଛର କାରଣ କିଛି ଅଲଗା ଅଛି। 


 ରାଜୁଆ ଭଲ ପାଉଥିଲା ଲିପି ନାମ୍ନୀ ଜଣେ ଝିଅକୁ। ଢେର୍ ଦିନ ହେବ ଉଭୟେ ପରସ୍ପରକୁ ଅତି ନିବିଡ଼ ଭାବେ ପ୍ରେମ କରୁଥିଲେ । ପରେ ଘରେ ଧିରେ ଧିରେ ଏକଥା ଜାଣିଲେ ରାଜୁଆକୁ ଗାଳି ମନ୍ଦ କରି ଅଶାନ୍ତି ହେଲେ ଲିପି ଠୁଁ ଦୂରେଇ ରହିବାକୁ ରାଜୁଆକୁ କଡା ଚେତାବନୀ ଦେଲେ। ରାଜୁଆ କିନ୍ତୁ ଲିପି ବିନା ପାଗଳ ପ୍ରାୟ ହୋଇ ଯାଉଥିଲା । ତେଣୁ ବାପାଙ୍କ ରାଣ ନୀୟମ ଗାଳି ମନ୍ଦ ଚେତାବନୀ କିଛି ବି ପ୍ରଭାବ ପକେଇ ପାରିନଥିଲା ତା ଉପରେ।  


ଲିପି ତାଙ୍କ ଠୁଁ ନିମ୍ନ ଜାତିର ପିଲା ଥିଲା ଯେହେତୁ ରାଜୁଆ ବାପା ଏଥିପାଇଁ ମଙ୍ଗୁ ନଥିଲେ । ସାହି ପଡିଶା ବନ୍ଧୁ ବାନ୍ଧବଙ୍କ ଆଗରେ ତାଙ୍କ ମୁଣ୍ଡ ତଳକୁ ହୋଇଯିବ । ରାଜୁଆର ବାପା ସବୁ ସହି ପାରିବେ କିନ୍ତୁ ନିଜ ସ୍ବାଭିମାନ ଉପରେ ଆଞ୍ଚ୍ ଆସିବା ପରି କିଛି ବି କାମ ସେ କରି ପାରିବେନି। ଯଦି ବାଟ ଘାଟରେ ଚାଲି ଗଲା ବେଳେ କେହି କହି ଦିଏ -" ଏଇ ୟାରି ପୁଅ ପରା ଗୋଟେ ଅଜାତି ଝିଅକୁ ନେଇ ଆସିଛି । ଗଲା ବାପର ନାଁ ପାଣି ବୁଡେଇଲା " 


ଏଇ କଥା ପଦକ ସୁଣି ସେ କେବେବି ବରଦାସ୍ତ କରି ପାରିବେନି କେହି ତାଙ୍କ ସାମ୍ନାରେ କୁହନ୍ତୁ ଅବା ପଛରେ । 


ରାଜୁଆ ଯେତେବେଳେ ଲିପି ସହ ମିଳାମିଶା ସେମିତି ପୂର୍ବ ପରି ଅବ୍ୟାହତ ରଖିଲା ରାଜୁଆର ବାପା ଏଥର ଶେଷ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ । ମୁଷା ମାରି ଖାଇ ମେଡିକାଲରେ ଭର୍ତ୍ତି ହେଲେ ପନ୍ଦର ଦିନ । ତାପରେ ରାଜୁଆକୁ କହିଲେ , ଯଦି ମୋ ପସନ୍ଦ ମୁତାବକ ଝିଅ ସହ ତୁ ନ ବାହା ହେଉ ତାହେଲେ ମୁଁ ପୁଣି ମୂଷାମାରି ଖାଇଦେବି ପୁଣି । 


ରାଜୁଆ ଏଥର କିଛି ବି କହିଲାନି ପୂର୍ବ ପରି ଯୁକ୍ତି ତର୍କ ବି କଲାନି ବାପାଙ୍କ ସହ। ତା ନୀରବତାକୁ ତା' ବାପା ତାର ସହମତି ବୋଲି ବୁଝିନେଲେ । 


 ତା ପରେ ତାଙ୍କ ପସନ୍ଦ ମୁତାବକ ଗୋଟିଏ ଝିଅ ସହ ରାଜୁଆର ବାହାଘର ଭଲରେ ମନ୍ଦରେ କରିଦେଲେ । ନୂଆ ସୁନ୍ଦରୀଆ ସ୍ତ୍ରୀଟେ ପାଇ ରାଜୁଆ ସେ ଝିଅ ଲିପିକୁ ଭୁଲି ଯିବ ଆଉ ସବୁକିଛି ଠିକ୍ ଠାକ୍ ଚାଲିବ , ରାଜୁଆର ବାପା ଏଇ ଭାବନାରେ ରହିଗଲେ। 


  ରାଜୁଆ ମାଡି ଯାକି ହୋଇ ରହିଥିଲା ସିନା କିନ୍ତୁ ଲିପିର ମୋହଟା ବିବାହର କିଛି ଦିନ ପରେ ପୁଣି ତା ପାଖକୁ ରାଜୁଆକୁ ଟାଣିନେଲା । ଲିପି ମଧ୍ଯ ରାଜୁଆ ବ୍ୟତିରେକ ଅନ୍ୟ କାହାକୁ ମନରେ କେବେ ବି ଆଣିନି କି ଆଣି ପାରିବନି । ତେଣୁ ବିବାହ ପରେ ବି ସେ ରାଜୁଆକୁ ପୂର୍ବ ପରି ଚାହେଁ। ତେଣୁ ଲୁଚା ଛପାରେ ଦୁହେଁ ମିଳା ମିଶା କଲେ। ଯେତେବେଳେ ବି ଟିକିଏ ସୁଯୋଗ ମିଳେ ରାଜୁଆ ଲିପି ପାଖକୁ ଚାଲି ଯାଏ। ଲିପି ପାଖକୁ ଯିବାପାଇଁ ରାଜୁଆକୁ କେବଳ ଗୋଟିଏ ବାହାନା ଦରକାର ପଡେ ବାସ୍ । 


କିନ୍ତୁ ସବୁକଥା ସବୁ ଦିନ ଲୁଚି ରହେନି। ରାଜୁଆର ପତ୍ନୀ ଯେତେବେଳେ ଜାଣିଲା ତା ଠି ରାଜୁଆର ମନ ନାହିଁ। ତାପରେ ସବୁଦିନ ବିଶୃଙ୍ଖଳା ଲାଗି ରହିଲା । ପତ୍ନୀଟି ପ୍ରେମ ନପାଇଲା ନାହିଁ ଦେହ ସୁଖ ତ ଦରକାର । ସେତକ ଆବଶ୍ଯକତା ଯଦି ତାର ପୂରଣ ନହେବ ତେବେ ଅଶାନ୍ତି ହେବା ସ୍ବାଭାବିକ। ସବୁଦିନର ଅଶାନ୍ତି କଥା କଟା କଟି କୁହୁଳି କୁହୁଳି ଦିନେ ଦିନେ ଭୟାବହ ଅଗ୍ନିକାଣ୍ଡ ବି ହେଇ ଯାଉଥିଲା ଉଭୟଙ୍କ ମଧ୍ଯରେ ।

 

  ବାପାଙ୍କ ଆତ୍ମହତ୍ଯା ଉଦ୍ୟମ ଭୟରେ ସିନା ବାହା ହୋଇ ପଡିଲା ରାଜୁଆ ହେଲେ ପତ୍ନୀ ଠି ଗୋଟେ ପ୍ରତିଶତ ବି ମନ ନାହିଁ ତାର। ଏପଟେ ପ୍ରେମିକା ସେପଟେ ସ୍ତ୍ରୀ ଆଉ ଗୋଟେ ପଟେ ପରିବାରର ଖୁସି । ଏ ସବୁର ସମାଧାନ ହେଉଛି ଲିପି ସହ ସବୁ ସଂପର୍କ କାଟିଦେବା । କିନ୍ତୁ ରାଜୁଆ ଲିପି ବିନା ଗୋଟେ ମୁହୂର୍ତ୍ତ ବି ରହି ପାରିବନି ତାର ପ୍ରତ୍ୟେକ ରକ୍ତ କଣିକାରେ ଯେମିତି ମିଶି ଯାଇଛି ଲିପି। ତା ଜୀବନରେ ଲିପିର ସ୍ଥାନ ଆଉ କେହି ବି ନେଇ ପାରିବେନି । 

