Soumya Shubhadarshinee

Tragedy

3  

Soumya Shubhadarshinee

Tragedy

ଅପ୍ରତ୍ୟାଶିତ

ଅପ୍ରତ୍ୟାଶିତ

3 mins
560



  ଅନୁଶାସନ ପର୍ଯ୍ୟାପ୍ତ ନୁହେଁ ଗଢିବାକୁ ଇଛିତ ଅପତ୍ୟ ଆଜି ର ସମୟରେ। ଲୋଡ଼ା ଗୋଟେ ସମ୍ବେଦନଶୀଳ ବନ୍ଧୁ ....


     ଗାଡିର ଗତି ଦ୍ରୁତରୁ ଦ୍ରୁତତର ହେଉଥିଲା ଆଭାର। ହୃତସ୍ପନ୍ଦନ ଥିଲା ଅସମ୍ଭବ ଭାବେ ଅସ୍ଥିର। ଭାବନା ସବୁ ଥିଲେ ଅହେତୁକ ଭାବେ ବିକ୍ଷିପ୍ତ ।  ପୋଲିସ ଷ୍ଟେସନ୍ ରେ ଆକୃତି କଣ ପାଇଁ ? ସେତ ଯାଇଥିଲା ବିଦ୍ୟାଳୟ !!


ଓଃ କି ଭୟଙ୍କର ବିଡମ୍ବନା! ପୋଲିସ ଅଫିସର ବି କିଛି କହିଲେନି । କେବଳ ଜଣେଇଲେ ଆସନ୍ତୁ ଝିଅ ଆପଣଙ୍କର ଅଛି ପୋଲିସ ଷ୍ଟେସନରେ !


  ଆଃ ଆକୃତି ମୋ ଗେଲ୍ହା ଝିଅ ! ତୋର ହସ କାନ୍ଦକୁ ନେଇ ମୋ ପୃଥିବୀ। କଣ ତୁ ଅଛୁ କିଛି ଭୟଙ୍କର ବିପଦରେ। ତା' ପରିବାରରେ ଆଜି ଯାଏଁ କେହି କେବେ ଛୁଇଁନି ପୋଲିସ ଷ୍ଟେସନର ମାଟି। ଝିଅ ମୋର, ତୁ କେମିତି ପହଁଚିଲୁ ସେଠି ?


 ଆଭା ଆଉ ଅରୂପ ଉଭୟ ନିଜର କର୍ତ୍ତବ୍ୟ କୁ ନେଇ ବହୁତ ସଚେତନ। ଶିକ୍ଷିତ, ସମ୍ପନ୍ନ, ସମ୍ଭ୍ରାନ୍ତ ପରିବାର । ଅନୁଶାସନକୁ ନେଇ ଆଭା ସବୁବେଳେ ଦାୟିତ୍ୱସମ୍ପନ୍ନ। ଝିଅ କୁ ଉଚିତ ଶିକ୍ଷା ଓ ମୂଲ୍ୟବୋଧ ଦେବାରେ ଟିକିଏ ବି କାର୍ପଣ୍ୟ କରିନାହିଁ । ତଥାପି କେମିତି ଝିଅ ସେଠି !


ଅରୂପ ନାହାନ୍ତି ଗୋଟେ ବିଜନେସ୍ ଟୁର୍ ରେ ବହାରକୁ ଯାଇଛନ୍ତି। ଏଇ ଭୟଙ୍କର ବିପର୍ଯ୍ୟୟର ସାମ୍ନା କରିବାକୁ ହେବ ଆଭାକୁ ଏକାକୀ !


 ପହଞ୍ଚିଗଲା ଆଭା ସେଇ ନିଷିଦ୍ଧ ସ୍ଥାନରେ ଯେଉଁଠି ପାଦ ଦେବା ତା' ପରିବାର ପାଇଁ ଲଜ୍ଜାର ବିଷୟ ! କିନ୍ତୁ ସେ ନିରୁପାୟ।


 --" କହ ଆକୃତି ତୁ କଣ କରୁଛୁ ଏଠି ? 


ଏକରକମ ପାଗଳି ପରି ଆଭାର ସ୍ୱର। ଆଖି ଲୁହ ଟଳମଳ , ପାଦ ଅସ୍ଥିର। ଯେମିତି ଏଇ କିଛି ମୁହୂର୍ତ୍ତରେ ବୋହି ଯାଇଛି ଗୋଟେ ଝଡ଼।


- " ମାମା ପ୍ଲିଜ ଡୋଣ୍ଟ୍ ଆସ୍କ!"


ଝିଅର ଏ କି ଅଦ୍ଭୁତ ଉତ୍ତର ! ନିଜ ମା' କୁ କହିବାକୁ ଚାହୁଁନି ନିଜର ସମସ୍ୟା । ଅଶ୍ଵର୍ଯ୍ୟ ହେଉଥିଲା ଆଭା କେବେ ହେଇଗଲା ଝିଅ ଆଉ ତା' ଭିତରେ ଏତେ ଦୂରତ୍ୱ ?

 

ଇନିସ୍ପେକ୍ଟର ଦାସ କହିଲେ ଆକୃତି ଆସିଛି ଶୁଭମ ନାମକ ପିଲା ବିରୁଦ୍ଧରେ କରିବାକୁ ଗୋଟେ ମିସିଂ କେସ୍ । ପୋଲିସ ଖୋଜୁ ତାକୁ । ଶୁଭମ କିଏ ସେ ସଂକ୍ରାନ୍ତରେ କିଛି କହୁନି ଝିଅଟି ?? ପୋଲିସର ସନ୍ଦେହ କିଛି ଅନ୍ୟ ଅଘଟଣ ହେଇଛି।


 ଗୋଟିଏ ଛୋଟ ଝିଅର ଏକାକୀ ଏପରି ଅଭିଯୋଗ ପୁଲିସକୁ କରିଛି ବ୍ୟସ୍ତ ।ତେଣୁ ସତ୍ୟା ସତ୍ୟ ଜାଣିବାକୁ ଖୋଜା ଯାଇଛି ପିତା ମାତାଙ୍କୁ।


 ପାଦ ତଳୁ ଖସିଗଲା ମାଟି ଆଭାର ! ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅ ହଠାତ୍ ଲାଗିଲା ଖୁବ୍ ବୟସ୍କ ! କିଏ ଶୁଭମ କାହିଁକି ଖୋଜୁଛି ଝିଅ ? ଗୋଟେ ଭୟର ବଳୟ ଭିତର ଆଭା - କିଛି ଅଘଟଣ ଘଟିନି ତ ଆଉ ?

  ଝିଅକୁ ପଚାରିଲା ସେ ଭାରି ବିକଳ ହେଇ , '' ବିଦ୍ୟାଳୟ ବନ୍ଦ କରି ଏକା ଏଠିକୁ କେମିତି ଆସିଗଲୁ ତୁ ? କିଏ ଏ ଶୁଭମ , କ'ଣ ପରିଚୟ ତା'ର? ଯଦି କିଛି ସମସ୍ୟା ଅଛି ପାପା କି ମାମାଙ୍କୁ ନଜଣେଇ କେମିତି ଆସିଗଲୁ ଏକା ?"


 ଝିଅର ଦୃଢ଼ ଘୋଷଣା " ଡୁ ୟୁ ହାଭ୍ ଟାଇମ୍ ? ନୋ ମାମା ୟୁ ଡୋଣ୍ଟ୍"।


  ସଭିଏଁ ସ୍ତବ୍ଧ, ମା' ଟେ ପାଖେ ଏତିକି ବି ସମୟ ନାହିଁ , ଯେ ବୁଝିବ ନିଜ ଏକମାତ୍ର ଝିଅର ଦୁଃଖ !

 ଆଭା କାନ୍ଦିବାକୁ ଆରମ୍ଭ କଲା। କାହିଁକି ଏମିତି ବିଦ୍ରୋହର ଭାଷା ଆକୃତିର ? 


 ସହରର ବେଷ୍ଟ ଟିଉଟର୍ , ମ୍ୟୁଜିକ୍ କ୍ଲାସ, ଡ୍ୟାନ୍ସ କ୍ଲାସ, ପେଣ୍ଟିଂ କ୍ଲାସ ସବୁକିଛି ର ସୁବନ୍ଦୋବସ୍ତ କରାଯାଇଛି। ମା' ଭାବେ ସବୁବେଳେ ତାଗିଦ କରିଛି ଝିଅକୁ ଆଭା । ଶିଖେଇଛି ଶୃଙ୍ଖଳିତ ଜୀବନ , ଦେଇଛି ଜୀବନରେ ଗୋଟେ ସମ୍ପନ୍ନ ମଣିଷ ହେବାର ଟାର୍ଗେଟ । ଆଉ ଅଧିକ କ'ଣ କରିବେ ବାପା ଓ ମା ? କଉଠୁ ଆଉ ଆଣିବେ ଅଧିକ ସମୟ ? ତାଙ୍କର ଅଫିସ ଅଛି , କର୍ମକ୍ଷେତ୍ରରେ ଦାୟିତ୍ୱ ଅଛି। ନିଜର ସ୍ୱାଧୀନ ଅସ୍ତିତ୍ୱକୁ ପ୍ରତିଷ୍ଠା କରିବାକୁ ଯାଇ କଣ ଏକମାତ୍ର ଝିଅକୁ ହରେଇ ବସିଛନ୍ତି ସେ ଦୁହେଁ ?

  

  ଆଭା ଜଣେଇଲା ଏପରି କିଛି ଘଟଣା ଘଟିନାହିଁ । ଶୁଭମ୍ କୁ ସେ ଜାଣେନି କୌଣସି କେସ୍ କରିବାର ନାହିଁ। ପୋଲିସ ଅଫିସର ବୁଝୁଥିଲେ ଗୋଟେ ମା' ର ଅସହାୟତା ।  ଆକୃତିକୁ ତାଗିଦ କଲେ ଅଫିସର। ଆଭାକୁ କହିଲେ ନେଇ ଯିବାକୁ ଝିଅକୁ । ଆକୃତି କିନ୍ତୁ ନିଜ ଜିଦ୍ ରେ ଅଟଳ ତା'ର କେସ୍ ଫାଇଲ୍ ହେବ । ଶୁଭମ୍ କୁ ଖୋଜିବ ପୋଲିସ। ଶୁଭମ୍ ଖୁବ୍ ଲୋଡ଼ା।


 '' ଆଇ ନିଡ଼୍ ହିମ୍ , ଆର୍ ୟୁ ଲିସନିଂ ମାମା , ଆଇ ନିଡ୍ ହିମ୍!" ବିକଳ ହେଉଛି ଅଷ୍ଟମ ଶ୍ରେଣୀର ଝିଅ , ବଡ଼ ହେଇଯାଇଛି ଖୁବ୍ !!


  ବହୁତ ବୁଝେଇ ସୁଝେଇ ଆଣିଲା ଆଭା ଆକୃତିକୁ ଘରକୁ। ଝିଅର ଉଦ୍ଧତ ପାଦ ଚାଲିଗଲା ନିଜ ରୁମ୍ କୁ ।ଦରଜା ବନ୍ଦ କରିଦେଲା ଆଗାମୀ ପିଢୀ ! ଝିଅର ଲୋଡ଼ା ଏକାନ୍ତ ମା' ଠାରୁ !


  ଆଭା କବାଟରେ ଆଘାତ କଲା ଖୁବ୍ ସନ୍ତର୍ପଣରେ। 

" ଖୋଲ ଟିକେ ଗେଲ୍ହା କଥା ହେବି ମୁଁ ପ୍ଲିଜ। ମୋତେ ଟିକେ ବୁଝିବାକୁ ଦେ କଣ ସମସ୍ୟା? କିଏ ଶୁଭମ ? ସତରେ କଣ କିଛି ଅଘଟଣ କରିଛି ସେ ? ପ୍ଲିଜ କହ ମୋତେ ।"


 ଆକୃତି ଖୋଲିଲା ଦରଜା। କାନ୍ଦୁଥିଲା ସେ ଅସମ୍ଭବ ଭାବେ , କହିଲା

" ମାମା ଟ୍ରଷ୍ଟ ମି, ଖୋଜି ଆଣ ଶୁଭମ୍ କୁ ମୋର ଖୁବ୍ ଜରୁରୀ। ତୁମ ପାଖେ ,ପାପାଙ୍କ ପାଖେ ମୋ ଲାଗି ନାହିଁ ସମୟ। ତୁମେ ବ୍ୟସ୍ତ ନିଜ ଅଫିସ, ମୀଟିଂ, ଟାର୍ଗେଟ, ଟୁର୍ ରେ । ଶୁଭମ୍ ମୋ ସବୁଠୁ ଭଲ ସାଙ୍ଗ , ରିଅଲ ଫ୍ରେଣ୍ଡ । "


 ଆଭାର ଆଖିରେ ଆଶ୍ଚର୍ଯ୍ୟ , " କେବେ ଏତେ ବଡ଼ ହେଇଗଲା ଝିଅ ? ଭରିଗଲା ଏମିତି ଦୂରତା ! 


 କାନ୍ଦୁଥିବା ଝିଅ କହୁଛି ବାରମ୍ବାର ଯେ ଶୁଭମ୍ ଆସୁନି କିଛି ଦିନ ହେଲା । ତାଙ୍କ ଶ୍ରେଣୀର ସେକେଣ୍ଡ ବେଞ୍ଚ ଖାଲି ପଡ଼ିଛି । ତା'ର ପ୍ରତୀକ୍ଷା କରୁଛି ଝିଅ ସବୁଦିନ । କେମିତି ଖୋଜିବ ତାକୁ ସେ ? ଜାଣିନି ଝିଅ ତା'ର ଠିକଣା । ଅଭିଯୋଗ କଲେ ହିଁ ପୋଲିସ ଖୋଜିବ ତାକୁ । ଆଉ ମିଳିଯିବ ହଜିଥିବା ବନ୍ଧୁ ।


    



Rate this content
Log in

Similar oriya story from Tragedy