Biswaranjan Mohanty

Tragedy

4.8  

Biswaranjan Mohanty

Tragedy

ଭୋକିଲା ପେଟ

ଭୋକିଲା ପେଟ

3 mins
413



   

ବିଶ୍ୱଜିତ ପ୍ରାୟ ପ୍ରତିଦିନ ରାତିରେ ଵିଜ୍ଞାପନ ସଂସ୍ଥାରୁ କାମ ସାରି ସହିଦନଗର ରୁ ନବୀନ ନିବାସ ଦେଇ ପଳାଶପଲ୍ଲୀ ଓଭରବ୍ରିଜ ଅତିକ୍ରମ କରି ଲିଙ୍ଗରାଜ ରେଲୱେ ଷ୍ଟେସନ ବାଟ ଦେଇ ଘରକୁ  ଫେରେ l ତେବେ କିଛିଦିନ ହେବ ଲିଙ୍ଗରାଜ ଷ୍ଟେସନ ଛକରେ ବନ୍ଦ ମିଠା ଦୋକାନ ଆଗରେ ବିଶ୍ୱଜିତ କୁ ଲୋକଟିଏ ଅପେକ୍ଷା କରିଥାଏ l ମୁଣ୍ଡରେ ଅଯତ୍ନ ବର୍ଦ୍ଧିତ କେଶ, ମୁହଁରେ ପାଚିଲା ଦାଢ଼ି, ଦେହରେ ମଇଳା ପ୍ୟାଣ୍ଟ ଓ ଛିଣ୍ଡା ଗଞ୍ଜି ପିନ୍ଧିଥିବା ପାଗଳ ପରି ଦିଶୁଥାଏ l ବିଶ୍ୱଜିତ ତାକୁ ଖାଦ୍ୟ ପ୍ୟାକେଟ ଟି ଧରେଇ ଦିଏ, ଆଉ ଦିନସାରା ଭୋକିଲା ଥିବା ଲୋକଟି ପ୍ୟାକେଟ ଟିକୁ ଚଟାପଟ ଖୋଲିଦେଇ ଚଟାପଟ ଗାଉଁ ଗାଉଁ କରି ଗିଳି ପକାଏ l 


    କୋଉଠି ଥାଏ କେଜାଣି ବୁଲାକୁକୁର ଟି ଲୋକଟା ପାଖକୁ ମାଡିଆସେ l ସତେ ଯେମିତି ସେ ଖାଦ୍ୟରେ ତାର ବି ଭାଗ ଅଛି l 

  ଲୋକଟି ତାକୁ ନିରାଶ କରେନି ତରକାରୀ ଗୋଳା ରୁଟିଟିଏ ତା ମୁହଁକୁ ବଢ଼େଇ ଦିଏ l କୁକୁରଟି ସେତକ ନେଇ ସେଠାରୁ ଚାଲିଯାଏ l ବାଇକରେ ସେମିତି ବସିରହି ଅପଲକ ନୟନରେ ବିଶ୍ୱଜିତ ଏହି ଦୃଶ୍ୟ ସବୁ ଦେଖୁଥାଏ l 


    ଲୋକଟି ଚାଟିଚୁଟି ସବୁ ଖାଇ ସାରିଲା ପରେ କୃତଜ୍ଞତା ପୂର୍ଣ୍ଣ ଆଖିରେ ବିଶ୍ୱଜିତ କୁ ଦେଖେ l ବିଶ୍ୱଜିତ ତା ବାଇକ ଷ୍ଟାର୍ଟ କରି ଘରକୁ ଚାଲିଯାଏ l କେହି କାହା ସାଙ୍ଗରେ ପଦିଏ କଥା ହୁଅନ୍ତି ନାହିଁ, କହିବାର ଆବଶ୍ୟକତା ବି ନାହିଁ l 


