ମା
ମା
ବିଶ୍ୱ ନିୟନ୍ତାର ବିଚିତ୍ର ସୃଷ୍ଟିରେ
ପ୍ରବାହିତ ନିର୍ଝରିଣୀ
ନାମ ତା ପବିତ୍ର ମଧୁର ସର୍ବତ୍ର
ତା ଠାରେ ମୁଁ ଚିର ୠଣୀ l
ବାରତା ତାହାର ଆହାଃ କି ମଧୁର
ଝରି ଯାଉଥାଏ ସୁଧା
କୋମଳ ହୃଦୟେ ହୋଇଥାଏ ପୂର୍ଣ୍ଣ
ପ୍ରେମ ପ୍ରୀତି ସ୍ନେହ ଶ୍ରଦ୍ଧା l
ନାମ ତାର ଥରେ ଧରିଲେ ମୁଖରେ
ପ୍ରାଣ ହୁଏ ସୁଶୀତଳ
ନିଷ୍ପାପ ଶିଶୁର ଦୁଃଖ ଦେଖି ତାର
ଚକ୍ଷୁ ହୁଏ ଛଳ ଛଳ l
ସର୍ବ ବିପଦରୁ ସୁରକ୍ଷା ନିମନ୍ତେ
ନିରାପଦ ତାର କୋଳ
ପର କି ଆପଣା ଭେଦ ଭାବ ନାହିଁ
ଅନ୍ତର ତା ନୀରିମଳ l
ମମତା ରୂପକ ବାରିଧାରା ତାର
ସଭିଙ୍କୁ ବରଷି ଦିଏ
ଶୋକ ଯନ୍ତ୍ରଣା କୁ ଚାପି ବକ୍ଷ ତଳେ
ମଙ୍ଗଳ ମନାସୁ ଥାଏ l
ନୟନରୁ ଯେତେ ଝରଇ ଲୋତକ
ପୋଛିଦିଏ ପଣତରେ
ଅଧରରେ ହସ ଦେଖି ତା ହୃଦୟ
ଭରେ ଅସୀମ ତୃପ୍ତିରେ l
ତାର ଗୁଣ କୀର୍ତ୍ତି ସବୁଠୁ ମହାନ
ଅଟେ ସେ ଯେ ମହିୟସୀ
ମୋ ମନ ମନ୍ଦିରେ ଦେବୀ ଅଟେ ସିଏ
ସ୍ୱର୍ଗ ଠାରୁ ଗରୀୟସି l
ଭୁଲି ନାହିଁ କେବେ ନଭୁଲି ପାରିବି
ଥିବା ଯାଏ ଏ ଶରୀର
ଜୀଇଁ ଥିବା ଯାଏ ତାର ଚରଣରେ
ନଇଁ ଯାଉ ମୋର ଶିର l
