Sachidananda Kar

Tragedy

4.0  

Sachidananda Kar

Tragedy

ଅଣ୍ଟିରେ ଧନ ନ ଥିବା ଲୋକ

ଅଣ୍ଟିରେ ଧନ ନ ଥିବା ଲୋକ

2 mins
40


---------------------------------

               ଅଣ୍ଟିରେ ଧନ ନ ଥିବା ଲୋକ

              --------------------------------------------------------

            ଅଣ୍ଟିରେ ଧନ ନ ଥିବା ଲୋକଟିଏ ସେ।


            ଏବେ ଏହି କାରଣରୁ ପଥର ପଡିଲେ ସହିଯାଉଛି।କାରଣ ସଂସାର ଭିତରେ ସେ ଘର କରି ରହିଛି।


            ନାଆଁ ନିରଞ୍ଜନ, ଗାଆଁ ନରହରିପୁର।ବାହା ହୋଇନାହିଁ।ବୟସ ତିନି କୋଡି ଟପିଲାଣି।ତା'ର ଏଇ ବାହା ନ ହେବାର କାରଣ ମଧ୍ୟ ସେ ନିଜେ।


            ଅନେକ ସୁନ୍ଦରୀ ଝିଅଙ୍କର ପ୍ରସ୍ତାବ ତା' ମାଆ ହାତରେ ଥିଲା।ହେଲେ ବାହା ହେବାକୁ ସେ ରୋକଠୋକ ମନା କରି ଦେବାରୁ ତା' ମା' ହାତବାନ୍ଧି ବସିଗଲା।


            ବାପା କେବେଠୁ ଚାଲି ଯାଇଥିଲେ।ଏବେ ଘରେ କେବଳ ମା',ପୁଅ ଦି' ଜଣ ରହୁଛନ୍ତି।


            ଘରୁ ବାହାରିଲେ ହାଟ।ଏ ସଂସାରଟା ନିରଞ୍ଜନକୁ ସବୁବେଳେ ହାଟ ପରି ଲାଗୁଥିଲା।ହାଟରେ କିଣାବିକା ହେଉଥିବା ଦେଖୁଥିଲା ସେ।ଲାଭ ଆଶାରେ ପସରା ମେଲାଇ ବସିଥିଲେ ବେପାରୀ।ଶସ୍ତା, ସୁନ୍ଦର ଖୋଜୁଥିଲେ ଗ୍ରାହକ।ଅଣ୍ଟିରେ ଧନ ନେଇ ଆସୁଥିଲେ ହାଟକୁ।ଧନ ସରିଗଲେ ହାଟବାହୁଡା।


            ହେଲେ ହାଟକୁ ବାହାରି ପାରୁ ନ ଥିଲା ସେ,ଅଥଚ ତା'ର ବହୁତ କିଛି କିଣିବାକୁ ଥିଲା।


            ଆଗରେ ହାଟୁଆଙ୍କ ଲମ୍ବା ଧାଡ଼ି।ବହୁ ପଛରେ ଯାଇ ରହୁଥିଲା ସେ।ହାତରେ ବ୍ୟାଗ୍ ଭର୍ତ୍ତି ସଉଦା ଧରିଥିବା ଲୋକମାନଙ୍କୁ ଦେଖୁଥିଲା।ସେମାନେ ସବୁ ତାକୁ ଠିକ୍ ଈଶ୍ବରଙ୍କ ଭଳି ଲାଗୁଥିଲେ।ଏଡେ ସହଜରେ କେମିତି ବଞ୍ଚିବାର କଳା କୌଶଳ ଆପଣେଇ ନେଇଛନ୍ତି ଏମାନେ ? ନିଜକୁ ପଚାରୁଥିଲା।


            ସମସ୍ତେ ତା'ର ଅପରିଚିତ ନ ଥିଲେ।ଅନେକ ପରିଚିତ ହାଟୁଆ ବି ଥିଲେ।ସମସ୍ତଙ୍କୁ ସେ ଦେଖୁଥିଲା।


            - କିପରି ଅଛ ଭାଇ ?


           - କ'ଣ କ'ଣ ସବୁ କିଣିଲଣି ?


           - କିଣାକିଣି ସରିଗଲାଣି ନା ?


           - କେତେବେଳେ ଘରକୁ ଫେରିବ କି ?


           ଖାଲି ବ୍ୟାଗ୍ ହାତରେ ଧରି ବୁଲୁଥିଲା ସେ।ହେଲେ ଥରୁଟିଏ ତାକୁ ଏମିତି କେହି ପଚାରୁ ନ ଥିଲେ।ସେ ଖୁବ୍ ଆଶ୍ଚର୍ଯ୍ୟ ହେଉଥିଲା।ଭାବି ହେଉଥିଲା।


           କିଏ ପଚାରି ବୁଝେ କି ଏଠି ଗରିବର ଭଲମନ୍ଦ !


           ବେଳେବେଳେ ଅତି ନିଜର କେହି କେହି ତା'ର ସାମ୍ନାକୁ ଚାଲି ଆସୁଥିଲେ।କାହାକୁ କିଛି ନ କହି ହାଟ ମଝିରେ ଇଆଡେ ସିଆଡେ ଚାଲି ଯାଉଥିଲା ସେ।ଲୁଚି ଯାଉଥିଲା।ଠକି ଦେଉଥିଲା।


            ଦିନେ ପଛରୁ ଆସି ପିଲାଦିନର ସାଙ୍ଗ ପ୍ରଦୀପ ତା' କାନ୍ଧରେ ହାତ ରଖିଲା।ସେ ବୁଲିପଡି ପଛକୁ ଚାହିଁଲା।


           ଏବେ ଏବେ ଚାକିରୀରୁ ଅବସର ନେଇ ଗାଆଁକୁ ଫେରିଥିଲା ପ୍ରଦୀପ।


           - ସାର୍ ! ଝୁମୁରୀକୁ ଗୋଲାପ ଦେଉଛି ପ୍ରଦୀପ।


           ଦିନେ ମିଛରେ ଶ୍ରେଣୀ ଶିକ୍ଷକଙ୍କୁ ଏତିକି କହି ଶ୍ରେଣୀରେ ତାକୁ ଧୁମ୍ ମାଡ ଖୁଆଇଥିଲା ସେ।ଆଜି ତାକୁ ଦେଖୁ ଦେଖୁ ସେଦିନର କଥା ମନେ ପଡିଲା।ସେ ଆଶ୍ଚର୍ଯ୍ୟ ହେଉଥିଲା ମନେମନେ।ଦୁଃଖୀ ବି।


           ଏତିକିବେଳେ ପ୍ରଦୀପ ତାକୁ କହିଲା - ଗୋଲାପ ଫୁଲଟେ କିଣିନେ'।କୋଉ ଝିଅକୁ ଦେଇ ଖୁସି ମନେଇବୁ।


            ନା ଥିଲା ପଇସା,ନା ଥିଲା ବୟସ।ସାଙ୍ଗ ପ୍ରଦୀପର ଏଇ ତାତ୍ସଲ୍ୟଭରା କଥା ଶେଷରେ ହାଟ ଭିତରେ କେଉଁଠି ହଜିଗଲା ଭଳି ହଜିଗଲା ସେ।


           ଅଣ୍ଟିରେ ଧନ ନ ଥିବା ଲୋକ।


           ଏମିତି ଲୋକ ଏ ସଂସାର ହାଟରେ ହଜିଯିବା ବଡ କଥା ନୁହେଁ।


Rate this content
Log in

Similar oriya story from Tragedy