STORYMIRROR

pravasini Senapati

Tragedy

3  

pravasini Senapati

Tragedy

ନାରୀ

ନାରୀ

2 mins
289

କ୍ଷୀରବାଲାର ଡାକ ଶୁଣି ମୋ ନିଦ ଭାଙ୍ଗିଲା ବେଳକୁ ସମୟ ପାଖାପାଖି ସାତଟା ହେଲାଣି । ଓଃ ଆଜି ଏତେ ଲେଟ ହୋଇଗଲା ମନକୁ ମନ କହି ଉଠିଲି ମୁଁ, କ୍ଷୀରବାଲାଠୁ କ୍ଷୀର ରଖି ସାରି ତରତର ହୋଇ ନିତ୍ୟକର୍ମ ସାରିଲି । ଆଜି ସୋମବାର ପାଖରେ ଥିବା ଶିବ ମନ୍ଦିର ଟିକେ ଯିବି । ଆସିଲେ ପୁଣି ସମସ୍ତଙ୍କ ପାଇଁ ଜଳଖିଆ ବନାଇବାକୁ ହେବ । ଏମିତି ଭାବି ଭାବି ପୂଜା ଥାଳି ସଜାଇ ବାହାରିଲି ଶିବ ମନ୍ଦିର ।

ମହାଦେବଙ୍କୁ ଦର୍ଶନ କରି ଫେରିଲା ବେଳକୁ ମୋ ନଜର ପଡିଲା ଜଣେ ସ୍ତ୍ରୀ ଲୋକ ଉପରେ, ମନ୍ଦିର ବେଢ଼ାରେ ବସି ଖୁବ୍ ଜୋରରେ କାନ୍ଦୁଥାଏ ସେ ।ପାଖକୁ ଯାଇ ପଚାରିଲି ଭଉଣୀ "କାହିଁକି ଏତେ ଜୋରରେ କାନ୍ଦୁଛ ,କଣ ହୋଇଛି ତୁମର ?"

  କୋହ ଭରା କଣ୍ଠରେ କହିବା ଆରମ୍ଭ କଲା ସେ......" କଣ କହିବି ମୋ ଦୁଃଖ କଥା ଭଉଣୀ ? ଚିର ଦୁଃଖିନୀଟିଏ ମୁଁ । ପିଲାବେଳୁ ମାଆକୁ ଖାଇଛି, ବଡ଼ ହେଲା ପରେ ଯେଉଁ ପିଲାର ହାତ ଧରିଲି ସେ ହେଉଛି ଜଣେ ନିଶାସକ୍ତ ବ୍ୟକ୍ତି । ନିଶା ଖାଇ ସବୁବେଳେ ମୋତେ ମାଡ଼ ପିଟ କରେ । ସେଥିରେ ଭଗବାନଙ୍କର ମନ ବୁଝିଲା ନାହିଁ ଯେ ଦୁଇଟି କନ୍ୟା ସନ୍ତାନ ଦେଲେ ମୋତେ । ତୁମେ କହିଲ ଭଉଣୀ ସେଥିରେ ମୋର ଦୋଷ କଣ ? ସେଥିପାଇଁ ମଧ୍ୟ ଅକଥନୀୟ ଅତ୍ୟାଚାର ସହିବାକୁ ପଡେ ମୋର ସ୍ୱାମୀ ଆଉ ଶାଶୁଙ୍କ ଠାରୁ । ସ୍ୱାମୀ ମୋର ଏବେ ମୋତେ ରୋକ ଠୋକ ଶୁଣାଇ ଦେଇଛନ୍ତି ଯେ ତାଙ୍କର ପୁଅଟିଏ ଦରକାର ନହେଲେ ସେ ମୋତେ ଛାଡ଼ି ଆଉ ଗୋଟାଏ ବାହାହେବେ । ମୋ ଦୁଃଖ କଣ ସରିବନି ଭଉଣୀ ?" ଏମିତି କହି ସେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ମୋତେ ଏସବୁ ବହୁତ ଦୁଃଖ ଲାଗୁଥାଏ କଣ କହି ବୁଝାଇବି କିଛି ବୁଝି ପାରୁନଥାଏ । ତଥାପି ତା ପିଠିକୁ ଟିକେ ଆଉଁସି ଦେଇ ଧୀର ସ୍ୱରରେ କହିଲି "ସମୟକୁ ଅପେକ୍ଷା କର ଭଉଣୀ, ସବୁ ଠିକ୍ ହୋଇଯିବ ।"

ମନ ଭିତରଟା କିନ୍ତୁ ଗୋଳେଇ ଘଣ୍ଟି ହେଉଥାଏ, ସତରେ ଏ ନାରୀ ଜନ୍ମଟା ଏମିତିକା !! ସମସ୍ତେ କହୁଛନ୍ତି ନାରୀ ଆଜିକାଲି ବହୁତ ଆଗେଇ ଗଲାଣି,ସରକାରୀ ସ୍ତରରେ ମଧ୍ୟ ନାରୀ ସୁରକ୍ଷା, ନାରୀ ସ୍ୱାଧୀନତାକୁ ବହୁତ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ ମୁଁ କହିବି ନାରୀ ଆଜିବି ଅସୁରକ୍ଷିତ, ଅବହେଳିତା ଓ ନିର୍ଯାତିତା । ଆଜି ବି କିଛି ପୁରୁଷ ନାରୀକୁ ଶାରୀରିକ ସ୍ତରରେ ଓ ମାନସିକ ସ୍ତରରେ ବହୁତ ନିର୍ଯ୍ୟାତନା ଦିଅନ୍ତି । କେବେ କେଜାଣି ନାରୀ ତାର ନ୍ୟାୟ ପାଇବ ?

 କେବେ ସେ ପରାଧୀନତାର ଶିକୁଳିକୁ ଛିନ୍ନ କରି ସ୍ୱାଧୀନ ହେବ ସବୁ କ୍ଷେତ୍ରରେ ?

  ଏମିତି ଭାବି ଭାବି ଘରକୁ ଫେରିଲି ମୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy