STORYMIRROR

Aravinda Das

Tragedy

4  

Aravinda Das

Tragedy

ଇଟା ଗଢ଼ୁଥିବା ହାତ ଓ ଭୂତ

ଇଟା ଗଢ଼ୁଥିବା ହାତ ଓ ଭୂତ

2 mins
623



ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲାରେ ଥିବା ଇଂରାଜୀ ସମ୍ବାଦପତ୍ର ଅଫିସରେ ମୋର ପୋଷ୍ଟିଂ ହୋଇଥିଲା।

ମୁଁ ଶୁଣିଥିଲି ଏଇ ଅଞ୍ଚଳରେ ଥିବା ଅନେକ ଇଟା ଭାଟି ରେ ଓଡ଼ିଆ ଦାଦନଙ୍କୁ ଜବରଦସ୍ତି ପଶୁ ପରି ଖଟାଯାଉଛି।ନିହାତି ଅମାନୁଷିକ,ଅମାନବିକ ବ୍ୟବହାର କରାଯାଉଛି।ଅନେକ ଛୋଟ ପିଲା ଓ ବୁଢା, ବୁଢ଼ୀ ବି କାଳେ ଅଛନ୍ତି।

  ସତ୍ୟାସତ୍ୟ ଜାଣିବା ପାଇଁ ସେ ଜାଗାରେ ପହଞ୍ଚି ,ଆମ ଗାଁ ର ପିଲା ଜଗାକୁ ଦେଖି ଆଶ୍ଚର୍ଯ୍ୟ ଓ ଖୁସି ହୋଇଗଲି।

  ଜଗା ସେଠି ଏକ ଜଳଖିଆ ଦୋକାନ କରିଥିଲା।ମୋ କାମ ବହୁତ ସହଜ ହୋଇ ଯାଇଥିଲା।

ମୁଁ ବି ଏଠି ଦାଦନ ହୋଇ କାମ କରୁଥିଲି।ପଇସା ରଖି ଦୋକାନ ଖୋଲିଲି।ଭଗବାନଙ୍କ ଦୟାରୁ ଭଲ ଚାଲିଛି।

ଏ ଇଟା ସବୁ କିଏ ଗଢ଼େ ।?

 ଭୂତମାନେ ଏଠି ଇଟା ଗଢ଼ନ୍ତି।

ତା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲି , " ଭୂତ "?  

ଏଠି ଦାଦନମାନଙ୍କୁ ନିର୍ଯ୍ୟାତନା ଦିଆ ଯାଇ ଜବରଦସ୍ତି କାମ କରାଯାଉଛି ପରା?

  ଆଜି ରାତିରେ ସବୁ ନିଜ ଆଖିରେ ଦେଖନ୍ତୁ।ସତକଥା ଜାଣନ୍ତୁ ଓ ଲେଖନ୍ତୁ।


ସେଦିନ ପୂର୍ଣ୍ଣିମା ରାତି ଥିଲା।ଜହ୍ନ ଆଲୋକରେ ମୁଁ ଦେଖୁଥିଲି ଶହ ଶହ ଅଶରୀର ପରି ଦିଶୁଥିବା ଅବୟବ ସବୁ।ବିନା ଶୋର ଶବ୍ଦରେ କାମ ଚାଲିଥିଲା।ଶହ ଶହ ହାତ ଗଢ଼ୁଥିଲା ଇଟା।ଥାକ ମାରି ଇଟା ସବୁ ରଖାହେଉଥିଲା।

  ଜଗା କହିଲା,ଦିନ ଖରାରେ କାମ ଅପେକ୍ଷା ରାତିରେ ସୁରୁଖୁରୁରେ ଓ ଅଧିକ କାମ ହେଉଛି ବୋଲି ଏମିତି ହେଉଛି।

 ମୁଁ ପଚାରିଲି, 'ପୋଲିସ ପାଖରେ ଖବର ଅଛି ?    

  ପୋଲିସ ସବୁ ଜାଣେ।ମାସିକିଆ ଲାଞ୍ଚ ମିଳେ ବୋଲି ସମସ୍ତେ ଚୁପ୍।ତାଛଡା ଏଇ ଭାଟିଟା ଜଣେ ନେତାଙ୍କ ଭାଇର ।ତେବେ କିଛି ଲେଖିବା ଆଗରୁ ଏଇ ଭୂତ ଅର୍ଥାତ ଆମ ଦାଦନ ଭାଇଙ୍କ ସହ କଥା ହୋଇଯାଅ।"

   ଚାହା ପିଇବା ପାଇଁ ଦୁଇ ଜଣ ଲୋକ ଆସିଲେ ।ଜଗା ସେମାନଙ୍କୁ ସବୁ ବୁଝାଇଦେଲା।ଜଣେ ବୟସ୍କ ଓ ଜଣେ ୧୫/୧୬ ବର୍ଷ ପୁଅ ପିଲା।

 ସାର,ଆମ ନାଁ ଲେଖିବେନି।ଏଠି ଅସୁବିଧା ତ ଅଛି।କିନ୍ତୁ ଆମ ପଶ୍ଚିମ ଓଡ଼ିଶାରେ ,ଆମ ଗାଁ ରେ କଣ ସୁବିଧା ଅଛି ?ସବୁ ଜମି ଧନୀ,ନେତା, ସାହୁକାର ମାନଙ୍କର। ପାଣି ଟୋପେ ପିଇବାକୁ ମିଳୁନି;ଚାଷ ପାଇଁ ପାଣି କିଏ ଦେବ ?ତା ଛଡ଼ା ପରିଶ୍ରମ ନକଲେ ଟଙ୍କା କିଏ ଦେବ ?

