ତୁମେ ଗଲା ପରେ
ତୁମେ ଗଲା ପରେ
ଜୀବନ ପାଲଟିଯାଇଛି ଗୋଟେ ବିବର୍ଣ୍ଣ ଇନ୍ଦ୍ରଧନୁ
ତୁମେ ଗଲା ପରେ ପରେ
ଭିଜି ଭିଜି ଯାଏ ମୋର ଅଙ୍ଗ ପ୍ରତିଅଙ୍ଗ
ତୁମ ପ୍ରତିକ୍ଷାର ରଙ୍ଗ ଛିଟାରେ ll
ଅଶ୍ରୁ ଢଳ ଢଳ ମୋର ଏଇ ନେତ୍ର ଯୁଗଳ
ଖୋଜେ ତୁମର ସେ ଅନାବିଳ ରୂପ
ଅଭିମାନ ସ୍ନାତ କୋହ ଭରା ଚିତ୍ତ
ଲୋଡ଼େ ତୁମର ସେ ମଧୁର ଆଳାପ ll
ଆଙ୍କି ହୋଇଯାଏ ପୁଣି ଭିଜା ନୟନର ଆର୍ଦ୍ର ପଲକରେ
ବିଗତ ମୁହୂର୍ତର ଛବି କେତେ
ଖୋଜି ଚାଲିଥାଏ ତୁମକୁ
ସେ ନିର୍ଜୀବ ଛବିର ତନୁରେ ତନୁରେ
କେଡେ ନିର୍ବୋଧ ମୋର ଉଦ୍ୟମ ସତେ ll
ଶୋଷି ନିଏ ହସ୍ତ ତୁମ ମୋର ଏଇ ନୟନର
ଟୋପା ଟୋପା ଲୁହର ବରଷା
ତୁମେ ରହିଅଛ କାହିଁ କେତେଦୁରେ
ଆଜି ଏ ଲୋତକ ପାଇଁ ଓଷ୍ଠ ର ପିପାସା ll
ମୋ ଜୀବନ କଠୋର ନିଦାଘେ
ଆସିଥିଲ ତୁମେ ସୁଶୀତଳ ଜ୍ୟୋତ୍ସ୍ନା ନେଇ
ଫେରିଗଲ କେଉଁ ଏକ ଅଜଣା ରାଇଜେ
ପୁନଃ ଆଗମନର ପ୍ରତିଶୃତି ଦେଇ ll
ପ୍ରତିଶୃତି ତୁମ ହୋଇପାରେ କେବେ ପ୍ରତାରଣା
କରିପାର ତୁମେ ମୋତେ କେବେବି ଉପେକ୍ଷା
ତଥାପି କରିଛି କରଥିବି ମୁଁ ଯେ
ଅପେକ୍ଷା କେବଳ ତୁମକୁ ଅପେକ୍ଷା ll

