ଆତ୍ମା ସହ ଗୋଟିଏ ରାତି
ଆତ୍ମା ସହ ଗୋଟିଏ ରାତି
ସେଦିନ ଥିଲା ଏକ ଅଦ୍ଭୁତ ଭୟ ଭାବନାର ରାତି।ଅଙ୍କିତା ଆଜି ନୂଆ କରି ସହରକୁ ଆସିଛି ରହିବା ପାଇଁ। ସ୍କୁଲ ପାଠପଢ଼ା ସାରି କଲେଜ ରେ ନାମ ଲେଖେଇଛି।ଏକୁଟିଆ ଭଡ଼ା ଘରେ ତାର ଆଜି ପ୍ରଥମ ଦିନ। ଦିନସାରା ଘରେ ଜିନିଷପତ୍ର ସଜଡାରେ ଲାଗିଗଲା। ସନ୍ଧ୍ୟାସୁଧା ଘରକାମ ସାରିଲା ପରେ ବହୁତ୍ ଥକି ଯାଇଥିଲା ଏକଦମ ସେ।ବାହାରୁ କିଛି ଖାଇବା କିଣି ଆଣି ଖାଇକି ଶୋଇପଡ଼ିବ ବୋଲି ସ୍ଥିର କଲା। ଦିନବେଳା ତ ରହିଗଲା ହେଲେ ରାତିରେ କେମିତି ସେ ଏକୁଟିଆ ଶୋଇବା ଭାବି ଟିକେ ଡ଼ରିଯାଇଥିଲା।ନୂଆ ଏକ ଅଜଣା ସହରରେ ପ୍ରଥମ ରାତି କେମିତି କଟିବ ଭାବୁଥାଏ ସଂଧ୍ୟାବେଳୁ।ଅନ୍ଧାର ଘନେଇ ଆସିଲା ସନ୍ଧ୍ୟାଯାଇ ରାତି ପ୍ରାୟ ଏଗାରଟା ବାଜିଲାଣି। ଖାଇଦେଇ ଶୋଇବାକୁ ଗଲା ହେଲେ ନିଦ ଆସିଲାନି।ରାତିରେ ଏ ଘରଟା ସତରେ ଭାରି ଭୟ ଲାଗୁଛି।ରାତି ଯେତେ ବଢୁଛି ଡର ବି ସେତେ ଜାଗ୍ରତ ହେଇ ଉଠୁଛି।କେଜାଣି କାହିଁକି ଏ ଘରଟା ସନ୍ଧ୍ୟାବେଳୁ ଖାଲି ମାଡ଼ି ମାଡ଼ି ପଡୁଛି।ମନରେ ଭୟ ବି ସଂଚାର ହେଇ ଆସିଲାଣି।ତଳେ ରହୁଥିବା ଦିଦି ଙ୍କୁ ଯାଇ ଡାକିଲା କିନ୍ତୁ ଦିଦି ସିଧାସିଧା ମନା କରିଦେଲେ ପାଖରେ ଆସି ଶୋଇବାକୁ।ତାଙ୍କର ବ୍ୟବହାର ବି ବଡ଼ ଅଜବ ଲାଗୁଥିଲା।ସେ କିଛି କହିବାକୁ ଚାହିଁ ନକହି ଚାଲିଗଲେ।ଥରେ ନିଦ ଆସିଗଲେ ତା ପରେ ଆଉ କିଛି ଚିନ୍ତା ନାହିଁ ଭାବି ଶୋଇବାକୁ ଚେଷ୍ଟାକଲା।ନିଦ ଯେମିତି ତାକୁ ଦଗା ଦେଇ ଚାଲିଯାଇଥିଲା।କେମିତି ଗୋଟେ ଅଡ଼ୁଆ ଲାଗୁଥିଲା ତାକୁ।ଧୀରେଧୀରେ ରାତି ବଢିଲା ଆଉ ଭୟ ବି।ହଠାତ୍ ଆକାଶରେ ମେଘର ମାଳ ଗୁଛାରିତ ହୋଇ ବର୍ଷା ହେବାକୁ ଲାଗିଲା ଜୋରରେ ଅତି ଜୋରରେ ଅନ୍ଧାର ରାତିରେ ଏ ବର୍ଷା ଆଉ ବିଜୁଳି ଘଡଘଡି ର ଶବ୍ଦ ତୀବ୍ର ରୁ ତୀବ୍ରତର ହେବାକୁ ଲାଗିଲା। ତାକୁ କାହା ପାଉଁଜି ର ଶବ୍ଦ ସୁଭାଗଲାଅତି ନିକଟରୁ ସତେ ଯେମିତି କେହିଜଣେ ତାର ଅତି ପାଖରେ ଅଛି।