ଅଳନ୍ଧୁ
ଅଳନ୍ଧୁ
ରିକ୍ସାବାଲାର ଝିଅ ଆଇ.ଏ.ଏସ ପାଇଛି ବୋଲି ପୁରା ସହର ସାରା ଚର୍ଚ୍ଚା ।ଅନେକ ଲୋକ ଘରକୁ ଆସି ଅଭିନନ୍ଦନ ଦେବାରେ ଲାଗିଛନ୍ତି ।ସକାଳୁ ଘର ଆଗରେ ଟିଭି, ଖବରକାଗଜର ସାମ୍ବାଦିକମାନଙ୍କର ଭିଡ଼ ଲାଗିଛି ।ଚାରିଆଡେ ଖୁସିର ସୁଅ ଛୁଟୁଛି ।ଦିନରାତି ଟାହିଟାପରା କରୁଥିବା ପଡୋଶୀମାନେବି ସଜେଇହୋଇ ଫୋଟୋ ଉଠାଇବାକୁ ଆସିଗଲେଣି ।ହୃଦୟରେ ଜମିଥିବା ଅଳନ୍ଧୁକୁ ଲୁଚେଇବା ପାଇଁ ଓଠରେ ମିଛ ହସ ଫୁଠେଇ ଝିଅକୁ ଅଭିନନ୍ଦନ ଦେବାରେ ଲାଗିପଡିଛନ୍ତି ।
ମିଶ୍ରବାବୁଙ୍କର ସହରରେ ଅନେକ ସମ୍ମାନ ରହିଛି ।ସହରର ଧନୀଲୋକ ଭାବେ ବେଶ ପରିଚିତ ।ଅନେକ ଅନୁଷ୍ଠାନ ତାଙ୍କୁ ଡାକି ସମ୍ମାନିତ କରନ୍ତି ।ଆଜି ସେହିପରି ଏକ ଅନୁଷ୍ଠାନକୁ ଯିବାର ଅଛି ।ସେଠାରେ ନିରାଶ୍ରୟ ବୁଢ଼ାବୁଢ଼ୀଙ୍କ ଥଇଥାନ ଉପରେ ଏକ କାର୍ଯ୍ୟକ୍ରମ ହେବାର ଅଛି ।ମିଶ୍ରବାବୁ ମୁଖ୍ୟ ବକ୍ତା । କାର୍ଯ୍ୟକ୍ରମକୁ ଯିବା ବାଟରେ ଡ୍ରାଇଭରକୁ ଗାଡ଼ି ରଖିବାକୁ କହିଲେ ମିଶ୍ରବାବୁ ।ଡ୍ରାଇଭର ହାତରେ କିଛି ପଇସା ବଢ଼େଇଦେଇ ପାଖରେ ଥିବା ବୃଦ୍ଧାଶ୍ରମର କାର୍ଯ୍ୟକର୍ତ୍ତାଙ୍କୁ ଦେଇଦେବାକୁ କହିଲେ, ସେଠାରେ ରହୁଥିବା ନିଜ ବାପାଙ୍କ ପାଇଁ ।ଡ୍ରାଇଭର ମନେ ମନେ ଭାବୁଥାଏ, "ହୃଦୟରେ ଅଳନ୍ଧୁ ଜମାହୋଇଥିବା ଲୋକମାନେ ଦୁନିଆଁ ଆଗରେ କେତେ ସୁନ୍ଦର ଅଭିନୟ କରିପାରନ୍ତି ।
ସରକାରୀ ଚାକିରୀ ପାଇବାକୁ ଅନେକ ଚେଷ୍ଟା କରି ଶେଷରେ କନେଷ୍ଟବଳ ଚାକିରୀ ପାଇଁ ଟୁନାକୁ ଚିଠି ଆସିଛି । ମନରେ ଅନେକ ଆଶା ନେଇ ଟୁନା କଟକ ଆସିଛି । ହେଡ଼ଅଫିସରେ ପହଁଞ୍ଚିବା ପରେ କିଛି ସମୟ ପରେ ଭିତରକୁ ଗଲା ଟୁନା ।ଚଉକିରେ ବସିଥିବା ବାବୁ କହିଲେ, "ତୋର ସବୁ ରେଡି, ଖାଲି ଟଙ୍କା ପାଞ୍ଚଲକ୍ଷ ବଢ଼େଇଦେ, ତାପରେ ତୋର ଚାକିରୀ ପକ୍କା ।
ଟୁନା ମୁଣ୍ଡ ବୁଲେଇଦେଲା, ଏତେ ଟଙ୍କା ତା' ବଂଶରେ କେହି ଦେଖିନାହାନ୍ତି ।"କୋଉଠୁ ଆଣିବ ଏତେ ଟଙ୍କା? " ବାବୁଙ୍କୁ ଅନେକ ନେହୁରା ହେଲା ଟୁନା, ହେଲେ ବାବୁଙ୍କ ଆଖିରେ, ହୃଦୟରେ ଜମିସାରିଥିଲା ଲୋଭର ଅଳନ୍ଧୁ ।
