Debabrata Jena

Inspirational Others

3  

Debabrata Jena

Inspirational Others

ଅଲୋକଦିଶାରୀ

ଅଲୋକଦିଶାରୀ

2 mins
7.5K


ଜୀବନରେ ମୁଁ ଯେଉଁ ପରିଚୟଟେ ପାଇଛି ତାହା ପଶ୍ଚାତରେ ବାପା ମା’ ଓ ତାଙ୍କ ଆଶୀର୍ବାଦର ହାତ ରହିଛି ।ଶାସ୍ତ୍ର ପୁରାଣରେ ଯାହା ବର୍ଣ୍ଣିତ ଅଛି ତାହା ଆଜି ମୁଁ ଅକ୍ଷରେ ଅକ୍ଷରେ ସତ ବୋଲି ଅନୁଭଵ କରିପାରୁଛି । ବାପା -ମା ଜୀବନର ପ୍ରଥମ ଗୁରୁ,ଦେବତା,ଭଗବାନ ।

ମୋ ବାପାଙ୍କ ଜୀବନ ଶୈଳୀ ସମସ୍ତ ବାପାମାନଙ୍କଠୁ ଟିକେ ଅଲଗା । ଅନ୍ୟମାନେ ହୁଏତ ଏହାକୁ ଭିନ୍ନ ଢଙ୍ଗରେ ଦେଖନ୍ତି ,କିନ୍ତୁ ମୋତେ ବେଶ୍ ଭଲ ଲାଗେ ।ଜୀବନରେ ଅର୍ଥର ପ୍ରାଚୁର୍ଯ୍ୟତା ତାଙ୍କୁ କେବେ ଗ୍ରାସ କରିପାରିନି ।ବେଶ୍ ସ୍ୱାଧୀନଚେତା ବ୍ୟକ୍ତିତ୍ୱଟିଏ .......ନ ହେଲେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ନ ଥାନ୍ତେ ।ବୋଧହୁଏ ପରମେଶ୍ୱରଙ୍କ ଇଙ୍ଗିତରେ କାମନା ବାସନା ରହିତ ଜୀବନ ବଞ୍ଚିବାକୁ ଚାହୁଁଥିଲେ ।ଏବଂ ସେଥିପାଇଁ ସରକାରୀ ଚାକିରୀରୁ ଇସ୍ତଫା ଦେବା ସତ୍ଵେ ନା ତାଙ୍କ ମନରେ ଥିଲା ଅବଶୋଷ ନା ଥିଲା ପାଇବାର ଇଛା , ନା ହରେଇବାର ନିରାଶା ।

ଦିନକର କଥା । ୧୯୯୯ ମସିହା ଅକ୍ଟୋବର ମାସ ୨୫ ତାରିଖ କଥା । ମୁଁ ସେତେବେଳେ କଟକରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ,ଗୋପୀନାଥ ପୁରରେ ନବମ ଶ୍ରେଣୀରେ ହଷ୍ଟେଲରେ ରହି ପାଠ ପଢ଼ୁଥିଲି । ଦଶହରାରେ ମୁଁ ଘରକୁ ଆସିଥିଲି । ଯିବା ଦିନ ଉପନୀତ ହେଲା ।ବାପା ଓ ମୁଁ ବାହାରିଲୁ । ଜଳେଶ୍ୱର ଯାଏଁ ବସରେ ...ତା ପରେ ଟ୍ରେନରେ କଟକ ଯିବୁ । ଜଳେଶ୍ୱର ଷ୍ଟେସନରେ ହଠାତ ବାପା ଜଣେ ଅଳ୍ପ ପରିଚିତ ଲୋକ ସାଙ୍ଗରେ ଟିକଟ କରି ଟ୍ରେନରେ ବସାଇ ଦେଲେ ।ହାତରେ ୧୦୦ ଟଙ୍କା ଗୁଂଜି ଦେଇ କହିଲେ କଟକରୁ ଓହ୍ଲାଇ ଓ.ଏମ. ପି ରୁ ବସ ଯୋଗେ ଜଗତପୁର..ଜଗତପୁରରୁ ପାଗାଛକ ଓ ତାପରେ ଅଟୋ ଯୋଗେ ଗୋପୀନାଥ ପୁରରେ ପହଂଚିବା ପାଇଁ । ସେ ଏକୁଟିଆ ମୋତେ ଟ୍ରେନରେ ବସାଇ ଦେଇ ଘରକୁ ବାହୁଡ଼ି ଗଲେ । ସେ ମୋତେ ଏକୁଟିଆ ଛାଡିବା ପଛରେ ଉଦ୍ଦେଶ୍ୟକୁ ଯଦିବା ମୁଁ ସେତେବେଳେ ତାଙ୍କୁ ଭୁଲ ବୁଝିଥିଲି କିନ୍ତୁ ଆଜି ନିଜେ ସେକଥା ବୁଝି ଭାରି ଖୁସି ଲାଗୁଛି ।

