ଅପେକ୍ଷାର ଅନ୍ତ
ଅପେକ୍ଷାର ଅନ୍ତ


ପଡ଼ିଶା ଘର ରୁବି ବୋଉ ଆଜି କାଲି ଭାରି ଖୁସି ଜଣା ପଡୁଚି । ମାସେ ହେଲା ଘର କୋଣରେ ପଡି ରହିଥିବା ରୁବି ବୋଉକୁ ଖୁସିରେ ଦେଖି ମନଟା ସତରେ ବହୁତ ଭଲ ଲାଗିଲା । ହେଲେ ମନ କଣ ସମ୍ଭାଳେ କି???ଯେ ପର୍ଯ୍ୟନ୍ତ ରୁବି ବୋଉକୁ ଖୁସିର କାରଣଟା ନ ପଚାରିଛି ।
___କଥା କଣ ଲୋ ରୁବି ବୋଉ??ଆଜି କାଲି କଣ ବେଶ୍ ଖୁସି ଜଣା ପଡୁଛୁ???
___ନାଇଁ ଲୋ ରୁପା । ସେମିତି କିଛି କଥା ନାଇଁ ଲୋ । ତୁ ତ ଜାଣିଛୁ ରୁବି ବାପା ସୁରାଟରେ ଖଟନ୍ତି । ଆଉ ଯେବେ ଠୁ ଏ କି ରୋଗ କରୋନା ଆସିଲା ସବୁ ବନ୍ଦ । ମନଟା ଭାରି କେମିତି କେମିତି ଲାଗୁଥିଲା ଲୋ ।
____ହଁ, ଯେ ଏତେ ବୁଲେଇ ବଙ୍କେଇ କଣ କହୁଚୁ ଯେ ରୁବି ବୋଉ??ସିଧା ସିଧା କହୁନୁ??
____କାହିଁକି ଏମିତି ଉଛନ ହଉ ଯେ ତୁ ରୁପା??କହୁଛି ଶୁଣ । ରୁବି ବାପାଙ୍କ ଆଜି ଫୋନ ଆସିଥିଲା ଲୋ । ସେ କୁଆଡେ ଗାଁ କୁ ଆସିବେ ହେରି ।
__ଓଃ କଥା ଯାଇକି ତାହାଲେ ଏଠି???କିଲୋ ରୁବି ବୋଉ ବୁଢ଼ୀ ହେଲୁଣୁ ହେଲେ କେତେ ପ୍ରେମ କରୁଚୁ ରୁବି ବାପାକୁ???
___ଆଲୋ ନାଇଁ ଲୋ ରୁପା ।
___ନାଇଁ କଣ ବା??ସତ ତ କହୁଛି । ତୁ ତ ବଡ ଭାଗ୍ୟବତୀ ଲୋ । ତୁମ ସ୍ୱାମୀ, ସ୍ତ୍ରୀଙ୍କର ପାଟି,ଝଗଡା କେବେ ଶୁଣିନି ଲୋ ।
____ହଁ, ଲୋ ରୁପା ଝଗଡା କଣ କରିବି ଲୋ ଆଉ ରୁବି ବାପା ତ ଏତେ କଷ୍ଟ ସହୁଛି ସବୁ ଆମରି ପାଇଁ ।
___ହେଲେ ଆଜି କଣ ଏତେ ସଜେଇ ହୋଇଛୁ ??ପାଦରେ ପଟା ପଟା ନାଲି ଅଳତା, ମଥାରେ ଏତେ ବଡ ନାଲି ଟୋପା, ଆଉ ତୋ ମଲ୍ଲୀ ଫୁଲ ମାଳ । ଆଉ ଥରେ ବାହା ହେବୁ ନା କଣ ଲୋ?ପୁରା ବୋହୁ ପରି ସଜେଇ ହୋଇଛୁ???
____ନା ,ବାଡିରେ ମଲ୍ଲୀ ଫୁଲ ଫୁଟି ଫୁଟି ସବୁ ଝଡି ଯାଉଛି । ଆଉ ରୁବି ବାପାଙ୍କ ବି ଭାରି ପସନ୍ଦ । ସେ ଆଜି ଆସିବେ ତ ସେଥିପାଇଁ ଟିକେ ସଜେଇ ହେଇ ଯାଇଛି ଲୋ ।
____ରୁବି ବାପା ତ ଘରକୁ ଆସିବେନି । ସେ ତ ଯାଇ କୋ ସ୍କୁଲରେ ରହିବେ ୨୧ ଦିନ । ତୁ କେମିତି ଦେଖା କରିବୁ ତାଙ୍କୁ??
____ରୁବି ବାପା ଫୋନରେ କହି ଥିଲେ ସେ ଯୋଉ କଲେଜ ଛକ ଅଛି ସେଠି ବସରେ ବସିବେ । ତ ସୁବିଧା ହେଲେ ତାଙ୍କୁ ଟିକେ ଯାଇ ଦେଖି ଆସିବି ।
____ହେଉ ଠିକ ଅଛି । ମୁଁ ଯାଉଛି ଏତିକି କହି ଚାଲି ଆସିଲି ଘରକୁ । ରୋଷେଇ ସାରି ଖାଇବା ପାଇଁ ବସିଛି ରୁବି ବୋଉର ବୁକ ଫଟା କାନ୍ଦ ଶୁଣି ଦୌଡ଼ି ଗଲି ତା ଘରକୁ । ମତେ ଦେଖି ରୁବି ବୋଉ ଆହୁରି କାନ୍ଦିବାରେ ଲାଗିଲା ।
_____ମୋର ସବୁ ସରିଗଲା ଲୋ ରୁପା । ରୁବି ବାପା ଆସୁଥିବା ଗାଡି କୁଆଡେ ଘାଟିରେ ଆକ୍ସିଡେଣ୍ଟ ହେଇ ଯାଇଛି ଲୋ ।
,_____ତୁ କାନ୍ଦେନା ,ରୁବି ବାପାଙ୍କ କିଛି ହେଇନଥିବ । ସବୁ ଠିକ ହବ । ବହୁତ ବୁଝେଇଲି । ହେଲେ ରୁବି ବୋଉର କାନ୍ଦ ଆଉ ସେ ଛୋଟ ଝିଅ ରୁବି ଦିଜଣକୁ ଦେଖି ମତେ ବି କାନ୍ଦ ଆସିଗଲା । କିଛି ସମୟ ପରେ ରୁବି ବୋଉର ଫୋନ ବାଜି ଉଠିଲା । ଆଉ ମୁଁ ଫୋନ ଉଠେଇଲି । ସେପଟୁ ଜଣେ କହିଲା ଏ ଫୋନ ଯାହାର ସେ ଆକ୍ସିଡେଣ୍ଟରେ ମରିଯାଇଛନ୍ତି । ତାଙ୍କର ପୋଷ୍ଟମଟମ ପାଇଁ ଜଣେ ଏଠିକି ଆସିବା ନିହାତି ଦରକାର ।
_____କଣ ହେଲା ରୁପା କିଏ ଫୋନ କରିଥିଲା??ରୁବି ବାପା ଭଲ ଅଛନ୍ତି ନା??
____ହଁ, ସେ ଠିକ ଅଛନ୍ତି । ବଳିଆ(ରୁବିର ଦାଦା) କୁଆଡେ ଗଲା ତାକୁ ଟିକେ ରୁବିବାପା ପାଖକୁ ଯିବାକୁ ପଡିବ । ତାଙ୍କୁ ଆଣିବାକୁ ।
କିଛି ସମୟ ପରେ ଆମ୍ବୁଲାନସ ଗାଡି ଲାଗିଲା । ଆଉ ରୁବି ବାପାଙ୍କ ଦେହ ଉପରେ ଧଳା ଲୁଗା ଦେଖି ରୁବି ବୋଉର ସେନ୍ସ ହିଁ ପଳେଇଲା ।
ମନେ ମନେ ଭାବୁଥିଲି କେତେ ଖୁସୀ ଥିଲା??ହସି ହସି ଲାଜେଇ ଯାଉଥିଲା... ଆଉ ଏବେ ଏ ବୁକୁ ଫଟା କାନ୍ଦ ।
ଯାହାକୁ ଏତେ ସରଗରେ ଜଗି ବସିଥିଲା,ଯାହା ପାଇଁ ସଜେଇ ହୋଇ ନୂଆବୋହୁ ପରି ଦେଖା ଯାଉଥିଲା । କଣ ହେଲା???କେତେ ହୃଦୟ ବିଦାରକ ଥିଲା ସେ ଘଟଣା । ବିଚାରି ରୁବି ତାକୁ ବା କଣ ଜଣା ଅଛି??ତା ବାପା ଆଉ ଏ ଦୁନିଆରେ ନାହାନ୍ତି ।
ସବୁ ଅପେକ୍ଷାର ଅନ୍ତ ସରିଯାଇଛି । ଆଉ ଏତେ କଷ୍ଟ ଥିଲା ଏହି ଅପେକ୍ଷାରେ କିଏ ତିଳେ ସୁଧା ଭାବି ନଥିଲେ ।