ଅଦିନ ଝଡ
ଅଦିନ ଝଡ


ଗୋଟିଏ ଜଙ୍ଗଲରେ ଗୋଟିଏ ଶୁଆ ଆଉ ଗୋଟିଏ ଶାରୀ ମହାନନ୍ଦରେ ଜୀବନ ଅତିବାହିତ କରୁଥିଲେ । ହସ ଖୁସିରେ କଟୁଥିଲା ତାଙ୍କ ଜୀବନ । ଏକଦା ଶାରୀ ତା ସାଙ୍ଗରେ ଗୋଟିଏ କପୋତୀକୁ ଆଣି ଶୁଆ ସହ ପରିଚିତ କରାଇଲା । ଶାରୀ ଓ କପୋତୀ ଅତି ଘନିଷ୍ଠ ବାନ୍ଧବୀ ଥିଲେ । ଶୁଆ ବି କପୋତୀକୁ ଶାରୀର ବାନ୍ଧବୀ ଭାବରେ ବହୁତ ସମ୍ମାନ କରୁଥିଲା । ପ୍ରଥମେ ପ୍ରଥମେ ସବୁ ଠିକ୍ ଚାଲିଥିଲା । କିନ୍ତୁ କିଛି ଦିନ ପରେ କପୋତୀ ଶୁଆର ପ୍ରେମରେ ପଡିଗଲା । ଆଉ ଶୁଆ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ପ୍ରୟାସ କଲା । ହେଲେ ଶୁଆ କପୋତୀର ଉଦ୍ଦେଶ୍ୟକୁ ସଠିକ୍ ରୂପେ ବୁଝି ନପାରି କପୋତୀ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଲାଗିଲା । କପୋତୀ ଅନେକ ଉପାୟରେ ଶୁଆକୁ ନିଜ ପ୍ରେମ ଜାଲରେ ଫସେଇବାକୁ ପ୍ରୟାସ ଆରମ୍ଭ କରିଦେଲା । ଶୁଆ କିନ୍ତୁ ସାରୀକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲା । ଶୁଆ ଶରୀର ହେଲେ ଶାରୀ ତାର ଆତ୍ମା ଥିଲା । ତେଣୁ ସେ କପୋତୀକୁ ବହୁତ ବୁଝାଇବାକୁ ପ୍ରୟାସ କଲା । ଶାରୀ, କପୋତୀକୁ ନିଜର ସବୁଠାରୁ ପ୍ରିୟ ବାନ୍ଧବୀ ହିସାବରେ ବହୁତ ବିଶ୍ୱାସ କରୁଥିଲା । ତେଣୁ ଶୁଆ,ଶାରୀକୁ କପୋତୀର ଉଦ୍ଦେଶ୍ୟ ସମ୍ପର୍କରେ ଚାହିଁ ମଧ୍ୟ କୌଣସି ପ୍ରକାରେ ଅବଗତ କରାଇ ପାରୁନଥାଏ । କାରଣ ଶୁଆ ଜାଣିଥିଲା କପୋତୀର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ଯଦି ଶାରୀ ଜାଣେ ତେବେ ଶାରୀ ସମ୍ପୂର୍ଣ୍ଣ ରୂପେ ଦୁଃଖରେ ଭାଙ୍ଗିପଡିବ ଓ ତାର ବନ୍ଧୁତା ଉପରୁ ଭରସା ଉଠିଯିବ । ଆଉ ଶୁଆ କେବେ ଶାରୀକୁ ଦୁଃଖରେ ଦେଖିପାରିବ ନାହିଁ ।
କପୋତୀ ଶୁଆର ସରଳତାର ଫାଇଦା ଉଠାଇ ତାକୁ ବ୍ଲାକମେଲ୍ କରିବା ଆରମ୍ଭ କରିଦେଲା । କପୋତୀ ଶୁଆକୁ କହିଲା ଯଦି ଶୁଆ ତାର ପ୍ରେମ ନିବେଦନକୁ ସ୍ୱୀକାର ନକରେ ତେବେ ସେ ଶାରୀକୁ ନିଜେ ମାରିଦେବ ନହେଲେ ଶିକାରୀ ହାତରେ ଧରେଇ ଦେବ । ଏମିତି ଅନେକ ଉପାୟରେ ଶୁଆକୁ ଡରେଇବା ପରେ ଶୁଆ ନିଜର ଅନିଚ୍ଛା ସତ୍ତ୍ୱେ କପୋତୀର ପ୍ରସ୍ତାବରେ ରାଜି ହୋଇଗଲା । କାରଣ ସେ ଚାହୁଁ ନଥିଲା ଶାରୀର କିଛି କ୍ଷତି ହେଉ । ଶୁଆ ଭଲ ଭାବରେ ବୁଝିଥିଲା ଜଣେ ପ୍ରକୃତ ଶତୃ ଠାରୁ ଜଣେ ଘନିଷ୍ଠ ବନ୍ଧୁ ରୂପୀ ଶତୃ ଅଧିକ ବିପଦପୂର୍ଣ୍ଣ । ଶୁଆ ଭାବିଲା କପୋତୀର କୁଚକ୍ରାନ୍ତରୁ ଶାରୀର କିଛି କ୍ଷତି ହେବାରୁ ରକ୍ଷା କରିବାକୁ ସେ କପୋତୀର ପ୍ରସ୍ତାବରେ ରାଜି ହୋଇ ତା ସହ ପ୍ରେମର ମିଛ ନାଟକ କରିବ ଓ ସମୟ ସୁବିଧା ଦେଖି ଶୁଆକୁ ସବୁ ସତ କହି କପୋତୀର ଅସଲ ମୁଖାକୁ ତା ଆଗରେ ଖୋଲି ଦେବ । ହେଲେ ନିଆଁ ପାଖରେ ଘିଅ କେତେ ସମୟବା ନିଜକୁ ସୁରକ୍ଷିତ କରି ରଖିପାରିବ? ଦିନେ ଶୁଆର ଏକ ଦୁର୍ବଳ ମୁହୂର୍ତ୍ତ ରେ କପୋତୀ ନିଜର ପ୍ରେମ ଓ ରୂପ ଜାଲରେ ତାକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବାରେ ସମର୍ଥ ହୋଇଗଲା । କିନ୍ତୁ ତାଙ୍କର ଏହି ଦୁର୍ବଳ ମୁହୂର୍ତ୍ତ କଥୋପକଥନକୁ କପୋତୀ ନିଜର କୁଟିଳ ଯୋଜନା ଓ ତୀବ୍ର ବୁଦ୍ଧି ପ୍ରୟୋଗ କରି ଶାରୀକୁ ଶୁଣାଇବାରେ ସଫଳ ହୋଇଗଲା । ଶାରୀ- ଶୁଆ ଓ କପୋତୀର କଥୋପକଥନ ଶୁଣିବା ଓ ଆଖିରେ ଦେଖିବା ପରେ ଶାରୀ ଶୁଆକୁ ବହୁତ କଟୁ କଥା କହିବା ସହ ତା ସହ ସବୁ ସମ୍ପର୍କ କାଟି ଦେବାକୁ କହିଲା । ଶୁଆ ଶାରୀକୁ ଯେତେ ବୁଝେଇବାକୁ ଚେଷ୍ଟା କଲା, ଶାରୀ କିନ୍ତୁ ବୁଝିଲାନି । ଶୁଆ ଶାରୀ ମଧ୍ୟରେ ଝଗଡା ହେଉଥିବାର ଦେଖି କପୋତୀ ନିଜର ଯୋଜନା ସଫଳ ହେଉଥିବାର ଜାଣି ମନେ ମନେ ବହୁତ ଖୁସି ହେଲା।
ତେବେ ଏଠି ଦୋଷ କାହାର? ଶୁଆର, ଶାରୀର ନା କପୋତୀର? ଏଭଳି ଏକ ପରିସ୍ଥିତିର ମୁକାବିଲା ପାଇଁ ଶୁଆ କି ପଦକ୍ଷେପ ଗ୍ରହଣ କରିବା ଉଚିତ୍? ଏ ସମ୍ପର୍କରେ ଆପଣମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ । ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି ନମସ୍କାର ।