ପ୍ରଥମତଃ ସେ ଚାହୁଁଥିଲେ ପୁଅ ନିଜେ ଏକୁଟିଆ ଦୂର ସ୍ଥାନକୁ ଯାଉ ଓ ଅସୁବିଧାର ସମ୍ମୁଖୀନ ହୋଇ ଜୀବନର ଅସଲ ସତ୍ୟକୁ ଅନୁସନ୍ଧାନ କରୁ ।

ମୋର ଆତ୍ମନିର୍ଭରଶୀଳ ଗୁଣର ବିକାଶ ଦିଗରେ ସେହି ଘଟଣା ମୋତେ ପରବର୍ତ୍ତୀ ଅବସ୍ଥାରେ ବହୁତ ସହାୟକ ହେଲା ।

ମୋ ବାପା ମୋର ଆଦ୍ୟ ଗୁରୁ ।ପାଞ୍ଚ ବର୍ଷ ବୟସରୁ ମୋର ଛାତ୍ରାବାସ ଜୀବନର ଅୟମାରମ୍ଭ ହୁଏ । ରାତିରେ ଠିକ୍ ଶୋଇବା ପୂର୍ବରୁ ନୂଆ ଇଂରାଜୀ ଶବ୍ଦରେ ପରିଚିତି କରିବା ,ପୌରାଣିକ କାହାଣୀ ଶୁଣେଇବା ତାଙ୍କ ନିତିଦିନିଆ ଡିଉଟି ଥିଲା ।ଶ୍ରେଣୀରେ ପାଠ ପଢାଇବା ବେଳେ ବିଷୟ ଭିତ୍ତିକ ତଥ୍ୟକୁ ବାସ୍ତବ ଜୀବନ ସଙ୍ଗରେ ଯୋଡି ଖୁବ ସୁଂଦର ଭାବରେ ବୁଝେଇ ଦିଅନ୍ତି । ପାଠପଢ଼ାରେ କେବେ ତାଗିଦ କରି ନାହାନ୍ତି , ସ୍ଵାଧ୍ୟାୟ ଉପରେ ଗୁରୁତ୍ୱ ଦେଇଛନ୍ତି ,ବରଂ ଆମ ପାଇଁ ସ୍ୱାଧୀନ ଭାବରେ ଚାପମୁକ୍ତ ପାଠ୍ୟ ପରିବେଶ ସୃଷ୍ଟି କରିଛନ୍ତି । ମୋର ଭଲ ଭାବେ ମନେ ଅଛି ପଞ୍ଚମ କି ଷଷ୍ଠ ଶ୍ରେଣୀ ବେଳକୁ ତାଙ୍କରି ପ୍ରେରଣାରେ ସ୍କୁଲ ଲାଇବ୍ରେରୀର ସମସ୍ତ ବହି ପଢି ସାରିଦେଇଥିଲି । ବାପାଙ୍କ ସ୍ୱାଧୀନତାର ମର୍ଯ୍ୟାଦାକୁ ନେଇ ଆମେ ସ୍ଵେଚ୍ଛାଚାରୀ ହୋଇନୁ କି ବାପାଙ୍କର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ ହେବାକୁ ଦେଇନୁ ।

ଅତି ସ୍ୱଳ୍ପବେତନ ମଧ୍ୟରେ କିଭଳି ଏତେ ବଡ଼ ପରିବାରର ପ୍ରତିପୋଷଣ ହୋଇଛି ତାହା ଉଭୟ ବାପା -ମାଙ୍କ ତ୍ୟାଗପୂତ ଜୀବନର ଏକ ଜ୍ୱଳନ୍ତ ନମୁନା । ସେମାନଙ୍କ ନିଷ୍ଠାପର ଭଗବତ ସମର୍ପଣର ଫଳସ୍ଵରୂପ ଆମେ ଆଜି ସ୍ୱଚ୍ଛନ୍ଦ ଜୀବନ ବଞ୍ଚୁଛୁ । ଜୀବନ ଯାକ ଅସହ୍ୟ ଭାର ବୋହି ବାପା ତାଙ୍କ କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିଛନ୍ତି । ଆମେ ସେ ୠଣ ଜନ୍ମ ଜନ୍ମ ଚାହିଁଲେ ଵି ଶୁଝି ପାରିବାନି ।


Rate this content
Log in

Similar oriya story from Inspirational