  

 ଲିପିକୁ ନଦେଖିଲେ ରାଜୁଆକୁ ପାଗଳ ପ୍ରାୟ ଲାଗୁଛି ଏପଟେ ସ୍ତ୍ରୀକୁ ସମୟ ନ ଦେଲେ ସ୍ତ୍ରୀ ଅଶାନ୍ତି ଗଜର ଗଜର, ସେପଟେ ଲିପି ତା ପାଇଁ ସାରା ଜୀବନ କୁଆଁରୀ ରହିବ ପଣ କରିଛି । ଯୋଉ ଛୋଟ ବ୍ୟବସାୟଟେ କରିଛି ସେଥିରେ ଭଲ ସେ ମନ ଲାଗୁନି ଦୋକାନ ଖୋଲିବାରେ ଅନିୟମିତତା ହେଉଛି। ସବୁ ଚିନ୍ତା ସବୁ ଚାପ ଗୋଟିଏ ମଣିଷ ଉପରେ। ଶେଷକୁ ଚିନ୍ତାରୁ ମୁକ୍ତି ପାଇଁ ମଦର ସାହାରା ନିଏ ରାଜୁଆ। ସବୁଦିନ ମଦ ପିଇ ଆସି ପତ୍ନୀ ଟିକେ କଣ କହିଲେ ତା ସହ ଝଗଡା କରେ ମାରଧର ବି କରେ । ବିଚିତ୍ରା ସବୁ ସହି ଯାଏ କିଛି ବି କୁହେନି କିନ୍ତୁ ନିଶା ଉତୁରିଗଲା ପରେ ପତ୍ନୀ ରାଜୁଆକୁ ଛିଛାକର କରି କହେ, ଯଦି ଇଛା ନଥିଲା ତେବେ ପ୍ରସ୍ତାବ ପକାଉଥିଲ କାଇଁ ? ଯଦି ସମୟ ଦେଇ ପାରିବୁନି ତେବେ ବାହା ହେଉଥିଲୁ କାଇଁ ?......" 


ସବୁଦିନ ସମାନ ନଥାଏ । ସେଦିନ ରାଜୁଆ ପୂର୍ବ ପ୍ରସ୍ତୁତି କରି ଆସିଥାଏ ଘରକୁ ପ୍ରବଳ ମଦ ପିଇ କି । ପତ୍ନୀ ସହ ଅଯଥାରେ ଝଗଡା କରି ତାକୁ ବାହାରକୁ ବିଦା କରି ଦେଇ ଭିତରପଟୁ କବାଟ କିଳି ଦିଏ । ସେ ନିଶାରେ ଅଛି ତ ତାହା ସହ ଅଧିକ ନ ବଢିବାକୁ ଘରେ ବାରଣ କରନ୍ତି । ବିଚିତ୍ରା ଚୁପ୍ ରୁହେ ଅଲଗା ଶୁଏ ନିଜ ଭାଗ୍ଯକୁ ନିନ୍ଦାକରି। ସକାଳକୁ କବାଟ ବାଡେଇବା ବେଳକୁ ଆଉ କବାଟ ଖୋଲେନି ଭିତରୁ କିଛି ସୋର୍ ଶବ୍ଦ ଶୁଭେନି । ଦରଜା ଭାଙ୍ଗି ଭିତରେ ପଶିବା ବେଳକୁ ରାଜୁଆ ଘର ଆଡି ବନ୍ଧ ଚଉକାଠରେ ବେକରେ ରଶି ଲଗେଇ ଝୁଲି ଯାଇଛି ସବୁକିଛିକୁ ସବୁଦିନ ପାଇଁ ଛି କରି ଦେଇ । 


 ଗଲା ତିନି ତିନିଟା ପରିବାର ଉଚ୍ଛନ୍ନ ହୋଇଗଲା । ଲାଭ କେତେ କ୍ଷତି କେତେ ?


