ଅଭାଗା ମଣିଷ
ଅଭାଗା ମଣିଷ
ବୋଉ ଚାରିଦିନ ହେବ ଡାକ୍ତରଖାନାରେ l ମୋହନ ଖଟିଖିଆ, ଦାମୀ ଡାକ୍ତରଖାନାକୁ ଯିବାକୁ ବଳ କାଇଁ l ସରକାରୀ ଡାକ୍ତରଖାନାରେ ପଡିଛି ବୋଉ l ଚାରିଦିନ ହେବ ଶୋଇନି ମୋହନ, ଏପଟେ ପେଟ ରୋଗ l ଯେମିତି ଆଉ କାହା କଥା ମାନିବାକୁ ବି ନାରାଜ l କେତେ ଯେ ଔଷଧ କେତେ ଯେ ରକତ ଦିଆ ସରିଲାଣି l ହେଲେବି ଡାକ୍ତର କିଛିବି କହିପାରୁନାହାନ୍ତି l ସେଦିନ ରାତିରେ ହଠାତ ଡାକ୍ତର କହିଲେ ପଇସା ଯୋଗାଡ଼ କରିବାକୁ, କୋଡିଏ ହଜାର ଟଙ୍କା l ବୋଉର ଏଗାରଟା ସୁଦ୍ଧା ଅସ୍ତ୍ରପଚାର ହେବ l ମୁଣ୍ଡରେ ଚଡକ ପଡିଲା ମୋହନର, ସଙ୍ଗେସଙ୍ଗେ ଏତେ ପଇସା କୋଉଠୁ ଯୋଗାଡ଼ କରିବ l ଏବେ ଏବେ କାମ ଆରମ୍ଭ କରିଛି ସେ l ବାପା ବି ସେମିତି କିଛି ସଞ୍ଚୟ କରି ରଖିକି ଯାଇନାହାନ୍ତି l କଣ କରିବ ସେ ?
କାହାକୁ ମାଗିବ, ପାଖ ଘର ଶଙ୍କର ଭାଇନା ଭଲ ଲୋକ ହେଲେ ମଧ୍ୟ ତାଙ୍କର ନିଜର ଅଭାବ ପରିବାର l ସେ କୁଆଡ଼ୁ ଦେବେ l ତାହେଲେ ଆଉ କିଏ !
ବୋଉ ତାକୁ ଏମିତି ଏ ଦୁନିଆରେ ଏକା କରିଦେଇ ଛାଡି ଚାଲିଯିବ l
ନାଇଁ ନାଇଁ... !!ସେଦିନ ରାତିରେ ବି ମୋହନର ଆଖିରେ ନିଦ ନାହିଁ l ସକାଳୁ ସକାଳୁ ବୋଉ ପାଖକୁ ଗଲା l ବୋଉ ଶୋଇଛି ନିଦରେ, ବୋଉ ମୁଣ୍ଡକୁ ଆଉଁସି ଦେଇ ମୋହନ ଭାବିଲା ଯିବ ନିଜ ସାଙ୍ଗ ନବୀନ ପାଖକୁ l ନବୀନ ବି ଆଉଗୋଟିଏ କାରଖାନାରେ କାମ କରେ l ଯଦିଓ ଏତିକି ପଇସା ସଙ୍ଗେସଙ୍ଗେ ତା ପାଖରେ ନଥିବ l ସେ କୋଉଠୁ ବି ନିଶ୍ଚୟ ଯୋଗାଡ଼ କରିଦେବ l ପରେ ମୋହନ ଦିନରାତି ଏକ କରି ସେ ପଇସା ସବୁ ଶୁଝିଦେବ l ସକାଳୁ ସକାଳୁ ଶଙ୍କର ଭାଇନାଙ୍କ ମୋଟରସାଇକେଲ ମାଗି ନବୀନ ପାଖରେ ପହଞ୍ଚିଗଲା l ମୋହନ ନଵୀନର କବାଟ ଠକ ଠକ କରି ଡାକିବାକୁ ଲାଗିଲା l ନବୀନ ଆଖି ମଳିମଳି କବାଟ ଖୋଲିଲା l ମୋହନ ସବୁ କଥା ନବୀନକୁ କହିଲା ଓ ନବୀନ ବି ସବୁ ଶୁଣିଲା