   ବିଶ୍ୱଜିତ ଜାଣିନି ଯେ ସତରେ ଏ ଲୋକଟା କଥା କହିପାରେ କି ନାହିଁ l ଲକ ଡାଉନ ଆରମ୍ଭ ହେବା ପରେ ଦିନେ ଅଫିସ ଯିବା ବାଟରେ ଲୋକଟାକୁ ନିସ୍ତେଜ ପରି ପଡିଥିବାର ଦେଖିଲା ବିଶ୍ୱଜିତ l ଲୋକଟି ମୁହଁରେ ଭଣ ଭଣ ମାଛି ବସିଥାନ୍ତି l ପାଖରେ କେହି କୁଆଡେ ନଥିଲେ l ଲୋକଟା ମରିଯାଇନି ତ !ବିସ୍ମିତ ହୋଇ ଅନେଇଲା, ବିଶ୍ୱଜିତ ତା ବାଇକ ଅଟକାଇ ଲୋକଟି ପାଖକୁ ଯାଇ ତା ନାକ ପାଖରେ ହାତର ଆଙ୍ଗୁଠି ରଖି ନିଶ୍ୱାସ ପରଖିଲା ବେଳକୁ ଲୋକଟି ଉଠି ବସିଲା l ଲୋକଟିର ଅବସ୍ଥା ଦେଖି ବିଶ୍ୱଜିତ ତା ବ୍ୟାଗରେ ଥିବା ବିସ୍କୁଟ ପ୍ୟାକେଟ ଓ ପାଣି ବୋତଲ ଟି ବଢ଼େଇ ଦେଲା ଲୋକଟି ହାତକୁ l ପୁଣି ସେ ତା କାମରେ ଚାଲିଗଲା ବିଶ୍ୱଜିତ l 


   ଆଉ ରାତିରେ ଅଫିସରୁ ଫେରିବା ବାଟରେ ହୋଟେଲରୁ ଆଣିଥିବା ଖାଦ୍ୟ ପ୍ୟାକେଟଟି ଲୋକଟିକୁ ଦେଲାବେଳେ ସେ କୃତ କୃତ ହୋଇ ଯାଇଥିଲା l ସେବେଠୁ ପ୍ରାୟ ମାସେ ହେଲା ବିଶ୍ୱଜିତର ଏଇଟା ଗୋଟେ ପ୍ରକାର ରୁଟିନ ପାଲଟି ଯାଇଛି l ଏମିତି ବି ଅଫିସ ଛୁଟିଦିନରେ ତାପାଇଁ ହୋଟେଲ ରୁ ଆଣି ଦେଇ ଯାଏ l 


    ଗତକାଲି ଅଫିସରୁ ବାହାରିଲା ବେଳକୁ ସନ୍ଧ୍ୟାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ବି ହେଉଥିଲା l ରେନି କୋଟ ଆଣି ନଥିବାରୁ ଅପେକ୍ଷା କରିବାକୁ ବାଧ୍ୟ ହେଲା ବିଶ୍ୱଜିତ l ବର୍ଷା କିନ୍ତୁ ଛାଡିବାର ନାଁ ନେଉନଥାଏ l ମନେମନେ ବ୍ୟସ୍ତ ହୋଇ ପଡୁଥାଏ ବିଶ୍ୱଜିତ l ଏ ଖରାଦିନରେ ଏତେ ବର୍ଷା, ଲୋକଟି ଭୋକିଲା ପେଟରେ ଚାହିଁ ବସିଥିବ...l ନା ଆଉ ହେବନି l ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ l ବାଇକ ଷ୍ଟାର୍ଟ କଲା ବିଶ୍ୱଜିତ l ଲାଇନ କଟି ଯାଇଥାଏ l ପୁରା ସହର ଅନ୍ଧାର l ବର୍ଷାରେ ଭିଜିଭିଜି ଯାଇ ପହଞ୍ଚିଲା ବେଳକୁ ଲୋକଟି ଜାକିଜୁକି ହୋଇ ଶୋଇଥାଏ ବାରଣ୍ଡାରେ, ବାଇକ ର ହେଡ଼ ଲାଇଟ ତା ଉପରେ ପଡ଼ିବାରୁ ଉଠିବସିଲା ଲୋକଟି l ବର୍ଷା ଛିଟାରେ ସେ ବି ପୁରା ଭିଜି ଯାଇଥିଲା l ବିଶ୍ୱଜିତ ତା ପାଖକୁ ଯାଇ ଖାଦ୍ୟ ପ୍ୟାକେଟ ଟି ବଢ଼େଇ ଦେଲା ବେଳେ କହିଲା -