ହଠାତ୍ ତା ସାମ୍ନା ରେ ଜଣେ ଝିଅ ଆସି ଛିଡ଼ା ହେଇ ଜୋରେ କହିବାକୁ ଲାଗିଲା ଚାଲିଯାଅ e ଘରୁ ଶୀଘ୍ର ଚାଲିଯାଅ ତମେ ନହେଲେ ନିଜ ଜୀବନ ହରେଇ ବସିବ। ଏ ଝିଅ କଣ ଗୋଟେ ଆତ୍ମା ଯିଏ ଚାହୁନି ଏ ଘରେ କିଏ ରହୁ ବୋଲି। ତାର ସେ ବିକଟାଳ ରୂପ ଆଉ ଚିତ୍କାର ରେ କାନ ଯେମିତି ଫାଟି ପଡୁଥାଏ। ସେ ଭୟାନକ ଶବ୍ଦ ବେଳକୁ ବେଳ ବେଶୀ ଶାଣିତ ହେଉଥାଏ।ସେ କିଏ ଆଉ କଣ ପାଇଁ ଚାହୁଁନାହିଁ କିଏ ଏ ଘରେ ରୁହେ ବୋଲି।ଏତେ ସବୁ ପ୍ରଶ୍ନ ର ଉତ୍ତର କଣ ହେଇଥିବା ଭାବିବା ଆଗରୁ ସେ ଝିଅ ଆତ୍ମା ତାର ଗଳା ଚିପିବାକୁ ଲାଗିଲା।ତାକୁ ଚାରିଦିଗ ଅନ୍ଧାର ଦେଖାଗଲା। ବଞ୍ଚାଇବାପାଇଁ ଯେତେ ଡାକିଲା କେହିବି ଆସିଲେ ନାହିଁ।ତାର ଜୀବନ ଯେମିତି ଆଉ ଟିକକରେ ଚାଲିଯିବା ହଠାତ୍ ନିଦ ଭାଙ୍ଗିଗଲା । ଉଠି ଦେଖିଲା ସକାଳ ହେଇଯାଇଛି। ଭୟରେ ଝାଳବୋହି ତାର ସମ୍ପୂର୍ଣ୍ଣ ଶରୀର ଗାଧେଇପଢ଼ିଚି।ସେ ବଞ୍ଚିଛି ବୋଲି ବିଶ୍ୱାସ କରିପାରିଲାନାହିଁ ପୂର୍ବ ରାତିରେ ଯାହା ସବୁ ହେଲା ସେସବୁ କଣ ଗୋଟେ ସ୍ବପ୍ନ ନା ବାସ୍ତବରେ ହେଇଚି ତା ସହ। ନିଜକୁ ଆଇନା ରେ ଦେଖି ଚକିତ ହେଇଗଲା ସେ।ତା ବେକରେ ଗୋଟେ ବିଚିତ୍ର ଦାଗ ଦେଖାଯାଉଛି।ଯେମିତି କେହିଜଣେ ତାର ଗଳା ଚିପିଦେଇଛି।ଆଉ ଘର ସାରା ସବୁ ଜିନିଷପତ୍ର ଏମିତି କିଏ ଫୋପଡ଼ିଦେଇଚି। ନାଇଁ ଏସବୁ ଭ୍ରମ ନୁହେଁ ଗୋଟିଏ ରାତି ଭିତରେ ତାସହ ଏତେସବୁ ହେଇଗଲା ସେ ବିଶ୍ୱାସ କରିପାରିନଥିଲା।ପୂର୍ବ ରାତିର ଘଟଣା ତାର ଭ୍ରମ ନୁହେଁ କି ସ୍ବପ୍ନ ନୁହେଁ।ଏକ ନିରାଟ ସତ୍ୟ ସତରେ ସେ ଆତ୍ମା ସହ ଗୋଟିଏ ରାତି ବିତେଇଥିଲା।ଆଉ ଆତ୍ମା ର ଏତେ ପାଖରେ ଥିଲା ଆଉ ସେ ଭୟାତୁର ଅନୁଭୂତି କୁ ଅନୁଭବ କରିଥିଲା।

