ଅହଂ ନାଶ
ଅହଂ ନାଶ
ମାନବ ର ଶାରୀରିକ, ମାନସିକ,ନୈତିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ବୈଜ୍ଞାନିକ ଉନ୍ନତି ନିମିତ୍ତ ଶାନ୍ତି ର ପ୍ରୟୋଜନୀୟତା ଗୁରୁତ୍ଵପୂର୍ଣ୍ଣ।
କଳା, ସାହିତ୍ୟ, ଶିଳ୍ପ,ବାଣିଜ୍ୟ ତଥା ସସ୍କୃତି ର ବିକାଶ କେବଳ ଶାନ୍ତିମୟ ବାତାବରଣ ମଧ୍ୟରେ ସମ୍ଭବପର। ଅହଂ ପ୍ରବୃତ୍ତି ମନୁଷ୍ୟକୁ ବିପଥଗାମୀ କରାଇଥାଏ। ପୁରାଣ ପୃଷ୍ଠା କୁ ଅବଲୋକନ କଲେ କୁରୁପତି ମହାମାନୀ ଦୁର୍ଯ୍ୟୋଧନ ଅହଂକାର ଅନ୍ଧ ହୋଇ ଧର୍ମ ର ସବୁ ସୀମା ଉଲଘଂନ କରିଯାଇଥିଲେ। ଶେଷରେ ଧର୍ମର ଯୁଦ୍ଧ "ମହାଭାରତ " ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଧର୍ମ ଓ ନ୍ୟାୟ ର ଜୟ ହୋଇଥିଲା। ଲଙ୍କାଧିଶ୍ୱର ମହାବଳ ପ୍ରତାପୀ ରାବଣ ମଧ୍ୟ ନିଜର ଅହଂ ମନୋଭାବ ପାଇଁ
ଦଶରଥ ନନ୍ଦନ ରାମ ଙ୍କ ଦ୍ଵାରା ଯୁଦ୍ଧ ରେ ନିହତ ହୋଇଥିଲେ। ଯୁଗେ ଯୁଗେ ଅନ୍ୟାୟ ଅନିତି ର ନାଶ ହୋଇଛି ଆଉ ଧର୍ମ ର ବିଜୟ ହୋଇଛି। ମହଦାନୀ ବଳି ରାଜା ମଧ୍ୟ ଅହଂ ପ୍ରବୃତ୍ତି ଯୋଗୁ ପାତାଳଗାମୀ ହୋଇଥିଲେ। କେବଳ ପୁରାଣ ନୁହେଁ ଇତିହାସ ପୃଷ୍ଠା ରେ ମଧ୍ୟ ଅହଙ୍କାରୀ, ବିଳାସୀ, ସାମ୍ରାଜ୍ୟବାଦୀ,
ଭୋଗବାଦୀ ସମ୍ରାଟ ମାନେ ସମର କୁ ଆହ୍ବାନ କରି ରକ୍ତ ର ନଦୀ
ସୃଷ୍ଟି କରିଥିଲେ।
ଇତିହାସ ହେଉ କି ପୁରାଣ ଯେଉଁଠାରେ ଶାନ୍ତି ର ବାତାବରଣ ଥାଏ ସେଠାରେ ବିଜୟ ସୁନିଶ୍ଚିତ। ରାମାୟଣ ରେ ବିଭୀଷଣ ଙ୍କ କଥା କୁ ଉପେକ୍ଷା କରି ଦଶାନନ ରାବଣ ମୃତ୍ୟୁ କୁ ଆମନ୍ତ୍ରଣ କରିଥିଲେ। ପୁଣି ମଗଧରାଜ ଅଶୋକ କଳିଙ୍ଗ ମହାସମର ର ଚରମ ବିଭୀଷିକା କୁ ଅନୁତାପ କରି ଶାନ୍ତି ର ମର୍ମବାଣୀ ପ୍ରଚାର କରିଥିଲେ। ସେ କହିଥିଲେ" ହିଂସା ପ୍ରଣୋଦିତ ତରବାରି ର ଜୟ
ଜୟ ନୁହେଁ"
ଆଜିର ବିଜ୍ଞାନ ଯୁଗରେ ମାନବ ସଭ୍ୟତା ଉନ୍ନତିର ଚରମ ଶୀର୍ଷରେ ପହଂଚି ସରିଛି। ତଥାପି ମାନବ ମନ ରୁ ଅହଂ ଭାବ ତ ଯାଇନାହିଁ। ଦେଶ ଦେଶ ମଧ୍ୟରେ ସୃଷ୍ଟି ହୋଇଛି ସଂଘର୍ଷ। ବିଜ୍ଞାନୀ ମାନବ ଦ୍ଵାରା ତିଆରି ପରମାଣୁ ବୋମା ଦ୍ଵାରା ହିରୋସୀମା, ନାଗାସାକୀ ଆଜି ବି ବୋମା ର କ୍ଷତିକାରୀ ପ୍ରଭାବରୁ ମୁକୁଳି ପାରୁନି। ଦେଶ ଦେଶ ମଧ୍ୟରେ ଭୁଲ୍ ବୁଝାମଣା ଯୋଗୁ ସାରା ପୃଥିବୀ ମଣ୍ଡଳ ବିଶ୍ୱଯୁଧ୍ୟ ର କରାଳ ତାଣ୍ଡବ କୁ ଦେଖିଛି।
ସଭ୍ୟତା ଯେତେ ଯେତେ ଉନ୍ନତି ହେଉଛି ମନୁଷ୍ୟ ର ଅହଂ ପ୍ରବୃତ୍ତି ଟା ମନୁଷ୍ୟ ମନ ରୁ ବିବେକ ,ବିଚାର ବୋଧ ଶକ୍ତି କୁ ସେତିକି ସେତିକି ଖାଇ ଚାଲିଛି। ମାନବ ମଧ୍ୟ ରେ ଉଦ୍ରେକ ହେଉଛି ହିଂସ୍ର ପ୍ରବୃତ୍ତି। ଆତଙ୍କବାଦୀ ଙ୍କ ର କାର୍ଯ୍ୟ କଳାପ ରେ ଆଜି ସାରା ବିଶ୍ବ ଆତଙ୍କିତ। ଖବରକାଗଜ ର ପ୍ରତି ଟି ପୃଷ୍ଠା ରେ ହିଂସା ର କରୁଣ ପରିଣତି ଦେଖିବାକୁ ମିଳୁଛି।
ସଭ୍ୟତା ସଙ୍କଟପୂର୍ଣ୍ଣ ଓ ଜୀବନ ସଂଶୟପୂର୍ଣ୍ଣ। ମାନବ ର ବୁଦ୍ଧି ଆଜି ବ୍ୟାଧିଗ୍ରସ୍ତ। ବିଶ୍ଵ ଆଜି ଶାନ୍ତିମନ୍ତ୍ର ପାଠ କରୁଛି,ଶାନ୍ତି ଲାଭ କରିବା ଉଦ୍ଦେଶ୍ୟରେ।ତେଣୁ ବିଶ୍ବସ୍ତରୀୟ ସମସ୍ୟାର ସମାଧାନ ପାଇଁ ଦେଶ ସମୂହ ସମର ପଥର ପଥିକ ନ ହୋଇ ବୁଦ୍ଧିଜିବୀ ମାନଙ୍କ ର ଶାନ୍ତି ଆଧାରିତ ସମାଧାନ କୁ ଅବଲମ୍ବନ କରିବା ଆବଶ୍ୟକ।
ଏଣୁ ଅହଂ ନୁହେଁ ଶାନ୍ତି ହିଁ ଅନୁକରଣୀୟ। ମାନବତା ପାଇଁ ଶାନ୍ତି ଆବଶ୍ୟକ। ମନ ରେ କୋୖଣସି କ୍ରୋଧ ,ମୋହ, ମାୟା ନ ରଖି ସମାଜ ର ହିତ ପାଇଁ କାମ କଲେ ଆମ ଏକ ସୁନ୍ଦର ବଳିଷ୍ଠ ସମାଜ ତିଆରି ହେଇପାରିବ।
ବାସ୍ତବରେ ଅହଂ ନାଶ ରେ ହିଁ ବ୍ୟକ୍ତିତ୍ଵ ଓ ବୌଦ୍ଧିକ ବିକାଶ ସମ୍ଭବ।
