ଐତିହାସିକ କେଦାରନାଥ ମହାପାତ୍ର
ଐତିହାସିକ କେଦାରନାଥ ମହାପାତ୍ର
ଗୋଟିଏ ଦେଶର ପ୍ରକୃତ ମୂଲ୍ୟାୟନର ଏକମାତ୍ର ଭିତ୍ତି ହେଉଛି ତ୍ରୁଟିହୀନ ଇତିହାସ । ଏଇ ଭାରତ ଭୂଖଣ୍ଡକୁ ଯେତେ ଗବେଷଣା କରାଯିବ, ସେତେ ନୂତନ ତଥ୍ୟ ପ୍ରାପ୍ତ ହେବ । ସେଥିପାଇଁ ଆବଶ୍ୟକ ଜଣେ ଉପଯୁକ୍ତ ଗବେଷଣାକାରୀ ବାଐତିହାସିକ । ଆସନ୍ତୁ ଜାଣିବା ସେଇମିତିକା ଜଣେ ମଣିଷଙ୍କୁ । ସେ ହେଉଛନ୍ତି ଐତିହାସିକ କେଦାରନାଥ ମହାପାତ୍ର । ତାଙ୍କର ଜନ୍ମ ହୋଇଥିଲା ଏଇ ଓଡ଼ିଶା ମାଟିରେ ୧୯୧୧ ମସିହା ଅକ୍ଟୋବର ମାସ ୨୧ ତାରିଖ ଶନିବାର ଦୀପାବଳୀ ତିଥିରେ ଭୁବନେଶ୍ୱରର ଏକ ରାଜବୈଦ୍ୟ ପରିବାରରେ । ସେ ଜଣେ ସତ୍ୟ ସନ୍ଧାନୀ , ଏକନିଷ୍ଠ , ସ୍ଵାଭିମାନୀ ବ୍ୟକ୍ତି ଥିଲେ । ଅନ୍ଧକାରରେ ରହି ଥିବା ଓଡ଼ିଶା ବହୁଳାଂଶରେ ଆଲୋକିତ ହୋଇଥିଲା ତାଙ୍କର କର୍ମ ଓ ପ୍ରଚେଷ୍ଟା ଦ୍ଵାରା ।
ପୁରୁଣା ଭୁବନେଶ୍ବରର ବିଖ୍ୟାତ କବିରାଜ ଧରମୁ ମହାପାତ୍ର ଥିଲେ ସାରା ପୁରୀ ଜିଲ୍ଲାରେ ଖ୍ୟାତ । ତାଙ୍କର ପୁତ୍ର ଗୋପୀନାଥ, ବୋହୂ ରାଧିକା ଦେବୀ । ଉଭୟେ ଶ୍ରୀ କେଦାରେଶ୍ୱର ଓ ଗୌରୀ ଦେବୀଙ୍କ ଭକ୍ତ । ତେଣୁ ବଡ଼ ପୁଅର ନାମ ରହିଲା କେଦାରନାଥ । କେଦାରନାଥଂକର ଆକର୍ଷଣ ନଥିଲା କବିରାଜୀ ବିଦ୍ୟା ପ୍ରତି । ଶିକ୍ଷାର ଆରମ୍ଭ ମାଟିବଂଶ ଅବଧାନଙ୍କ ଚାହାଳୀରେ । ତା'ପରେ ମଧ୍ୟ ଇଂରାଜୀ ବିଦ୍ୟାଳୟ , ଖୋର୍ଦ୍ଧାରେ ଉଚ୍ଚ ବିଦ୍ୟାଳୟ (୧୯୨୫) ଏବଂ ୧୯୨୯ ମସିହାରେ ରେଭେନ୍ସା କଲେଜରୁ BA , କଟକ ଟ୍ରେନିଂ ସ୍କୁଲରୁ ପ୍ରଶିକ୍ଷକ ପରୀକ୍ଷା ପାଶ କରିଥିଲେ। ପିଲା ଦିନରୁ ଅନିସନ୍ଧିତ୍ସୁ ମନ ନେଇ ସେ ଜନ୍ମ ହୋଇଥିଲେ । ଥରେ ଶିକ୍ଷକଙ୍କ ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ,
"ବଡ଼ ହେବି ! ଐତିହାସିକ ହେବି ! ଦେଶ ଓ ଜାତିର ଗୌରବମୟ ଇତିହାସ ଲେଖି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିକୁ ଉନ୍ନତ ଜାତି ରୂପେ ପରିଚିତ କରାଇବି !"
୧୯୨୫ ମସିହାରେ ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ା ସମୟରେ ପ୍ୟାରୀ ମୋହନ ଆଚାର୍ଯ୍ୟଙ୍କ 'ଓଡ଼ିଶା ଇତିହାସ ' , ଗଙ୍ଗାଧର ମେହେରଙ୍କ ସମସ୍ତ କାବ୍ୟ , କବି ସମ୍ରାଟଙ୍କ ସୃଷ୍ଟି ସମଗ୍ର , ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ , ଭକ୍ତ ଚରଣଙ୍କ ମଥୁରା ମଙ୍ଗଳ , କବିବରଙ୍କ କାବ୍ୟାବଳି , ପଣ୍ଡିତ ବିନାୟକ ମିଶ୍ରଙ୍କ ' ଓଡ଼ିଆ ସାହିତ୍ୟର ପରିଚୟ ' ପ୍ରଭୃତି ଗ୍ରନ୍ଥ ପାଠ ଦ୍ଵାରା ତାଙ୍କ ଜ୍ଞାନର ପରିସୀମା ବ୍ୟାପ୍ତ ହାଇସ୍କୁଲ ସ୍ତରରୁ । ସେହି ସମୟରେ ତାଙ୍କର ପ୍ରଥମ ଆଲୋଚନାତ୍ମକ ପ୍ରବନ୍ଧ "କେଦାର ଗୌରୀ କାବ୍ୟରେ ପାଶ୍ଚାତ୍ୟ ପ୍ରଭାବ " ପ୍ରକାଶିତ । ହର୍ଷ ଯୁଗର ଅନ୍ୟତମ ମହିୟସୀ ରାଜ୍ୟଶ୍ରୀଙ୍କ ଉପରେ ଦୀର୍ଘ ପନ୍ଦର ପୃଷ୍ଠାର ଗବେଷଣା ଭିତ୍ତିକ ପ୍ରବନ୍ଧ ଦ୍ଵିତୀୟରେ ବହୁ ଚର୍ଚ୍ଚିତ । ଗ୍ରୀଷ୍ମାବକାଶରେ ସାରଳା ମହାଭାରତ, ଦିବାକର ଦାସଙ୍କ ଜଗନ୍ନାଥ ଚରିତାମୃତ, କବି ସମ୍ରାଟଙ୍କ ଗୀତାଭିଧାନ, ବୈଦେହୀଶ ବିଳାସ, କାଳିଦାସଙ୍କ କୁମାର ସମ୍ଭବ, ରଘୁବଂଶ ଗ୍ରନ୍ଥ ଅଧ୍ୟୟନ ତାଙ୍କୁ ଭବିଷ୍ୟତରେ ଜଣେ ଐତିହାସିକ ହେବାର ପ୍ରେରଣା ଦେଇଥିଲା ।
ରେଭେନ୍ସା କଲେଜରେ BA ପଢ଼ିବା ସମୟରେ ତାଂକର ଦେଖା ହେଲା ପ୍ରଖ୍ୟାତ ଐତିହାସିକ ଘନଶ୍ୟାମ ଦାସ, ନିର୍ମଳ ଚନ୍ଦ୍ର ବାନାର୍ଜୀ, ଡଃ ଆର୍ତ୍ତ ବଲ୍ଲଭ ମହାନ୍ତି , ଲିପିତତ୍ତ୍ଵବିତ୍ ପଣ୍ଡିତ ବିନାୟକ ମିଶ୍ର ,ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ ଆଦି ବିଦ୍ୱାନ ମାନଙ୍କ ସହିତ । ସେମାନେ କେଦାରନାଥଙ୍କ ଜ୍ଞାନ ପିପାସା ଓ ଅନୁସନ୍ଧିତ୍ସାକୁ ଲକ୍ଷ୍ୟ କରି ସଠିକ୍ ମାର୍ଗ ଦର୍ଶନ କରାଇବାରେ ମୁଖ୍ୟ ଭୂମିକା ବହନ କରିଥିଲେ । ଏମ୍.ଏ. ପାଠ୍ୟକ୍ରମ ନଥିଲା ସେତେବେଳେ ଓଡ଼ିଶାରେ. ତେଣୁ ଇତିହାସରେ ଏମ୍.ଏ କରିବାକୁ ମନ ବଳାଇଲେ ପାଟନା ବିଶ୍ଵବିଦ୍ୟାଳୟ ଯିବାକୁ । ଅର୍ଥ ବାଧକ ସାଜିଲା । ତେଣୁ ବାଛିନେଲେ କଟକ ଟ୍ରେନିଂ ସ୍କୁଲ । ସେହି ସମୟରେ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ, ସାହିତ୍ୟିକ ବାଳକୃଷ୍ଣ କର, ଶିଳ୍ପୀ ଗୋପାଳ କାନୁନଗୋ, ପଣ୍ଡିତ କୁଳମଣି ଦାଶ , ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ , ଡଃ ହରେକୃଷ୍ଣ ମହତାବ, ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର , କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ଇରମ ଜମିଦାର ରାଧାକାନ୍ତ ପାଢ଼ୀ, ସାହିତ୍ୟିକ ଶଶୀଭୂଷଣ ରଥ ପ୍ରଭୃତିଂକ ମାନଙ୍କର ଶ୍ରଦ୍ଧା ଭାଜନ ହୋଇ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଚୁର ଜ୍ଞାନ ଅର୍ଜନ କଲେ । ପ୍ରଶିକ୍ଷଣ ନେବା କାଳରେ ରଚିତ ହୋଇଥିଲା ଗବେଷଣା ଭିତ୍ତିକ ମୂଲ୍ୟବାନ ପ୍ରବନ୍ଧ ସମୂହ --
ଖାରବେଳଙ୍କ କଳିଙ୍ଗ ନଗରୀ, କେଶରୀ ବଂଶର ଅବସାନ, ଖାରବେଳଙ୍କ ସମୟ ନିରୂପଣ, ଜୟଦେବଙ୍କ ସମୟ ନିରୂପଣ , ଉତ୍କଳୀୟ ଶିଳ୍ପରେ ଗଜଲକ୍ଷ୍ମୀ, ଉତ୍କଳୀୟ ଶିଳ୍ପରେ ନାଗନାଗିନୀ, ଜାତି ଗଠନରେ ଇତିହାସର ସ୍ଥାନ, Lalatendu Keshari of Madala Panji
୧୯୩୦ ମସିହା ବେଳକୁ ପାଠ୍ୟପୁସ୍ତକର ଅଭାବ ଥିଲା ଓଡ଼ିଶାରେ । ୧୯୩୫ ମସିହାରେ ଖୋର୍ଦ୍ଧା ହାଇସ୍କୁଲରେ ଯୋଗ ଦେବା ପରେ, ଇତିହାସ ପାଠ୍ୟପୁସ୍ତକର ଅଭାବ ଲକ୍ଷ୍ୟ କରିଥିଲେ କେଦାରନାଥ । ୧୯୩୬ ମସିହାର ଜାନୁଆରୀ ମାସରେ ସେ ଯୋଗଦେଲେ କଟକର ଭିକ୍ଟୋରିଆ ହାଇସ୍କୁଲ ( ଏବେର ଭକ୍ତମଧୁ ବିଦ୍ୟାପୀଠ ) ରେ. ସେଇଠି ପୁସ୍ତକ ପ୍ରକାଶକ ଦାମୋଦର ରଥଙ୍କ ପ୍ରେରଣାରେ ରଚନା କଲେ ଦୁଇଖଣ୍ଡ ଇତିହାସ ବହି ଯଥା-
1. ପ୍ରାଚୀନ ଭାରତ ଇତିହାସ ଏବଂ 2. ଉଚ୍ଚ ପ୍ରାଥମିକ ଭାରତ ଇତିହାସ
୧୯୩୮ ସେ ମସିହାରେ ଲେଖିଲେ ଇଂଲଣ୍ଡ ଇତିହାସ. ସେହି ବର୍ଷର ଜୁଲାଇ ମାସରେ କେଦାରନାଥ ଯୋଗ ଦେଲେ ସମ୍ବଲପୁର ଜିଲ୍ଲା ସ୍କୁଲରେ ଇତିହାସ ଶିକ୍ଷକ ଭାବେ । ଇତିହାସ ରଚନା ନେଇ ପ୍ରଧାନ ଶିକ୍ଷକଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଲା । ଏହି କାରଣରୁ ସ୍ଵାଭିମାନୀ କେଦାର ବାବୁ ଶିକ୍ଷକତା ତ୍ୟାଗ କରି ଘରେ ବସି ଲେଖିଥିଲେ ଭାରତ ଇତିହାସ ଓ Matriculation History of England.
ଚାକିରୀ ଛାଡ଼ି ଆସବା ପରେ କଟକ ପ୍ୟାରୀମୋହନ ଏକାଡେମୀରୁ ପ୍ରଧାନ ଶିକ୍ଷକ ତାଙ୍କୁ ସସମ୍ମାନେ ନେଇ ଆସି ଦିଆଇଲେ ସହକାରୀ ଶିକ୍ଷକ ପଦ । ଯଥେଷ୍ଟ ସଫଳତା ଆସିଲା ସେହି ସମୟରେ । କଟକରେ ମିଶିବାର ସୁଯୋଗ ମିଳିଲା ସୁନାମଧନ୍ୟ ବିଦ୍ୱାନ ପଣ୍ଡିତ ଲିଙ୍ଗରାଜ ମିଶ୍ର, ବିପିନ ବିହାରୀ ରାୟ, ଚିନ୍ତାମଣି ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋଦାବରୀଶ ମିଶ୍ର , ଗୋଦାବରୀଶ ମହାପାତ୍ରଙ୍କ ଭଳି ଉତ୍କଳର ସୁଯୋଗ୍ୟ ସନ୍ତାନ ମାନଙ୍କ ସହ. ୧୯୪୦ରେ ଉତ୍କଳ ଭାରତୀଙ୍କ କୋଳ ମଣ୍ଡନ କଲା ଉଚ୍ଚମାନର ଗବେଷଣାତ୍ମକ ଇତିହାସ,
ତୋଷାଳୀର ଇତିହାସ ଓ ଖାରବେଳ । ଉତ୍କଳକୁ ଭଲ ପାଉଥିବା କେଦାରନାଥଙ୍କ ନିଶା ଥିଲା ଇତିହାସ ଗର୍ଭ ଗୃହରେ ପ୍ରବେଶ କରି ତା'ର ଅନୁସନ୍ଧାନ କରିବା । ଓଡ଼ିଶାର ଉପାନ୍ତରେ ଥିଲା କଳାହାଣ୍ଡି ରାଜ୍ୟ ଯାହା ପ୍ରାଚୀନ କୀର୍ତ୍ତିରାଜିରେ ପରିପୂର୍ଣ୍ଣ । ପ୍ରତାପ କେଶରୀ ଦେଓ (୧୯୪୩) ଥିଲେ ଗୁଣଗ୍ରାହୀ ତଥା ପ୍ରାଚୀନ ସଂସ୍କୃତି ଓ ଇତିହାସର ଉପାସକ। ତାଙ୍କ ଦେଵାନ୍ ଉମାଚରଣ ଦାସ, କେଦାରନାଥଙ୍କୁ ସସମ୍ମାନେ ନେଇ ନିଯୁକ୍ତି ଦେଇ ଦେଲେ ପ୍ରତ୍ନତତ୍ତ୍ଵବିତ୍ ଭାବରେ । କଳାହାଣ୍ଡିର ପ୍ରାଚୀନ ବିଭବର ଅନୁସନ୍ଧାନ କରିବା ପାଇଁ ସମସ୍ତ ଆୟୋଜନ କରିଦେଲେ. ଆରମ୍ଭ ହେଲା ଅନୁସନ୍ଧାନ , ଖୋଦନ , ସଂଗ୍ରହଣ , ବିଭାଗୀକରଣ ଏବଂ ସଂରକ୍ଷଣ ! ଏବଂ ଆମେ ପାଇଲେ : ---
ବହୁ ତାଳପତ୍ର ପୋଥି, ବହୁ ତମ୍ବାପଟା ସନନ୍ଦ, କଳାହାଣ୍ଡି ମାଦଳା, ବୈଜଳଦେଵ ପ୍ରବୋଧ ଚନ୍ଦ୍ରିକା, ନାଗବଂଶ ଚରିତ, ଅସଂଖ୍ୟ ମୂର୍ତ୍ତି ।
ମଳିଲା ତେଲ ଓ ଉତେଇ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ଲୁକ୍କାୟିତ ଐତିହ୍ୟ ସମ୍ପନ୍ନ ବେଲଖଣ୍ଡି ଗ୍ରାମର ବିପୁଳ ପ୍ରତ୍ନତାତ୍ବିକ ଅବଶେଷ । ବେଲଖଣ୍ଡି ଅଞ୍ଚଳର ଭୂ-ଖୋଦନ ପରେ ଭୂଗର୍ଭରୁ ପ୍ରାପ୍ତ ହେଲା ନାଗବଂଶୀ ରାଜାଙ୍କ ସମୟର ଭଗ୍ନ ମନ୍ଦିର, ବହୁ ସଂଖ୍ୟକ ପ୍ରାଚୀନ ମୂର୍ତ୍ତି, ଦୁର୍ଲ୍ଲଭ ତାଳପତ୍ର ପୋଥୀ, ତମ୍ବାପଟା ! ପ୍ରତିଷ୍ଠା ହେଲା ରାଜଭବନ ମଧ୍ୟରେ କଳାହାଣ୍ଡି ସଂଗ୍ରହାଳୟ ।
କଳାହାଣ୍ଡି କହିଲେ କେହି ବି ଜାଣନ୍ତି ନାହିଁ, କଳାହାଣ୍ଡି, କଳାର ଗୋଟିଏ ହାଣ୍ଡିଶାଳ ବୋଲି । ସୁଶାସକ ରାଜା ପ୍ରତାପ କେଶରୀ ଦେଓଙ୍କ ପୃଷ୍ଠପୋଷକତା ଏବଂ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣଙ୍କ ସମସ୍ତ ପ୍ରକାର ସହଯୋଗ ବଳରେ ଶ୍ରୀ କେଦାରନାଥ ମହାପାତ୍ର କଳାହାଣ୍ଡିକୁ ଦେଲେ ପୁନର୍ଜୀବନ. ଅତୀତ ବିଭବ ହେଲା ଆବିଷ୍କୃତ ! ବେଲଖଣ୍ଡର ପ୍ରତ୍ନତାତ୍ବିକ ଖନନ ପରେ ଦୁର୍ଗମ ଅଞ୍ଚଳ କର୍ଲାପାଟ, ଚହଗାଁ, ପଣ୍ଡିଗାଁ , ଘୁମୁରା ପଲ୍ଲୀ, ବୁଢ଼ା ପଦର ସର୍ବେକ୍ଷଣ ମାଧ୍ୟମରେ ସେ ଦେଲେ ନୂଆ ରୂପ. ସେହି ପ୍ରତ୍ନତାତ୍ବିକ କାର୍ଯ୍ୟ ବେଳେ ପୋଥି ସଂଗ୍ରହ ଥିଲା ଆଉ ଏକ ସଫଳତା ଓ ଦୁଃସାହସିକ କାର୍ଯ୍ୟ. ଏହି ସମୟରେ ଆବିଷ୍କାର କଲେ ରଣପୁର ଅଞ୍ଚଳର ବନମାଳୀ ଜେନାଙ୍କ ଲିଖିତ ବନମାଳୀ ରାସ , ଖଲ୍ଲିକୋଟ ରାଜା ନଳୀନାକ୍ଷ ମର୍ଦ୍ଦରାଜଙ୍କ ଲାବଣ୍ୟନିଧି, ବୈଜଳ ଦେଵଙ୍କ ପ୍ରବୋଧ ଚନ୍ଦ୍ରିକା, ଦ୍ଵିଜ ଗଙ୍ଗାପାଣି ମହାପାତ୍ରଙ୍କ ବିଷ୍ଣୁଧର୍ମୋତ୍ତର ପୁରାଣ , ରତ୍ନଦାସଙ୍କ ସାରସ୍ଵତ ଗୀତା , ରସିକ ବିନୋଦ ଚଉତିଶା, ଶିବ ଗୀତା, ଗୋପାଳ ତେଲେଙ୍ଗାଙ୍କ ଅଧ୍ୟାତ୍ମ ରାମାୟଣ , ଅନେକ ଦୁର୍ଲ୍ଲଭ ତାଳପତ୍ର ପୋଥି , ବହୁ ସଂଖ୍ୟାରେ ପ୍ରାଚୀନ ମୂର୍ତ୍ତି ଇତ୍ୟାଦି ଇତ୍ୟାଦି । ଏହା ପୂର୍ବରୁ ଏସବୁ ଅମୂଲ୍ୟ ସମ୍ପଦ (ଗ୍ରନ୍ଥ) ସମ୍ବନ୍ଧରେ ଉତ୍କଳ ଭୂଖଣ୍ଡ ଥିଲା ଅଜ୍ଞ !
Kalinga Historical Research Society ର ପରିଚାଳନା ଭାର ଦିଆଗଲା କେଦାରନାଥଙ୍କୁ । ପ୍ରକାଶ ପାଇଲା , Journal of Kalinga Historical Research Society. ସମ୍ପାଦନା କେଦାରନାଥ ମହାପାତ୍ର । କଳାହାଣ୍ଡି ସଂଗ୍ରହାଳୟ ହୋଇଉଠିଲା ଓଡ଼ିଶାରେ ଅଦ୍ୱିତୀୟ । କଳାହାଣ୍ଡିରେ କେଦାର ବାବୁଙ୍କ ବିପୁଳ ଗବେଷଣା ସ୍ଵରୂପ ଉତ୍କଳ ପ୍ରାପ୍ତ ହେଲା ଐତିହାସିକ ଓ ପ୍ରତ୍ନତତ୍ତ୍ଵ ଉପରେ ଉଚ୍ଚମାନର ଗବେଷଣାତ୍ମକ ନିବନ୍ଧ, ଗ୍ରନ୍ଥ :---
ତେଲ୍ ତଟେ ପ୍ରାଚୀନ କୀର୍ତ୍ତି, କଳାହାଣ୍ଡିର ପ୍ରାଚୀନ କୀର୍ତ୍ତି, ହତଭାଗ୍ୟ ଓଡ଼ିଶା, କବି କରୁଣାକର, କବି ନଳୀନାକ୍ଷ ମର୍ଦ୍ଦରାଜ, କବି ବନମାଳୀ ଦାସ, ଓଡି଼ଆଙ୍କ ଦରିଆପାରି, ଓଡ଼ିଆ ସାମନ୍ତରାଜାଙ୍କ ଦରିଆପାରି, ପ୍ରାଚୀନ ଉତ୍କଳର ପ୍ରତ୍ନ ସମ୍ପଦ, ଓଡ଼ିଶାର ଦେବୀ ପୀଠ, କେଶରକ୍ଷେତ୍ର ଚଣ୍ଡେଶ୍ଵର, ଓଡ଼ିଶାର ଅଭ୍ୟୁଥାନ, ଓଡ଼ିଶାର ଅତୀତ ଓ ଭବିଷ୍ୟତ, ଓଡ଼ିଆ ଲିପିର କ୍ରମ ପରିଣାମ, ଓଡି଼ଆଙ୍କ ନବବର୍ଷ, ଗଙ୍ଗାଧର ମିଶ୍ର ଓ କୋଶଳାନନ୍ଦ ମହାକାବ୍ୟ, Kalahandi Today, Kalahandi the Historic Past
୧୯୪୭ ଡିସେମ୍ବର ମାସରେ ଗଡ଼ଜାତ ଚୁକ୍ତି ସ୍ବାକ୍ଷରିତ ହେବାରୁ କେଦାରନାଥ ଓଡ଼ିଶା ସରକାରଙ୍କ ଅଧୀନକୁ ଆସିଗଲେ । ତାଙ୍କ ଦ୍ବାରା ଆବିଷ୍କୃତ ପୋଥି , ସଂଗୃହୀତ ପ୍ରାଚୀନ ମୂର୍ତ୍ତି ରହିଗଲା କଳାହାଣ୍ଡି ରାଜଭବନର ସଂଗ୍ରହାଳୟରେ । ୧୯୫୦ ଏପ୍ରିଲ ମାସରେ କଳାହାଣ୍ଡି ମାଟିରୁ ବିଦାୟ ନେଇ ନୂତନ ଭାବେ ପ୍ରତିଷ୍ଠିତ ହୋଇଥିବା Orissa State Museum, ଭୁବନେଶ୍ୱରରେ ଯୋଗ ଦେଲେ କେଦାରନାଥ । ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ଏକ ବିଶିଷ୍ଟ ପର୍ବ ଓ ପ୍ରକାରାନ୍ତରେ ଓଡ଼ିଶା ପାଇଥିଲା ଅନେକ କିଛି, ଅନେକ କିଛି ।
