ବରଗଛର ସ୍ମୃତି
ବରଗଛର ସ୍ମୃତି
ବିରାଟ ବରଗଛ । କାହିଁ କେତେ ଦିନୁ ତାର ଶାଖା ପ୍ରଶାଖାକୁ ବିସ୍ତାର କରି ଶୀତଳ ଛାଇ ପ୍ରଦାନ କରୁଛି । ସମସ୍ତଙ୍କୁ ତା'ର ସନ୍ତାନ ପରି ମନେ କରି ପାଳି ଆସୁଛି । ଗଛ ଟିକୁ ଘେରି ରହିଛି ଏକ ଚଉତରା । ପାଖରେ "ପଲେଇ"ବସ୍ ଷ୍ଟାଣ୍ଡ । ରାତି ପାହିଲେ କାହିଁ କେତେ ଦୂରରୁ ଯାତ୍ରୀ ମାନେ ଆସନ୍ତି । ଚଉତରା ଉପରେ ବସି ବସ୍କୁ ଅପେକ୍ଷା କରନ୍ତି ଆଉ ବସ୍ ଆସିଗଲେ ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ଫେରିଯାଆନ୍ତି । କିନ୍ତୁ ଗଛ ଟି ସେମିତି ପୁଣି ଯାତ୍ରୀଙ୍କ ଆସିବା ଅପେକ୍ଷାରେ ଅନେଇ ରହିଥାଏ ।
ସରୋଜ ଆଉ ସୁନୈନାର ଏକ ମାତ୍ର ମୁକ ସାକ୍ଷୀ ବି ଏଇ ଗଛ । ଏଇ ଚଉତରା ମୂଳେ ବସି ସେଦିନ ସେମାନଙ୍କର ବନ୍ଧୁତା ଆରମ୍ଭ ହେଇଥିଲା । କଲେଜ ରୁ ଫେରିଲେ ସରୋଜ ଆଉ ସୁନୈନାର ସେଇ ବରଗଛ ମୂଳେ ଦେଖହୁଏ । ସରୋଜର ଜନ୍ମ କ୍ଷତ୍ରିୟ ପରିବାରରେ ବାପା ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ । ସୁନୈନା ଖଣ୍ଡାୟତ ପରିବାରର ବାପା ଜଣେ ସରକାରୀ ଶିକ୍ଷକ । ସମୟ କ୍ରମେ କଲେଜରେ ପାଠ ପଢିବା ସରିବା ପରେ ଉଚ୍ଚ ଶିକ୍ଷା ନିମନ୍ତେ ସରୋଜ ବାହାରକୁ ପଳେଇଗଲା । ଆଉ ସୁନୈନା ବି ଅନ୍ୟ ଗୋଟେ କଲେଜରେ ନାମ ଲେଖାଇଲା । ବାସ୍ ସେଇଦିନ ଠାରୁ ବରଗଛ ମୂଳେ ସେମାନଙ୍କୁ ଏକାଠି ହେବାର କେହି କେବେ ଦେଖିନାହାନ୍ତି । ଚଉତରା ଉପରେ କାହିଁ କେତେ ଲୋକ ଆସନ୍ତି ବସନ୍ତି ଆଉ ପୁଣି ନିଜ ନିଜ ଜାଗାକୁ ଫେରିଯାଆନ୍ତି । ହେଲେ ବରଗଛ ଟି ସେହିଦିନରୁ ସେମିତି ସରୋଜ ଆଉ ସୁନୈନାକୁ ଅପେକ୍ଷା କରି ରହିଥାଏ । ଏହାରି ଭିତରେ ଆଠ ବର୍ଷ ବିତିଯାଇଛି । ସରୋଜ ବମ୍ବେରେ ଏକ ଭଲ କମ୍ପାନୀରେ ଚାକିରୀ କରୁଛି । ମୋଟା ଅଙ୍କର ଦରମା ବି ମିଳୁଛି । ସୁନୈନା ମଧ୍ୟ ଭୁବନେଶ୍ୱରରେ କଲେଜରେ ଅର୍ଥନୀତି ବିଭାଗରେ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛି । ପରସ୍ପର ଠାରୁ ବହୁତ ଦୂରରେ ଥିଲେ ମଧ୍ୟ ଉଭୟ ଙ୍କ ମଧ୍ୟରେ ସଂପର୍କର ସୂତା ଟି ଛିଡି ନ ଯାଇ ଆହୁରି ଅଧିକ ମଜବୁତ୍ ହେଇଯାଇଥିଲ । ବରଗଛ ମୂଳେ ଆରମ୍ଭ ହେଇଥିବା ବନ୍ଧୁତା କେତେବେଳେ ଯେ ପ୍ରେମରେ ବଦଳି ଯାଇଥିଲା ସେମାନେ ବି ଜାଣିପାରିନଥିଲେ । ହେଲେ ମନ କଥା ବି କେହି କାହାରିଙ୍କୁ ବି କହିପାରୁନଥିଲେ । ଶେଷରେ ସ୍ଥିର କଲେ ଯେଉଁଠି ସମ୍ପର୍କ ଆରମ୍ଭ ହେଇଥିଲା ସେଇଠି ପରସ୍ପରକୁ ଦେଖା କରିବେ । ଦୀର୍ଘ ଆଠ ବର୍ଷ ପରେ ପୁଣି ଥରେ ସେଇ "ପଲେଇ"ବସଷ୍ଟାଣ୍ଡରେ ବରଗଛ ମୂଳେ ସୁନୈନା ସହ ଦେଖାହେବ । ଏକଥା ମନେ ମନେ ଭାବି ସରୋଜ ବହୁତ ଖୁସି ହେଇଯାଉଥାଏ । ବିମାନର ଗତି ବଢିବା ସହିତ ଛାତିର ସ୍ପନ୍ଦନ ଟା ବି ଆହୁରି ଅଧିକ ବଢ଼ି ଯାଉଥାଏ । ମନରେ ଅମାପ ଉତ୍କଣ୍ଠା...
ସରୋଜ ଭାବି ଚାଲିଥାଏ... ସେ କେମିତି ଦେଖାଯାଉଥିବ... କଲେଜରେ ଯେମିତି ଦେଖାଯାଉଥିଲା...! ନାଁ ତା ଠାରୁ ଅଧିକ ସୁନ୍ଦର...!
କେତେ ଥର video callରେ ଦେଖିଛି ସେ ତଥାପି ସାମ୍ନାରେ କେମିତି ଦେଖାଯାଉଥିବ...
କଣ ପିନ୍ଧିଥିବ... କେଉଁ ରଙ୍ଗର ଡ୍ରେସ୍ ପିନ୍ଧିଥିବ...
ସେ ରଙ୍ଗ ଟି ତାକୁ ବେଶ୍ ମାନୁଥିବ ତ...
ହଁ... ହଁ ... ଝିଅମାନେ ନିଜ ବେଶ ପୋଷକରେ ଖୁବ୍ ଯତ୍ନବାନ୍, ଏମିତି ଅନେକ କିଛି...
ସେତେବଳକୁ ବିମାନଟି ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିସାରିଥାଏ । ବିମାନରୁ ଓହ୍ଲେଇ ଅଟୋ ରିକ୍ସାରେ ବସି ସିଧା ଚାଲିଲା ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ସେଇଠୁ ଗାଁକୁ ଥିବା ବସରେ ବସି ବାହାରିପଡିଲା ଗାଁ ଅଭିମୁଖେ । ସୁନୈନା ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ସେମାନେ ସେଇ ବରଗଛ ମୂଳେ ଦେଖା କରିବେ ବୋଲି ସ୍ଥିର କରିଥିଲେ । ହାତ ଘଣ୍ଟାକୁ ବାରମ୍ବାର ଦେଖୁଥାଏ ସରୋଜ । ସେପଟେ ସୁନୈନା ବି ବସରେ ବସି ସାରିଥାଏ । ଆଉ ଅପେକ୍ଷା କରିଥାଏ ସେଇ ମୁହୂର୍ତ୍ତକୁ.....
ସମୟ ୫ ଟା ବାଜି ୨୦ ମିନିଟ୍ । ହଠାତ୍ ମୋବାଇଲରେ ଆସୁଥିବା notificationରେ ସରୋଜର ନଜର ପଡ଼ିଗଲା ।
"ମା ବନଦୂର୍ଗା" ବସ୍ ଟି ଭରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେଇଛି । ବସ୍ର ସମସ୍ତ ଯାତ୍ରୀ ଗୁରୁତର ଆହତ ହେଇଛନ୍ତି ଆଉ କିଛି ଯାତ୍ରୀଙ୍କର ମୃତ୍ୟୁ ଘଟିଛି ।
ବସର ନାଆଁ କୋଉଠି ଶୁଣିଲା ପରି ଲାଗୁଛି ...
ଆରେ ହଁ ...ତ ...ଏଇ ଥିରେ ତ ସୁନୈନା ଆସୁଥିଲା...
ତା ମାନେ କଣ ...?
ଛାତିର ସ୍ପନ୍ଦନ ଟା ଆହୁରି ବଢ଼ିଗଲା ... ମନକୁ ପାପ ଛୁଇଁଲା...ସୁନୈନା ଠିକ୍ ଅଛି ତ ...
କାହିଁ newsରେ ତ ମୃତ ବ୍ୟକ୍ତି ଙ୍କର ନାମ କହୁନାହିଁ ...??
ହଠାତ୍ କଣ୍ଡକ୍ଟର ଆସି କହିଲା "ପଲେଇ"ବସ୍ ଷ୍ଟାଣ୍ଡ ଆସିଗଲାଣି
ଓହ୍ଲେଇବେ ନାହିଁ କି ...??
ବସ୍ ରୁ ଓହ୍ଲେଇ ତଳକୁ ଆସି ସେଇ ବରଗଛ ମୂଳ ଚଉତରା ଉପରେ ବସିପଡ଼ିଲା ସରୋଜ । ବସ୍ ଷ୍ଟପ୍ରେ ଅନେକ ଲୋକ ଙ୍କ ଗହଳି ଚହଳି ଥିଲେ ମଧ୍ୟ ସବୁ ଶୁନଶାନ୍ ଲାଗୁଥାଏ ...--
ସତେ ଯେପରି ପୃଥିବୀଟା ଅଟକି ଯାଇଛି ...-
ବସନ୍ତର ଆଗମନରେ ବରଗଛ ବି ନିଜକୁ ସଜେଇ କରି ପ୍ରସ୍ତୁତ ହୋଇ ରହିଛି ସରୋଜ ଆଉ ସୁନୈନାକୁ ସ୍ଵାଗତ କରିବ ବୋଲି...
ଦୀର୍ଘ ଏତେ ଦିନର ଅପେକ୍ଷା କଣ ଶେଷ ହେବନି ...
ଏଇ ଚଉତରା ମୂଳେ ଆରମ୍ଭ ହୋଇଥିବା ସମ୍ପର୍କ କଣ ଏଇଠି ଶେଷ ହେଇଯିବ ...??
ହଠାତ୍ ଦୂରରୁ ଶୁଣା ଗଲା ... ସରୋଜ...