  ଯୋଉ ବାପା ଲୋକଙ୍କ ଟାହି ଟାପରାକୁ ଭୟ କରୁଥିଲେ ନିଜ ସମ୍ମାନରେ ଆଞ୍ଚ୍ ଆସିବ ବୋଲି ପୁଅର ଇଛାକୁ ବଳି ଦେଇ ଦେଇଥିଲେ ସେଇ ବାପା ଏବେ ବେଳକୁ ବେଳ ମୁର୍ଚ୍ଛା ଯାଉଛନ୍ତି। ମୁହଁରେ ପାଣି ଛାଟି ଚେତା ଅଣେଇଲା ବେଳକୁ ଛାତିରେ ଦୁଇ ହାତକୁ ଢାଏ ଢାଏ ବାଡେଇ ମୋ ପୁଅ ମୋ ପୁଅ ବୋଲି ବିକଳରେ ଚିତ୍କାର କରି ପୁଣି ଚେତା ହରାଇ ପଡୁଛନ୍ତି । ସବୁକିଛି ସରିଗଲା ପରେ ଏବେ ନିଜକୁ ଧିକ୍କାର କରୁଛନ୍ତି ବାରବାର। 


ଯୋଉ ଲିପି ତା ପ୍ରେମ ପାଇଁ ତା ପ୍ରେମିକ ପାଇଁ ସାରା ଜୀବନ କୁଆଁରୀ ରହିବ ବୋଲି କଠୋର ନିଷ୍ପତ୍ତି ନେଇ ସାରିଥିଲା ସେ ଏବେ ପଥର ପାଲଟି ଯାଇଛି । ସେ ଭାବୁଚି ତା ତରଫରୁ ସେ ଯଦି ରାଜୁଆ ଠାରୁ ନିଜକୁ ଓହରେଇ ନେଇ ପାରିଥାନ୍ତା ହୁଏତ ଏମିତି କିଛି ଅଘଟଣ ଘଟି ନଥାନ୍ତା । ହେଲେ ଏ ପ୍ରେମ କୋଉ ନିୟନ୍ତ୍ରଣର ମାନେ ବୁଝେ ଯେ ? ଉଭୟଙ୍କ ମଝିରେ ଆଉ କାହାକୁ ବରଦାସ୍ତ କରି ପାରେ ଯେ ? 


 ସବୁ ପରେ ........ 


ବିବାହକୁ ବର୍ଷଟିଏ ବି ବିତି ନଥିବା ଝିଅଟିର ଦୋଷ ବା କଣ ? ତାର କୋଉ ଭୁଲ୍ ପାଇଁ ତା ସିନ୍ଥି ଶ୍ରୀହୀନ ହୋଇଗଲା ? ଯାହାର ଖନି ଖନି ପାଟିରୁ ସେ ମାମା ଡାକ ଶୁଣିଥାନ୍ତା ସେ ବି ତା ଗର୍ଭରେ ଅସ୍ଥିତ୍ଵ ଜାହିର କରିନଥିଲା। ସଂସାର ରଙ୍ଗମଞ୍ଚରେ ନିଖୁଣ ଅଭିନୟ କରିବା ପୂର୍ବରୁ ହିଁ ମୂଖ୍ଯ ଚରିତ୍ରର ମୃତ୍ଯୁରେ ଉଚ୍ଛନ୍ନ ହୋଇଗଲା ପରିବେଶ । ପରିବାରର ପୂର୍ଣ୍ଣତା ପାଇବା ଆଗରୁ ହିଁ ପୂର୍ଣ୍ଣଚ୍ଛେଦ ପଡିଗଲା ସେଥିରେ ।


**** ***** **** ******


ସତରେ ଗୋଟିଏ ଭୁଲ୍ ନିଷ୍ପତ୍ତି ବହୁତ କିଛି ଅଘଟଣ ଘଟାଇ ଦେଇପାରେ । ଏ ଜାତି ଗୋତ୍ର ଉଚ୍ଚ ନିଚ୍ଚ ଭେଦ ଭାବ ଆଉ କେତେଦିନ ଏ ମଣିଷକୁ ଜାବୁଡି ଧରିଥିବ କେଜାଣି ? 



Rate this content
Log in

Similar oriya story from Tragedy