STORYMIRROR

pravasini Senapati

Children

4  

pravasini Senapati

Children

ବାଇ ଚଢ଼େଇ ର ବସା

ବାଇ ଚଢ଼େଇ ର ବସା

2 mins
296


ଟୁକୁନାର ଘର ପାଖରେ ଖଜୁରୀ ଗଛଟିଏ ଥାଏ । ସେଥିରେ ଗୋଟିଏ ବାଇଚଢ଼େଇ କାଠିକୁଟାକୁ ଯୋଡ଼ି ଏମିତି ସୁନ୍ଦର ବସା ଟିଏ ତିଆରି କରିଥାଏ ଯେ ଦେଖିଲା ଲୋକ ଘଡ଼ିଏ ଚାହିଁ ରହିବ । ତାର ସେ ବସା ଭିତରେ ସେ ଆଉ ତାର ଛୁଆ ତିନୋଟି ବହୁତ ଖୁସିରେ ରହୁଥାନ୍ତି ।ଖରା, ବର୍ଷା, ଝଡ, ତୋଫାନ କେଉଁଠିକୁ ତାଙ୍କର ଡର ନଥାଏ ।


ଦିନେ ମା ଚଢ଼େଇଟି ଖାଦ୍ୟ ଅନ୍ୱେଷଣରେ ବାହାରକୁ ଯାଇଥାଏ । ପବନର ତାଳେ ତାଳେ ବସାଟି ଦୋହଲୁ ଥାଏ । ବସା ଭିତରେ ଚଢ଼େଇ ଛୁଆ ତିନୋଟି ଜୁଳୁଜୁଳୁ ହୋଇ ମା'ର ଫେରିବା ବାଟକୁ ଚାହିଁ ରହିଥାନ୍ତି ।ହଠାତ୍ ଖୁବ୍ ଜୋରରେ ପବନ ବହିବାକୁ ଲାଗିଲା । କେମିତି କେଜାଣି ଚଢ଼େଇ ଛୁଆରୁ ଗୋଟେ ଖସି ତଳେ ପଡ଼ିଗଲା.... ଠିକ୍ ସେଇସମୟରେ ସେହି ବାଟଦେଇ ଟୁକୁନା ଯାଉଥିଲା । ତା ଆଖି ସେଇ ଗୁଲଗୁଲିଆ ଚଢ଼େଇ ଛୁଆଟି ଉପରେ ପଡ଼ିଲା, ଛୋଟ ଚଢ଼େଇଟିକୁ ଦେଖି ଟୁକୁନା ବହୁତ ଖୁସିହୋଇଗଲା ଓ ତାକୁ ନିଜ ଘରକୁ ନେଇ ଆସିଲା । ଛୋଟ ଚଢ଼େଇଟି ତାର ମା'କୁ ପାଖରେ ନ ପାଇ ଖୁବ୍ ଜୋରରେ ବୋବାଇବାକୁ ଲାଗିଲା । ତାର ଡ଼ାକ ଶୁଣି କୋଉଠିଥିଲା କେଜାଣି ତାର ମା' ଉଡ଼ିଆସି ଟିକେ ଦୂରରେ ବସି ଛୋଟ ଚଢ଼େଇ ଆଡକୁ ଅନେଇ ବୋବାଇବାକୁ ଲାଗିଲା । ମା' ଆଉ ଛୁଆ ବୋଧହୁଏ ତାଙ୍କ ଭାଷାରେ କଥାବାର୍ତ୍ତା ହେଉଥାନ୍ତି । ଛୁଆଟି ବୋଧହୁଏ କହୁଥାଏ, ମା ଲୋ ମୋତେ ଏଠୁ ନେଇ ଚାଲ ଆମର ସେଇ ସୁନ୍ଦର ବସାକୁ ଯେଉଁଠି ତୋ ଚାରିପାଖରେ ଖଣ୍ଡିଉଡ଼ା ଦେଇ ମୁଁ ତୋ ପାଖରେ ଅଳି କରିବି ଆଉ ତୁ କୋଳକୁ ନେଇ ମୋତେ ଗେଲ କରିବୁ । ମୋ ଭାଇ ଭଉଣୀ ସହିତ ସେଇ ସୁଖର ଦିନ ଗୁଡ଼ା ବହୁତ ମନେ ପଡୁଛି ଲୋ ମା ।


ତା କଥାର ଜବାବ ଦେଇ ମା ଚଢ଼େଇଟି ଯେମିତି କହୁଥାଏ.... "ଟିକେ ଥୟ ଧରରେ ଧନ, ମୁଁ ନିଶ୍ଚୟ ତୋତେ ଏଠୁ ନେଇଯିବି ଆମ ବସାକୁ ପୁଣି ଆମେ ପୂର୍ବ ପରି ହସ ଖୁସିରେ ରହିବା।"


ଟୁକୁନାର ମା' କିଛି ଦୂରରେ ରହି ସବୁ ଦେଖୁଥାନ୍ତି, ତାଙ୍କୁ ଏସବୁ ଭଲ ଲାଗିଲା ନାହିଁ । ସେ ଟୁକୁନାର ପାଖକୁ ଆସି ତାର ମୁଣ୍ଡକୁ ଆଉଁଷି ସ୍ନେହଭରା ଗଳାରେ କହିଲେ.... "ବାପାରେ ତୋ ମା'କୁ ଛାଡ଼ି ତୁ କଣ ରହିପାରିବୁ ? " ଟୁକୁନା ଉତ୍ତର ଦେଲା- "ନା ଲୋ ମା ତୋତେ ଛାଡ଼ି ମୁଁ ଜମା ରହିପାରିବି ନାହିଁ । " ମା ପୁଣି କହିଲେ "ଏ ଚଢ଼େଇ ଛୁଆଟି ଠିକ୍ ତୋରି ପରିରେ ଧନ, ତା ମା'କୁ ଛାଡି ସେ କେମିତି ରହିବ କହିଲୁ ? ଯା ତାକୁ ତା ବସା ପାଖରେ ଛାଡି ଆ"।

ମା କଥା ଶୁଣି ଟୁକୁନାକୁ ବହୁତ ଦୁଃଖ ଲାଗିଲା ସେ ଚଢ଼େଇ ଛୁଆକୁ ନେଇ ତା ବସା ପାଖରେ ଛାଡିଦେଲା ମା ଚଢ଼େଇଟି ତା ଛୁଆକୁ ପାଇ ମନ ଖୁସିରେ ତା ଦେହରେ ଥଣ୍ଟ ଘଷୁଥାଏ ଓ ଟୁକୁନା ସେମିତି ହସ ହସ ମୁଁହରେ ଚାହିଁ ରହିଥାଏ ବାଇ ଚଢ଼େଇର ବସା ଆଡକୁ......।

                


Rate this content
Log in

Similar oriya story from Children