ତମେ ସେଇ ମଣିଷ କି
ତମେ ସେଇ ମଣିଷ କି
ମୁହଁ ଚାହୁଁଛି କାନ୍ଧ –କାନ୍ଦିବାକୁ
ଆଖି ଚାହୁଁଛି ପାପୁଲି –ଲୁହ ପୋଛିବାକୁ
କୋହ ଚାହୁଁଛି ଛାତି-ଆଲିଙ୍ଗନକୁ ।
ସେ କାନ୍ଧ
ସେ ପାପୁଲି
ସେ ଛାତି
ଚାଲିଛି ଖୋଜା
ତମ ପାଖରେ ଅଛି କି
ମାନବୀୟ ସମବେଦନାର ମଣିଷଟିଏ କି ତମେ ॥
ମନ ଚାହୁଁଛି ଇଚ୍ଛା –ବ୍ୟାପିଯିବାକୁ
ହୃଦୟ ଚାହୁଁଛି ଭାବ –ବାଣ୍ଟିହେବାକୁ
ଦେହ ଚାହୁଁଛି ପ୍ରେମ –ଜନ୍ମି ଯିବାକୁ ।
ସେ ଇଚ୍ଛା
ସେ ଭାବ
ସେ ପ୍ରେମ
ତମ ପାଖରେ ଅଛି କି
କରୁଣାସିକ୍ତ ଭଲପାଇବାର ମଣିଷ ଟିଏ କି ତମେ ॥
ମୁଁ ଖୋଜୁଛି ତମକୁ
ଆମେ ଖୋଜୁଛୁ ତମକୁ
ସମସ୍ତେ ଖୋଜୁଛନ୍ତି ତମକୁ
ତମେ କେଉଁଠି ସେ ପ୍ରକାର ମଣିଷ ।
ଗାଁରେ
ନା ସହରରେ
ନା କେଉଁ ଅଜ୍ଞାତବାସରେ ॥
ଇଏ କେମିତିକା ପାହାଡ ଖୋଳୁଛ ତମେ
ଯେଉଁଠି କୋଟି କୋଟି ଟଙ୍କାର ବାହାରୁଛି ଲୁହା ପଥର
ସେଠୁ ଝରି ପାରୁନି ପାଣିର ଧାର ଶ୍ରମିକର କୁଟୀରକୁ ।
ତମେ ସେ ପାହାଡି ମଣିଷ କି ।
ଇଏ କେମିତିକା ଗଣତନ୍ତ୍ରରେ କରୁଛ ବିଶ୍ଵାସ
ଯେଉଁଠି ସୃଷ୍ଟି ହେଉଛି
ଉନାଉ , କୁନ୍ଦୁଲି କି ଦାନା ମାଝିର ଗାଁ
ତମେ ସେ ଅଗଣତାନ୍ତ୍ରିକ ମଣିଷ କି ?
ତମେ ଯିଏ ବି ହୁଅ
ଯେଉଁଠି ବି ଥାଅ
ମଣିଷ ପଣିଆ ନେଇ ଆସ
ହସର ମୁହଁଟିଏ ହେଇ ଆସ
ଝାଟି ମାଟିର ସୁଖ ଦେଇ ଆସ
ପାପୁଲିର ପାପୁଲିୟେ ବିଶ୍ଵାସ ହେଇ ଆସ
ସମ୍ପର୍କର ପୁଳାଏ ନିଃଶ୍ଵାସ ନେଇ ଆସ
ଏ ରୁଗଣ ସମାଜକୁ ॥
ନିଜକୁ ନିଜେ ପଚାର
ତମେ ସେଇ ସମାଜର ମଣିଷ କି ?
