STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାଲ୍ମିକୀ ଆଶ୍ରମରେ ପ୍ରଭୁ ଶ୍ରୀରାମ

ବାଲ୍ମିକୀ ଆଶ୍ରମରେ ପ୍ରଭୁ ଶ୍ରୀରାମ

3 mins
330


ପ୍ରଭୁ ଶ୍ରୀରାମ ବନବାସପଥରେ ମିତ୍ର ନିଷାଦ ରାଜ ଗୁହଙ୍କ ସାହାଯ୍ୟରେ ଗଙ୍ଗା ପାର ହୋଇ ଆରପାରି ଗଙ୍ଗା ଯମୁନାର ସଙ୍ଗମ ସ୍ଥଳୀ ପ୍ରୟାଗରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପହଁଚିଲେ l ଭରଦ୍ୱାଜଙ୍କ ଆଶ୍ରମରେ ରାମ, ଲକ୍ଷ୍ମଣ, ସୀତା, ରାତ୍ରି ଯାପନ କରି ପରଦିନ ପ୍ରଭାତରେ ଯମୁନା ନଦୀ ପାର ହୋଇ ମୁନିଙ୍କ ନିର୍ଦ୍ଦେଶିତ ଚିତ୍ରକୁଟ ଅଭିମୁଖେ ଯାତ୍ରା କଲେ l

ତପସ୍ୱୀ ବେଶରେ ସର୍ବାଗ୍ରେ ଶ୍ରୀରାମ ଏବଂ ପଛରେ ଲକ୍ଷ୍ମଣ ଚାଲିଥାନ୍ତି l ମଝିରେ ସୀତା ବ୍ରହ୍ମ ଏବଂ ଜୀବ ମଧ୍ୟରେ ମାୟାଭଳି ଶୋଭା ପାଉଥାନ୍ତି l ଏପରି ଚାଲୁ ଚାଲୁ ପ୍ରଭୂ ଶ୍ରୀରାମ କଲେ ଯେ ସୀତା କ୍ଳାନ୍ତହୋଇ ପଡିଲେଣି l ତେଣୁ ଅଳ୍ପ ଦୂରରେ ଦେଖା ଯାଉଥିବା ଏକ ବଟ ବୃକ୍ଷର ଶୀତଳ ଛାୟାରେ ସେମାନେ ବିଶ୍ରାମ କଲେ l ସେହିଠାରେ ସେମାନେ କନ୍ଦ ଫଳ ମୂଳ ଖାଇ ରାତ୍ରି ଯାପନ କଲେ l ପରଦିନ ପ୍ରଭାତରୁ ସେମାନେ ସ୍ନାନ ଶୌଚାଦି ସାରି ପୁନଃ ଯାତ୍ରା ଆରମ୍ଭ କଲେ l ଝରଣା ବନ ପର୍ବତର ଶୋଭା ଦେଖି ଚାଲୁ ଚାଲୁ ସେମାନେ ଯାଇ ମୁନି ବାଲ୍ମିକୀଙ୍କ ଆଶ୍ରମରେ ପହଞ୍ଚି ଗଲେ l

ସେହି ଆଶ୍ରମଟି ଅତି ସୁନ୍ଦର ହୋଇଥାଏ l ସେଠାରେ ବନ ପର୍ବତ ନଦୀ ରମଣୀୟ ଶୋଭା ଧାରଣ କରିଥାଏ l ବାଲ୍ମୀକି ମୁନିଙ୍କ ଆଶ୍ରମର ଶୋଭା ବର୍ଣ୍ଣନା କରି ଗୋସ୍ୱାମୀ ତୁଳସୀ ଦାସ ଲେଖିଲେ:-

  ସରନି ସରୋଜ ବିଟପ ବନ ଫୁଲେ l

   ଗୁଂଜତ ମଞ୍ଜୁ ମଧୂପ ରସ ଭୁଲେ ll

  ଖଗ ମୃଗ ବିପୁଲ କୋଲାହଲ କରହିଁ l

  ବିରହିତ ବୈର ମୁଦିତ ମନ ଚରହିଁ ll

ଶ୍ରୀରାମ ଆଶ୍ରମର ଶୋଭା ଦେଖି ଆନନ୍ଦିତ ହୋଇ ଗଲେ l ଶ୍ରୀରାମ ଆସିଛନ୍ତି ଜାଣି, ମହର୍ଷି ବାଲ୍ମୀକି, ତାଙ୍କୁ ପାଛୋଟି ନେବାକୁ ଆଗେଇ ଆସିଲେ l ବିପ୍ର ପ୍ରିୟ ଶ୍ରୀରାମ ମୁନିଙ୍କୁ ଭକ୍ତି ଭରେ ଦଣ୍ଡବତ କଲେ l ମୁନି ସେମାନଙ୍କୁ ସମ୍ମାନର ସହିତ ଆଶ୍ରମକୁ ଘେନି ଗଲେ l ଆଶ୍ରମରେ ବାଲ୍ମୀକି ମଧୁର କନ୍ଦ ଫଳମୂଳ ମଗାଇ ସେମାନଙ୍କ ସତ୍କାର କରି ବିଶ୍ରାମ କରିବାକୁ କହିଲେ l ଶ୍ରୀରାମଙ୍କ ମଙ୍ଗଳମୟ ମୂର୍ତ୍ତିକୁ ବାଲ୍ମୀକି ଦର୍ଶନ କରି ତାଙ୍କ ମନ ଆନନ୍ଦରେ ପୁଲକିତ ହୋଇ ଉଠିଲା l ସେ ନିଜକୁ ଅହୋଭାଗ୍ୟ ମନେ କଲେ l

ଏହା ପରେ ଶ୍ରୀରାମ ହସ୍ତ ଯୋଡ଼ି ମହର୍ଷି ବାଲ୍ମୀକିଙ୍କୁ କହିଲେ, ହେ ମୁନିଶ୍ରେଷ୍ଠ ! ଆପଣ ତ୍ରିକାଳ ଦର୍ଶୀ l ସମ୍ପୂର୍ଣ୍ଣ ଚରାଚର ବିଶ୍ଵର କଥା ଆପଣଙ୍କୁ ଗୋଚର l ଆପଣ ଜାଣନ୍ତି, ମାତା କୈକେୟୀ, କିପରି ମୋତେ ବନବାସ ଦେଲେ l ହେ ଭଗବନ୍, ପିତ୍ରାଜ୍ଞା ପାଳନ, ମାତାଙ୍କ ହିତସାଧନ, ଭରତ ପରି ଭାଇର ରାଜପଦ ଲାଭ,ସର୍ବୋପରି ଆପଣଙ୍କ ଦର୍ଶନ ଏସବୁ ହେଉଛି ମୋର ପୁଣ୍ୟଫଳ l ହେ ମୁନିବର ଆପଣଙ୍କ ଚରଣ ଦର୍ଶନ କରି ଆମକୁ ସକଳ ପୂଣ୍ୟ ଫଳ ମିଳି ଗଲା l ଆମେ ଯେପରି ମୁନିମାନଙ୍କର ଉଦବେଗର କାରଣ ନହେବୁ ସେହିପରି ଏକ ସ୍ଥାନ କହି ଦିଅନ୍ତୁ ଯେଉଁଠି ଆମେ ତୃଣ ଓ ପତ୍ରର କୁଟୀରଟିଏ ନିର୍ମାଣ କରି କିଛି କାଳ ବାସ କରିବୁ l 

ବାଲ୍ମିକୀ କହିଲେ,

ଆପଣ ବେଦ ମର୍ଯ୍ୟାଦା ରକ୍ଷକ ଜଗଦୀଶ୍ୱର l ସୀତା ଆପଣଙ୍କ ସ୍ୱରୁପଭୂତ ମାୟା l ଯେଉଁ ସହସ୍ର ଶିରଧାରୀ ସର୍ପରାଜ ପୃଥିବୀକୁ ନିଜ ମସ୍ତକରେ ଧରିଥାନ୍ତି ସେହି ଶେଷଦେବ ହିଁ ଲକ୍ଷ୍ମଣ l ଦେବତାଙ୍କ କାର୍ଯ୍ୟ ପାଇଁ ଆପଣମାନେ ରାଜ ଶରୀର ଧାରଣ କରି ରାକ୍ଷସ ମାନଙ୍କ ବିନାଶ ପାଇଁ ବାହାରିଛନ୍ତି l ଆଉ ଆପଣ ପୁଣି ମୋତେ ପଚାରୁଛନ୍ତି ମୁଁ କେଉଁଠି ରହିବି l ଆପଣ କେଉଁଠି ନାହାଁନ୍ତି ମୋତେ ସେହି ସ୍ଥାନଟି ଆଗେ କୁହନ୍ତୁ ତାପରେ ମୁଁ ଆପଣଙ୍କ ରହିବା ପାଇଁ, ସ୍ଥାନ କହିଦେବି l ଯେଉଁମାନେ ବଡ଼ ବଡ଼ ନଦୀ, ସମୁଦ୍ର ଓ ହ୍ରଦ ମାନଙ୍କୁ ନିରାଦର କରି ଆପଣଙ୍କ ସୌନ୍ଦର୍ଯ୍ୟ ରୂପୀ ମେଘର ଗୋଟିଏ ମାତ୍ର ଜଳବିନ୍ଦୁରେ ସୁଖି ହୋଇ ଯାଆନ୍ତି, ହେ ରଘୁନାଥ ! ଆପଣ ସେହି ମାନଙ୍କ ହୃଦୟରେ ଅନୁଜ ଲକ୍ଷ୍ମଣ ଓ ସୀତାଙ୍କ ସହିତ ବାସ କରନ୍ତୁ l ଏପରି ମହର୍ଷି ପ୍ରଭୁ ଶ୍ରୀରାମଙ୍କ ବହୁ ପ୍ରେମ ପୂର୍ଣ୍ଣ ସ୍ତୁତି କରି କହିଲେ, ହେ ସୂର୍ଯ୍ୟବଂଶର ସ୍ଵାମୀ ! ମୁଁ ଆପଣଙ୍କୁ ଏଥର ନିବାସ ପାଇଁ ଏକ ଖୁବ୍ ସୁଖପ୍ରଦ ସ୍ଥାନ କହି ଦେଉଛି l ଆପଣ ସେହିଠାରେ ନିବାସ କରନ୍ତୁ l 

ସେହି ସ୍ଥାନଟିହେଉଛି ହସ୍ତୀ ସିଂହ ଓ ପକ୍ଷୀ ମାନଙ୍କ ବିହାରସ୍ଥଳୀ ସୁରମ୍ୟ ଚିତ୍ରକୁଟ ପର୍ବତ l ସେଠାରେ ଆପଣଙ୍କ ନିମନ୍ତେ ସକଳ ପ୍ରକାର ସୁବିଧା ରହିଛି l ସେଠାରେ ଏକ ପୁରାଣପ୍ରସିଦ୍ଧ ନଦୀ ବହି ଯାଉଛି l ତାହାର ନାମ ମନ୍ଦାକିନୀ, ସେହି ନଦୀ ଦେବନଦୀ ଗଙ୍ଗାର ଗୋଟିଏ ଧାରା l ସକଳ ପାପ ବିନାଶିନୀ ସେହି ନଦୀକୁ ନିଜ ତପବଳରେ ଅତ୍ରୀ ମୁନିଙ୍କ ସ୍ତ୍ରୀ ଅନସୂୟା ସେଠାକୁ ଆଣି ଥିଲେ l ସେଠାରେ ଅତ୍ରୀ ଆଦି ବହୁ ଶ୍ରେଷ୍ଠ ମୁନି ସାଧନା କରୁଛନ୍ତି l ଆପଣ ସେଠାକୁ ଯାଇ, ସମସ୍ତଙ୍କ ସାଧନା ସଫଳ କରନ୍ତୁ l ପର୍ବତଶ୍ରେଷ୍ଠ ଚିତ୍ରକୁଟକୁ ବି ଗୌରବାନ୍ଵିତ କରନ୍ତୁ l ବାଲ୍ମୀକିଙ୍କ ଠାରୁ ଚିତ୍ରକୁଟର ଅପାର ମହିମା ଶୁଣି ରାମ ଲକ୍ଷ୍ମଣ ସୀତା ସେଠାକୁ ଯାଇ ମନ୍ଦାକିନୀରେ ସ୍ନାନ କଲେ l ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ତୁମେ ଏହି ସୁନ୍ଦର ଘାଟ ପାଖରେ କେଉଁଠି ଆମ ରହିବାର ବ୍ୟବସ୍ଥା କର l ଲକ୍ଷ୍ମଣ ମନ୍ଦାକିନୀ ନଦୀର ଉତ୍ତର କୂଳରେ ଗୋଟିଏ ଉଚ୍ଚ ସ୍ଥାନକୁ ଦେଖାଇ କହିଲେ, ସେହି ସ୍ଥାନଟିର ଚତୁର୍ଦ୍ଦିଗରେ ଏକ ନାଳ ଧନୁପରି କୁଟିଳ ଗତିରେ ବହିଯାଇଛି l ସେହି ସ୍ଥାନଟି ଆମ ରହିବା ପାଇଁ ଉପଯୁକ୍ତ ସ୍ଥାନ ହେବ l 

ଲକ୍ଷ୍ମଣଙ୍କ ନିର୍ଦ୍ଦେଶିତ ସ୍ଥାନଟିକୁ ଦେଖି ଶ୍ରୀରାମ ବହୁ ଖୁସି ହେଲେ l ସ୍ଥାନଟି ଶ୍ରୀରାମଙ୍କ ପସନ୍ଦ ହୋଇଛି ଜାଣି ପାରି ସମସ୍ତ ଦେବତା ମାନେ କୋହ୍ଲ କିରାତ ବେଶରେ ଆସି ପହଞ୍ଚି ଗଲେ l ସେମାନେ ସମସ୍ତେ ମିଶି ଘାସ ଓ ପତ୍ରରେ ଗୋଟିଏ ସାନ ଓ ଗୋଟିଏ ବଡ଼ କୁଟୀର ତିଆରି କରି ଦେଲେ l ଅତି ଆନନ୍ଦରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ସହ ସେହି ପର୍ଣ୍ଣ କୁଟୀରରେ ନିବାସ କଲେ l

       !!! ଜୟ ଶ୍ରୀରାମ !!!

         


Rate this content
Log in

Similar oriya story from Inspirational