Kulamani Sarangi

Tragedy

3  

Kulamani Sarangi

Tragedy

ଭାଇ

ଭାଇ

3 mins
179


ନାଥିଆ ମରିବାର କେତେ ବର୍ଷ ହେଲାଣି ତା' ପିଲାଙ୍କର ତ ମନେ ନଥିବ ଆମର କାହିଁକି ମନେ 

ରହିବ । କୋଉ ନେତା ନାଁ ମନ୍ତ୍ରୀ ନାଁ କ୍ରିକେଟ ଖେଳାଳି ଯେ କିଏ କାହିଁକି ତା ମରିବା ଦିନଟା ମନେ ରଖିବ । ତଥାପି ହବ ତିରିଶି ବର୍ଷ, କାହିଁକି ନା ସେ ମଲା ବେଳକୁ ତା ପୁଅ ଜଗୁନିର ବୟସ ଆନୁମାନିକ ପାଞ୍ଚ ବର୍ଷ ହେଇଥିଲା । ଏବେ ଦି'ଦିନ ତଳେ ୩୫ ବର୍ଷ ବୟସରେ ଜଗୁନି ମରିଗଲା । ଜଗୁନି ନଈ ପହଁରାରେ ଓସ୍ତାଦ ଥିଲା । ତଥାପି ନଈରେ ବୁଡି କରି ମରିଗଲା । 


ନଈ ଗୋଟା ବଢ଼ିଥିବା ବେଳେ ଏକୂଳରୁ ସେ କୂଳକୁ ଅତି ସହଜରେ ପାର ହୋଇଯାଏ ଜଗୁନି,ତଥାପି ସେ ଦୁଇଦିନ ତଳେ ନଈରେ ବୁଡିକରି ମରିଗଲା । 

ଘର ଲୋକଙ୍କୁ କହିବାକୁ ପଡିଲା ଯେ ଜଗୁନିକୁ ପହଁରା ଆସେନାହିଁ, ଘର ତିଆରି କାମରୁ ଆସି ଗାଧେଇବାକୁ ଯାଇଥିଲା, ନଈରେ ଗୋଡ଼ଖସି ବୁଡିଗଲା । ଏ ସଫେଦ ମିଛ କହି ନଥିଲେ, ଅତ୍ୟଧିକ ଆସ୍କାଫର୍ଟି ପିଇ ପାଣିରେ ବୁଡିଗଲା ବୋଲି କ଼ହିଥିଲେ, ସରକାରଙ୍କ ତରଫରୁ ଚାରି ଲକ୍ଷ ଜଗୁନିର ପରିବାରକୁ ମିଳିନଥାନ୍ତା । 


ପଦିଆ କହୁଥିଲା ସେମାନେ ସାଙ୍ଗହୋଇ ନଈ ସେପାରି ତଇଲାକୁ ଭୋଜି କରିବାକୁ ଯାଇଥିଲେ । ସମସ୍ତେ ମନାକରିବା ସତ୍ବେ ଚାରିଟା ଆସ୍କାଫର୍ଟି ପାଉଚ୍ ତେଣ୍ଡି ଦେଲା ଜଗୁନି । ନିଶା ଯୋରରେ ନିଜ ଭାଇ ସପନିକୁ ଦେଶୀ ସଂସ୍କୃତ ଭାଷାରେ ଗାଳିଗୁଲଜ କରି କହୁଥିଲା....ଶଳା ଲେଙ୍ଗଡା, ଘରେ ବସିଚି,ମତେ ତା ପରିବାରକୁ ପୋଷିବାକୁ ପଡ଼ୁଚି । ଦିନକୁ ମୂଲ ଆଣିବି ତିନିଶ, ନିଜ ପିଇବା ଖର୍ଚ୍ଚ ରଖିବି ଶହେଟଙ୍କା, ଲେଙ୍ଗେଡା ଭାଇକି ଦେବି ଶହେ, ବାକି ଶହେ ଟଙ୍କା ମାଆକୁ । 


ପଦିଆ କହିଲା..ତୁ ଶଳା ନିଶାଖାଇ ତା ଗୋଡକୁ ଟାଙ୍ଗିଆରେ ବାଡ଼େଇ ଭାଙ୍ଗିଚୁ, ତୁ ପୋଷନ୍ତୁନି ଆଉ କିଏ ପୋଷିଥାନ୍ତା ତା ପରିବାରକୁ ?

ଜଗୁନି କହିଲା... ସେମିତି କହିବୁନି, ମୁଁ କଣ ଏକା ପିଇଥିଲି, ଭାଇ ବି ତ ପିଇଥିଲା ନା । ଦି'ଜଣଯାକ ବାଡିଆ ପିଟା ହେଲୁ, ମୋ ମାଡଟା ଟିକିଏ ଜୋର ହେଇଗଲା, ଭାଇର ଗୋଡ଼ ଭାଙ୍ଗିଗଲା । କାଳୁପଡା ଯାଇ ମରମପଟ୍ଟି କଲୁ, ହେଲେ ଗୋଡ଼ଟା ମିଳେଇ ଗଲା ଆଣ୍ଠୁ ଠାରୁ । କାଟିବାକୁ ପଡ଼ିଲା । କିନ୍ତୁ ଭାଇଟା ମୋର ଦେବତା, ପୋଲିସକୁ କ‌ହିଲା ଗାତରେ ପଡି ଗୋଡ଼ ଭାଙ୍ଗିଗଲା ବୋଲି; ନହେଲେ ମୁଁ ଏବେ ଜେଲରେ ଥାଆନ୍ତି । ସେଥିପାଇଁ ତ ତା ପରିବାରକୁ ପୋଷୁଚି । 


ଟୁକୁନା କହିଲା..ତୁ ସିନା ବାହା ସାହା ହେଇନୁ ବୋଲି, ବା'ହେଲାପରେ କେତେ ପୋଷିବୁ ଭାଇକି?

ଜଗୁନି କହିଲା... ସେଥିପାଇଁ ତ ବାହା ହେବିନି ବୋଲି ଠିକ୍ କରିଚି । ମୁଁ ବା'ହେଲେ ଭାଇର ପିଲାପିଲି ମରିଯିବେ । ତାଛଡା ମଦ ପିଇବା ପାଇଁ ମୋର ଦିନକୁ ଶହେ ଟଙ୍କା ଦର୍କାର । ବାହା ହେବି କାହିଁକି, କାଦୁଅକୁ ଯିବି କାହିଁକି, ମାଇପଠୁ ଗାଳି ଶୁଣିବି କାହିଁକି ? ହେଲେ ଭାଇର କୃତ୍ରିମ ଗୋଡ ଲଗେଇବାରେ ବହୁତ୍ ଖର୍ଚ୍ଚ ହେଇଚି । ଭାଇ କରିଜିଆ ହେଇଯାଇଚି । ତାକୁ କେମିତି ସୁଝିବି ଭାବୁଚି । 


ନିଶା ଆଉ ଟିକିଏ ଜୋର୍ ହେଲାପରେ ଜଗୁନି ପଚାରିଲା..ପଦିଆଇ, ସରକାର ପରା କଣ ଗୋଟେ ଯୋଜନା କରିସିନ୍ତି ଦୁର୍ଘଟଣାରେ ମଲେ ଚାରି ଲକ୍ଷ ମିଳିବ?

ପଦିଆ କହିଲା..ମତେ ସେସବୁ ଚୋପାଟା ଜଣା । 


କଥାବାର୍ତ୍ତା ସରିଲା,ଭୋଜି ଖାଇଲେ,ସମସ୍ତେ ଶଙ୍ଖବାଟେ ଘରୁକୁ ଫେରିଲେ;ଜଗୁନି କହିଲା..ନଈ ଭିତରେ ଗଲେ ଘରେ ଶୀଘ୍ର ପହଞ୍ଚିବି,ତମେ ଶଳେ ଶଙ୍ଖରେ ଯାଉଥା । 


ଜଗୁନି ଭଳି ପୋଖତ ପହଁରାଳୀ କେମିତି ବୁଡିକରି ମଲା କେହି ଜାଣି ପାରିଲେନି । ଦିଦିନ ପରେ ଶବ ମିଳିଲା । ସମସ୍ତେ ଜାଣନ୍ତି ଜଗୁନି ଟା ଘୋଡା ମଦୁଆ, କିନ୍ତୁ ରିପୋର୍ଟ ଦିଆ ହେଲା‌,ଘରତୋଳା କାମରୁ ଫେରି,ନଈରେ ଗାଧୋଉଥିବା ସମୟରେ ଅଜାଣତରେ ଗୋଡ଼ଖସି ଜଗୁନି ବୁଡିଯାଇଛି । ସାଇଭାଇ ସମସ୍ତେ ସାକ୍ଷୀ ଦେଲେ ସେଇ ଅନୁସାରେ । 


ସରକାର ଅନୁକମ୍ପା ବାବଦକୁ ଯେଉଁ ଚାରିଲକ୍ଷ ଟଙ୍କା ଦେଲେ,ସେଥିରେ ତା ଭାଇ ସପନିର ସବୁ କରଜ ବାରଜ ଶୁଝ ପଡିଗଲା । ବଳକା ଟଙ୍କା ବ୍ୟାଙ୍କରେ ରଖି, ବେଶ୍ ଦିପଇସା ସୁଧ ପାଉଛି । ସହଜେ ତ ଦିଟଙ୍କିଆ ଚାଉଳ ମିଳୁଚି, ଦୁଃଖରେ ସୁଖରେ ଚଳିଯାଉଚି । ମଦୁଆ ଜଗୁନି ହଠାତ୍ ମହାପୁରୁଷ ହୋଇ ଗଲା, କାହିଁକି ନା ତାର ଦରଦୀ ହୃଦୟଟିଏ ଥିଲା । 


ମଦ ନପିଇବା ଲୋକ ଅନେକ ଅଛନ୍ତି, ଯେଉଁମାନଙ୍କ ଘର ଭିତରେ ଭାଇ ଭାଇ ଝଗଡ଼ା ଯୋଗୁଁ ମେଘନାଦ ପାଚେରୀ ପଡ଼ିଚି । କଥାବାର୍ତ୍ତା ବନ୍ଦ୍,ମା ପେଟରେ ଶତ୍ରୁ । କିନ୍ତୁ ମଦୁଆ ଜଗୁନି ପରି ଭାଇଟିଏ କାହିଁ ?



Rate this content
Log in

Similar oriya story from Tragedy