Sachidananda Kar

Tragedy Others

4  

Sachidananda Kar

Tragedy Others

ଅଭିମାନିନୀ

ଅଭିମାନିନୀ

2 mins
340



        ଖବର ପାଇ ହଠାତ୍ ପହଞ୍ଚିଗଲେ ସେ । ମୃତ୍ୟୁର ଖବର - - - । ଏମିତି ଖବର ପାଇଲେ ପ୍ରିୟଜନଙ୍କ ପାଖରେ କିଏ ଆସି ନ ପହଞ୍ଚିବ ଯେ ! ଅନେକ ଦିନରୁ କିନ୍ତୁ ସେ ତାଙ୍କ ବାଟରେ ଥିଲେ। ଅନେକ ଦିନରୁ ପରସ୍ପର ଦେଖା ଚାହାଁ ନ ଥିଲା। ଅନେକ କଥା ଦୁହିଙ୍କ ମଧ୍ୟରେ ଅଧା ଅକୁହା ହୋଇ ରହିଥିଲା। କିଛି ଛୋଟ ବଡ କଥା ପାଇଁ ଦୁହିଙ୍କର ଭାବ ନାବର ମଧୁର ରେଶମ ଡୋରି ତୁଟି ଯାଇଥିଲା।ଦୁହେଁ ପରସ୍ପର ଯୋଜନ ଯୋଜନ ଦୂରରେ ରହିବା ପରି ରହିଥିଲେ। ବର୍ଷ ପରେ ବର୍ଷ ବିତିବା ପରେ ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ଆସି ପାରି ନ ଥିଲା।


             ସଂପର୍କର ଡୋରି ଥରେ ତୁଟିଗଲେ ଠାବ ଓ ଠିକଣାରେ ଭୁଲ୍ ଭାଲ୍ ହୋଇଯାଏ।ମଣିଷ ବାଟବଣା ହୁଏ।ଠିକ୍ ସେପରି ଅବସ୍ଥା ଆସି ଯାଇଥିଲା ଦୁହିଙ୍କ ଜୀବନରେ। ଏବେ ତାଙ୍କ ମୃତ୍ୟୁ ଖବର ପାଇ ଆସି ସେ ପହଞ୍ଚିଲା ବେଳକୁ ଅନେକ ରୁଣ୍ଡ ହୋଇ ସାରିଥିଲେ ସେଠାରେ। ସ୍ଥିର, ନିଶ୍ଚଳ ହୋଇ ପଡି ରହିଥିବା ତାଙ୍କ ଶବଟିକୁ ଦେଖୁଥିଲେ।ଆଗନ୍ତୁକ ଅତିଥିଟିଏ ପରି ଠିଆ ହୋଇ ରହିଥିଲେ ସେ। ପରିଚୟ ଦେବି କି ? ଭାବୁଥିଲେ ଏମିତି, ହେଲେ ଦେଇ ପାରୁ ନ ଥିଲେ।


             ଇନ୍ଦ୍ରାଦି ଦଶଦିଗପାଳଙ୍କୁ ସାକ୍ଷୀ ରଖି ଦିନେ ତାଙ୍କୁ ବିବାହ କରିଥିଲେ ସେ।ତାଙ୍କ ସହିତ ପ୍ରେମ ଓ ପ୍ରଣୟରେ ରାତି ପରେ ରାତି ବିତାଇଥିଲେ।ସ୍ନେହ, ସୋହାଗ ଯାଚି ଦେଇଥିଲେ। ସବୁ ଏବେ ଅତୀତର ଇତିହାସ ପୃଷ୍ଠାରେ। ଏବେ ଆଉ ଆଗ ପରି ଦିଶୁ ନ ଥିଲା ତାଙ୍କ ଚେହେରା।ସମ୍ଭବତଃ ରୋଗର କୋରଡା ଖୁବ୍ ସହିଥିଲେ ସେ।ତାଙ୍କ ଛାତି ପେଟର ପ୍ରଭେଦ ବାରି ହେଉ ନ ଥିଲା। କପାଳରେ ସିନ୍ଦୂର ଦାଉ ଦାଉ ଦିଶୁଥିଲା।ଦି ' ପାଦରେ ଗାଢ ଅଳତାର ଗାର ଚମକୁଥିଲା।ଓଠରେ ଲାଖି ରହିଥିଲା ଧାରେ ହସ। ସେ ଅପଲକ ଚାହିଁ ରହିଥିଲେ - ତାଙ୍କ ଆଡେ,ତାଙ୍କ ସହଧର୍ମିଣୀଙ୍କ ଆଡେ।


            - " ଦେଖ,ତୁମ ଅଯତ୍ନ,ଅନାଦରକୁ ଆଡେଇ ଦେଇ ଅହ୍ୟରାଣୀ ହୋଇ ମୁଁ ଚାଲି ଯାଉଛି।ତୁମ ଅଣଦେଖା,ତୁମ ଅହଂକାରକୁ ଆଜି ହେୟ କରିଦେଇଛି।ତୁମେ ଟିକେ ଭଲକରି ଚାହିଁ ଦେଖ,ଏବେ ଲୁହର ଡଙ୍ଗାରେ ଭାସି ଭାସି ଯାଉଛି ମୁଁ।ମହୋଦଧି କୂଳରେ, ସ୍ବର୍ଗଦ୍ବାରରେ ଅଗ୍ନିସ୍ନାନ କରି ମୋର ପୀଡିତ ଆତ୍ମାକୁ ଶାନ୍ତି ଦେବି। " ସତେ ପତ୍ନୀଙ୍କ ଶବ ଯେମିତି କହୁଥିଲା ଏକଥା। ସବୁ ତାଙ୍କ କାନରେ ପଡୁଥିଲା।ଶୁଣି ପାରୁଥିଲେ ସେ।ନିରବ ଦର୍ଶକଟିଏ ପରି ମୁହଁରେ ଦୁଃଖ, ଅନୁତାପର ଚିହ୍ନ ଫୁଟାଇ ଠିଆ ହୋଇ ରହିଥିଲେ।

  - " ହଁ,ଆହୁରି ଶୁଣ।ପଛରେ ଛାଡି ଯାଉଛି ଆମର ଯାବତ ଇହ ପର ସଂପର୍କ।ଈର୍ଷା, ଅସୂୟା,ଛନ୍ଦ, କପଟ,ତୋର ମୋର ଭାବ,ଯେତେ ସବୁ ଅକୁହା କାହାଣୀ ତୁମେ ନିଅ।ଆଜି ଏ ଶେଷଯାତ୍ରାରେ ଗଲାବେଳେ ସବୁ ତୁମକୁ ଫେରାଇ ଦେଉଛି। " ଶବ ପୁଣି ଯେମିତି କହୁଥିଲା ଏକଥା। ସବୁ ଶୁଭୁଥିଲା ତାଙ୍କୁ।ଶୁଣି ପାରୁଥିଲେ ସେ।ତାଙ୍କ ଛାତି ଏବେ ଅବଦମିତ କୋହରେ ଫାଟି ପଡୁଥିଲା।


             - " ତୁମ ସୋହାଗର ଚନ୍ଦ୍ରଝୁମ୍ପା,ସ୍ପର୍ଶର ବାଜୁବନ୍ଧ,ପ୍ରେମର ମଣିମାଳ,ବନ୍ଧନର ବାହୁବଳୟ ସବୁ ଆଜି ଏ ଶେଷ ସମୟରେ ତୁମକୁ ଫେରାଇ ଦେଉଛି।ନିଅ,ଏସବୁ ତ ତୁମର।ନେଇ ଯତ୍ନରେ ରଖ।ମୁଁ ଆସୁଛି।ଏଇ ମୋର ଶେଷ ଦେଖା। " ଶବ ସତେ କହୁଥିଲା ଯେମିତି ଏସବୁ କଥା।ତାଙ୍କୁ ଶୁଭୁଥିଲା।ଶୁଣି ପାରୁଥିଲେ ସେ। ଅଭିମାନିନୀ !


              ନିଃଶଦ୍ଦରେ ତାଙ୍କ ପ୍ରତି ପାଟିରୁ ଏତିକି ବାହାରିଗଲା।ଦୁଇ ଟୋପା ଲୁହ ନିଗାଡି ଦେଇ ଓଜନିଆ ହୃଦୟଟିଏ ସାଥିରେ ଧରି ସେ ସେଠାରୁ ଫେରିଆସିଲେ।


Rate this content
Log in

Similar oriya story from Tragedy