STORYMIRROR

Sachidananda Kar

Tragedy

4  

Sachidananda Kar

Tragedy

ବାପା ନ ଥିଲେ ବୋଲି

ବାପା ନ ଥିଲେ ବୋଲି

2 mins
1.0K

 ବାପାଙ୍କ ସାଥିରେ ପୁରୀ ବୁଲିଯିବାରେ ଗୋଟେ ନିଆରା ଆନନ୍ଦ ଥାଏ। " ମୁଁ ଗାଡି ବରାଦ କରିଛି।ଆମେ ସବୁ କାଲି ପୁରୀ ଯିବା। " ବାପା କହନ୍ତି।ବାସ୍,ଏଇଠୁ ଆରମ୍ଭ ହୋଇଯାଏ ଆମର ଖୁସି, ଆନନ୍ଦ।  ଆମେ ସବୁ କେତେବେଳେ ବାହାରିବୁ,କିଏ କ'ଣ ପିନ୍ଧିବ, ସାଙ୍ଗରେ କ'ଣ କ'ଣ ନିଆଯିବ - ଏଇସବୁ ବାବଦରେ ଘରେ ଘମାଘୋଟ ଆଲୋଚନା ଆରମ୍ଭ ହୋଇଯାଏ। ଚୁପ୍ ବସି ରହିଥାନ୍ତି ବାପା।ମୁର୍କି ମୁର୍କି ହସି ଆମ ଖୁସି ଦେଖୁଥାନ୍ତି।ଶେଷରେ ନିଷ୍ପତ୍ତି ଶୁଣାଇଦିଅନ୍ତି ସେ।ଆମେ ସବୁ ତାଙ୍କ ନିଷ୍ପତ୍ତି ମାନିନେଉ।ତା' ପରେ ନିଜ ନିଜ କାମରେ ଲାଗିଯାଉ। 

          ଯେଉଁଦିନ ଯାଉ ସେଦିନ ଘରୁ ବାହାରି ପୁରୀରେ ପହଞ୍ଚିବାଯାଏ ଆମର କଥା ଲାଗିଥାଏ ଯେ ଲାଗିଥାଏ।ଆଦୌ ଛିଣ୍ଡେନି।ଆମେ ସବୁ ଖୁସିରେ ଖୁସିରେ ଆକାଶରେ ଉଡୁଥାଉ ସେତେବେଳେ। 

         ପୁରୀରେ ପହଞ୍ଚିଗଲେ ଯୋତା ଷ୍ଟାଣ୍ଡ ଓ ମୋବାଇଲ ଷ୍ଟାଣ୍ଡକୁ ଆମକୁ ଯିବାକୁ ପଡେନି।ଆମ ଯୋତା ଓ ମୋବାଇଲ ସବୁକୁ ସେ ଆଗ୍ରହର ସହିତ ନେଇ ରଖିଦିଅନ୍ତି ସେଠାରେ। 

         ଆମେ ମନ୍ଦିର ଯାଉ।ଠାକୁରଙ୍କୁ ଦର୍ଶନ କରୁ।ଆମ ପଛେ ପଛେ ଥାଆନ୍ତି ସେ।ତା' ପରେ ଆମ ସମସ୍ତଙ୍କୁ ଧରି ସେ ଆନନ୍ଦ ବଜାରକୁ ଆସନ୍ତି।କଦଳୀପତ୍ର,ଲୁଣ, ଲଙ୍କା,ଲେମ୍ବୁ - ସବୁ ସେ ଘରୁ ନେଇଥାନ୍ତି।ସେଇଠି ଆମେ ଏକାଠି ହୋଇ ବସି ଅବଢ଼ା ଖାଉ।କିଏ କ'ଣ ଆଉ ଖାଇବ ମଝିରେ ମଝିରେ ଆମକୁ ଚାହିଁ ପଚାରୁଥାନ୍ତି ସେ। 

         ତା' ପରେ ଆମର କିଣାକିଣି ଆରମ୍ଭ ହୁଏ।ଆଗ ଖଜା ଭୋଗ କିଣାଯାଏ।ଆମେ ସବୁ ବଡଦାଣ୍ଡକୁ ଚାଲିଆସୁ।ବାପା ସେଠାରୁ କେଇ ବିଡା ବଳିତା କିଣନ୍ତି।ସେଇଠୁ କିଏ କ'ଣ କିଣିବ ବୋଲି ଆମକୁ ପଚାରନ୍ତି ସେ।ଯିଏ ଯାହା ଚାହେଁ ତାକୁ ତାହା କିଣିଦିଅନ୍ତି।କେବେ ମନା କରନ୍ତିନି। 

          ବଡଦାଣ୍ଡରେ କିଛି ସମୟ ବୁଲାବୁଲି କରି ଆମେ ସବୁ ସମୁଦ୍ରକୂଳକୁ ଚାଲିଆସୁ।ଆମ ପଛେ ପଛେ ଥାଆନ୍ତି ଆମ ବାପା।ସମୁଦ୍ର ଢେଉକୁ ପାଦ ବଢାଇଲାବେଳେ ଆମ ହାତ ଧରି ବାରଣ କରନ୍ତି।ଆମକୁ ମଜା ଲାଗେ।ଆମେ ତାଙ୍କ ବାରଣ ନ ମାନି ସମୁଦ୍ର ଢେଉର ମଜା ଉଠାଉ।ହସି ହସି ଗଡିଯାଉ। 

          କେବେ ବି ସେ ଛାଡନ୍ତିନି ଆମ ହାତ।ସେ ଜଣେ ବାପା।ପିଲାଙ୍କ ହାତ ଛାଡିଦେଇ ଏକୁଟିଆ ଚାଲିବାର ଦୁଃଖ କଷ୍ଟ ତାଙ୍କୁ ଜଣା।ଆମ ଭୁଲ୍ ଦେଖି କେବେ ବି ସେ ଗାଳି ଦିଅନ୍ତିନି ଆମକୁ।ବରଂ ହସି ହସି କ୍ଷମା କରିଦିଅନ୍ତି।କାରଣ ସେ ଜଣେ ବାପା। 

          ବାପାମାନେ ଏମିତି - ଆମେ ବୁଝୁ।ସେ ଆମ ସାଙ୍ଗରେ ଥିଲେ ଆମର ସବୁକିଛି ଥିଲା ଭଳି ଆମକୁ ଲାଗେ।ଆମ ଖୁସି ଆକାଶକୁ ଛୁଏଁ। 

          ସେଦିନ ଆମେ ସବୁ ପୁରୀ ବାହାରିଲୁ।ସେ ଆମ ସହିତ ଥିଲେ।ଆମେ ସବୁ ଗୋଟିଏ ଗାଡିରେ ସାଙ୍ଗ ହୋଇ ବାହାରିଥିଲୁ।ବାଟ ସାରା ଆମେ ସବୁ ଚୁପ୍ ଥିଲୁ।ଆଦୌ ଖୁସି ଲାଗୁ ନ ଥିଲା କି ଆମେ ସବୁ ଆକାଶରେ ଉଡି ପାରୁ ନ ଥିଲୁ। 

          ପୁରୀରେ ପହଞ୍ଚିଲେ ଯାହା ସବୁ ହୁଏ ତାହା ବି ଆଦୌ ହୋଇ ପାରି ନ ଥିଲା ସେଦିନ।ଆମେ ସବୁ ସିଧା ସ୍ବର୍ଗଦ୍ବାରକୁ ଯାଇଥିଲୁ।ସ୍ବର୍ଗଦ୍ବାରକୁ ଶବଦାହ କରିବାକୁ ଯାଇଥିବା ମଣିଷକୁ ଶ୍ରୀମନ୍ଦିର ମନା ଥାଏ। 

          ସ୍ବର୍ଗଦ୍ବାରରେ ବାପାଙ୍କ ଜୁଇ ଜଳିଲା।ସମୁଦ୍ରକୂଳରେ ଆମେ ସବୁ ଠିଆ ହୋଇ ରହିଲୁ କେବଳ।ନା ଥିଲା ସମୁଦ୍ର ଢେଉକୁ ଛୁଇଁବାର ଇଚ୍ଛା ନା ଥିଲେ କେହି ଆମକୁ ବାରଣ କରିବାକୁ ସେଦିନ।କିଛି ସମୟ ମଧ୍ୟରେ କେତେ ମୁଠା ପାଉଁଶରେ ପରିଣତ ହୋଇଗଲେ ଆମ ବାପା। 

           କାମ ସାରି ଆମେ ସବୁ ଫେରିଲୁ।ହେଲେ ତାଙ୍କୁ ସେଦିନ ପୁରୀରେ ଛାଡିଦେଇ ଆସିଥିଲୁ।ଫେରିଲାବେଳକୁ ସେ ଆଉ ଆମ ସାଙ୍ଗରେ ଗାଡିରେ ନ ଥିଲେ।ସେଦିନ ସେ ଆଉ ଫେରିଲେ ନାହିଁ ଆମ ସହିତ। 

           ବାପାମାନେ ହାତ ଧରନ୍ତି ଯେମିତି ଛାଡିଦିଅନ୍ତି ବି ସେମିତି।ନିଜର କରନ୍ତି ଯେମିତି ପର କରି ଚାଲିଯାଆନ୍ତି ବି ସେମିତି।ଏବେ ଏଇ ଅନୁଭବ ଆମମାନଙ୍କ ମନରେ ଖେଳୁଥିଲା।ଘରେ ପହଞ୍ଚି ଆମେମାନେ ଖୁବ୍ ଏକୁଟିଆ ହୋଇ ଯାଇଥିଲୁ। ଖୁବ୍। 

           ଏହାପରେ ଆମର ପୁରୀ ଯିବା ବନ୍ଦ ହୋଇ ନ ଥିଲା।ନିୟମିତ ବ୍ୟବଧାନରେ ପୁରୀ ଯାଉଥିଲୁ ଆମେ।ହେଲେ ଗାଡି ଯୋଗାଡ କରିବା ଠାରୁ ଆରମ୍ଭ କରି ପୁରୀରୁ ଅବଢ଼ା,ଖଜା,ବଳିତା ଆଦି କିଣି ଘରକୁ ଫେରିବା ଯାଏ ସବୁ କାମ ଆମକୁ ହିଁ କରିବାକୁ ପଡୁଥିଲା। ବାପା ନ ଥିଲେ ବୋଲି

ବାପାମାନେ କ'ଣ ଜଣେ ଜଣେ ଏକାନ୍ତ ମଣିଷ ! ଏମିତି ଏକଲା କରି ଚାଲିଯାଆନ୍ତି ।


Rate this content
Log in

Similar oriya story from Tragedy