       ବୁଝିଲୁ ବର୍ଷା ହେଉଥିଲା ତ ସେଥିପାଇଁ ଡେରି ହୋଇଗଲା l ଲୋକଟି ହସିଦେଲା l ତେବେ ସବୁଦିନ ପରି ପ୍ୟାକେଟ ଖୋଲି ଗାଉଁ ଗାଉଁ କରି ଗିଳି ନ ପକେଇ ଆସ୍ତେ ଆସ୍ତେ ଖାଇବା ପାଇଁ ବିଶ୍ୱଜିତ କହିଲା l 


ଲୋକଟି ତାକୁ ଇସାରାରେ କହିଲା ବାସ !!

ଆଶ୍ଚର୍ଯ୍ୟ ହୋଇଗଲା ବିଶ୍ୱଜିତ ! ଲୋକଟିର କଥା ମାନି ଲଥ କରି ବସି ପଡିଲା ବାରଣ୍ଡାରେ...... ଅନ୍ଧାର ଭିତରେ ଖୋଜି ଖୋଜି ଲୋକଟି ତା ଛିଡା ବ୍ୟାଗ ଭିତରୁ ଏକ ଜରି ପୁଡ଼ିଆ ବାହାର କଲା l ଥରି ଥରି ହାତରେ ବିଶ୍ୱଜିତ କୁ ବଢ଼େଇ ଦେଲା l ବିଶ୍ୱଜିତ କିଛି ବୁଝି ପାରିଲାନି l ସେ ପଚାରିଲା ଏଥିରେ କଣ ଅଛି l ମୋତେ କାଇଁ ଦେଉଛୁ l ଲୋକଟି ପ୍ରଥମ ଥରପାଇଁ ପାଟି ଖୋଲି ମୁହଁରେ ହସ ଫୁଟେଇ କ୍ଷୀଣ ଅଥଚ ସ୍ପଷ୍ଟ ଭାବରେ କହିଲା ବାବୁ ଆଜି କିଛି ଲୋକ ଖାଦ୍ୟ ପୁଡିଆ ବାଣ୍ଟୁଥିଲେ ମୁଁ ଏଠି ପଡିଥିବାର ଦେଖି ଗୋଟେ ପୁଡିଆ ଦେଇଥିଲେ l ପୁଡ଼ିଆ ରୁ ମୁଁ ପାଉଁରୁଟି, ବିସ୍କୁଟ, କଦଳୀ ଖାଇଦେଇଛି l କିନ୍ତୁ ଏଗୁଡ଼ାକ ମୁଁ କଣ କରିବି l ଏ ସବୁ ତୁ ନେଇଯାଆ l ତୋ କାମରେ ଆସିବ l ବିଶ୍ୱଜିତ ପୁଡ଼ିଆ ଖୋଲି ଦେଖିଲା ତା ଭିତରେ କିଛି ମାସ୍କ, ସାନିଟାଇଜର, ଓ ସାବୁନ ଅଛି l ଲୋକଟିର ମୁହଁରେ ଲାଗି ରହିଥିବା କୃତଜ୍ଞତା ର ଅପୂର୍ଵ ହସକୁ ଦେଖି ବିଶ୍ୱଜିତ ମନା କରିପାରିଲାନି l



Rate this content
Log in

Similar oriya story from Tragedy