ସମ୍ପର୍କର କିଛି ସ୍ମୃତି
ସମ୍ପର୍କର କିଛି ସ୍ମୃତି
ସ୍ମୁତି ଏକ ଏମିତି ଅଲିଭା ପୃଷ୍ଟା ଯାହା କେବେ ମନରୁ ଲିଭେଇ ହୁଏନି। ସ୍ମୃତି ତା ଆଉ ମୋ ଭିତରେ ଥିବା ସଂପର୍କର ଅକୁହା ସାଥୀ। ଆଉ ଏଇ ସ୍ମୃତି ଆଜିବି ମୋ ଭିତରେ ସେମିତି ବଞ୍ଚିଛି।
ଯେବେ ଆମେ ପ୍ରଥମେ ଦେଖା ହେଇଥିଲେ, ସେଦିନର କଥା ଆଜିବି ମୋର ମନେ ଅଛି। ଅଳ୍ପ ସମୟ ଭିତରେ ଏକ ଅଲଗା ପ୍ରକାର ଅନୁଭୂତି ହେଇଥିଲା ମନ ଭିତରେ। ତମେ ମୋର ଅତି ପାଖାପାଖୀ ହେଇ ଯାଇଥିଲ। ତମେ ମତେ ବହୁତ ଭଲପାଇଗଲ।
ଆଉ ମୁଁ ବି ତମକୁ ବହୁତ୍ ପସନ୍ଦ କରୁଥିଲି।
ମୋ ସହ ସମୟ ବିତେଇବା ତମକୁ ବହୁତ୍ ପସନ୍ଦ ଥିଲା। ମତେ ବି ତମର ସବୁ ପ୍ରତିଶ୍ରୁତି ସତ ପରି ଲାଗୁଥିଲା । ଘଣ୍ଟା ଘଣ୍ଟା ଧରି ଆମେ ଫୋନ୍ ରେ କଥା ହେଉଥିଲେ। ଭୋକ, ଶୋଷ, ନିଦ ସବୁ ଭୁଲିଯାଉଥିଲେ। ମୁଁ ତୁମ ଜୀବନକୁ ଆସିବା ପରେ ସବୁଦିନ ଡେରିରେ ଶୋଇଥିଲ ରାତିରେ।ମୋ ପାଇଁ ତୁମ ଆଖିରେ ନିଦ ବି ନଥିଲା। ସବୁ କଥାରେ ତୁମେ ମୋ ପାଇଁ ଅଧିକା ଯତ୍ନଶିଳ ହେଇ
ପଡ଼ୁଥିଲ। ସେଥିପାଇଁ ବୋଧେ ମୁଁ ନିଜକୁ ଭାଗ୍ୟବତୀ ମନେ କରୁଥିଲି।କେବେ ଯଦି ରୁଷି ଯାଉଥିଲି ଅତି ସହଜରେ ମନେଇ ଦଉଥିଲ ମୋତେ।ମୋ ଠାରୁ ଏତେ ଦୂରରେ ଥାଇକି ବି ମୋତେ ଦେଖା କରିବାକୁ ଆସୁଥିଲ ତମେ।ମତେ ବି ସାଥୀରେ ନେଇ ଯାଉଥିଲ ବୁଲେଇବା ପାଇଁ ।ଯଦି ଏତେ ଭଲ ପାଇବା ଥିଲା .....
କାହିଁକି ଆଜି ଏକାଠି ସାଥୀ ହେଇକି ରହିକି ବି ଆମେ ଏକାଠି ନାହୁଁ।କାହିଁକି ଆଗ ଭଳି ଆମ ଭିତରେ ସେ ଆଗ ଭଲ ପାଇବା ନାହିଁ। କାହିଁକି ସେ ବିତିଯାଇଥିବା ସମୟ ଆମ ପାଖରେ ନାହିଁ ।
କାହିଁକି ତମ ହାତ ଆଜି ମୋ ହାତ ରେ ନାହିଁ। କାଲି ଆଉ ଆଜିର ଜୀବନ ଭିତରେ ଏତେ ପରିବର୍ତ୍ତନ କଣ ପାଇଁ ....