l ମୋହନକୁ ବ୍ୟସ୍ତ ନହେବା ପାଇଁ କହିଲା l ତାପରେ ସେ ତା ସାହୁକାରକୁ ଫୋନ କରି ସବୁ ଅସୁବିଧା କହିଲା l ନବୀନର ସାହୁକାର ସବୁ ଶୁଣି ସେ ମୋହନକୁ ପଇସା ଦେବାକୁ ରାଜିହେଲେ ବୋଲି ନବୀନ କହିଲା l ହେଲେ ଦିନ ବାରଟା ବେଳକୁ ଦେବେ l ମୋହନ ଏକଥା ଶୁଣି କାନ୍ଦି ପକେଇଲା l କହିଲା ନାଇଁ ନାଇଁ ଏଗାରଟା ସୁଦ୍ଧା ବୋଉର ଅସ୍ତ୍ରପଚାର ହେବା ନିହାତି ଦରକାର, ନହେଲେ ବୋଉ ମୋର ଚାଲିଯିବ l ନବୀନ ପୁଣି ଫୋନ କରି ସାହୁକାରକୁ ବହୁତ ନେହୁରା ହୋଇ କହିଲା ପରେ ସାହୁକାର ରାଜିହେଲା l ସେଇଟି ଯାଇ ପୁଣି ଲେଖାଲେଖି କରି ପଇସା ଆଣିବାକୁ ପଡିବ l ସାହୁକାର ପାଖରୁ ପଇସା ଆଣି ଆସିଲା ବେଳକୁ ଦିନ ଦଶଟା ବାଜିଲାଣି l ମୋହନ ବ୍ୟସ୍ତ ଓ ବିବ୍ରତ ହୋଇ ଭାବୁଛି ଜଲଦି ଗଲେ ଅସ୍ତ୍ରପଚାର ଆରମ୍ଭ ହେବ l ଦ୍ରୁତଗତିରେ ମୋଟରସାଇକେଲ ଚଳେଇ ମୋହନ ଯାଉଛି l ତାକୁ ଅଟକେଇଲେ ଦୁଇଜଣ ଟ୍ରାଫିକ ପୋଲିସ l ଟ୍ରାଫିକ ପୋଲିସ କହିଲେ କଣ ବାବୁ ଏତେ ଦ୍ରୁତଗତିରେ କୁଆଡେ ଯାଉଛ l କାଲି କଣ ଟିଭି ଦେଖିନ କି ? ନା ନୂଆ ନିୟମ ଜାଣିନ ? ମୋହନ ଆଶ୍ଚର୍ଯ୍ୟ ହୋଇ ଭାବିଲା କି ନିୟମ !ସେ ତ ଚାରିଦିନ ହେବ ଡାକ୍ତରଖାନାରେ, କୁଆଡେ କଣ ହେଉଛି କିଛି ସେ ହିସାବ ରଖିନି l ଟ୍ରାଫିକ ପୋଲିସ ତାକୁ ରାସ୍ତା କଡ଼କୁ ଟାଣିଆଣି ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଗାଡିର କାଗଜପତ୍ର ଦେଖିବାକୁ ମାଗିଲେ l କିନ୍ତୁ ମୋହନ ପାଖରେ ଗାଡିର କୌଣସି କାଗଜପତ୍ର କିଛି ନଥିଲା l ଆରେ ସେ ତ ଗାଡ଼ିଟା ମାଗିକି ଚଳାଉଥିଲା l ପୋଲିସ ବାବୁ ହିସାବ କଲେ ଲାଇସେନ୍ସ ନାହିଁ, ଗାଡି କାଗଜପତ୍ର ନାହିଁ, ପୁଣି ମାଗି ଆଣିବା ଗାଡି l ଗାଡ଼ିରୁ ନାହିଁ ନଥିବା ଧୂଆଁ ବି ବାହାରୁଛି l ଯେଉଁଟା ପରିବେଶ ନଷ୍ଟ କରୁଛି l ରାସ୍ତା ପାଇଁ ବିପଦଜନକ l ଉପରରେ ପୁଣି ଏତେ ଦ୍ରୁତ ଗତିରେ ଯାଉଛି l ରସିଦ କାଟିଦେଲେ ଟ୍ରାଫିକ ପୋଲିସ ବାବୁ ପନ୍ଦର ହଜାର ଟଙ୍କାର ଜୋରିମାନା l ମୋହନ ଭାବିଲା ଭୁଲ ଶୁଣୁଛି ବୋଧେ ସେଥିପାଇଁ ଆଉଥରେ ପଚାରିଲା କେତେ କହିଲେ ଆଜ୍ଞା l ପୋଲିସ ବାବୁ କହିଲେ ପନ୍ଦର ହଜାର ଟଙ୍କା l ନୂଆ ନିୟମ ଏଇଟା l ମୋହନର ଆଖି ଆଗରେ ଯେମିତି କିଟିମିଟି ଅନ୍ଧାର ହୋଇଗଲା l ଏତେ ଟଙ୍କା ଶୁଣି ତା ମୁଣ୍ଡ କଣ ହୋଇଗଲା l ପାଖରେ କିଏ ଗୋଟେ କହୁଥାଏ ନିୟମ କଲେ ଜୋରିମାନା ତ ନିଶ୍ଚୟ ଦେବେ ଆଜ୍ଞା ଆଗରୁ କିଛିତ କହିତଥାନ୍ତେ l ହଠାତ ମୋହନକୁ ଆଉ କିଛି ଶୁଭୁନଥିଲା l ସେ ପୋଲିସ ବାବୁଙ୍କୁ ସବୁ ଦୁଃଖ କହିଲା, ତାଙ୍କୁ ବହୁତ କାକୁତିମିନତି ହୋଇ ନେହୁରା ହୋଇ କହିଲା ଆଜ୍ଞା ମୋ ବୋଉ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଘର୍ଷ କରୁଛି ମୋତେ ଯିବାକୁ ଦିଅନ୍ତୁ ନହେଲେ ମୋ ବୋଉ ଚାଲିଯିବ l କିନ୍ତୁ ପୋଲିସ ବାବୁଙ୍କର ଟିକେ ବି ମୋହନ ପ୍ରତି ଦୟା ନଥିଲା l ପୋଲିସ ବାବୁ କହିଲେ ନିୟମ ଉଲ୍ଲଘଂନ କରିଥିବାରୁ ଜୋରିମାନା ଦିଅ ନହେଲେ ଗାଡି ସହିତ ଥାନାକୁ ଯିବ l ମୋହନ କଣ କରିବ କିଛି ବୁଝି ପାରିଲାନି l ସେ ଡାକ୍ତରଖାନାରେ ପଇସା ନ ଦେଲେ ତା ବୋଉର ଅସ୍ତ୍ରପଚାର ହୋଇ ପାରିବନାହିଁ l ତା ବୋଉ ଚାଲିଯିବ l କିନ୍ତୁ ଏପଟେ ଜୋରିମାନା ନଦେଲେ ସେ ଥାନାକୁ ଯିବ l ଶେଷରେ ସେ ଥାନାକୁ ଯିବାକୁ ନିଷ୍ପତି ନେଲା l ହେଲେ ପୋଲିସ ବାବୁ ସେ ବି ନାଛୋଡ ବନ୍ଧା l ମୋହନର ସାର୍ଟ ପ୍ୟାଣ୍ଟ ପକେଟ ଖୋଜି ଆଦାୟ କରିନେଲେ ପନ୍ଦର ହଜାର ଟଙ୍କାର ଜୋରିମାନା l ମୁଣ୍ଡ ଧରି ତଳେ ବସିପଡି ଭୋ ଭୋ ହୋଇ କାନ୍ଦି ପକେଇଲା ମୋହନ l ଟ୍ରାଫିକ ପୋଲିସ ସେଠୁ ଚାଲିଗଲେ l ରାସ୍ତା କଡରେ ଏମିତି ଆହୁରି ଅନେକ ମୋହନଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ବାକିଥିଲା l
