ଅନିଲ କୁମାର ଲେଙ୍କା

Tragedy

4  

ଅନିଲ କୁମାର ଲେଙ୍କା

Tragedy

ଅବିହାଢୀ ମାଈପ

ଅବିହାଢୀ ମାଈପ

7 mins
462


ପ୍ରକୃତ ପ୍ରେମ କଣ ?


(ପ୍ରେମ କଣ ? ଖାଲି କ’ଣ ମା ଛୁଆ କୁ ଭଲ ପାଇବା ପ୍ରେମ, ପୁଅ ଝିଅ କୁ ଭଲ ପାଇବା ପ୍ରେମ, ସ୍ୱାମୀ ସ୍ତ୍ରୀ କୁ ଭଲ ପାଇବା ପ୍ରେମ, ଛୁଆ ନିଜ ବାପା ମା ଙ୍କୁ ଭଲ ପାଇବା ପ୍ରେମ, ସାଙ୍ଗ ସାଥୀଙ୍କୁ ଭଲ ପାଇବା ପ୍ରେମ … ଏମିତି ଆହୁରି କେତେ କଣ… କିନ୍ତୁ ଆମେ ଜାଣୁ କି “ଆବଶ୍ୟକତା” କଣ ଏ ପ୍ରେମର ? କିଛି ପ୍ରେମ ବି ଥାଏ ନିଜ ଆବଶ୍ୟକତା ପାଇଁ, ନିଜେ ବଞ୍ଚିବା ପାଇଁ, ଏକାକୀତ୍ୱକୁ ଦୁରେଇ ଦେବା ପାଇଁ । ସେଥିପାଇଁ ସାଥି ଟିଏ ଦରକାର, ନିଜ ମନ କଥା ଆଉ କାହା ଆଗରେ ଖୋଲି କହିବା ପାଇଁ ସାଥି ଟିଏ ଦରକାର, ରୁଗ୍ଣ ଅବସ୍ଥାରେ କିଛି କାମ କରିବା ପାଇଁ ସାଥି ଟିଏ ଦରକାର । ହୋଇପାରେ ସେ କେଉଁ ଜୀବ ଜନ୍ତୁ, ହୋଇପାରେ ଗଛଲତା, କି ହୋଇପାରେ ସମାନ ହୃଦୟ ଆଉ ସ୍ନେହ ଥିବା ଗୋଟେ ମଣିଷ । କିଛି ଫରକ ପଡ଼େନି ସେ ସ୍ତ୍ରୀ କି ପୁରୁଷ !)


-- ଛି… ଛି…. କି ହୀନ ଚିନ୍ତାଧାରା ଏ ଲୋକଙ୍କର.. ଚାଳିଶି ବୟସର ଗୋଟେ ରୋଗିଣା ଲୋକ କଣ କେବେ ଦୈହିକ ସମ୍ପର୍କ ପାଇଁ ଭଲ ପାଇ ପାରେ ଗୋଟେ ୨୯ ବୟସ୍କ ଯୁବତୀକୁ? 


--ଛି.. ଛି… କି ଖରାପ କଥା କହନ୍ତି ଏ ଲୋକମାନେ? ନିଜେ ଭେଣ୍ଡିଆ ଅଛନ୍ତି ତ ସେଥିପାଇଁ ବୋଧେ ବୁଝି ପାରନ୍ତିନି ଜଣେ ମଣିଷ ର ଅସହାୟତାକୁ ! ଜାଣି ପାରନ୍ତିନି ଗୋଟେ ମନର ବେଦନା ! 


--ନିଃସହାୟ, ବେସାହାରା ଲୋକଙ୍କ ମନ କଣ ବୁଝି ପାରିବେ ଏ ଭେଣ୍ଡିଆ ଟୋକା ଆଉ ପଇସାଥିବା ମଣିଷ ଗୁଡା ? ବୋଧହୁଏ ନା… କିନ୍ତୁ କେତେ କାଳ ? ଆଉ କେତେକାଳ ଏମାନଙ୍କୁ କୈଫିୟତ ଦେଇ ଆସୁଥିବୁ ଆମେ ମାନେ ? ଆଉ ନୁହଁ …. ଯେତିକି ହେଲା ସେତିକି … ବହୁତ ହେଲା … ଆଉ ନୁହଁ …


--ଯୌବନରେ ଦୂରାରୋଗ ବ୍ୟାଧିଗ୍ରସ୍ତ ହୋଇ ବାର୍ଦ୍ଧକ୍ୟକୁ ଭୋଗୁଥିବା ଅନିଲ ଏମିତି କେତେ କଣ ଭାବି ଚାଲିଥାଏ । ରାତି ଘଡ଼ିକରୁ ଘର ଭିତରେ ତା ସାଥୀ ମରି କି ପଡିଛି । ଆଖପାଖ କେତେ ଲୋକଙ୍କୁ ନେହୁରା ହୋଇ ସାରିଲାଣି ସେ ମାତ୍ର ଚାରୋଟି କାନ୍ଧ ପାଇଁ। କିନ୍ତୁ କେହି ଶୁଣୁ ନାହାନ୍ତି। ତା କନ୍ଦାକଟା ଦେଖି କିଛି ଲୋକ ଆସିଥିଲେ କିନ୍ତୁ କେହିଜଣେ କହିଦେଲା ବୁଢା ବୟସ ରେ ୟେ ବାହା ହୋଇଥିଲା ଏ ବିଧବାକୁ ବର୍ଷେ ତଳେ। ଲୋକ ଛି.. ଛାକର.. କରି ଯେଝା ବାଟେ ଯେଝେ ଚାଲିଗଲେ !


--କେହି ଜଣେ ବୁଝିଲେନି ଘଟଣା କଣ ? ମଲା ପରେ କଣ ଚାରିଟା କାନ୍ଧ ୟାକୁ ମିଳିବନି ? ନ ମିଳୁ… ସେ ଏକା ଶବ ସଂସ୍କାର କରିବ ! ସେ ନିଆଁ ଦବ ତା ସିନୁ ମୁହଁରେ । ନମିଳୁ ଚାରିଟା କାନ୍ଧ । ଏକା ଏକା ନେବ ଶ୍ମଶାନ କୁ । କିଛି ପଇସା ଅଛି ତା ପାଖରେ, ସେତିକି ରେ ଅତ୍ୟନ୍ତ କିଛି କାଠ, ମାଟି ହାଣ୍ଡି ଖଣ୍ଡେ ଆଉ ଚାଉଳ ଦି ଟା ମିଳିଯିବ।


--ମଲା ଆଗରୁ ତା ସିନୁ କାନେ କାନେ କହି ଯାଇଥିଲା, “ମୋ ମୁହଁ ରେ ତୁମେ ନିଆଁ ଦେବ ପଛେ ସେ ସବାଖିଆ ଭେଣ୍ଡିଆ ଭାଇ ବା ମୋ ଘର ଲୋକଙ୍କୁ ମୋ ମଲା ମୁହଁ ବି ଦେଖିବାକୁ ଦେବନି । ସେମାନେ ମୋର ନୁହନ୍ତି । ସମସ୍ତେ ସ୍ବାର୍ଥପର।"


--ମୋ ପ୍ରଥମ ସ୍ବାମୀ ମଲା ପରେ ମୁଁ ଆମ ଘରେ ରହିବାରୁ ମାଈପ କଥା ରେ ପଡି ମୋ ଭାଇ ଯାଇ ବାହାରେ ଘର ଭଡା ନେଇ ରହିଲା । ତମକୁ ଭଲ ପାଇଲି ଯେ ଘର ଲୋକ ଯାକ ମୋତେ ଘରୁ ବାହାର କରିଦେଲେ । ସମ୍ପତି ବାଡ଼ି ତ ଯାହା ଖାଇଲେ ଖାଇଲେ, ମୋ ସୁନା ରୁପା ତକ ବି ମୋଠୁ ଛଡେଇ ତାଙ୍କ ଝିଅ ମାନଙ୍କୁ ଦେଲେ । ଯଦି ତମେ ନିଆଁ ନ ଦେଇ ପାରିବ ତେବେ ଦେଇ ଦବ କୋଉ ଡାକ୍ତରଖାନା ରେ । ସେମାନେ ମୋ ଦେହ କୁ ଚିରି ଫାଡ଼ି ହେଲେ କିଛି ଶିଖିବେ । ଜିଇଁ ଥାଉ ଥାଉ ତ ଏ ବାଡିପୋଡା ସମାଜ ମୋତେ ଯେଉଁ କଷ୍ଟ ଦେଲେ, ତା’ ଠୁ ବରଂ କମ କଷ୍ଟ ହେବ ସେଠି । 


--ଆଃ… କେତେ ଆଉ ସହିଥାନ୍ତା ? ମରିଗଲାନି ଯେ ତରିଗଲା ।


-- ମୋର ଆଉ ଦିନ କାଳ କେତେ କେଜାଣି ? ମୋ ଘର ଲୋକ ମାନେ କେଉଁ କମ୍ କି? ମୋ ବାପା ମଲା ବେଳକୁ ମାଣେ ଜମି ଛାଡିକି କି ଯାଇଥିଲେ । ବାହା ନ ହେଇ ସଞ୍ଚୟ କରି, ମାଣେ ଜମିକୁ ବଢ଼େଇ ବଢ଼େଇ ପାଞ୍ଚ ଏକର କଲି । ବୋଉ ମଲା ପରେ ସମସ୍ତେ ଭାଗ ନେଲେ । ଜମି ବାଡ଼ି ସହ ମୋତେ ବି ଅଲଗା କରିଦେଲେ। ମାସେ ୟା ଘରେ ତ ଆଉ ମାସେ ତା ଘରେ, ଶେଷରେ ମୋ ସମ୍ପତି ଖାଇ ମୋତେ ବାହାର କରିଦେଲେ ଘରୁ ।


-- ଖାଅ ସବୁ… ଭାବିଛ ଏ ସମ୍ପତି ତମକୁ ହଜମ ହବ ? ମୋ ସହ ଯାହା କଲ, ତମ ପିଲାଛୁଆ ବି ସେଇୟା କରିବେ ତମ ସହ । ତମେ ସବୁ ପୂର୍ବ ପୁରୁଷଙ୍କୁ କଣ ପାଣି ଦବ, ଜିଇଁ ଥାଉ ଥାଉ ତ ଜନ୍ମ କଲା ବାପା ମାଙ୍କୁ ପଚାରିନ ଆଉ ନିଜର ଭାଇର କଥା ବି ବୁଝିନ… 


--ଛି… ଛି… ଏହାକୁ କୁହନ୍ତି ସଂସ୍କାର ? ତମ ସେ ସଂସ୍କାର ମୁହଁ ରେ ନିଆଁ ପଡୁ । ସେଥିପାଇଁ ପରା କୁହନ୍ତି, “ପିଲା ଯଦି ଭଲ ହେଲେ ସମ୍ପତ୍ତି ରଖିବି କାହା ପାଇଁ? ପିଲା ଯଦି ଖରାପ ହେଲେ ସମ୍ପତ୍ତି ରଖିବି କାହାପାଇଁ?"


--ପାଟିରୁ ଅଭିସମ୍ପାତ ସହ ଆଖିରୁ ଲୁହ ବାହାରି ଆସୁଥାଏ ତାର… ତା ସହ ମନେ ପଡି ଯାଉଥାଏ ଘର ଭିତରେ ମରି ପଡିଥିବା ସିନୁ କଥା….


--ଅନିଲ ସହ ସିନୁର ର ଦେଖା ହୋଇଥିଲା ପ୍ରାୟ ବର୍ଷେ ତଳେ । ଭଉଣୀ ଅନିଲକୁ ଘରୁ ବାହାର କରିଦେବା ପରେ ବଦଳି ହୋଇ ଏକୁଟିଆ ସେ ପଳେଇ ଆସିଥିଲା ଏ ସହରକୁ ଶାନ୍ତିରେ ଚଳିଯିବା ଆଳରେ । ଏ ଭିତରେ ପ୍ରାୟ ମାସେ ହୋଇ ଯାଇଥିଲା । ଠିକ ରେ ତା’କୁ ଖାଇବାକୁ ଗଣ୍ଡେ ମିଳୁ ନଥିଲା । ଘରଟିଏ ନଥାଏ। ପାଣି ପିଇବାକୁ ବୋତଲ ଟିଏ ବ୍ୟତୀତ ଆଉ କିଛି ନଥିଲା ତା ପାଖରେ । ଦରମା ମିଳିଲେ କିଛି କିଣି ଖାଉଥିଲା ନ ହେଲେ ଚୁଡା ଖାଇ ରହୁଥିଲା ସେ । ଭାତ ଗଣ୍ଡେ ପାଇଁ ଡହଳ ବିକଳ ହେବା ପରେ ବି ଭାତ ଗଣ୍ଡେ ଠିକରେ ମିଳୁ ନଥିଲା ତା’କୁ ।


--ଠିକ ସେମିତି ଭାଉଜଙ୍କ କଥାରେ ପଡି ଭାଇ ନାନା ଅତ୍ୟାଚାର କରୁଥିଲା ସିନୁକୁ। ଅନିଲ ସହ ପ୍ରେମ ଫେସବୁକରୁ ହୋଇଛି ଜାଣିବା ପରେ ଘର ଲୋକ ମିଶି ମାଡମାରି ଘରୁ ବାହାର କରିଦେବା ପରେ ସିନୁ ଖାଲି ହାତରେ ପିନ୍ଧା ଲୁଗା ଖଣ୍ଡେ ସହ ଟ୍ରେନ ଚଢି ଆସିଥିଲା ଏ ସହରକୁ। ଯେତେବେଳେ ରକ୍ତର ମଣିଷ ନିଜର ହେଲେନି ନିଜ ପ୍ରେମକୁ ଭରସା କରି ଘରୁ ଗୋଡ କାଢି ଆସିଲା ନିଜର ପ୍ରେମ ଅନିଲ ଭରସାରେ। ଏତେ ବଡ ସହର, ଅନିଲକୁ ପାଇବ ବା କେଉଁଠି? ସେମିତିରେ ସେ ଏ ସହରରେ ନୂଆ। ଅନିଲର ଠିକଣା ତାକୁ ଜଣା ନାହିଁ । ଯାହା ସବୁ ଠିକଣା/ମୋବାଇଲ ନମ୍ବର ଥିଲା ଅନିଲର, ତାର ସେ ମୋବାଇଲରେ ଯାହାକୁ ସେ ଛାଡି ଆସିଥାଏ ଘରେ। 


--ଅନିଲକୁ ବହୁ ଖୋଜି ନିରାଶ ହେଲା ପରେ ସାହସୀ ସିନୁ ମନରେ ଦୃଢତା ଆଣିଲା। ଘରୁ ଆସିଛି ଯେତେବେଳେ ତାକୁ ତା ନିଜର ବ୍ୟବସ୍ଥା କରିବାକୁ ପଡିବ। ଶେଷରେ ନାଳ କଡରେ ଗୋଟେ ଗଛ ଆଢୁଆଳରେ ସ୍ବାଭିମାନୀ ସିନୁ ମାଗି ଯାଚି ଆଣି ତିଆରି କରିଥିଲା ତା ପାଇଁ ବସା ଖଣ୍ଡେ । କିଛି ଛିଣ୍ଡା ପଲିଥିନ, କିଛି ଚିରା ପୋଷ୍ଟର, ଖଣ୍ଡେ ଚେପା ଟୋଲା ଡେ଼କଚି ଆଉ କଣା ଚେପା ରସ ତାଟିଆ ଦୁଇଟି ଥିଲା ତା’ର ସମ୍ପତି । କାଠ ଦୁଇଖଣ୍ଡ ପୋତି, ତା ଉପରେ ପଲିଥିନ ଖଣ୍ଡେ ଟାଙ୍ଗି ସେ ତିଆରି କରିଥିଲା ତା ବାସଗୃହ । ପେଟ ପୋଷିବା ପାଇଁ ଦିନରେ ସିଲେଇ ମେସିନ କାମରୁ ରୋଜଗାର କରେ, ରାତିରେ ଇଟା ତିନୋଟି ଉପରେ ଡେ଼କଚି ବସେଇ କାଠ ଜାଳି ଭାତ ରାନ୍ଧେ । ସେଇ ଟେଣ୍ଟ ତଳେ ଭାତ ହାଣ୍ଡି କୁ କୋଳ ରେ ପଶେଇ ସେ ଶୋଇପଡେ କାଳେ ହାଣ୍ଡିରୁ ଭାତ ତକ କୁକୁର ଖାଇଯିବା ଭୟରେ ।


--ସେଦିନ ଦୁଇ ଜଣ ଯାକ ପହଞ୍ଚିଥିଲେ ଜଣେ ବାବୁଙ୍କ ଘରେ। ବାବୁଙ୍କ ଚାରି ପାଞ୍ଚ ବର୍ଷର ଛୋଟ ଝିଅଟି ପାଇଁ ନିଜେ ତିଆରି କରିଥିବା ଡ୍ରେସ ନେଇ ପହଞ୍ଚିଥିଲା ସିନୁ । ଏପଟେ ଅନିଲ ବାବୁଙ୍କ ପାଖକୁ କିଛି ଅଫିସ୍ କାମ ନେଇ ଯାଇଥାଏ।ହଠାତ୍ ସେଠି ଗେଟ ପାଖରେ ଦୁହିଁଙ୍କ ଆଖି ପରଷ୍ପରକୁ ଦେଖିବା ପରେ ଖୁସିରେ ଆତ୍ମହରା ହୋଇଗଲା।ସତେ ଯେମିତି ଦୁହିଁଙ୍କର ଯୁଗ ଯୁଗର ସ୍ବପ୍ନ ସତ ହେବାକୁ ଏ ମିଳନର ଅପେକ୍ଷାରେ ଥିଲେ ଦୁହେଁ। ସେଠୁ ଫେରି ଦୁହେଁ ପାଖ ପାର୍କ ପାଖକୁ ଯାଇ ଖୁବ୍ ଗପିଲେ । ଆଉ ସ୍ଥିର ହେଲା ସେମାନେ ବିବାହ କରିବେ। କିନ୍ତୁ ବିବାହ ପଞ୍ଜିକୃତ ପ୍ରମାଣପତ୍ର ନ ମିଳିବା (ଯାହା ପାଖାପାଖି ମାସେ ଲାଗିବ) ଯାଏ ଦୁହେଁ ଅଲଗା ରହିବେ ।


--ସନ୍ଧ୍ୟା ହୋଇ ଆସୁଥାଏ, ଦିହେଁ ଯାକ ନିଜ ନିଜ କାମ ସାରି ଫେରୁଥାନ୍ତି। ସିନୁ ଫେରୁଥାଏ ନିଜ ଘରକୁ, କିନ୍ତୁ ଅନିଲ ? ସେ ଯିବ କୁଆଡେ? ନା ଅଛି ଘର ଦ୍ୱାର ନା କିଏ ଚିହ୍ନା ଜଣା ଥିଲେ ରାତିରେ ଶୋଇବାକୁ ତ ଦେବନି। କୌଣସି ଏକ ଦୋକାନ ବାରଣ୍ଡା ରେ ଶୋଇବ ବୋଲି ଚିନ୍ତା କରି କରି ଆସୁଥାଏ। ଛକ ପାଖରେ ପହଞ୍ଚି ଦେଖେ ତ ଦୋକାନ ସବୁ ଖୋଲା ଅଛି, ବନ୍ଦ ହେବ ପ୍ରାୟ ୯ ଟା ପରେ । ଚାଉଳ ତ ଅଛି ତା ପାଖରେ କିନ୍ତୁ କଣ କରିବ? କେମିତି କରିବ? କେମିତି ଗୋଟେ ଖୋଜିବା ଖୋଜିବା ପରି ଚାଲୁ ଚାଲୁ ଦେଖି ପାରିଲା ସିନୁକୁ, ଭାତ ରାନ୍ଧୁଥାଏ ସେ । ପାଖକୁ ଯାଇ କଣ କହିବ କହିବ ହୋଇ ରହିଗଲା । ରନ୍ଧା ଭାତର ବାସ୍ନାରେ ତା ପାଟିରୁ ଲାଳ ବୋହି ପଡୁଥିଲା । ପାଖରେ ଚାଉଳ ଥିଲେ ବି ରନ୍ଧା ଭାତ ର ବାସ୍ନା ତା ନାକ ରେ କେବେଠୁ ବାଜି ନଥିଲା । ସିନୁ ପାଖରୁ କିଛି ଦୂରରେ ଯାଇ ବସିଲା ସେ । ସିନୁ ୟାକୁ ଦେଖି ପୁଣି ଚିହିଁକି ଉଠି କହିଲା ଆରେ ଧନ ତମେ ଏତେବେଳେ ଏଠି ? ଘରକୁ ଯାଇନ ?


—- ମୁଁ ଚାଉଳ ଆଣିଛି, ନେ… ମୋ ପାଇଁ ଗଣ୍ଡେ ଭାତ ରାନ୍ଧି ଥା ।


—- କିଆଁ, ତୁମ ପାଖେ ଡେ଼କଚି ନାହିଁ କି ? ତୁମେ ରାନ୍ଧୁନ କି..


—- ନାହିଁ ବୋଲି ତ ତତେ କହୁଛି ।


—- ମୁଁ ରାନ୍ଧି ପାରିବିନି, ମୋ ତକ ତ ମୋତେ ନିଅଣ୍ଟ, ଆଉ ତୁମକୁ…


—- ମୋ ଚାଉଳତକ ନେ କହିଲି ପରା… ଆଜି ରାତିକ ଗଣ୍ଡେ ଦେଇଥା… କାଲି ପୁଣି ଆଣିଲେ ପୁଣି ଦେବି…


--ବୁଢ଼ୀ କଣ ଭାବିଲା କେଜାଣି, ନିଜେ କିଛି ନ ଖାଇ ସେଦିନ ରାତିରେ ଅନିଲକୁ ଗଣ୍ଡେ ଭାତ ଦେବାକୁ ରାଜି ହେଲା । ତା ପରେ ଆରମ୍ଭ ହୋଇଥିଲା ଏମାନଙ୍କର କଥାବାର୍ତ୍ତା । ଦି ଜଣ ପ୍ରେମୀଙ୍କ କଥାବାର୍ତା କଣ ଅବା ହେଇପାରେ ??


--ଖାଇ ସାରିଲା ପରେ ସିନୁ ପଚାରିଲା..ରାତିରେ ଶୋଇବ କେଉଁଠି?


—- ଦୋକାନ ବାରଣ୍ଡା ରେ !


—- ସେଠି କିନ୍ତୁ ପୁଲିସି ଆଉ କେତେଟା ମଦୁଆ ଗହଳି କରନ୍ତି ରାତି ଅଧା ଯାଏ ।


—- ତାହେଲେ ?


—- ଏଇ ମୋ କୁଡିଆରେ ଶୋଇପଡ।


—- ହଉ


--ଆସ୍ତେ ଆସ୍ତେ ଦି ଜଣଙ୍କର ଦି ଜଣଙ୍କ ପ୍ରତି କେମିତି ଗୋଟେ ମାୟା ଆସିଯାଇଥିଲା । ଅନ୍ତରଙ୍ଗ ହୋଇ ଯାଇଥିଲେ ଦି ଜଣ । ସାଥି ମିଳିଯାଇଥିଲା ଦି ଜଣଙ୍କୁ । ନିଜ ଦେହ ପା ଦେଖିବା ପାଇଁ, ମନ ର କଥା ବୁଝିବା ପାଇଁ, ମନ ଭିତରେ ଥିବା କୋହ କୁ ସବୁକୁ ବୁଝିବା ପାଇଁ, ଲେଞ୍ଜେରା ଲଗା ଲୁହଭିଜା ଆଖିରୁ ଲୁହ ପୋଛିବା ପାଇଁ, ସ୍ମୃତି ସବୁ କୁ କୋଳେଇ ନେବା ପାଇଁ । ଆଉ କଣ ଦରକାର ???


--ନିଜର ରକ୍ତ ସମ୍ପର୍କୀୟ ତ ପଚାରିଲେନି, ଆଉ କିଏ ପଚାରିଥାନ୍ତା…. ଏମାନଙ୍କ ଜାତି କଣ?… ଗୋତ୍ର କଣ ?… ଥିଲା ବାଲା କି ନଥିଲା ବାଲା?…ଶିକ୍ଷିତ କି ମୂର୍ଖ? କଣ ବି ଜାଣିବା ଦରକାର ଥିଲା ଏ ସବୁ ? ଏବେ ତ ସେମାନେ ଗୋଟିଏ ଜାତି .. ମଣିଷ…ଗୋଟିଏ କାମ ପ୍ରେମ ଯାହା ଥିଲା ଶାସ୍ବତ, ଦୈହିକ ଭୋଗର କାଣିଚାଏ ବି ଆଶା ନଥିଲା।


--ସେତକ ବି ସହିଲେନି ଏ ରଇଜଳା ଦଳ… କହିଲେ କଣ ନା ସେ ମୋ ମାଈପ… ହଁ, ହେଲା ସେ ମୋ ମାଈପ… ତମର କଣ ଗଲା ସେଇଠୁ? ଚାଳିଶି ବର୍ଷ ବୟସ ରେ କଣ ଭାବି ମୁଁ ମାଈପ ଖୋଜିବି? ଦରକାର ଥିଲା ତ… ସାଥି ଟିଏ ….. ରାଗରେ କମ୍ପମାନ ହୋଇ ଅନିଲ ନିଜେ ନିଜେ ପାଟି କରି କରି ଉଠି ବସିଲା ।


--ପାଖରେ ଥିବା ଭଙ୍ଗା ବାଉଁଶ ବାଡ଼ି ଟିକୁ ହାତ ରେ ଧରି ସେ ଏବେ ଆଗେଇ ଯାଉଥିଲା କମ୍ପୋଷ୍ଟ ଉଠା ଗାଡି କୁ ଘୋଷାରି ଆଣିବା ଲାଗି, ଯେଉଁଥିରେ ସେ ନେବ ସିନୁକୁ ମସାଣି ଯାଏଁ… ହଁ ହଁ ସେଇ ସିନୁ , ଏମାନଙ୍କ ଆଗରେ ଯିଏ ତା’ ମାଈପ, ବିବାହ ନ କରି ବି ସେ ତା ମାଈପ ….. 


Rate this content
Log in

Similar oriya story from Tragedy