Aravinda Das

Tragedy

3  

Aravinda Das

Tragedy

ସ୍ୱପ୍ନ ଓ ବାସ୍ତବତା

ସ୍ୱପ୍ନ ଓ ବାସ୍ତବତା

2 mins
547



ସୁମି ନିଜର ଲମ୍ବା ଘଞ୍ଚ କେଶଗୁଛକୁ ଯେତେବେଳେ ମୋ ମୁଁହ ଉପରେ ପକାଇ ଦିଏ, ମୋତେ ଲାଗେ ମୋ ମନ ଆକାଶରେ କଳା ହାଣ୍ଡିଆ ବାଦଲ ଛାଇ ଗଲା ଭଳି।

ମନେ ମନେ ସ୍ବପ୍ନ ଦେଖେ,ସୁମି ସହ ମୋର ବାହାଘର ହୋଇଯାଇଛି ଓ ସକାଳୁ ସକାଳୁ ଚା କପ ଧରି ସୁମି ଠିଆ ହୋଇଛି।ଅଳସ ଭାଙ୍ଗି ପୁଣି ଶୋଇବାର ଉପକ୍ରମ କଲାବେଳେ,ନିଜ ସଦ୍ୟସ୍ନାତ କେଶ ନିର୍ଗତ ଜଳ ବିନ୍ଦୁ ମୋ ମୁହଁ ରେ ଛାଟି ଦେଇ କହୁଛି, "ଦୁଷ୍ଟାମୀ ଥାଉ;ଅଫିସ ଯିବନି କି ?"

ନିଦ ଭାଙ୍ଗି ଯାଏ ମୋର।ସବୁ ସ୍ବପ୍ନ।ସୁମି କଣ ପାଖରେ ଅଛି ?

ଦୀର୍ଘ ନିଶ୍ବାସ ଟେ ଛାତି ଥରାଇ ବାହାରି ଯାଏ।ମନ ହାଲକା ହେବା ବଦଳରେ ପୁଣି ହୋଇଯାଏ ଭାରି।

ମୋ କେଶବତୀ ପ୍ରିୟତମା।

ଭାବନା ରାଜ୍ୟରେ ବୁଡିଯାଏ ମୁଁ।

ସୁମି ସହ ଦେଖା ଜଣେ ବନ୍ଧୁର ଜନ୍ମଦିନ ପାର୍ଟି ରେ।

କଥାବାର୍ତା,ଫୋନ ନମ୍ବର ଦିଆନିଆ,ଫେସବୁକ ରେ ଚାଟିଂ,ମେସେଜ।ପ୍ରେମ କଣ ଏମିତି ହୁଏ ? କେଜାଣି ? ହୋଇଥିବ।ରାତିରେ ତ ମୋତେ ଗାଢ଼ ନିଦ ହେଉଥିଲା।

ପ୍ରେମ ହେଲେ ପରା ବିନିଦ୍ରା ରଜନୀ କାଟିବାକୁ ପଡେ ?ତମେ ଜଣେ ସଚ୍ଚା ପ୍ରେମିକ ନୁହେଁ।ନିଜ ମତଲବ ସରିଗଲେ ପୁଣି କେଉଁ ନୂଆ ଗାର୍ଲ ଫ୍ରେଣ୍ଡ।

     ସୁମି କଥା ଶୁଣି ଚୁପ ରହିଯାଇ ଥିଲି। ସତରେ କଣ ମୁଁ ଜଣେ ସଚୋଟ ପ୍ରେମିକ ନୁହେଁ ? କି ମତଲବ ଅଛି ମୋର ?ସୁମି ର ସେଇ ଲମ୍ବା ବେଣୀ,ଘନ କେଶ ତ ମୋ ଦୁର୍ବଳତା।ସେ କଣ ଜାଣେନା ?

ଟିଭି ରେ ବିଜ୍ଞାପନ ଦେଖି ସୁମି ପାଇଁ ସୁଗନ୍ଧିତ କେଶ ତୈଳ ନିଏ।ସାଙ୍ଗରେ କ୍ଲିପ,ଆୟୁର୍ବେଦିକ ଟନିକ,ହର୍ବାଲ ପାଉଡର।

ତମେ ତା ହେଲେ ମୋ ଅପେକ୍ଷା ମୋ ଲମ୍ବା ବାଳକୁ ଅଧିକ ଭଲ ପାଅ ?ଯାଉନ କେଉଁ କେରଳୀ ଝିଅ ଅଥବା ତେଲ ପାଇଁ ବିଜ୍ଞାପନ କରୁଥିବା ମଡେଲ କୁ ଭଲ ପାଇବ।ଦେଖିବ ରୁହ ଦିନେ ବାଳ ତକ ସବୁ କାଟି ନାଣ୍ଡି ହୋଇଯିବି କିମ୍ବା ମାତାଜୀ ହେବି।କଣ କରିବ ତୁମେ ?

