ଅନାଥ
ଅନାଥ


ଟ୍ରେନଟି ଆସି ଲାଗିଲା ଷ୍ଟେସନରେ।ମଦନ ପ୍ଲାଟଫର୍ମକୁ ଓହ୍ଲାଇ ଚାଲିଲା ନିଜ ଗାଁ ଅଭିମୁଖେ । ଅବିରତ ବର୍ଷା, ବୁଜୁଳି, ଘଡଘଡି ସାଙ୍ଗକୁ ନିର୍ଜନ ସଡକ, ଆଖ ପାଖରେ କୁଆ କି କୋଇଲି ପିଲାଟିଏ ବି ନାଇଁ।ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାଇଁ। ସାଙ୍ଗରେ ଛତା କି ରେନିକୋଟ ଟିଏ ବି ଧରିନାହିଁ।ହଠାତ ତା' କାନରେ ପଡିଲା କିଏ ଜଣେ କାନ୍ଦୁଥିବାର ଶବ୍ଦ। ମଦନ ମନେ ମନେ ଭାବିଲା ଏତେ ରାତି ପୁଣି ବର୍ଷାଟାରେ କିଏ ଏଭଳି କାନ୍ଦୁଛି? କାନ୍ଦ ଶବ୍ଦ ଶୁଣି ଶୁଣି ମଦନ ଯାଇ ପହଁଚିଲା ଗୋଟେ ଛୋଟ ପୁଅ ପାଖରେ। ବୟସ ପାଖାପାଖି ୬-୭ ହେବ। ପିଲାଟିକୁ ସେ ତା'ର ନା ଆଉ ଠିକଣା ପଚାରିଲା। ହେଲେ ପିଲାଟି କିଛି ଉତ୍ତର ଦେଲାନାହିଁ। ଧୀରେ ଧୀରେ ସେ କାନ୍ଦ ବନ୍ଦ କରିବାକୁ ଲାଗିଲା। ମଦନ ଜାଣିବାକୁ ପାଇଲା ପିଲାଟି ବାକଶକ୍ତି ବିହୀନ ଓ ଅନାଥ। ମଦନ ପିଲାଟିକୁ ଧରି ତା' ଘରକୁ ଆସିଲା।
ପରିବାର କହିଲେ ମଦନର କେହି ନାହାନ୍ତି। ବାପା, ମା ଦୁଇ ବର୍ଷ ତଳେ ଇହଧାମ ତ୍ୟାଗ କରିଛନ୍ତି। ତେଣୁ ପିଲାଟିକୁ ମଦନ ଭଗବାନଙ୍କ ଇଛା ଭାବି ନିଜ ପାଖରେ ରଖିଲା। ତା' ନାଁ ଦେଲା ମୁନା।ସକାଳ ହେବା ମାତ୍ରେ ଗାଁ ଲୋକ ମଦନକୁ ବହୁତ ଟାହି ଟାପରା କଲେ। ତା ସତ୍ତ୍ୱେ ବି ମଦନ ମୁନାକୁ ଛାଡିଲାନି।ଏହିପରି ୩ବର୍ଷ ବିତିଗଲା।
ଇତି ମଧ୍ୟେ ମୁନାକୁ ୧୦ବର୍ଷ ହେଇଗଲାଣି।ସେ ଗାଁ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛି।ମଦନର ମଧ୍ୟ ବିବାହ ଯୋଗ୍ୟ ବୟସ ହୋଇଗଲାଣି । କିନ୍ତୁ ଏହି ମୁନା ଯୋଗୁ ତା'ର ବିବାହ ହୋଇପାରୁନାହିଁ। ଜାତି ଗୋତ୍ର ନଥିବା ପିଲାଟିକୁ ପାଖରେ ରଖିଛି, ତା' ବାପା ମାଙ୍କ ପରିଚୟ ନାହିଁ । କେଉଁ ଏକ ଜାରଜ ସନ୍ତାନକୁ ପାଖରେ ରଖିଛି କିଏ ବା କାହିଁ ଝିଅକୁ ମଦନ ହାତରେ ଦେବ।
ଶେଷରେ ମଦନର ଏକ ସମ୍ଭ୍ରାନ୍ତ ଘରେ ବିବାହ ଠିକ ହେଲା।କିନ୍ତୁ ଶଶୁରଙ୍କ ସର୍ତ୍ତ ଯେ ମୁନାକୁ ଅନାଥାଶ୍ରମରେ ଛାଡିବାକୁ ପଡିବ।ଇଛା ନଥିଲେ ମଧ୍ୟ ମୁନାକୁ ନେଇ ମଦନ ଅନାଥାଶ୍ରମରେ ଛାଡିବାକୁ ପଡିଲା।ମୁନାର ସେ କରୁଣ ଚାହାଣି ବାସ୍ତବିକ ବଡ଼ ହୃଦୟ ବିଦାରକ ଥିଲା।ତଥାପି ସେ ୩ବର୍ଷର ସ୍ନେହ ପ୍ରେମକୁ ପଛରେ ପକାଇ, ଛାତିରେ ପଥର ରଖି ଛାଡ଼ିଦେଇ ଆସିଲା।
ଇତି ମଧ୍ୟେ ପନ୍ଦର ବର୍ଷ ବିତିଗଲାଣି।ମଦନର ଗୋଟିଏ ପୁଅ ଓ ଗୋଟିଏ ଝିଅ ହୋଇଗଲେଣି।ଏହା ମଧ୍ୟରେ ମଦନ କେବେ ଯାଇ ଦେଖିଆସିନି ମୁନାକୁ।ଦେଖିବାକୁ ଯିବ ବା କେମିତି ସ୍ତ୍ରୀର କଡା ତାଗିଦ , ଦେଖିବାକୁ ଗଲେ ସ୍ତ୍ରୀ ସହ ସମ୍ପର୍କ କାଟିବାକୁ ପଡିବ।
ବାହାରେ ପ୍ରବଳ ବର୍ଷା ମଦନ ଘରେ ନାହିଁ।ହଠାତ ଫୋନ ରିଙ୍ଗ ହେଲା।ମଦନର ସ୍ତ୍ରୀ ଫୋନ ଉଠାଇଲା।ସେପଟୁ ଜଣେ ଅଚିହ୍ନା ଯୁବକ କହିଲେ," ମଦନର ଗାଡି ଦୁର୍ଘଟଣା ହୋଇଛି ସେ ଡାକ୍ତରଖାନାରେ"। ଏଇ କଥା ଶୁଣି ମଦନର ସ୍ତ୍ରୀ ଏକ ନିଶ୍ୱାସରେ ଧାଇଁଲା ଡାକ୍ତରଖାନା।ସେଠାରେ ଯାଇ ଦେଖିଲା ମଦନ ICU ଭିତରେ।ମଦନର ଆଖିଟି ନଷ୍ଟ ହୋଇଯାଇଛି।କେହି ଜଣେ ସହୃଦୟ ବ୍ୟକ୍ତି ଆଖି ଗୋଟେ ଦାନ କରିବାକୁ ଆଗେଇ ଆସିଛନ୍ତି।ମଦନର ସ୍ତ୍ରୀ ଏକ ପ୍ରକାର ପାଗେଳି ହୋଇ ପଡିଥାଏ।ଯାହାବି ହେଉ ଆଖି ଅପେରେସନଟି ଠିକରେ ହେଇଗଲା।କିଛିଦିନ ବିଶ୍ରାମ ପରେ ମଦନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲା।
କିଛିଦିନ ପରେ ମଦନ ତା ସ୍ତ୍ରୀକୁ ଆଖି ଦାନ ସମ୍ପର୍କରେ ପଚାରିଲା।ମଦନର ସ୍ତ୍ରୀ ପାଖରେ କିଛି ବି ଉତ୍ତର ନଥିଲା।କାରଣ ଘଟଣା ପରେ ସେ କେବେ ସେ ଲୋକଟିକୁ ଦେଖିନି ଆଉ ସେ ଭଳି ପରିସ୍ଥିତିରେ ମଧ୍ୟ ସେ ଆଉ ଜାଣିବାକୁ ବି ଚାହିଁନି ଲୋକଟି ବିଷୟରେ।କିନ୍ତୁ ମଦନ ତାକୁ ଥରେ ମାତ୍ର ଦେଖାକରି ଧନ୍ୟବାଦ କହିବ ବୋଲି ବ୍ୟାକୁଳିତ ଥିଲା।ସେଥିପାଇଁ ମଦନ ଡାକ୍ତରଖାନାକୁ ଯାଇ ତଥ୍ୟ ସଂଗ୍ରହ କରି ଯାହା ଜାଣିବାକୁ ପାଇଲା ତା' ପରେ ତା ପାଦ ତଳୁ ମାଟି ଖସିପଡ଼ିଲା ଭଳି ଲାଗିଲା।ସେଇ ସହୃଦୟ ବ୍ୟକ୍ତି ଆଉ କେହି ନୁହେଁ ସେ ହେଇଚି ସେହି ଅନାଥ, ଜାତି ଗୋତ୍ର ନଥିବା ପିଲା ମୁନା।
ସେଇଠି ସେ ମୁଣ୍ଡରେ ହାତ ଦେଇ ବସିପଡ଼ିଲା।ମନେମନେ ଭାବିଲା ତିନି ବର୍ଷର ଲାଳନପାଳନର ଋଣ ତୁ ଏମିତି ସୁଝିଲୁ!ଏମିତି ଏକ ବର୍ଷା ରାତିରେ ତୋ ଅନାଥକୁ ମୁଁ ଘର ଦେଇଥିଲି, ଆଉ ସେମିତି ଏକ ବର୍ଷା ରାତିରେ ତୁ ମୋର ଛୋଟ ପିଲାଙ୍କୁ ଅନାଥ ହେବାରୁ ବଞ୍ଚାଇଲୁ।ମତେ ଜୀବନ ଦେଲୁ। କଥା ନ କହି ବହୁତ କିଛି କହିଦେଲୁରେ ମୁନା।ମୁଁ ନିର୍ବୋଧ, ଅବୋଧ ତୋ ଭଳି ହୀରକୁ ଚିହ୍ନି ନ ପାରି ଫିଙ୍ଗିଦେଇ ଆସିଲି।
ମଦନ ନିଜକୁ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ଉଠିଲା।ମଦନର କାନ୍ଦ ସ୍ୱରରେ ଡାକ୍ତରଖାନା ପ୍ରତିଧ୍ବନିତ ହେଲା।ତା ଆଖି ଆଗରେ ନାଚି ଉଠିଲା ଅନାଥାଶ୍ରମକୁ ଛାଡିବା ବେଳର ସେଇ ନିରୀହ, ନିଷ୍ପାପ ମୁହଁ ଆଉ ଅଶ୍ରୁ ଦୁଇ ଧାର ବୋହି ଯାଉଥିବା ସେଇ କରୁଣ ଚାହାଣି।