ସଫଳତା ଦିଏ ଖୁସି
ସଫଳତା ଦିଏ ଖୁସି


ଆମ ଜୀବନରେ କେତେ ଲକ୍ଷ୍ୟ ଥାଏ,
ପୂରେ ନାହିଁ ସବୁ ଲକ୍ଷ୍ୟ ।
ସେହି ଲକ୍ଷ୍ୟ ସବୁ ପୂର୍ଣ୍ଣ କରିବାକୁ,
ହେବାକୁ ପଡିବ ଦକ୍ଷ ।।
ମନର ଆଶାରୁ ଲକ୍ଷ୍ୟ ନିଏ ଜନ୍ମ,
ଲକ୍ଷ୍ୟରୁ ଜିଦିର ସୃଷ୍ଟି ।
ସେହି ଜିଦି ପୁଣି ଦେଇଥାଏ ସୁଖ,
ପୁଣି ଦୁଃଖ କରେ ବୃଷ୍ଟି ।।
ଲକ୍ଷ୍ୟଟା ଆମର ହୋଇଗଲେ ପୂର୍ଣ୍ଣ,
ମିଳିଥାଏ ସଫଳତା ।
ସେହି ଲକ୍ଷ୍ୟ ଯେବେ ନହେଲା ପୂରଣ,
ମିଳେ ପୁଣି ବିଫଳତା ।।
ସଫଳତା ପାଇଁ ଲୋଡା ହୋଇଥାଏ,
ଅକ୍ଳାନ୍ତ ପରିଶ୍ରମ ।
ବିନା ପରିଶ୍ରମେ ନହେବ ସଫଳ,
ସୃଷ୍ଟିର ଏହା ନିୟମ ।।
ହୋଇଲେ ସଫଳ ଆମ ଏ ହୃଦୟ,
ଆନନ୍ଦରେ ଯାଏ ଭରି ।
ବିଫଳତା ସ୍ୱାଦ ଲାଗେ ପିତା ପିତା,
ହୃଦୟ ହୁଅଇ ଚିରି ।।
ସଫଳ ହେବାକୁ ଜାରିରଖ ଚେଷ୍ଟା,
ଅହରହ ଦିବା ନିଶି ।
ଏହି ଚେଷ୍ଟା ପୁଣି କରାଏ ସଫଳ,
ସଫଳତା ଦିଏ ଖୁସି ।।