ହସିଦେଇ କହିଲି,ମୁଁ ବାବାଜୀ ହୋଇଯିବି।କିନ୍ତୁ ତମକୁ ହିଁ ବାହା ହେବି।ତମେ ଯଦି ଆଉ କାହାକୁ ବାହା ହେବ,ତେବେ ମୁଁ ବ୍ରହ୍ମରାକ୍ଷସ ହୋଇ ତମ ବେଣୀରେ ଓହଳିବି ।

ଦୁହେଁ ହସୁ। ମନଖୋଲା ହସ।ହାଠାତ୍ ଏମିତି ଗୋଟେ ପରିସ୍ଥିତି ର ସାମ୍ନା କରିବାକୁ ପଡିବ ବୋଲି ଭାବି ନଥିଲି।

      ଓଃ,ଭଗବାନ !କାହିଁକି ଏମିତି ନିଷ୍ଠୁର ହେଲେ ?ସୁମି ସହ ଏମିତି ହେବ ବୋଲି କିଏ ଜାଣିଥିଲା ?

    ମୋତେ ଭୁଲିଯାଅ ବାଦଲ।ନିଜ ସଂସାର କର।

ନିଜକୁ ସମ୍ଭାଳି କହିଲି, ଏଇଟା ଗୋଟେ ଦୁର୍ଘଟଣା ବୋଲି ଭାବ।ଯଦି ମୋର କିଛି ଅସୁବିଧା ହୋଇଥାନ୍ତା ତମେ କଣ ମୋତେ ଛାଡି ଦେଇ ଥାନ୍ତ ? ବାହାଘର ପରେ ତମର ଏମିତି ହୋଇଥାନ୍ତା ?

      ତମେ ଭାବନା,ଆବେଗରେ ପଡି ଏସବୁ କହୁଛ ?ମୋତେ ଏକୁଟିଆ ଛାଡିଦିଅ ବାଦଲ।ଅନ୍ୟ କେଉଁ କେଶବତୀ ସୁନ୍ଦରୀ ବାଛି ନିଅ।

      ବୋଉ ବି ମୋ ଉପରେ ବିରକ୍ତ ହୋଇ କହୁଥିଲା, "ଏମିତି ଝିଅକୁ କିଏ ବୋହୁ କରିବ ?ତାକୁ ଭୁଲିଯା ବାପା।ପ୍ରେମରେ ଅନ୍ଧ ହେବା ଠିକ ନୁହେଁ। ତୋ ନିଜ ଭବିଷ୍ୟତ କଥା ଭାବ।

     ସବୁଆଡୁ ଵିଚାର କରି ସୁମିକୁ ମନ୍ଦିର ରେ ବାହା ହେଲି ଜବରଦସ୍ତି।ଆମ ପରିବାର ଲୋକେ କେହି ଆସିନଥିଲେ ମନ୍ଦିରକୁ।ସୁମି ର ପୁରା ପରିବାର ଉପସ୍ଥିତି ରେ ବାହାଘର ହେଲା।

   ମୋର କିଛି ଅନ୍ତରଙ୍ଗ ବନ୍ଧୁ ମୋ ବେଡ଼ରୁମ ସଜାଇ ଦେଇଥିଲେ ଫୁଲରେ। ଆମ ମିଳନ ର ପ୍ରଥମ ରାତି।

ସୁମି ମୁଣ୍ଡରୁ ଓଢ଼ଣା କାଢି ମୋ ଛାତି ରେ ନଦି ହୋଇପଡିଲା।

    ଦେହ ଭଲ ଲାଗୁଛି ତ ?ହାଲିଆ ହୋଇ ଯାଇଥିବ।ଟିକେ ଗଡିପଡ।

କ୍ଷୀଣ ହସର ଧାରଟେ ଖେଳିଗଲା ସୁମି ମୁହଁ ରେ।

ଆମ ସାମ୍ନା ରେ ଥିବା ଡ୍ରେସିଂ ଟେବୁଲ ରେ ସୁମି ଦେଖୁଥିଲା ନିଜ ପ୍ରତିବିମ୍ବକୁ।

      ନିଜ ସମ୍ପୂର୍ଣ କେଶହୀନ ମୁଣ୍ଡ ରେ ହାତ ବୁଲାଇ ଆଣି ଭାରୀ ସ୍ୱରରେ ମୋତେ କହିଲା,"କେଶବତୀ ପତ୍ନୀ ଟେ ପାଇବା ତୁମ ସ୍ୱପ୍ନରେ ରହିଗଲା "

       ସୁମି ପାଟିରେ ନିଜ ହାତ ରଖି କହିଲି, " ଚୁପଚାପ ଶୋଇପଡ।କାଲି ହସ୍ପିଟାଲ ଜଲଦି ଯିବାକୁ ପଡିବ।ତୃତୀୟ କେମୋ ପାଇଁ।"



Rate this content
Log in

Similar oriya story from Tragedy