ଭକ୍ତ ଓ ଭଗବାନ
ଭକ୍ତ ଓ ଭଗବାନ
ଭୁବନେଶ୍ୱର ରାଜରାସ୍ତାରେ ଟାଇଁ ଟାଇଁ ଖରା ସାଙ୍ଗକୁ ଗାଡି ମାନଙ୍କର ହର୍ଣ୍ଣ ର ବିକଟାଳ ଗର୍ଜନରେ କାନମୁଣ୍ଡା ଝାଇଁ ଝାଇଁ କରି ପକାଉଥାଏ l
ଭିକାରୁଣୀଟି ଅତି ନିଉଛାଳି ହୋଇ ଆକୁ ପାଞ୍ଚ ତାକୁ ଦଶ କରି ପଇସା ମାଗୁଥିଲା l କିଏ ଦେଉଥିଲା -କିଏ ନ ଦେଉଥିଲା -କିଏ ବିରକ୍ତିରେ ,କିଏ ଅନନ୍ୟୋପାୟ ହୋଇ ,କିଏ ଅଭ୍ୟାସବଶତଃ ଓ କିଏ ଦୟାପରବଶ ହୋଇ....... ।
ତା ଚକ ଚକ ଆଖିକୁ ଫାଙ୍କି ନ ପାରି କିଛି କିଛି ଦେଉଥିଲେ l ସେ ସବୁ ମିଶେଇ ଗଣିଲା -ଶହେ ଟଙ୍କା ହଁ ଶହେ ଟଙ୍କା ହେଲା ସେତକ l
ପଇସା ମାଗିବା ବେଳଠୁ ଆହୁରି ନିଉଛାଳି ହୋଇ ବସକୁ ଅପେକ୍ଷା କରିଥିବା ଓ ବହୁ ହିନିମନାଙ୍କ ଉପରେ ଆପଣାର ରାମନାମ ଶୋଭିତ ପୀତବସ୍ତ୍ର, ତାମ୍ରଗୌର ଶରୀର, ଚିତାଯୁକ୍ତ ପ୍ରଶସ୍ତ ଲଲାଟ ଓ ଗମ୍ଭୀର ମୁହଁର ପ୍ରଭାବ ଜାହିର କରିଥିବା ପୁରୀଯାତ୍ରୀ ପଣ୍ଡିତ ମହାଶୟଙ୍କୁ ପ୍ରଣାମ କଲା l
ଭିକାରୁଣୀଟି କହିଲା -"ଏଇ ଶହେ ଟଙ୍କାଟା ମହାପୁରୁଙ୍କୁ ନାଗି କରିଦେବେ ପଣ୍ଡିତେ ଆପଣେ " l
ଭିକାରୁଣୀଟିର କଥା ଶୁଣି ପଣ୍ଡିତ ମହାଶୟ ଅଟହାସ୍ୟ କରି କହିଲେ "ହେଇରେ ଶୁଣୁଛ ଆଉ ଗୋଟିଏ ଦାସିଆ ବାଉରାଣୀ ଆଇଲାଣି l ଆ 'ଟଙ୍କା ନେଇ ମୁଁ କାଳେ ମହାପୁରୁଙ୍କୁ ଦେବି "-କଣ୍ଠରେ ଯଥେଷ୍ଟ କଟାକ୍ଷ ଓ ଚାହାଣିରେ ବିରକ୍ତି ପ୍ରକାଶ କରି ପଣ୍ଡିତେ କହିଲେ ଓ ମୁହଁ ବୁଲେଇନେଲେ l
ଭିକାରୁଣୀଟି ଅସହାୟ ହୋଇପଡିଥାନ୍ତା, ମାତ୍ର ଶୁଣିଲା କିଏ ଜଣେ କହିଲା -ଜଗନ୍ନାଥଙ୍କୁ ଦେବୁ ତ? ମୋତେ ଦେ l ମୋ ନା ଜଗନ୍ନାଥ ଦାସ l ଲୋକଟା ହସୁଥାଏ l
ଭିକାରୁଣୀଟି ଅସହାୟ ହୋଇଗଲା, କହିଲା ନାଇଁ ନାଇଁ l ଜଗନ୍ନାଥଙ୍କ କୋଉ ଦାସକୁ ନୁହେଁ ମୁଁ ଖୋଦ ଜଗନ୍ନାଥଙ୍କୁ ଦେବି l କହିଲା ଓ ଏଣେତେଣେ ଖୋଜିଲା ଆଖିରେ ଚାହିଁଲା l ଦେଖିଲା ନନ୍ଦିଘୋଷ ରଥରେ ବସି ନିଜେ ଜଗନ୍ନାଥ ତା ଆଡକୁ ହାତ ବଢ଼େଇ ଦେଇଛନ୍ତି, କହୁଛନ୍ତି -ଦେ, ଦବୁ ପରା... !
ସେ କୁଷ୍ଠରୋଗୀଟିର ଠେଲାଗାଡି ଭିତରକୁ ଶହେ ଟଙ୍କା ପକେଇଦେଲା l
ଜଗନ୍ନାଥ ଦାସ କି କିଏ କହିଲା -"ଏଇ ଖଣ୍ଡିଆ କଣ ତୋ ଜଗନ୍ନାଥ ? "ଏଥର ଭିକାରୁଣୀଟି ହସିଲା ଓ କହିଲା -"ତା ଠୁଁ ବଳି ଖଣ୍ଡିଆ ଆଉ କିଏ ଅଛି ଭଲା l "