ଗୋଟିଏ ଛାତ ତଳେ ଥାଇବି ତମେ ଆଉ ମୁଁ ଆଜି ଅଲଗା ହେଇଯାଇଚେ।ଆମ ଭିତରେ ଥିବା ସଂପର୍କ କୁଆଡେ ଉଭାନ ହୋଇଯାଇଛି।ଜାଣିନି ତୁମେ ଏମିତି ହଠାତ୍ କାହିଁକି ବଦଳିଗଲ ।କଣ ଭୁଲ ଥିଲା ମୋର ମତେ ନିଜ ଜୀବନରୁ ଦୁରେଇଦେଲ।
ମୁଁ ତୁମକୁ ବୁଝାଇବାକୁ ବହୁତ୍ ଚେଷ୍ଟା କରିଛି , ତା ପରେ ବି ତମେ ଆମ ସଂପର୍କ କୁ ବଞ୍ଚାଇବାକୁ ଥରେ ବି ଚାହିଁନ।ଏମିତି ଅସଜଡା ଜୀବନକୁ ବହୁତ୍ କଷ୍ଟରେ ବଂଚୁଥିଲି।ଆଉ ମୋ ସହ ଯାହା ଘଟୁଥିଲା ସେ ସବୁ ଗ୍ରହଣ କରିନଉଥିଲି କେବଳ ତୁମ ପାଇଁ।
ସେଥିପାଇଁ ବୋଧେ ତୁମେ ମୋର ଏଇ ପରିସ୍ଥିତିର ଫାଇଦା ଉଠଇଥିଲ। ମୁଁ ହୃଦୟରେ ତୁମକୁ ସାଇତି ରଖିବାକୁ ଚେଷ୍ଟା କରୁଥିବା ବେଳେ ତୁମେ ବୁଦ୍ଧିମାନର ସହ ମୋ ଠାରୁ ଅଲଗା ହେଇ ଯାଉଥିଲ ।କେତେଦିନ ଆଉ ଏ ସମ୍ପର୍କକୁ ଏମିତି ଅଡ଼ୁଆ ସୂତା ରେ ବାନ୍ଧିକି ରଖିଥିବା।ଯୋଉ ରାସ୍ତାରେ ଚାଲିବା କଷ୍ଟକର ସେଇଠି କେମିତି ଦୌଡ଼ିବା। ସତ ଯଦି କହିବି ମୁଁ ବହୁତ ଥକି ଯାଇଛି। ଅସହ୍ୟ ଯନ୍ତ୍ରଣା ଦେଉଥିବା ଏ ଜୀବନ ଆଗରେ ହରି ଯାଇଛି ମୁଁ । ମୁଁ ଜାଣିଛି ମତେ କେହି ବୁଝି ପାରିବେନି। ଆରମ୍ଭରୁ ମୋ ମନକୁ ମାରି ଦିଆଯାଇ ଥିଲା।ଏବେ ପୁଣି ଥରେ ବି ମତେ ନିରାଶ ହେବାକୁ ପଡିବ। କିନ୍ତୁ କେତେଦିନ ଏମିତି ଚାଲିବ ଜୀବନରେ। ମୁଁ କିନ୍ତୁ ଆଉ ସହି ପାରିବିନି। ମୁଁ ନିଜେ ବଞ୍ଚିବା ଶିଖିବି।ଅନ୍ୟମାନଙ୍କ ଅପେକ୍ଷା ନିଜକୁ ବେଶୀ ଭଲ ପାଇବି।ସବୁବେଳେ ମୁହଁରେ ହସ ଯୋଗୁ ମତେ କେହି ଚିହ୍ନି ପାରିଲେନି।
ଆଉ ଏ ହସ ପଛରେ ଥିବା ଯନ୍ତ୍ରଣାକୁ କେହି ବୁଝିପାରିଲେନି। ଛାଡ଼ ମୁଁ ବା କଣ କରିପାରିବି କାହାର।ଚେଷ୍ଟା କରିବି ନିଜକୁ ବଦଳାଇବା ପାଇଁ।କାହାକୁ ଆଉ ଏତେ ନିଜର କରିବିନି,କି କାହା ପାଇଁ ଏ ମନ ଭିତରେ ଭଲ ପାଇବା ଲୁଚେଇ ରଖିବିନି।
ଏଇଟା ତ ଜରୁରୀ ନୁହେଁ ନା ଜୀବନରେ ଜବରଦସ୍ତି କିଛି ସଂପର୍କରେ ବାନ୍ଧି ହୋଇ ରହିବା। ମିଛ ହସ ଦେଖାଇ ସମସ୍ତଙ୍କୁ ଖୁସି କରାଇବା। ସବୁବେଳେ ଚୁପ୍ ରହିଯାଉଛି ଏଇଥି ପାଇଁ କି ଲୋକ କଣ କହିବେ ବୋଲି,ହେଲେ ଯିଏ ମନର ଭାବନା ବୁଝି ପାରୁ ନାହାଁନ୍ତି ତାଙ୍କ ଠାରୁ ଆଉ କଣ ବା ଆଶା କରିହେବ।ଆମେ ଏ କଷ୍ଟକୁ ସହିକି ବଞ୍ଚିବା କି ନାହିଁ ଏଇଟା ଆମ ଉପରେ ନିର୍ଭର କରେ ବାପା ମାଙ୍କ କଥା ରଖିକି ଚୁପ୍ ହେଇ ରହିଲେ ବି ସଂପର୍କରେ କିଛି ସୁଧାର ଆସିବ ବୋଲି କିଛି ଗ୍ୟାରେଣ୍ଟି ତ ନାହିଁ ନା।ଯାହା ତାଙ୍କ ପାଇଁ ଠିକ୍ ତାହା ଆମ ପାଇଁ ଭୁଲ ବି ହୋଇପାରେ।ଆମେ କେବଳ ସେଇ ପରିସ୍ଥିତିକୁ ବୁଝିପାରିବା ଯୋଉ ପରିସ୍ଥିତିକୁ ଆମେ ନିଜେ ସାମ୍ନା କରୁଛେ।ଯିଏ ଆମକୁ ବୁଝିପାରୁଥିବ ସେ ଆମ ପରିସ୍ଥିତିକୁ ବି ବୁଝିଵ। ସେଥିପାଇଁ ମୁଁ ନିଜକୁ ଫେରେଇ ଆଣିଲି ଏ ସଂପର୍କରୁ।ଆମ ରାସ୍ତା ଏଇ ପର୍ଯ୍ୟନ୍ତ ହିଁ ଥିଲା ଭାବିକି ଏଇ ସଂପର୍କରୁ ନିଜକୁ ଅଲଗା କରିଦେବା ଉଚିତ୍ ହେବା।
ଜୀବନର କାହାଣୀରେ ସବୁବେଳେ ନିଜର ଭୂମିକାକୁ ଗୁରୁତ୍ବ ଦେବା ଉଚିତ୍।କାହିଁକି ନା ଆମେ ଯଦି ଆଉ କାହା ଚରିତ୍ରକୁ ଗୁରୁତ୍ଵ ଦେବା ତାହେଲେ ଆମ ଜୀବନର କାହାଣୀ ଏଇଭଳି ହିଁ ଅଧୁରା ହେଇ ରହିଯିବ।
