Sachidananda Kar

Tragedy Others

2.5  

Sachidananda Kar

Tragedy Others

ବେସାହାରା

ବେସାହାରା

2 mins
232


ଏବେ ଲୁହଟି ତା'ର ସାଥି ।

ସେଇ ଲୁହକୁ ସାଥି କରି ବର୍ଷ ବର୍ଷ ଧରି ସେ ତା'ର ଇପସିତକୁ ଖୋଜି ଚାଲିଛି । ସନ୍ଦେହର ବେଳାଭୂମିରେ ତା'ର ପାଦ,ହେଲେ ବିଶ୍ୱାସ ତା'ର ଖୁବ୍ ଆପଣାର । ଜୀବନର ତିନି ଭାଗ ସମୟ ପାର କରି ସାରିଲାଣି ସେ । ତା'ର ସ୍ନାୟୁ ସବୁ ଦୋହଲି ଗଲେଣି । ତଥାପି ବଞ୍ଚିଛି ସେ । ଜୀବନର ଯେତେ ବ୍ୟଥା, ବେଦନା, ଦରଜ,ଯନ୍ତ୍ରଣା - ସବୁକିଛି ହଜମ କରି ଦେଇଛି ନୀରବରେ । କିଏ ବୁଝିଛି ନା ଆକଳନ କରିଛି ତା'ର ଏସବୁ !

ଯେତେବେଳେ ଦେଖିବ ଗାଁ ଭିତରେ ବାଡ଼ି ଖଣ୍ଡେ ଧରି ଏପଟ ସେପଟ ହେଉଛି । - ' ଏ ଜୀବନ କ'ଣ ଛାଡି ଯାଉଛି ଏତେ ସହଜରେ ! ' ଏବେ ସବୁ ପ୍ରଶ୍ନରେ ତା'ର ଏଇ ଗୋଟିଏ ଉତ୍ତର । ନା ଜୀବନ ସରୁଛି , ନା ସରୁଛି ଚାଲିବାର ବାଟ । ଆହୁରି କ'ଣ କ'ଣ ଭୋଗିବାକୁ ତା' କପାଳରେ ଲେଖାଅଛି କେଜାଣି !ଦୁଆରେ ଦୁଆରେ ଯାଇ ଅଧିଆ ପଡିଛି ସେ । ଚାଲି ଚାଲି ଚଟି ଘୋରିଛି । ହେଲେ ତାକୁ ' ମୋ କୁଡିଆ ' ମିଳି ପାରିଛି ନା ମିଳି ପାରିଛି ରାସନ୍ କାର୍ଡ ! ବାର୍ଦ୍ଧକ୍ୟ ଭତ୍ତା ବି ଜୁଟି ନାହିଁ ତା' ଭାଗ୍ୟରେ ।

ଘରେ ବର୍ଷେ ହେଲା ତା'ର ଗେରସ୍ତ ବେମାର । ବେଳେବେଳେ ସେ କାହାକୁ କାହାକୁ ଦେଖିଲେ ତା'ର ମନ କଥା କହିବ କହିବ ହୁଏ । ହେଲେ ଉପରକୁ ଜଳଜଳ ହୋଇ ଚାହିଁ ରହିଥାଏ ସେମିତି । କିଛି କହିପାରେନି । ଏବେ ସେ ବୁଝୁଛି ତା'ର ଆଖି ଲୁହ ନିରର୍ଥକ । ଜୀବନରେ ତା'ର ଏ ଅବସ୍ଥା ଆଉ ସୁଧୁରିବାର ନାହିଁ । ସେ ଯେଉଁ ଗାତରେ ପଶିଛି ସେ ଗାତରୁ ମୁକୁଳିବାର ବାଟ କୁହୁଡିରେ ମଳିନ ପଡିଛି । ନା ନିଜେ ସେ କିଛି ଦେଖିପାରିବ , ନା ଦେଖିପାରିବ ତାକୁ ଆଉ କିଏ । ତା' ଭଙ୍ଗା ଘରଟିକୁ ସଜାଡି ଦେବାକୁ କେହି ଜଣେ ଆଗେଇ ଆସିଲେ ନାହିଁ । ଓ୍ବାର୍ଡମେମ୍ବର,ସରପଞ୍ଚ କହି ବୋଲି ଭୋଟ୍ ନେଇଗଲେ । ଖୁବ୍ ଦରଦ ଦେଖେଇଥିଲେ ସେମାନେ ସେଦିନ । ଚଣ୍ଡାଳ କିଛି ବି କଲେ ନାହିଁ । ଏବେ ଭଙ୍ଗା, ନୁଆଁଣିଆ, ସନ୍ତସନ୍ତିଆ ଘର ଭିତରେ ପଡି ରହି ଅବଶିଷ୍ଟ ଜୀବନ କାଟିବା ହିଁ ତା'ର ଭାଗ୍ୟ ।

ଯିଏ ଲଙ୍କାକୁ ଗଲା ସିଏ ହେଲା ଅସୁର । କିଏ ଶୁଣିଲା ତା'ର ଆପତ୍ତି !କିଏ ବୁଝିଲା ତା'ର ଦୁଃଖ, ଦୂରବସ୍ଥା !କିଏ ଭାଗୀଦାର ହେଲା କି ତା' କଷ୍ଟରେ !ଏବେ ସବୁବେଳେ ତା' ମନରେ ଏଇ ସବୁ କଥା ବସା ବାନ୍ଧି ରହିବା ପରି ରହିଛି ।

ହୃଦୟରେ ଧୋକକା,ତଥାପି ଭାବପ୍ରବଣ ସେ । ଆଖିରେ ଲୁହ ଭର୍ତ୍ତି, ତଥାପି କିଛି ଗୋଟେ ଖୋଜିବାରେ ଆଗ୍ରହ ତା'ର । ତା' ପାଦ ତଳେ ମାଟି ଅଛି, ପୁଣି ନାହିଁ । ତା' ଆଖି ପାଇଁ ଆକାଶ ଅଛି, ପୁଣି ନାହିଁ । ଯେଉଁଟି ଆରମ୍ଭ ସେଇଟି ଏବେ ତା' ପାଇଁ ଶେଷ । ତା'ର ସବୁ ସରାଗ ମରି ଯାଇଛି ।

ତା' ଘର ପାଲଟି ଯାଇଛି ହତାଦରର ଗୋଟେ ନର୍କକୁଣ୍ଡ । ସବୁ ହରେଇ ହରେଇ ଖଣ୍ଡେ ଚିରା ପଣତ ପରି ସେ ଏବେ ଖୁବ୍ ବେସାହାରା ଏଇ ଦୁନିଆରେ । ବେସାହାରା । ଏବେ ଲୁହଟି ତା'ର ସାଥି...ଲୁହଟି ତା'ର ସାଥି...କେବଳ ଲୁହଟି ହିଁ ତା'ର ସାଥି ।


Rate this content
Log in

Similar oriya story from Tragedy