STORYMIRROR

Sachidananda Kar

Tragedy Others

4  

Sachidananda Kar

Tragedy Others

ବାପା ! ଶୀତ ଆସିଲାଣି

ବାପା ! ଶୀତ ଆସିଲାଣି

2 mins
392


        ଶୀତ ଆସିବାରୁ ବାପାକୁ ଚେତେଇ ଦେବାକୁ ଯାଇ ଝିଅ କହିଲା - ଥରେ ନୁହେଁ, ଦୁଇ ଚାରି ଥର। 


        ଶୀତ ଋତୁ ଅମଳର ଋତୁ। ଚାଷୀ ଧାନ କାଟେ ଓ ଅମଳ କରେ। ଆନନ୍ଦ ବିଭୋର ହୁଏ। 


        ସେ ଜଣେ ଚାଷୀ ହେଲେ କ'ଣ ହେବ,ଝିଅର କଥା ପରେ ପରେ ତା'ର ଚଷା ମନଟି ସେଆଡକୁ ଯାଇପାରିଲା ନାହିଁ।ନିଜ କ୍ଷେତରେ ପାଚିଥିବା ଧାନକୁ ଆଦୌ ମନେପକାଇ ପାରିଲାନାହିଁ ସେ।ବରଂ ତା'ର ମନଟା ଗୋଟେ ବ୍ୟକ୍ତିଗତ ଦୁଃଖରେ ହଜିଗଲା।ନିଜର ନପାରିଲାପଣ ନୀରସ କରିଦେଲା ତା' ନିଜକୁ।ଆଦୌ ଆନନ୍ଦ ବିଭୋର ହୋଇପାରିଲା ନାହିଁ। 


         କଥା କହିଦେଇ ଚାଲିଗଲା ଝିଅ।ପ୍ରତିକ୍ରିୟା ଜାଣିବାକୁ ତା'ର ଇଚ୍ଛା ନ ଥିଲା ଯେମିତି। 


         - " ଝିଅ କ'ଣ କହିଲା ବୁଝିପାରିଲଟି? " ପାଖକୁ ଚାଲି ଆସି ପ୍ରଶ୍ନ କଲା ତା'ର ସ୍ତ୍ରୀ। 


         - " ହଁ,ବୁଝି ପାରିବିନି କେମିତି?ଶୀତ ଆସିଲାଣି ମାନେ ବସନ୍ତ ଆସିବ।ବସନ୍ତ ଆସିଲେ ବିବାହ ଋତୁ ଆସିବ।ସାଙ୍ଗମାନେ ସବୁ ବାହାହୋଇ ଚାଲିଗଲେଣି।ମୁଁ ଆଉ କେବେ କନିଆଁ ହେବି?ଏଇକଥା କହୁଛି ସେ।ନା ତୁମେ ଆଉ ଅଲଗା କିଛି ବୁଝୁଛ ତା' କଥାରୁ? " ସେ ଜଣେ ବୁଝାସୁଝା ଲୋକ ଭଳି କହିଲା। 


         ଦୁଃଖ, ଅଭାବବୋଧର କଥା ବୁଝିବାକୁ ଶଦ୍ଦ ଲୋଡାପଡେନି।ଆପେ ଆପେ ବୁଝି ହୋଇଯାଏ।କେବେଠୁଁ ବସନ୍ତ ଛୁଇଁ ସାରିଲାଣି ଝିଅକୁ।ତେଣୁ ତା'ର ମନକଥା ଜଣେ ବାପା ହିସାବରେ ସେ ବୁଝି ପାରି ନ ଥାନ୍ତା କେମିତି! 


         - " ତାକୁ ପଚିଶ ପୂରିଲାଣି।ତୁମେ ତ ଦେଖୁଛ ଏ ଗାଆଁରେ ଝିଅଗୁଡାକ ଘରଯୋଗ୍ୟା ହେବା ମାତ୍ରେ ସେମାନଙ୍କର ବାପାମାନେ ସେମାନଙ୍କୁ ଉଠେଇ ଦେବାକୁ ବସୁଛନ୍ତି।କନିଆଁ ହୋଇ ନଇଁ ନଇଁ ବେଦୀକୁ ଯିବାକୁ ତା'ର କ'ଣ ମନ ହେଉ ନ ଥିବ! " ସ୍ତ୍ରୀ ପୁଣି କହିଲା। 


         ବୟସ ହୋଇ ନ ଥିଲେ ହେଁ ଅଭାବ କାରଣରୁ ସେ ବୁଢ଼ା ଭଳି ଦିଶେ।ବସନ୍ତ ଆସିଲେ ଝିଅକୁ ଦେଖି ନିଜର ଅଭାବୀ ସଂସାରରେ ଆହୁରି ସନ୍ତୁଳି ହୁଏ।ତାକୁ ବାହା ଦେଇ ପାରି ନ ଥିବାର ଦୁଃଖରେ ଭାରି ଦୁଃଖୀ ହୋଇପଡେ।ତା'ର ଦୀର୍ଘଶ୍ବାସ ଗୋଟିଏ ପରେ ଗୋଟିଏ ଉତୁରି ଯାଏ।


          ଶୀତ ଆସିଲାଣି।ବସନ୍ତ ଆସିବ। ବିବାହ ଋତୁ ଆସିଯିବ।ଝିଅର ବାହାଘର ପାଇଁ ଟଙ୍କା, ସୁନା,ଗାଡିର ଆୟୋଜନ କରିବାକୁ ହେବ।ନ ହେଲେ ତା'ର ବାହାଘର ହେବ କେମିତି? - ଏମିତି ଭାବିଲା ସେ।ତା'ର ଗୋଟିଏ ଦୀର୍ଘଶ୍ବାସ ଉତୁରିଗଲା। 


         - " ଏବର୍ଷ ଭଲ ବର୍ଷା ହୋଇଛି।ଫସଲ ଭଲ ହୋଇଥିବ। " ସ୍ତ୍ରୀ କହିଲା ଏତିକିବେଳେ। 


          - " ହଁ,ସବୁଥର ଭାବୁଛି ଏସନ ଫସଲ ଅମଳ ହେଲେ ଝିଅର ବାହାଘର କରିଦେବି ବୋଲି।ହେଲେ କ'ଣ କରିପାରୁଛି!ଲାଗୁଛି ସମୟଟା ଭଲ ନାହିଁ। ଏସନ କ'ଣ ହେଉଛି ଦେଖିବା। " ସେ କହିଲା। 


          - " ତାକୁ ଦେଖିଲେ ପରା ମୋ ଛାତି କରତି ହୋଇଯାଉଛି।ଯଦି ତୁମେ ସେତିକି ବୁଝିପାରୁଛ ତ ଭଲ ପିଲାଟିଏ ଦେଖି ତା'ର ବାହାଘର କରିଦିଅ।ତାକୁ ଆଉ ଚାହିଁହେଉନି।ଏଇ ବର୍ଷ ଯଦି ତା' ମୁଣ୍ଡରେ ଦୂବଚାଉଳ ନ ପଡିଲା ତେବେ ଆମେ ସାହିଭାଇରେ ମୁହଁ ଦେଖାଇ ପାରିବାନି। " ସ୍ତ୍ରୀ ପୁଣି କହିଲା। 


          କୁଆଡ଼େ ଯାଇଥିଲା କେଜାଣି ଝିଅ ଫେରି ଆସି ପହଞ୍ଚିଲା ଏତିକିବେଳେ।କହିଲା - " ବାପା! ଏବର୍ଷ ଶୀତ ଆସିବନି ବୋଧେ। " 


          - " ଶୀତ ଆସୁ କି ନ ଆସୁ,ବସନ୍ତ ଆସିବ ନିଶ୍ଚୟ।ଭଲ ବର୍ଷା ହୋଇଥିବାରୁ ଏବର୍ଷ ଭଲ ଫସଲ ହୋଇଛି।ମୁଁ ଯେମିତି ହେଲେ ଏଥର ତୋର ବାହାଘର କରିଦେବି ଭାବୁଛି। " ଝିଅକୁ କହିଲା ସେ। 


          ସୁଖର କଥା।ଲାଜେଇଗଲା ଝିଅ।ପ୍ରସଙ୍ଗ ଅନ୍ୟ ଆଡକୁ ନେଇଯିବା ଉଦ୍ଦେଶ୍ୟରେ ମାଆକୁ ଚାହିଁ କହିଲା - " ମା'!ଏବର୍ଷ ମୁଁ ଧାନ କଟାକଟିରେ ବାପାଙ୍କୁ ସାହାଯ୍ୟ କରିବି।" ଏହାପରେ ସେ ଖୁବ୍ ଅନ୍ୟମନସ୍କ ହୋଇଗଲା। 


          - " ଏବର୍ଷ ବର୍ଷା ଭଲ ହୋଇଛି।ଫସଲ ବି ଭଲ ହୋଇଛି।କରିପାରନ୍ତି କି ଝିଅର ବାହାଘରଟା! " ଏମିତି ଭାବି ଭାବି ସେ ମଧ୍ୟ ଖୁବ୍ ଅନ୍ୟମନସ୍କ ହୋଇଗଲା। 


          - " ବାପା!ଶୀତ ଆସିଲାଣି। " 


          ତା' କାନ ପାଖରେ ବାରମ୍ବାର ଶୁଭୁଥିଲା ତା'ର ଝିଅ ତାକୁ ଚେତେଇ ଦେବାକୁ ଯାଇ କହିଥିବା ଏଇ କଥା ପଦିକ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy