STORYMIRROR

pravasini Senapati

Drama Tragedy

3  

pravasini Senapati

Drama Tragedy

ନୀଳିମା

ନୀଳିମା

2 mins
210


ଘରେ ସମସ୍ତେ ନିଦରେ ଶୋଇଯାଇଛନ୍ତି ।ରାତି ପ୍ରାୟ ଦୁଇଟା ହେବଣି ।ନୀରବ ରାତ୍ରିର ନିର୍ଜନତା ସାଙ୍ଗକୁ ଦୂରରୁ ରହି ରହି ଶୁଣାଯାଉଛି ଝିଙ୍କାରୀ ର ସ୍ୱର ।ଜ୍ୟୋଛନା ର ସଫେଦ ଚାଦର ଘୋଡ଼ି ହୋଇ ରାତି ବି ଶୋଇଯାଇଛି ..ନିଘୋଡ଼ ନିଦରେ ।ନୀଳିମା ଆଖିକୁ କିନ୍ତୁ ନିଦ ନାହିଁ, ନିଦ ସତେ ଯେମିତି କୁଆଡେ ଉଭେଇ ଯାଇଛି ତା ଆଖିରୁ ...।ସତରେ!ଏ ନିଦ ବି ବଡ ଅଜବ ଜିନିଷ, କେତେବେଳେ ଆସେ ତ ଆଉ କେତେବେଳେ ଜମାରୁ ଆସେନି ।ଯନ୍ତ୍ରଣାରେ ଜର୍ଜରିତ ଜୀବନ ଆଉ ଅନ୍ଧକାରମୟ ଭବିଷ୍ୟତ ର ଚିନ୍ତାରେ ଯେତେବେଳେ ସେ ଛଟପଟ ହେଉଛି ତା ଆଖିକୁ ନିଦ ଆସନ୍ତା ବା କିପରି?

ଝରକା ଖୋଲିଲା ସେ, ଆକାଶର ଅଗଣାରେ ..ଖିଲି ଖିଲି ହସୁଥିଲା ଫୁଲେଇ ଜହ୍ନଟା ।ସତେ ଯେମିତି ସମସ୍ତଙ୍କ ପରି ସେ ଉପହାସ କରୁଥିଲା ନୀଳିମା ର ଅସହାୟତା କୁ ।


ତା'ର ସବୁ ଆଶା ଆଉ ସ୍ବପ୍ନ କଣ ଏମିତି ଭାଙ୍ଗି ଚୁରମାର ହୋଇଯିବ ?ବାପା ତାର ଦିନ ମଜୁରିଆ, ବାପା ମାଆ ଦୁଇ ଭଉଣୀ ଓ ଗୋଟିଏ ଭାଇ ର ତେଲ ଲୁଣ ସଂସାର ତାଙ୍କର ।

ବହୁତ କଷ୍ଟରେ ଦୁଇ ଅକ୍ଷର ପାଠ ପଢାଇଛନ୍ତି ବାପା ସେମାନଙ୍କୁ ।ତାଙ୍କର ଆଶା..ପିଲା ମାନେ ବଡ ହୋଇ ତାଙ୍କ ଦୁଃଖ ଫେରାଇବେ ।ଘରର ବଡଝିଅ ବୋଲି ବହୁତ ଚେଷ୍ଟା କରିଥିଲା ସେ ଚାକିରୀ ଟିଏ କରିବାକୁ ।ହେଲେ... ଆଜି କାଲି ସବୁ କିଛି ପଇସା ଦ୍ଵାରା କିଣା ବିକା ।ତାକୁ କିଏ ଚାକିରୀ ଦେବ?ତା ବାପାଙ୍କର ପଇସା କାହିଁ ??

ୟା ଭିତରେ ଅଠେଇସ ଟି ଫଗୁଣ ଅତିକ୍ରମ କରିସାରିଲାଣି- ତାକୁ ।

ବାହାଘର ପାଇଁ ଅନେକ ଆଡୁ ପ୍ରସ୍ତାବ ଆସୁଛି ।ବାପା ତା'ର

ଯୌତୁକ ଦେଇ ପାରୁ ନାହାନ୍ତି ବୋଲି ବାହାଘର ଭାଙ୍ଗି ଯାଉଛି ।

ସାହିପଡିଶା ଲୋକ ଙ୍କର ଟାହିଟାପରା ଆସ୍ତେ ଆସ୍ତେ ଅନ୍ୟମନସ୍କ କରି ଦେଉଛି ନୀଳିମା କୁ ।

       ମା' ତା'ରବହୁତ ଚିନ୍ତିତ, ଚିନ୍ତା କରି କରି ଶଯ୍ୟାଶାୟୀ ହେବାକୁ ବସିଲେଣି ସେ ।କାଲି ଯାଇଥିଲେ ପୋଖରୀ କୁ ଗାଧୋଇବାକୁ ଯେ....,ଆର ସାହି କୁନି ର ମା'

ତାଙ୍କୁ କଟାକ୍ଷ କରି ଅନେକ କିଛି କହିଲେ ।"ନୀଲୁ ର ବାହାଘର କାହିଁକି କରୁନ ?ତା ସାଙ୍ଗର ମୋ କୁନି.. ବାହାହୋଇ ଦୁଇ- ଦୁଇଟା ପିଲା ର ମାଆ ହେଲାଣି ପରା.. ।ଝିଅ ଟାକୁ ଘରେ ରଖି କଣ ବୁଢ଼ୀ କରିବ ?ଯେଉଁ ବୟସ ରେ ଯାହା ସୁନ୍ଦର ଲାଗେ ନାଁ... ।"

ବୋଉ ଆସି ଭୋ ଭୋ କରି ବହୁତ କାନ୍ଦିଥିଲେ ।ସେ ବି କ'ଣ କରିବେ ଯେ ....।

      ଗରିବ ହେବାଟା କ'ଣ ଏତେ ବଡ ଅପରାଧ? ଏତେ ବଡ଼ ଭୁଲ?? ନାଁ ଭୁଲ ଆମର ସାମାଜିକ ଚଳଣି??ଯେଉଁଠି ଦୁଇ ପଇସାର ମୋହରେ ମଣିଷ ଭୁଲିଯାଏ ତା'ର ମାନବିକତା- କୁ....ଆଉ ଜଳାଞ୍ଜଳି ଦିଏ ନିଜର ବିବେକ କୁ....।ଯେଉଁଠି ସୁନା କୁ ଛାଡି ଅଧିକା ଚିକଚିକ କରୁଥିବା ଶସ୍ତା ଧାତୁ ପଛରେ... ଗୋଡ଼ାଉଛି ଏ ମଣିଷ ସମାଜ ।ସେଠି ନୀଳିମା ପରି ସୁନା କୁ କିଏ ବା କାହିଁକି ଚିହ୍ନିବ ?

ତଥାପି ନୀଳିମା ହାରିବନି ,ଡରି ଯିବନି ଏ ସମାଜ କୁ ।ସେ ସଂଘର୍ଷ କରିବ ନିଜ ପାଇଁ ତା'ରଏ ଗରିବ ପରିବାର ପାଇଁ ।

         ଏମିତି ଅନେକ ଭାବନା ର ବୁଢିଆଣି ଜାଲରେ ଛନ୍ଦି ହୋଇ ପଡୁଥିଲା ନୀଳିମା ।ହଠାତ ବୋଉ ର ଡାକରେ ଚମକି ପଡିଲା ସେ .... ।

"ନୀଲୁ.....

 ତୁ ଏଯାଏଁ ଶୋଇନୁ?

କ୍ରମଶଃ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama