Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଅଭିଶପ୍ତ ଦ୍ଵାରପାଳ

ଅଭିଶପ୍ତ ଦ୍ଵାରପାଳ

6 mins
7


ଶୃଙ୍ଗବେରପୁରର ସେହି ଅରଣ୍ୟ ଅଞ୍ଚଳରେ ସୂର୍ଯ୍ୟୋଦୟ ଶୀଘ୍ର ହୋଇଗଲାପରି ଜଣା ପଡୁଥିଲା Ι ଶବର ପଲ୍ଲୀ ଚଳଚଞ୍ଚଳ ହୋଇଉଠିଲା Ι ବ୍ରାହ୍ମ ମୁହୂର୍ତ୍ତରୁ ରାମ ଲକ୍ଷ୍ମଣ ଓ ସୁମନ୍ତ୍ର ନିତ୍ୟକର୍ମ ଓ ପ୍ରାତଃ ପୂଜନ ଆଦି ସାରି ଦେଇଥିଲେ Ι ବୈଦେହୀଙ୍କୁ ନିଷାଦରାଜଙ୍କ ପତ୍ନୀ ପ୍ରହରୀ ପରିବେଷ୍ଟିତ ଏକ ନିର୍ଜନ ତୁଠରେ ଗଙ୍ଗା ସ୍ନାନ କରାଇ ଆଣିଥିଲା Ι ନଦୀ ତୁଠରୁ ସ୍ନାନ ସାରି ଆର୍ଦ୍ର ବସ୍ତ୍ରରେ ଆସୁଥିବା ସୀତାଙ୍କ ଉପରେ ଦୂରରୁ ସୁମନ୍ତ୍ରଙ୍କ ଦୃଷ୍ଟି ପଡିଗଲା Ι ମଥାରେ ହାତ କୋଡ଼ି କୋଡ଼ି କାନ୍ଦିବାରେ ଲାଗିଲେ ସେ." ହାୟରେ ବିଧାତା, ଏ ଦୃଶ୍ୟ ଦେଖାଇବା ପୂର୍ବରୁ ମୋ ପ୍ରାଣ ନେଇ ନ ଗଲୁ କାହିଁକି ? ରାଣୀ କୈକେୟୀ ! କେତେ ଜନ୍ମ ନର୍କ ଭୋଗ କଲେ ତୁମେ ଏ ପାପର ପ୍ରାୟଶ୍ଚିତ କରିବ ?" କାହାର କନ୍ୟା, କାହାର ପୁତ୍ରବଧୂ, କାହାର ପତ୍ନୀକୁ ତୁ କି ଦୁର୍ଦ୍ଦଶାଗ୍ରସ୍ତ କଲୁ ଲୋ ପାଷାଣୀ ?" କୈକେୟୀଙ୍କ ପ୍ରତି ସୁମନ୍ତ୍ରଙ୍କ ହୃଦୟରେ ଅଣୁମାତ୍ର ସମ୍ମାନ ନ ଥିଲା Ι ଥିଲା ପୁଞ୍ଜୀଭୂତ ଘୃଣା ଓ କ୍ରୋଧ Ι ଶ୍ରୀରାମ ପ୍ରସ୍ଥାନ କରିବା ପାଇଁ ପ୍ରସ୍ତୁତ ହୋଇ ସୁମନ୍ତ୍ରଙ୍କ ନିକଟକୁ ଆସିଲେ Ι ସୁମନ୍ତ୍ର ଜିଦ୍ ଖୋର, ଅବୋଧ ବାଳକଙ୍କ ପରି ମୁହଁ ବୁଲାଇ ବସିଲେ Ι ତାଙ୍କ ମନ ମାନୁ ନ ଥିଲା Ι ସେ ଭାବୁଥିଲେ, "ଏବେ ବି କିଛି ଚମତ୍କାର ହୁଅନ୍ତା କି ! ଏମାନେ ଫେରିଗଲେ ଗୋଟାଏ ନିଷ୍ରାଣ ନଗରୀରେ ପ୍ରାଣ ସଞ୍ଚାର ହୁଅନ୍ତା Ι ଅଯୋଧ୍ୟା ଚାହିଁ ବସିଥିବ Ι ରାଜା ଦଶରଥ, ରାଣୀ କୌଶଲ୍ୟା, ରାଣୀ ସୁମିତ୍ରା ଓ ବଧୂ ଉର୍ମିଳା ଆଶା କରି ବସିଥିବେ Ι ମନ୍ତ୍ରୀ ସୁମନ୍ତ୍ରଙ୍କର ଅନେକ ବୁଦ୍ଧି Ι ସେ ନିଶ୍ଚୟ ସେମାନଙ୍କୁ ଫେରାଇ ଆଣିବେ !"


ଶ୍ରୀରାମ ଡାକିଲେ, " ତାତ, ଆପଣ ଏମିତି ହେଲେ ପିତା ମହାରାଜାଙ୍କୁ ଓ ମାତାମାନଙ୍କୁ ସମ୍ଭାଳିବ କିଏ ? ଆପଣ କଣ ଚାହାନ୍ତି ନାହିଁ ଯେ ଆମ୍ଭେମାନେ ଫେରିବା ବେଳକୁ ସମସ୍ତେ କୁଶଳରେ ଥାଆନ୍ତୁ ବୋଲି ? ଧୈର୍ଯ୍ୟ ଧରନ୍ତୁ Ι ରଥ ନେଇ ଆପଣ ଏବେ ଯାଆନ୍ତୁ Ι ଆମେ ଗଙ୍ଗା ପାର ହୋଇ ଆରପଟରେ ଥିବା ମୁନି ଭରଦ୍ୱାଜଙ୍କ ଆଶ୍ରମକୁ ଯିବୁଁ ବୋଲି କହି ସମସ୍ତଙ୍କୁ ଆଶ୍ୱାସନା ଦେବେ Ι ପ୍ରଣାମ Ι" ଲକ୍ଷ୍ମଣ ଓ ସୀତା ମଧ୍ୟ ପ୍ରଣାମ କଲେ Ι ସୁମନ୍ତ୍ର କିଛି କହିଲେ ନାହିଁ Ι ବସ୍ତୁତଃ କିଛି କହିପାରିଲେ ନାହିଁ Ι ନିରବଛିନ୍ନ ଅଶ୍ରୁଧାର ଓ ପୁନଃ ପୁନଃ ଉଦ୍ଗତ କୋହ ତାଙ୍କୁ କିଛି କୁହାଇ ଦେଲାନାହିଁ Ι କିରାତରାଜ ଗୁହ୍ୟକ ପାଶକୁ ଆସିଲେ Ι ତାଙ୍କୁ ପ୍ରଣାମ କଲେ ଓ ମିତ୍ରଙ୍କୁ ଖୁସିରେ ଖୁସିରେ ବିଦାୟ ଦେବାକୁ ଅନୁରୋଧ କଲେ Ι ସୁମନ୍ତ୍ର ଆଶୀର୍ବାଦ ଦେବା ଭଙ୍ଗୀରେ ହସ୍ତ ଉତ୍ତୋଳନ କଲେ ଓ ପ୍ରସ୍ତୁତ ଥିବା ରଥ ଆରୋହଣ କଲେ Ι ଅଶ୍ଵମାନଙ୍କୁ ଚାଳନା କରିବା ପୂର୍ବରୁ ସେ ଫେରି ଚାହିଁଲେ Ι ଶେଷଥର ପାଇଁ ଆଉଥରେ ସେ ତିନିଜଣଙ୍କୁ ଦର୍ଶନ କରିବାର ଲୋଭ ସେ ସମ୍ବରଣ କରି ପାରୁ ନ ଥିଲେ Ι ନିଜର ଆର୍ଦ୍ର ଉତ୍ତରୀୟରେ ଆଉଥରେ ଅଶ୍ରୁ ପୋଛିଲେ ଏବଂ ଅଯୋଧ୍ୟା ଅଭିମୁଖେ ରଥ ଚଳାଇ ପ୍ରସ୍ଥାନ କଲେ Ι


ପୂର୍ବ ସନ୍ଧ୍ୟାରୁ ଗୁହ୍ୟକ ଏକ କୈବର୍ତ୍ତକୁ କହି ନୌକାଟିଏ ପ୍ରସ୍ତୁତ କରିଥିଲେ Ι ବିଗତ ରାତ୍ରିରେ ସମଗ୍ର ଶବର ପଲ୍ଲୀ ଓ ଆଖ ପାଖ ଅଞ୍ଚଳରେ ରାମଚରିତ ପ୍ରସାରିତ ହୋଇ ଯାଇଥିଲା Ι “କେମିତି ଅସୁରୁଣୀକୁ ଓ ଅସୁରମାନଙ୍କୁ ମାରିଲେ, କେମିତି ଶିବଧନୁ ଭାଙ୍ଗି ସୀତାଙ୍କୁ ବାହା ହେଲେ ଇତ୍ୟାଦି ଇତ୍ୟାଦି Ι ତତ୍ ସହିତ ଏ ସମ୍ବାଦ ମଧ୍ୟ ପରିବେଷିତ ହୋଇଥିଲା ଯେ ତାଙ୍କ ପାଦ ଧୂଳି ଲାଗି ପଥର ଖଣ୍ଡେ ଗୋଟାଏ ସୁନ୍ଦରୀ ନାରୀ ପାଲଟିଗଲା Ι କୈବର୍ତ୍ତ କାନରେ ମଧ୍ୟ ଏ ସମ୍ବାଦ ପଡିଲା Ι ତା ସ୍ତ୍ରୀ ଜଣେ ଭୀଲ୍ ସ୍ତ୍ରୀ ଠାରୁ ଶୁଣି ଆସିଥିଲା Ι ସେ ବିଶ୍ୱାସ କଲାନାହିଁ, କିନ୍ତୁ ରାତିସାରା ତାକୁ ନିଦ ହେଲା ନାହିଁ Ι ସେ ଓ ତା ସ୍ତ୍ରୀ ସମ୍ଭାବ୍ୟ ବିପଦ ଓ ତାର ପ୍ରତିଷେଧ ବିଷୟରେ ଆଲୋଚନା କରି ରାତି ପୁହାଇଦେଲେ Ι ସକାଳୁ ଗୁହ୍ୟକଙ୍କର ଜଣେ ଅନୁଚର ଆସି ଡାକିଲା Ι କୈବର୍ତ୍ତ ଆଉ ନ ଶୁଣେ ! ଗୁହ୍ୟକ ନିଜେ ଆସିଲେ ଅତିଥିମାନଙ୍କୁ ସାଙ୍ଗରେ ଧରି Ι ତାଙ୍କ ଖାତିରରେ ନାଉରୀ ତା କୁଟୀରରୁ ବାହାରିଲା ସତ୍ୟ, କିନ୍ତୁ ମୁହଁ ଓହଳାଇ ବସିଲା Ι ଗୁହ୍ୟକ ପଚାରିଲେ,"କଣ ହେଲା ? କାଲି ତୁମେ ରାଜି ଥିଲ ନୌକାରେ ମୋର ମିତ୍ର ଓ ତାଙ୍କର ପରିବାରକୁ ପାର କରିଦେବ ବୋଲି Ι ଆଜି ମନା କରୁଛ ?” ନାବିକ କହିଲା,"କାଲି କଣ ମୁଁ ଜାଣିଥିଲି ଯେ ଏ ମାହାପୁରୁ ଏତେ ଯାଦୁ ବିଦ୍ୟା ଜାଣିଛନ୍ତି ବୋଲି ? ମୋ ସ୍ତ୍ରୀ ସିନା ଖବରଟା ପାଇଗଲା ! ନ ହେଲେ ମୋ ବୃତ୍ତି , ମୋ ସମ୍ପତ୍ତି, ମୋର ଏ ଡଙ୍ଗା ଖଣ୍ଡିକ ଗଙ୍ଗା ମଝିରେ ବୁଡେଇ ଥିଲ ତମେ Ι”


ଗୁହ୍ୟକ ହସିଲେ Ι ଲକ୍ଷ୍ମଣ ଓ ଜାନକୀଙ୍କ ସହ ପ୍ରଭୁ ମଧ୍ୟ ହସିଲେ Ι ଦୁନିଆର ସର୍ବଶ୍ରେଷ୍ଠ ଯାଦୁକର କିଛି ନ ଜାଣିଲା ପରି କହିଲେ, “ମୁଁ କିଛି ଯାଦୁ ଜାଣିନାହିଁ ଭାଇ, ତୁମେ ନିର୍ଭୟରେ ନୌକା ବାହି ଚାଲ Ι" କୈବର୍ତ୍ତ କହିଲା," ଓ ହୋ ! ମୁଁ ସେଇଆ କହୁଛି, ପାଦରେ କିଏ ଯାଦୁ କରେ ? ସେ ପାଦ ଧୁଳିରେ କିଛି କରାମତି ଥିବ ! ମୋତେ ଅନୁମତି ଦେଲେ ମୁଁ ପରୀକ୍ଷା କରିବି Ι ତା ପରେ ନାଆ ଖୋଲିବି Ι "କଭି କଭି ଭଗବାନ କୋ ଭି ଭକ୍ତୋଁସେ କାମ ପଡ଼େ Ι" କାମ ପଡିଛି Ι ବାଧ୍ୟ ହୋଇ ସୀତାପତି ଧୀବର ସର୍ତ୍ତରେ ରାଜି ହେଲେ Ι ଧୀବର ପତ୍ନୀ ଗତ ରାତ୍ରିର ମନ୍ତ୍ରଣା ଅନୁସାରେ ଥାଳିଟିଏ ଓ ଲୋଟା ନେଇ ଆସିଲା Ι ପରିଷ୍କାର ବସ୍ତ୍ରଟିଏ ମଧ୍ୟ ଆଣିଥାଏ Ι କୈବର୍ତ୍ତ ପ୍ରଭୁଙ୍କୁ ଉଚ୍ଚ ସ୍ଥାନଟିଏ ଦେଖାଇ ବସିବାକୁ କହିଲା Ι ତା ସ୍ତ୍ରୀ ଲୋଟାରେ ଗଙ୍ଗାଜଳ ଆଣୁଥାଏ Ι ନାଉରୀ ଧୋଉଥାଏ ତ୍ରିଭୁବନପତିଙ୍କ ପୟର Ι ସେ ଦୁର୍ଲଭ ପଦସ୍ପର୍ଶରେ ଅଜ୍ଞାନ କୈବର୍ତ୍ତ ବିଜ୍ଞାନୀ ପାଲଟି ଗଲା Ι ମୁଖକୁ ଚାହିଁଲା Ι ଦେଖିଲା,” ଚାରୁଚାପଧାରୀ ନୀଳାମ୍ବୁଜ ଶ୍ୟାମଳ କୋମଳାଙ୍ଗ ଶ୍ରୀରାମଙ୍କର ଭବ ଭୟ ତାରଣ ମଦନମୋହନ ମୂର୍ତ୍ତି Ι ମଧୁରାଧିପତିଙ୍କକର ସେ ଦୁର୍ଲଭ ଚରଣ ସ୍ପର୍ଶରେ ଧୀବରର ଜନ୍ମ ଜନ୍ମାନ୍ତରର ପାପ କ୍ଷୟ ହୋଇ ଯାଇଥିଲା ଓ ମୋକ୍ଷର ମାର୍ଗ ଉନ୍ମୁକ୍ତ ହୋଇ ସାରିଥିଲା Ι ସେ ପଦ ସିନା ହସ୍ତରେ ଧୋଉଥାଏ,ତାର ମୁଗ୍ଧ, ବିଭୋର ଦୃଷ୍ଟି ଥାଏ ପ୍ରଭୁଙ୍କର ମୁଖାରବିନ୍ଦ ଉପରେ Ι ଯେଉଁ ଚରଣ ବ୍ରହ୍ମା, ଶିବ ମଧ୍ୟ ଧୋଇବାରେ ସକ୍ଷମ ହୋଇ ପାରି ନାହାନ୍ତି,

ବିଜ୍ଞାନୀ କୈବର୍ତ୍ତ ଧୋଇଲା,

ବିଶ୍ଵେ ପତିତପାବନ ନାମ ରହିଲା Ι

ସୋଇ ଚରନ କେବଟ ଧୋଇ ଲୀନେ, ତବ ହରି ନାଵ ଚଢାଇ Ι

ଭଜ ମନ ରାମ ଚରନ ସୁଖଦାୟୀ !

ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ସହ ଗୁହ୍ୟକ ମଧ୍ୟ ନାବରେ ବସିଥାନ୍ତି Ι ସୀତା ଗଙ୍ଗା ମାତାଙ୍କୁ ପ୍ରାର୍ଥନା କରୁଥାନ୍ତି ଚକ୍ଷୁ ମୁଦ୍ରିତ କରି Ι ଲକ୍ଷ୍ମଣ ଚିନ୍ତା କରୁଥାନ୍ତି, ଗୁରୁ ବିଶ୍ୱାମିତ୍ରଙ୍କର ‘ବଳା ଓ ଅତିବଳା’ ଶିକ୍ଷା ଦେବାର ରହସ୍ୟ Ι ତ୍ରିକାଳ ଦର୍ଶୀ ଗୁରୁ ଜାଣିଥିଲେ, ବନବାସରେ ଏ ବିଦ୍ୟା କାର୍ଯ୍ୟରେ ଆସିବ Ι କ୍ଷୁଧା ଏବଂ କ୍ଷୁଧାର ତୃପ୍ତି ପରେ ବିଶ୍ରାମ, ନିଦ୍ରାକୁ ଆମନ୍ତ୍ରଣ କରେ Ι ତେଣୁ ପ୍ରତି ପ୍ରଭାତରେ ସେ ଉଭୟ ମନ୍ତ୍ର ଜପ କରୁଥିଲେ Ι ଭ୍ରାତାଙ୍କ ଅଜ୍ଞାତରେ ସେ ଆହାର ଓ ନିଦ୍ରା ତ୍ୟାଗ କରିଥିଲେ Ι ଶ୍ରୀରାମ ଓ ଗୁହ୍ୟକଙ୍କ ମଧ୍ୟରେ ଦୃଷ୍ଟି ବିନିମୟ ହେବାରୁ ରାମଚନ୍ଦ୍ର ପୂର୍ବ କଥା ମନେ ପକାଇ ହସି ଦେଲେ Ιଗୁହ୍ୟକ ପଚାରିଲା," ସଖା, ଆପଣଙ୍କୁ ଛାଡି ଫେରିବା ବିଷୟ ଭାବିଲା ବେଳକୁ ମୋର ହୃଦୟ କରତି ହୋଇ ଯାଉଛି Ι ଆପଣ ହସୁଛନ୍ତି ?" ଶ୍ରୀରାମ କହିଲେ," ଆମର ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ସେ ଦିବସ ମନେ ପଡିଗଲା Ι ତୁମେ ଏବେ ବି କଣ ଗୋଡ଼ରେ ଧନୁ ଧରି ତୀର ମାରିବା ଅଭ୍ୟାସ ରଖିଛ ?" ନିଷାଦପତିଙ୍କ ମୁହଁରେ ବି ହସ ଫୁଟିଲା Ι ଉଭୟଙ୍କ ମନ ଚାଲିଗଲା ଦୂର ଅତୀତକୁ Ι”

ତ୍ରିବେଣୀରେ ବାରୁଣୀ ଯୋଗ ପଡିଥାଏ Ι କୁଳଗୁରୁ ବଶିଷ୍ଠଙ୍କ ଗୁରୁକୂଳର ଅଧ୍ୟାପକମାନେ ପ୍ରୟାଗକୁ ଯାଉଥିବାରୁ ରାଜପୁତ୍ରମାନେ ଅବକାଶରେ ଗୃହକୁ ଫେରିଥାନ୍ତି Ι ରାଜା ଦଶରଥ ମଧ୍ୟ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ରାଣୀ ଓ ପୁତ୍ରମାନଙ୍କୁ ସାଙ୍ଗରେ ଧରି ସୈନ୍ୟସାମନ୍ତ ପରିବେଷ୍ଟିତ ହୋଇ ପ୍ରୟାଗକୁ ଯାତ୍ରା କରୁଥାନ୍ତି Ι ବାଟରେ ଗୁହ୍ୟକଙ୍କର ଅରଣ୍ୟ ପ୍ରଦେଶ ପଡିଲା Ι ତାଙ୍କ ରାଜ୍ୟ ମଧ୍ୟରେ ଅନଧିକାର ପ୍ରବେଶ ବିରୁଦ୍ଧରେ ଦଶରଥଙ୍କର ବିଶାଳ ସେନା ସହ ଅଳ୍ପ କେତେକ ଭୀଲ ସୈନ୍ୟ ଧରି ଲଢ଼ିଲେ ଗୁହ୍ୟକ Ι ସେ ବିଜୁଳି ବେଗରେ ଶର ଚାଳନା କରିପାରୁଥିଲେ Ι ସଙ୍ଗରେ ରାଣୀମାନେ ଓ ପୁତ୍ରମାନେ ଥିବାରୁ ଦଶରଥ ଅଧିକ ସମୟ ଯୁଦ୍ଧ ଚାଲୁ ବୋଲି ଚାହୁଁ ନ ଥିଲେ Ι ସେ ମନଭେଦୀ ଶର ମାରି ଗୁହ୍ୟକଙ୍କର ହସ୍ତ ଦ୍ୱୟ ବନ୍ଧନ କରିଦେଲେ Ι ଗୁହ୍ୟକ ନିଜ ଦୁଇ ପାଦରେ ଧନୁ ଧରି ତୀର ଚଳାଇବାକୁ ଲାଗିଲେ Ι ଲକ୍ଷ୍ମଣ ତାହା ଦେଖି ଗୁହ୍ୟକର ଏହି ଅଦ୍ଭୁତ ଶସ୍ତ୍ର ଚାଳନା ବିଷୟରେ ରାମଙ୍କୁ ଅବଗତ କରାଇଲେ Ι ରାମ କୌତୂହଳୀ ହୋଇ ଯାଇ ଗୁହ୍ୟକଙ୍କର ସେହି ଅପୂର୍ବ କୃତିତ୍ୱ ଦର୍ଶନ କଲେ Ι ସେ ପିତାଙ୍କୁ ତାଙ୍କର ବନ୍ଧନ ଖୋଲି ଦେବାକୁ ଅନୁରୋଧ କଲେ Ι ପିତା ରାମଙ୍କର ଆଗ୍ରହ ଦେଖି ତାଙ୍କୁ ନିଜେ ସେ ବନ୍ଧନ ଖୋଲିବାକୁ ଅନୁମତି ଦେଲେ Ι ରାମ ଗୁହ୍ୟକଙ୍କ ବନ୍ଧନ ଖୋଲିଦେଲେ Ι ଗୁହ୍ୟକ ରାମଙ୍କ ମହାନତା ଉପଲବ୍ଧି କରି ତାଙ୍କ ପାଦତଳେ ପ୍ରଣାମ କରିବାକୁ ଯାଉଥିଲେ, କିନ୍ତୁ ରାମ ତାଙ୍କୁ ଉଠାଇ ଧରି ଆଲିଙ୍ଗନ କଲେ Ι ପିତାଙ୍କ ଅନୁମତି ନେଇ ସେ ପ୍ରଜ୍ଜ୍ଵଳିତ ଅଗ୍ନିକୁ ସାକ୍ଷୀ ରଖି କିରାତରାଜ ଗୁହ୍ୟକ ସହ ମିତ୍ରତା ସ୍ଥାପନ କଲେ Ι”

ଧୀବର ନୌକାକୁ କୂଳରେ ଲଗାଇ ସାରିଥିଲା Ι ଉଭୟ ଅତୀତରୁ ବର୍ତ୍ତମାନକୁ ଫେରି ଆସିଲେ Ι ରାମ ସୀତାଙ୍କୁ ଓହ୍ଲାଇବାରେ ସାହାଯ୍ୟ କଲେ Ι ଲକ୍ଷ୍ମଣ ଓ ଗୁହ୍ୟକ ମଧ୍ୟ ଅବତରଣ କଲେ Ι ରାମ କହିଲେ, "ବିଚରା ଧୀବରର କୌଳିକ ବୃତ୍ତି ଇଏ Ι ଏହି ବୃତ୍ତିରୁ ସେ ତା କୁଟୁମ୍ବ ପୋଷୁଛି Ι ଆମେ ତାକୁ ତାର ପାରିଶ୍ରମିକ ଦେବା ଉଚିତ Ι" କିନ୍ତୁ ସେ ତ ସବୁ କିଛି ଛାଡି ଆସିଥିଲେ Ι କେବଳ ସୀତାଙ୍କ ଶରୀରରେ କିଛି ଅଳଙ୍କାର ଥିଲା Ι ରାମ ତାଙ୍କୁ ଅଙ୍ଗୁଳିରୁ କାଢି ସ୍ଵର୍ଣ ମୁଦ୍ରିକାଟି ଦେବାକୁ ଅନୁରୋଧ କଲେ Ι ଧୀବର ୟା ମଧ୍ୟରେ ତତ୍ତ୍ୱ ଜ୍ଞାନ ଲାଭ କରିସାରିଥିଲା Ι ସେ କହିଲା, " ସମାନ ବୃତ୍ତିର ଲୋକଙ୍କ ମଧ୍ୟରେ ପରିଶ୍ରମର ମୂଲ୍ୟ ଦିଆ ନିଆ ହୁଏ ନାହିଁ Ι ମୁଁ ଆପଣଙ୍କଠାରୁ ନେବି କିପରି ? ରାମ କହିଲେ,"ତୁମ କଥାର ଅର୍ଥ ମୁଁ ବୁଝିପାରିଲି ନାହିଁ Ι" ନାଉରୀ କହିଲା, "ଜଣେ ନାପିତ ଅନ୍ୟ ଜଣେ ନାପିତର କେଶ କର୍ତ୍ତନ କରି ମଜୁରୀ ନିଏ ନାହିଁ Ι କେଶ କର୍ତ୍ତନ ଦ୍ୱାରା ହିଁ ସେ ତାର ପରିଶ୍ରମର ମୂଲ୍ୟ ଶୁଝିଥାଏ Ι ଜଣେ ରଜକ ମଧ୍ୟ ଅନ୍ୟ ଜଣେ ରଜକର ସେବାକୁ ସେବା ଦ୍ୱାରା ହିଁ ଶୁଝିଥାଏ Ι ଆମ ଦୁହିଁଙ୍କର ବୃତ୍ତି ଏକା Ι ତେଣୁ ଆପଣ ମୋ କାର୍ଯ୍ୟ ପାଇଁ ପାରିଶ୍ରମିକ ଦେଇ ଜାତି ନଷ୍ଟ କରନ୍ତୁ ନାହିଁ Ι ରାମ କହିଲେ, "ଆମ ଦୁହିଁଙ୍କ ବୃତ୍ତି ଆଉ ଜାତି ଏକା କେମିତି ? "କୈବର୍ତ୍ତ ଆଣ୍ଠୁମାଡ଼ି ବସିଲା ପ୍ରଭୁଙ୍କ ପାଦ ଦେଶରେ Ι କରଯୋଡ଼ି ନିବେଦନ କଲା," ମୁଁ ଏକ ଛୋଟ ନୌକାର ନାଉରୀ Ι ଆପଣ ସଂସାର ନାବର ନାବିକ Ι “ପ୍ରଭୁ ଆଏ ମୋରେ ଘାଟ, ତୋ ପାର ମୈନେ ଉତାର ଦି Ι ଜବ ଆଉଙ୍ଗା ମେଁ ତୋରେ ଘାଟ, ତୋ ପାର ମୋହେ ଉତାରିଓ Ι"


Rate this content
Log in

Similar oriya story from Abstract