STORYMIRROR

Prabina Prusty

Classics

4  

Prabina Prusty

Classics

ସମର୍ପଣ

ସମର୍ପଣ

1 min
278


ତମରି ଇଛାରେ ଏଇ ଦୁନିଆରେ 

ଆତଯାତ ହୁଏ ମୁହିଁ,

ଯେମିତି ରଖିଛ ସେମିତି ରହିଛି

ତିଳେ ମୋ ଶୋଚନା ନାହିଁ।୧।


ସଂସାର ସାଗରେ ନାଆ ମୋର ଭାସେ

ତମେ ତ ନାଉରୀ ମୋର,

ଯେଣିକି ନେଉଛ ତେଣିକି ଯାଉଛି 

ତିଳେ ନାହିଁ ମନେ ଡର।୨।


ତମରି ଇଛାରେ କର୍ମ ବି କରୁଛି

ପ୍ରାପ୍ତିକୁ ଉପେକ୍ଷା କରି,

ଜାଣିଛି ଦିନେ ମୁଁ ମୋ କର୍ମର ଫଳ

ଦେବ ତମେ ଯାଚି କରି।୩। 


ଜୀବନର ଦିଗ ବଦଳି ଯାଉଛି 

ପବନର ମୋଡ଼ ପରି,

ସେଥିକି ଭୃକ୍ଷେପ ନାହିଁ ମନେ ମୋର 

ତମକୁ ତ ଆଶ୍ରା କରି।୪।


ତମ କୃପା ବାରି ଝରୁ କି ନ ଝରୁ 

ସେଥିରେ କି ଯାଏ ଆସେ,

ତମରି ଦାନ ତ ଏଇ ମୋ ଜୀବନୁ 

ଅମା ଅନ୍ଧକାର ନାଶେ।୫।


ଜାଣିଛି ଜାଣିଛି ଯେତେ ଆଡ଼େଇଲେ 

ପାଖେ ଲାଗିଥିବି ମୁହିଁ,

ତମ ଦିଆ ବିଷ ମୋ ପାଇଁ ଅମୃତ 

ପିଇ ରହିଥିବି ଜୀଇଁ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics