STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ବାପା

ବାପା

4 mins
146


  ଅନିଚ୍ଛା ସତ୍ତ୍ଵେ ବି ଅନୁଷ୍ଠାନର ନିୟମ ଆଇନକୁ ସମ୍ମାନ ଦେଇ ରୌଦ୍ର ଆଜି ସବୁଦିନ ପାଇଁ ଅନ୍ତେବାସୀ ଆତ୍ମୀୟ ସାଙ୍ଗସାଥୀ ଭାଇମାନଙ୍କଠାରୁ ଗୁରୁକୁଳଙ୍କୁ ଶ୍ରୀପାଦ ତଳେ ଭକ୍ତି ଅର୍ଘ୍ୟ ଅଜାଡି ଦେଇ ଅନାଥାଶ୍ରମ ଛାଡି ଆସିଛି। ଆଉ କେତେଦିନ ବା ରହିଥାନ୍ତା ସେଠି, କେବେ ସେ ଅନାଥାଶ୍ରମକୁ ଆସିଥିଲା ଜାଣେନା। ଏଇ ଆଶ୍ରମରେ ସେ ନିଜକୁ ନିଜେ ଜାଣିଛି, ବୁଝିଛି। ଆଶ୍ରମର ପରିଚାଳକ ତଥା ଗୁରୁମାନଙ୍କ ସ୍ନେହ ଶ୍ରଦ୍ଧା ଆଦେଶ ନିର୍ଦ୍ଦେଶ ମାନି ନିଜକୁ ଗଢିଛି ଯଥା ସମ୍ଭବ।

  ଶୁଣିଛି ସେ ସେଇ ଆଶ୍ରମରେ ଅନେକଙ୍କ ମୁହଁରୁ, ସେ ଏକ ଜାରଜ ସନ୍ତାନ, କେଉଁ ଉତଶୃଙ୍ଖଳ ଯୁବକ କେଉଁ ଲଜ୍ୟାହୀନା ଯୁବତୀର ପ୍ରେମର ଫଳ ସ୍ଵରୂପ ସେ ଏକ ଅବାଞ୍ଛିତ ପାପ ରୂପେ ଆସିଛି ଆଲୋକକୁ... ଜନୈକ ସହୃଦୟବାନଙ୍କ ସହାୟତାରେ ଆସିଥିଲା ସେ ଆଶ୍ରମକୁ ଜନ୍ମ ହେବାର କେଇଦିନରେ । ସହରର ମଇଳା କୁଣ୍ଡରୁ କାନ୍ଦୁଥିଲା ରାହା ଧରି ଅସହାୟତାରେ। ଭାବିଲେ ସେ ଘଟଣା ରୌଦ୍ର ଦୁଃଖ ନ କରି ଉତ୍ତେଜିତ ହୋଇପଡେ, ଘୃଣାରେ ଭରିଯାଏ ତାର ସର୍ବାଙ୍ଗ। ସେ କ'ଣ ଅପରାଧ କରିଥିଲା, ତାର ବା ଦୋଷ କ'ଣ ଥିଲା, ଗୋଟିଏ ଜାରଜ ସନ୍ତାନ ହେବାରେ ତାର ଭୁଲ୍ କ'ଣ... ଏମିତି ଅନେକ ପ୍ରଶ୍ନର ଘେରରେ ସେ ଛନ୍ଦି ହୋଇଯାଏ। ଉତ୍ତର କିନ୍ତୁ ପାଏନି। ପାଇଛି ଲୋକଙ୍କଠୁ କେବଳ ଘୃଣା, ଅନେକ କରନ୍ତି ତାକୁ ତାଛଲ୍ୟ। ଏତେ ଶାରୀରିକ ତାଡ଼ନା ମାନସିକ ଯନ୍ତ୍ରଣା ଭୋଗୁଛି ସେ, ଅଥଚ ଯେଉଁ ଦୁଇଜଣଙ୍କ ହସଖୁସି ଆନନ୍ଦରୁ

ସେ ଏ ଦୁନିଆଁକୁ ଆସିଛି ହୁଏତ ସେମାନେ ଆଜି ମୁଖାପିନ୍ଧି କେଉଁ କୋଣରେ ବେଶ୍ ଆରାମରେ

ଥିବେ ପ୍ରତିଷ୍ଠିତ ହୋଇ ସମାଜର ମାଣ୍ୟଗଣ୍ୟ ଭାବରେ ଉଚ୍ଚ ପଦ ପଦବୀ କି ସମ୍ଭ୍ରାନ୍ତ ବଂଶଜର ଦାୟାଦ ରୂପ। ମହାଭାରତର କର୍ଣ୍ଣ ପରି ସେ ଆଜି ଏକ ଭିନ୍ନ ପରିଚୟର ମଣିଷଟିଏ।

  ଏଇ ଅନାଥାଶ୍ରମ ତାକୁ ଲାଳନପାଳନ କରି ଉଚ୍ଚ ଶିକ୍ଷା ଦେଇଛି। ସେଇଠି ସେ ପାଇଛି ମନଗଢା ସମ୍ପର୍କର ସ୍ୱାଦ, ଦେଖିଛି ନୂଆ ଏକ ଦୁନିଆଁ ରୂପ। ବାସ୍ତବ ଦୁନିଆଁଠାରୁ ସେ ସମ୍ପୂର୍ଣ୍ଣ ଅଲଗା। ଏକ ତ୍ୟାଗ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵର ମହନୀୟତା। ଏ ଆଶ୍ରମ ନ ଥିଲେ ହୁଏତ ସେ ମାଟିରେ ମିଶି ସାରନ୍ତାଣି। ମୁଣ୍ଡ ଟେକିଛି ଏଇ ଆଶ୍ରମ ପାଇଁ, ଏଠି ସମସ୍ତେ ତାର ଆପଣାର ହୃଦୟର ମନର ଆତ୍ମାର, ସଭିଙ୍କ ପାଖରେ ସେ କୃତଜ୍ଞା।

  ରୌଦ୍ର ଏବେ ସ୍ୱର୍ଣ୍ଣପଦକ ପାଇ ବିଶ୍ବ ବିଦ୍ୟାଳୟର ମେଧାବୀ ଛାତ୍ର ଭାବରେ ସାରା ଦେଶରେ ସୁପରିଚିତ। ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ତାକୁ ନିମନ୍ତ୍ରଣ କରୁଛନ୍ତି ଉଚ୍ଚ ପଦ ମର୍ଯ୍ୟାଦାର ସିଂହାସନରେ ଅଭିଷିକ୍ତ କରିବାକୁ। ସେ ଏଥି ମଧ୍ୟରୁ କୌଣସିଟିଏ ବାଛି ନେବା ପୂର୍ବରୁ ଆଉ ଥରେ ଅନୁଧ୍ୟାନ କରୁଛି ବାସ୍ତବ ଦୁନିଆଁର ରୂପ ରେଖକୁ, ଆଉ କୃତଜ୍ଞତା ଜ୍ଞାପନ କରିବାକୁ ପ୍ରତିଦାନ ରୂପରେ ସେ ଆଶ୍ରମକୁ କଣ ଦେବ ତାର ଉପହାର...।

  ବାପା ! ଶବ୍ଦଟିକୁ ଯେତିକି ଥର ଭାବି ମନକୁ ଆଣେ, ବିଶ୍ଳେଷଣ କରେ ପାଏନା ସେ ଶବ୍ଦର ସାର୍ଥକତା ଖୋଜି ତା ପଠିତ ଜ୍ଞାନରେ, ଅନୁଭବରେ କି ବାସ୍ତବ ଦୁନିଆଁରେ... ବାପା ଦୁଇ ଅକ୍ଷରର 'ଆ'କାର ଯୁକ୍ତ, ତାତ୍ତ୍ଵିକ ଜ୍ଞାନୀ କୁହନ୍ତି 'ବା' ବାୟୁର ପ୍ରତୀକ , 'ପା' ପାଣିର ପ୍ରତୀକ। ଏଇ ଦୁଇ ପ୍ରତୀକ ବାୟୁ ପାଣି ପଞ୍ଚଭୂତମାନଙ୍କ ମଧ୍ୟରେ ମୁଖ୍ୟ। ବାୟୁ ପାଣି ବିନା ଜୀବଜଗତ ତିଷ୍ଠି ପାରେନା, ସଂସାର ହସି ପାରେନା। ସେ ବାପା ଯାହାଙ୍କଠାରୁ ମିଳେ ବାୟୁ ଓ ପାଣିର ଅମୃତ, ଯିଏ

ଗଢି଼ ଦିଅନ୍ତି ସନ୍ତାନର ଉଜ୍ଜ୍ଵଳ ଭବିଷ୍ୟତ। ପୁନଶ୍ଚ ବାପା ସିଏ ଯିଏ କି ଉଦାରତାରେ ଆକାଶଠାରୁ

ଉର୍ଦ୍ଧରେ, ବିଶାଳତାରେ ସାଗରଠାରୁ ବଳି, ସହନଶୀଳନାରେ ହିମାଳୟଠାରୁ ବି ଅଧିକ... ଏ ସବୁ କେବଳ ପୁସ୍ତକ ଗତ ଆଳଙ୍କାରିକ ଶବ୍ଦ ସଂଯୋଜନାର ଆଡମ୍ବର ତା ପାଇଁ, ବାସ୍ତବ ଜୀବନ ସହିତ ମେଳ କରି ପାରେନା ଏ ପଠିତ ଜ୍ଞାନ ଓ ଅନୁଭବ। ବାପ ପଦଟି ତା ପାଇଁ ଅଭିଶପ୍ତ। ମାଆ ପ୍ରତି ଆସେ ଟିକିଏ ଦରଦ, କାହିଁକି ନା ନାରୀଟି ପୁରୁଷ ପ୍ରଧାନ ସମାଜରେ ବିଭିନ୍ନ ଦିଗରୁ ହୁଏ ପ୍ରତାରିତା। ଅବଶ୍ୟ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ମଧ୍ୟ ଅଛି। ନାରୀଟିଏ ସ୍ଥଳ ବିଶେଷରେ ସ୍ଵେଚ୍ଛାଚାରିଣୀ ହୋଇ ସମାଜରେ ଅରୁଚିକର ମର୍ଯ୍ୟାଦାହାନୀ କାରକ କର୍ମ କରେ। ତା ପାଇଁ କିନ୍ତୁ ବାପା ଅଧିକ ଘୃଣ୍ୟ, ସେ ଶୁଣିଛି ତା ମାଆ ତାକୁ ଜନ୍ମ ଦେଇ ଟଳି ପଡିଛି ମରଣ ମୁହଁରେ। ସେ ଶୁଣିଛି ତାକୁ ଯିଏ ଉଦ୍ଧାର କରିଥିଲେ ପାଖରେ ଏକ ସଦ୍ୟ ପ୍ରସୂତିର ପଡି଼ଥିବାରେ ଦେଖିଥିଲା। ସମ୍ଭବତଃ ସେ ହିଁ ରୌଦ୍ରର ମାଆ। ବିବଶରେ ତାକୁ ମଇଳା ଗଦାରେ ରଖି ଦେଇ ପଳେଇ ଯାଉଁ ଯାଉଁ ଶାରୀରିକ ଯନ୍ତ୍ରଣାରୁ ଚିକିତ୍ସା ନ ପାଇ ଟଳି ପଡିଛି। ତେଣୁ ବାପା ପ୍ରତି ତାର ବିଶେଷ ଘୃଣା।

  ଏବେ ବି ଦେଖୁଛି ଏ ସମାଜରେ ବାପାଙ୍କ ମନମାନୀ କେତେ, କିଏ ଗୁଡାଏ ପୁଅଝିଅର ଜନକ ହୋଇ ପାଳିବାକୁ ଅକ୍ଷମ ହେଉଛି, ନାବାଳକ ଶିଶୁ ଶ୍ରମିକ ଭାବରେ ଖଟାଇ ଅର୍ଥ ପାଉଛି, ନିଶାଗ୍ରସ୍ତ ହେଉଛି। ନାବିଳିକାକୁ ଅପ୍ରାପ୍ତ ବୟସରେ ବିବାହ ଦେଉଛି। କିଏ କିଏ ଶିଶୁ ସନ୍ତାନକୁ ମଧ୍ୟ ବିକ୍ରି କରି ଦେଉଛନ୍ତି। ପୁଣି ପୁତ୍ର କାମନା କରି କନ୍ୟା ଭୃଣ ହତ୍ୟା ମଧ୍ୟ କରୁଛନ୍ତି। ଏମିତି କେତେ ଜଘନ୍ୟ କରୁଣ ଘଟଣା ଘଟୁଛି ସମାଜରେ, ଅନୁଶୀଳନ କଲେ ସବୁର ଅନ୍ତରାଳେ ବାପା ଭୂମିକା ବେଶି। ତେବେ ଏ ବାପା ପାଳନକର୍ତ୍ତା ନା ଘାତକ, ଦ୍ୱନ୍ଦ୍ଵ ଆସେ ତା ମନରେ।

  ଅନେକ କ୍ଷେତ୍ରରେ ବାପାର ସହାୟତାରେ ତ୍ୟାଗ ନିଷ୍ଠା ଉଦ୍ୟମ ବଳରେ ପୁତ୍ରଟିଏ ସଫଳତାର ଶୀର୍ଷକୁ ପହଞ୍ଚିପାରୁଛି। ମାତ୍ର ପୁଅଟିଏ ଆତ୍ମନିର୍ଭରଶୀଳ ହେଲା ପରେ ଭୁଲି ଯାଉଛି ବାପାକୁ, ବୃଦ୍ଧାଶ୍ରମ ବା ଜରାନିବାସ ତାଙ୍କ ପାଇଁ ହେଉଛି ଶେଷ ଆଶ୍ରୟସ୍ଥଳୀ। ନେପଥ୍ୟରୁ ସ୍ଵର ଆସେ ବାପା ପୁଅର ମତାନ୍ତର ମନାନ୍ତର, କଣ ପାଇଁ ନା ପିଢି ପିଢି ମଧ୍ୟରେ ଅପୂରଣୀୟ ଶୂନ୍ୟସ୍ଥାନ। ବାଃ..ରେ ଉନ୍ନତ ସମାଜରେ ଚତୁର ମଣିଷର ବାକ୍ ଚାତୁରି। ଦୋଷ ନ ମୁଣ୍ଡାଇ ଦୋଷ ଅନ୍ୟ ଜଡତ୍ଵରେ ଲଦି ଦେବାର କି ଦୂରାଭିସନ୍ଧି, କପଟତା କରିବାର କି ଜଟିଳ ପ୍ରୟାସ।

  ଏଇ ବାପା ନ ଥାଇ କିଏ ଜାରକ ପୁଣି କିଏ ବାପା ହୋଇ ବି ନିଜ ବାପାକୁ କରେ ଧିକ୍କାର, ସମାଜ ବ୍ୟବସ୍ଥାରେ ହୁଏ ଦୁଃଖଦ ଯନ୍ତ୍ରଣାଦାୟକ। ସତରେ ପୁସ୍ତକରେ ଉଲ୍ଲେଖନୀୟ ବା ନାଟକ କି ଚଳଚ୍ଚିତ୍ରରେ ଅଭିନୀତ ବାପାର ଆଦର୍ଶ ଚରିତ୍ରଟିଏ ଏ ସଂସାରରେ ସତରେ ଅଛନ୍ତି। ତା ଜାଣିବାରେ ତ ସେ ଜାଣିନି। ହୁଏତ କେଉଁଠି ଥାଇ ପାରନ୍ତି। ଦେବ ଶକ୍ତିରୁ ଜନ୍ମି ମହାମାନବ ହୋଇ ସଂସାରକୁ ସଂସ୍କାରର ପଥରେ ନେଉଛନ୍ତି ସେମାନେ, ଯେମିତି କି ସେ ବଢିଥିବା ଆଶ୍ରମର ପରିଚାଳକ ସେ ଦିବ୍ୟ ପୁରୁଷ, ମହା ମାନବ। ବାପା ନ ହୋଇ ବି ଶହ ଶହ ସନ୍ତାନର ସେ ପାଳକ। ବାସ୍ତବ ଦୃଷ୍ଟାନ୍ତ ସେ। ମଦର୍ ତେରେସା ଆଜି ତାଙ୍କର ମହନୀୟ ତ୍ୟାଗ ସେବା ଯତ୍ନ ସାରା ବିଶ୍ୱକୁ ଦେଖାଇ ଚକିତ କରିଛନ୍ତି ମାଆ ରୂପରେ ସେ ଦେବୀ। ଚିର ବନ୍ଦନୀୟା ପୂଜ୍ୟନୀୟା ହୋଇଛନ୍ତି।

  ରୌଦ୍ର ହଠାତ୍ ନେପଥ୍ୟରୁ ଏକ ଶିଶୁର କରୁଣ କ୍ରନ୍ଦନ ଶୁଣିଲା, ତାର ଭାବନାକୁ ଭାଙ୍ଗି ସେଇଠି

ଦୌଡି ଗଲା ସେ ଦିଗକୁ। ପାଖରେ ଯାଇ ଦେଖିଲା ଶିଶୁଟିଏ କାନ୍ଦୁଛି। ପାଖ ଗଛ ମୂଳରେ ରୁଗ୍ଣ ଜରାଜିନ୍ନ ଲୋକଟି ପଡିଛି ଅଚେତ ଅବସ୍ଥାରେ... ଶିଶୁଟିକୁ କୋଳକୁ ଟେକି ନେଇ ଆଖି ଲୁହ ପୋଛି ଦେଲା। ପଚାରିଲା ଏ କିଏ...ତୁମର କିଏ, ପିଲାଟି କାନ୍ଦି କାନ୍ଦି କହୁଥାଏ ଅସ୍ପଷ୍ଟ ସ୍ୱରରେ... ବାପା, ମଦ ପି ମ...,ରୌଦ୍ର ବୁଝିଗଲା ମଦନିଶାରେ ଲୋକଟି ଅଚେତ ହେବା ଦେଖି ଭୟରେ କାନ୍ଦି ଉଠିଛି ତା ବାପାକୁ ଏମିତି ଦେଖି.......  ହାୟ,ହାୟ...ରେ ମଣିଷ, ସତରେ ଏ ମଣିଷ ବାପା ପରି ବାପାଟିଏ ହେବ କେବେ...?

  ରୌଦ୍ର ପୁଣି ମୁହାଁଇଲା ସେ ଅନାଥା ଆଶ୍ରମ ଆଡକୁ ଏ ବାପା ପୁଅର ବୋଝକୁ ମୁଣ୍ଡାଇ.....

 ସେ ଗଛରେ ବସିଥିବା ଚଢେଇଟି ଡେଣା ଫଡ୍ ଫଡ୍ କରି ଉଡିଗଲା ଶୂନ୍ୟ ଆକାଶକୁ......।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy