STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଖର, ଦୂଷଣ ଓ ତ୍ରିଶିରା ବଧ

ଖର, ଦୂଷଣ ଓ ତ୍ରିଶିରା ବଧ

4 mins
209


     

ପଞ୍ଚବଟୀରେ ପ୍ରଭୁ ଶ୍ରୀରାମଙ୍କ ନିର୍ଦ୍ଧେଶରେ ଲକ୍ଷ୍ମଣ ରାକ୍ଷସୀ ଶୂର୍ପଣଖାର ନାସା କର୍ଣ୍ଣ ଚ୍ଛେଦନକରି ଛାଡ଼ି ଦେଲେ l ରକ୍ତ ଜୁଡୁବୁଡୁ ଶୁର୍ପଣଖା କରୁଣ ଚିତ୍କାର କରି ଭାଇ ଖର ପାଖରେ ଯାଇ ଭୂମି ଉପରେ ପଡ଼ି ଗଲା l କୁରୂପା ଭଉଣୀକୁ ଦେଖି ଖର ଗର୍ଜନ କରି କହିଲା, କହ, କିଏ ତୋତେ ଏପରି ବିରୂପ କଲା l 

ଶୂର୍ପଣଖା କାନ୍ଦି କାନ୍ଦି କହିଲା, ଏହି ବନରେ ଜଟା ବକ୍କଳ ଧାରଣ କରି ରାମ ଲକ୍ଷ୍ମଣ ଦୁଇ ଭାଇ ମୁନି ବେଶରେ ନିବାସ କରୁଛନ୍ତି l ତାଙ୍କ ସହ ଗୋଟିଏ ସୁନ୍ଦରୀ ସ୍ତ୍ରୀ ରହୁଛି l ସେହି ମାନେ ହିଁ ମୋର ଏପରି ଦଶା କରିଛନ୍ତି l ସେହି ଦୁଇଭାଇ ଦେଖିବାକୁ ଖୁବ୍ ସୁନ୍ଦର ଓ ରାଜ ଲକ୍ଷଣ ଯୁକ୍ତ l ସେମାନେ ମନୁଷ୍ୟ ନା ଦେବତା ମୁଁ କହିପାରୁ ନାହିଁ l

ଖର ଅତି କ୍ରୁଦ୍ଧ ହୋଇ ତାର ଚଉଦ ଜଣ ବଳବାନ୍ ରାକ୍ଷସଙ୍କୁ ଡାକି ନିର୍ଦ୍ଦେଶଦେଲା ତୁମେ ଶୀଘ୍ର ଯାଇ ସେହି ମୁନିବେଶ ଧାରୀ ଦୁଇ ଜଣଙ୍କୁ ଏଵଂ ସେହି ସୁନ୍ଦରୀ ନାରୀକୁ ହତ୍ୟା କର l ଭଉଣୀ ଶୂର୍ପଣଖା ସେମାନଙ୍କ ରୁଧିର ପାନ କରିବ l ଶୂର୍ପଣଖା ସେହି ରାକ୍ଷସ ମାନଙ୍କୁ ନେଇ ରାମଙ୍କ କୁଡ଼ିଆ ନିକଟରେ ପହଁଚିଲା ଓ ସେମାନଙ୍କୁ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ଚିହ୍ନେଇ ଦେଲା l ରାକ୍ଷସ ମାନଙ୍କୁ ଦେଖି ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ତୁମେ ସୀତାଙ୍କ ପାଖରେ ବସି ରୁହ,ମୁଁ ଏ ରାକ୍ଷସ ମାନଙ୍କୁ ନିପାତ କରୁଛି l

ଏମିତି କହି ରାମ ଧନୁ ଉତ୍ତୋଳନ କରି ରାକ୍ଷସଙ୍କୁ କହିଲେ, ଆମେମାନେ ମହାରାଜ ଦଶରଥଙ୍କ ପୁତ୍ର ରାମ ଓ ଲକ୍ଷ୍ମଣ l ସୀତାଙ୍କ ସହିତ ଏଠାରେ ବାସ କରୁଛୁ l ଆମେମାନେ ବ୍ରହ୍ମଚାରୀ ଫଳମୂଳାହାରୀ ତପସ୍ୱୀ l ଏହି ବନରେ ୠଷିମାନଙ୍କୁ ରକ୍ଷା କରିବା ଏବଂ ତୁମପରି ଦୁଷ୍ଟ ମାନଙ୍କୁ ନିପାତ କରିବା ପାଇଁ ହାତରେ ଧନୁର୍ବାଣ ଧରିଛୁ l ଜୀବନରେ ଆଶା ଅଛି ତ ଶୀଘ୍ର ଏଠାରୁ ଚାଲିଯାଅ l

ରାକ୍ଷସ ମାନେ କହିଲେ, ଆମେ ସବୁ ରାକ୍ଷସ ପତି ଖରଙ୍କ ଦୂତ l ତୁମେ ଏକଲା ଆମର କଅଣ କରି ପାରିବ l ଏହା କହି, ସେମାନେ ରାମଙ୍କ ଉପରକୁ ପ୍ରଚଣ୍ଡ ଶୂଳ ବର୍ଷା କରିବାରେ ଲାଗିଲେ l ଶ୍ରୀରାମ ନିଜ ଧନୁରେ ସେହି ସମସ୍ତ ଶୂଳକୁ କାଟି ରାକ୍ଷସ ମାନଙ୍କୁ ମାରି ପକାଇଲେ l ଶୃପଣଖା ଖର ପାଖକୁ ଫେରିଯାଇ କହିଲା, ତୁ ଯେଉଁ ଚଉଦ ଜଣ ବୀର ସେନାପତିଙ୍କୁ ପଠାଇ ଥିଲୁ, ସମସ୍ତଙ୍କୁ ରାମ ମାରି ପକାଇଛି l ତୁ ତୁଚ୍ଛାରେ ବୀର ବୋଲାଉଛୁ l ଶକ୍ତି ଅଛି ତ ଯାଆ, ରାମଙ୍କ ସାଙ୍ଗରେ ଲଢ଼ିବୁ l 

ଭଉଣୀ ଧିକ୍କାରରେ ଅତି କ୍ରୁଦ୍ଧ ହୋଇ ଖର ଦୂଷଣ ନାମକ ଅନ୍ୟ ଜଣେ ସେନାପତିକୁ କହିଲା, ତୁମେ ଶୀଘ୍ର ମୋର ଚଉଦ ହଜାର ଦୂର୍ଦ୍ଦଷ ସେନା ବାହିନୀକୁ ପ୍ରସ୍ତୁତକର l ମୋର ରଥ, ଧନୁ ଆଦିକୁ ପ୍ରସ୍ତୁତ କର l ଆଜ୍ଞା ପାଇ, ଦୁଷଣ, ଯୁଦ୍ଧର ସମସ୍ତ ପ୍ରସ୍ତୁତ କରି ଦେବାରୁ ଖର ତାର ବିଶାଳ ସେନାଙ୍କୁ ଧରି ରାମଙ୍କ ଆଡ଼କୁ ଚାଲିଲା l ଯାତ୍ରା ବେଳେ ସେ ନାନା ଅଶୁଭ ସଙ୍କେତ ମାନ ଦେଖିବାକୁ ପାଇଲା l ଗୋଟିଏ ଗୁଧ୍ରପକ୍ଷୀ ତାର ରଥଧ୍ଵଜା ଉପରେ ଆସି ବସି ପଡ଼ିଲା l ମାଂସ ଭୋଜୀ ପକ୍ଷୀ ମାନେ ବିକଟ ଚିତ୍କାର କରିବାକୁ ଲାଗିଲେ l ଦିନ ଥାଇ, ଆକାଶ ଅନ୍ଧକାରାଛନ୍ନ ହୋଇ ଗଲା, ଉଲ୍କାପାତ ସହ ଭୂମୀ କମ୍ପ ହେବାକୁ ଲାଗିଲା l ଖର କିନ୍ତୁ ଏସବୁ ଖାତିର ନକରି 'ରାମ ଲକ୍ଷ୍ମଣଙ୍କୁ ମୁଁ ନିପାତନକରି ଫେରିବି ନାହିଁ' କହି ଯାଇ ଶ୍ରୀରାମଙ୍କ ପର୍ଣ୍ଣକୁଟୀ ନିକଟରେ ପହଁଚିଲା l ଦେବତା, ସିଦ୍ଧ, ଗନ୍ଧର୍ବ, ଚାରଣମାନେ ଯୁଦ୍ଧ ଦେଖିବା ପାଇଁ ଉପସ୍ଥିତ ହୋଇ ରାମଙ୍କ ଜୟ ଜୟକାର କରୁଥାନ୍ତି l 

ରାକ୍ଷସ ମାନଙ୍କ ଗର୍ଜନ ଶୁଣି ରାମ ସତର୍କ କରାଇ ଦେବାରୁ ଲକ୍ଷ୍ମଣ ସୀତାଙ୍କୁ ଧରି ଗିରି ଗୁହାରେ ଯାଇ ଆଶ୍ରୟ ନେଲେ l ଖରର ବିଶାଳ ସେନା ଅଗ୍ନିତୁଲ୍ୟ ଦଣ୍ଡାୟମାନ ରାମଙ୍କ ଉପରେ ଖଡ୍ଗ, ମୁଦ୍ଗର, ଶୂଳ ଆଦି, ପ୍ରହାର କରିବାକୁ ଲାଗିଲେ l ଖର ଅନେକ ଶର ଦ୍ୱାରା ରାମଙ୍କୁ ପୀଡ଼ି

ତ କଲା l ମାତ୍ର ରାମଙ୍କ ଅଗଣିତ ଶର, ରାକ୍ଷସ ସେନାଙ୍କୁ ସଂହାର କଲା l ଏଥିରେ କ୍ରୋଧିତ ହୋଇ ସେନାପତି ଦୂଷଣ ପୁନଃ ରାକ୍ଷସ ସେନାଙ୍କୁ ସଙ୍ଗଠିତ କରି ରାମଙ୍କ ଉପରେ ଭୟଙ୍କର ଆକ୍ରମଣ କଲା l କିନ୍ତୁ ଅଳ୍ପମାତ୍ର ସମୟ ଯୁଦ୍ଧରେ ରାମଙ୍କ ବାଣରେ ଅସଂଖ୍ୟ ଅସୁର ସେନା ରଣ ଭୂମିରେ ମରି ଶୋଇଲେ l ଦୂଷଣ ପୁଣି ତାର ପାଞ୍ଚ ହଜାର ସେନାଙ୍କ ସହିତ ଶ୍ରୀରାମଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କଲା l ଏଥର ଶ୍ରୀରାମ ଅସଂଖ୍ୟ ବାଣ ବର୍ଷଣ କରି ତାର ସମସ୍ତ ସେନାଙ୍କୁ ସଂହାର କରିବା ସହ ଦୂଷଣକୁ ସଂହାର କଲେ ଏବଂ ତାର ସ୍ଥୁଳାକ୍ଷ, ମହାକପାଳ ଓ ପ୍ରମାଥ ନାମକ ତିନି ଜଣ ସେନାପତି ରାମଙ୍କ ବାଣରେ ନିହତ ହେଲେ l

ଦୁଷଣର ନିଧନରେ ଖର ଅତ୍ୟନ୍ତ କ୍ରୋଧିତ ହୋଇ ତାର ବାରଜଣ ସେନାପତିଙ୍କୁ ପଠାଇଲା l ରାମଙ୍କ ବାଣରେ ସେମାନେ ସମସ୍ତେ ମୃତ ହେଲେ l ଏବେ ଖରର ସମସ୍ତ ସେନା ନିପାତ ହୋଇ, କେବଳ ସେ ଓ ତ୍ରିଶିରା ଅବଶିଷ୍ଟ ରହିଲେ l 

ନିଜର ସମସ୍ତ ସେନା ବିନଷ୍ଟ ହେବା ଦେଖି ନିଜେ ଖର ଯୁଦ୍ଧକୁ ବାହାରିଲା l ଏହା ଦେଖି ସେନାପତି ତ୍ରିଶିରା କହିଲା, ରାକ୍ଷସେନ୍ଦ୍ର ! ମୁଁ ଅସ୍ତ୍ରଛୁଇଁ ପ୍ରତିଜ୍ଞା କରୁଛି ମୁଁ ରାମଙ୍କୁ ନିଧନ ନ କରି ଫେରିବି ନାହିଁ l ଆପଣ ନିଜେ ନ ଯାଇ ମୋତେ ପଠାନ୍ତୁ l ତ୍ରିଶିରା ଖରର ଅନୁମତି ପାଇ ଶ୍ରୀରାମଙ୍କ ଆଡ଼େ ଅଗ୍ରସର ହୋଇ ତାଙ୍କ ଉପରେ ପ୍ରବଳ ଶରବର୍ଷା କରିବାକୁ ଲାଗିଲା l ତିନୋଟି ଶିର ଥିବାରୁ ତାର ନାମ ଥିଲା ତ୍ରିଶିରା l ରାମ ତିନୋଟି ଶର ମାରି ତ୍ରିଶିରାର ତିନିଟି ମସ୍ତକ କାଟି ଦେଇ ତାକୁ ଭୁଲୁଣ୍ଠିତ କଲେ l 

ମହା ମହା ବଳବାନ୍ ରାକ୍ଷସ ମାନଙ୍କ ମୃତ୍ୟୁ ଦେଖି ଖର ଅତ୍ୟନ୍ତ ଭୟଭୀତ ହୋଇପଡ଼ିଲା, କିନ୍ତୁ ସେ ରାମଙ୍କୁ ଆକ୍ରମଣ କରିବାରୁ ନିଷ୍କ୍ରାନ୍ତ ହେଲାନାହିଁ l ସେ ଭୟଙ୍କର ଗର୍ଜନ କରି, ରାମଙ୍କ ଉପରେ ଶର ବର୍ଷା କରି ତାଙ୍କ କବଚକୁ କାଟି ପକାଇଲା l ରାମ ମହର୍ଷି ଅଗସ୍ତ୍ୟଙ୍କ ପ୍ରଦତ୍ତ ବୈଷ୍ଣବ ଧନୁରେ ଖରର ମସ୍ତକ, ଦୁଇବାହୁ ଓ ବକ୍ଷ ସ୍ଥଳକୁ ବିଦ୍ଧ କରି ତାର ରଥ ଓ ଅଶ୍ୱଙ୍କୁ ନଷ୍ଟ କରି ତାକୁ ବିରଥ କରିଦେଇ କହିଲେ, ତୁମଭଳି ମୁନିମାନଙ୍କୁ ପୀଡ଼ା ଦେଉଥିବା ପାପୀମାନଙ୍କୁ ଶାସ୍ତି ଦେବା ପାଇଁ ମୁଁ ଏହି ବନବାସ କରିଛି l ଅବିଳମ୍ବେ ତୁମ ମସ୍ତକ ଭୁଲୁଣ୍ଠିତ ହେବ l ଖର ଏଥିରେ କ୍ରୁଦ୍ଧ ହୋଇ କହିଲା, ରେ ଗର୍ବି l ତା ପୂର୍ବରୁ ଏହି ଗଦା ତୋ ମସ୍ତକ ଚୂର୍ଣ୍ଣକରିବ l ଏପରି କହି ସେ ଏକ ସ୍ୱର୍ଣ୍ଣବଳୟ ଯୁକ୍ତ ଗଦା ରାମଙ୍କ ଉପରକୁ ନିକ୍ଷେପକଲା l ସେହି ଗଦାକୁ ରାମ ତୀକ୍ଷ୍ଣ ଶର ଦ୍ୱାରା ଖଣ୍ଡ ବିଖଣ୍ଡ କରି ଭାଙ୍ଗି ଦେଲେ l ଏଥର ଖର, ଗୋଟିଏ ବିରାଟ ବୃକ୍ଷ ଉପାଡ଼ି ଆଣି ଶ୍ରୀରାମଙ୍କ ଉପରକୁ ନିକ୍ଷେପ କଲା l ଶ୍ରୀରାମ ସେହି ବୃକ୍ଷଟିକୁ ଖଣ୍ଡ ଖଣ୍ଡ କରିଦେଇ, ଇନ୍ଦ୍ରପ୍ରଦତ୍ତ ଏକ ମହାସ୍ତ୍ର ବାହାର କରି ଖରର ନିଧନ ପାଇଁ ପ୍ରେରଣ କଲେ l ସେହି ଅସ୍ତ୍ରାଘାତରେ ଖର ଭୀଷଣ ଗର୍ଜନ କରି ଭୂପତିତ ହେଲା l

ଖରର ନିଧନରେ ୠଷି ମାନେ ସମବେତ ହୋଇ ରାମଙ୍କୁ ଅଭିନନ୍ଦନ ଜଣାଇ କହିଲେ, ତୁମେ ଅଳ୍ପ ସମୟ ମଧ୍ୟରେ ବିଶାଳ ରାକ୍ଷସ ସେନାଙ୍କୁ ନିପାତ କରି, ଦେବତା ଓ ୠଷି ମାନଙ୍କ ଦ୍ବାରା ଅଭିନନ୍ଦିତ ହୋଇଛ l ଏଥି ପାଇଁ ଆମେ କୌଶଳ କରି ତୁମକୁ ଶରଭଙ୍କ ମୁନିଙ୍କ ଆଶ୍ରମରୁ ଏହି ମହାବନକୁ ଘେନି ଆଣିଥିଲୁ l ଖର, ଦୁଷଣ ଓ ତ୍ରିଶିରାକୁ ନିହତ କରି ଶ୍ରୀରାମ ପର୍ଣ୍ଣ ଶାଳାକୁ ଫେରି ଗଲେ l ଲକ୍ଷ୍ମଣ ତାଙ୍କୁ ଅଭିବାଦନ ଏବଂ ସୀତା ତାଙ୍କୁ ଆଲିଙ୍ଗନ କଲେ l 

ଜନସ୍ଥାନ, ରାମଙ୍କ ଦ୍ୱାରା ରାକ୍ଷସ ଶୂନ୍ୟ ହୋଇଛି, ଏହି ସମ୍ବାଦ ଅକମ୍ପନ ନାମକ ଏକ ରାକ୍ଷସ ଯାଇ ରାବଣକୁ ଜଣାଇ ଦେଲା l ଖବର ପାଇ କ୍ରୋଧରେ ରାବଣର ଚକ୍ଷୁ ରକ୍ତ ବର୍ଣ୍ଣ ହୋଇଗଲା l 

         !!! ଜୟ ଶ୍ରୀରାମ !!!

      


Rate this content
Log in

Similar oriya story from Inspirational