  ବୟସ୍କ ଲୋକର କଥା ଶୁଣି ମୁଁ କହିଲି,"କିନ୍ତୁ ଅନେକ ତ ଅଭିଯୋଗ କରନ୍ତି।"

  ଛେପ ଢ଼ୋକି ବୁଢ଼ା କହିଲା, " ଓଡ଼ିଶାରେ କଣ କଣ୍ଟ୍ରାକ୍ଟର ମାନେ ନଖଟାଇ ପଇସା ଦିଅନ୍ତି ?ମୁଁ ମାନୁଛି ସାର,ଅନେକ ଠିକାଦାର ଅଧିକ ଖଟାନ୍ତି,ଅତ୍ୟାଚାର କରନ୍ତି।ତେବେ ଗୋଟେ କଥା ସାର୍, ଆମେ ନଚାହିଁଲେ କିଏ କଣ ଆମକୁ ଜବରଦସ୍ତି ନେଇଆସିବ ?ଆମେ ସବୁ ଜାଣି ଦାଦନ ଖଟିବାକୁ ଆସୁ।ଓଡ଼ିଶାରେ ଯଦି କାମ ମିଳନ୍ତା ଆମେ ବାହାରକୁ କାହିଁକି ଆସନ୍ତୁ ?

  ସେ ଟୋକା ଧୀର ସ୍ୱରରେ କହିଲା, ' ମୁଁ କଲେଜରେ ପଢିବାକୁ ଚାହୁଁଥିଲି।ମାଗଣାରେ ପଢ଼ିବା କଷ୍ଟ।ବାପା ମରିଗଲା ପରେ ରୋଜଗାର ପାଇଁ ଏଠାକୁ ଆସିଛି। "

 ବୁଢ଼ା ପୁଣି କହିଲା," କିଛି ଲୋକ ଗାଁ ରେ ମାଗଣା ବି.ପି.ଏଲ ଚାଉଳ ଓ ରାଲି ଟଙ୍କା ପାଇ ଅଳସୁଆ ହୋଇଗଲେଣି। ତେଣୁ ବାହାରେ ତାଙ୍କୁ କିଛି ବି କାମ ଓଜନିଆ ଲାଗୁଛି।ଆଡ଼ଭାନ୍ସ ଟଙ୍କା ନେଇ ଦଲାଲକୁ ଧୋକା ଦେଲେ ସେମାନେ କଣ ଛାଡିବେ ?

  ତା ମାନେ ଏଠି ଆତ୍ୟାଚାର ହେଉନି ?

ମୃଦୁ ହସି ବୁଢ଼ା କହିଲା," ସେ କଥା ନୁହେଁ।ଆପଣ କୁହନ୍ତୁ ଆମେ ଦାଦନ ବନୁଛୁ କାହିଁକି ?ଏ ହାତ ଦେଖୁଛନ୍ତି ସାର୍ ?ଗାଁ ରେ ମୂର୍ତ୍ତି,ମାଠିଆ,ହାଣ୍ଡି ଗଢ଼ୁଥିଲି।ହେଲେ ଏବେ ଆମ ଗାଁ ପ୍ରାୟ ଲୋକ ଶୁନ୍ୟ। କେବଳ ପଡିଛନ୍ତି ଅକର୍ମଣ୍ୟମାନେ।ଏବେ ଏ ହାତ ଇଟା ଗଢୁଛି।"

 ଜଗା କହିଲା, "ରାତିରେ ଏମାନେ କାମ କରୁଛନ୍ତି ବୋଲି ମୁଁ ଏମାନଙ୍କୁ ଭୂତ ବୋଲି ମଜାରେ କହେ।"

  ପତଳା ଚେହେରାବାଲା ସେ ଟୋକା କହିଲା ,"ସତରେ ଆମେ ଭୂତ।ଆମର ଭୋଟର ଲିଷ୍ଟ ରେ ନାଁ ନାହିଁ।ଆଧାର କାର୍ଡ ବି ନାହିଁ।ଆମେ ଜୀବିତ ଥାଇବି ଭୂତ।'

  ବିଦାୟ ନେବା ଆଗରୁ ସେ ବୁଢ଼ା କହିଲା, "ସାର୍ ଦାଦନ ଯନ୍ତ୍ରଣା ବିଷୟରେ ବହୁତ ଖବର,ଗପ,ଗୀତ ଲେଖାହୋଇଛି।ଯଦି ଆପଣ କିଛି ନୂଆ ଲେଖିବେ, ତେବେ ଭାବନ୍ତୁ ଆମକୁ ଇଟା ଗଢ଼ୁଥିବା ଭୂତ ବନେଇଲା କିଏ ?"

  ସେ ଦୁହେଁ ଚାଲିଯାଇଥିଲେ। ସ୍ତବ୍ଧ ହୋଇ ବସିଥିଲି ମୁଁ।ଜହ୍ନ ଆଲୋକରେ ଦେଖୁଥିଲି ସେଇ ଛାୟା ପରି ଦିଶୁଥିବା ଇଟା ଗଢୁଥିବା ମଣିଷମାନଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy